ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଗ : ୧୭
ସ୍ବଭାଷା ସର୍ବଜ୍ଞାନାଧାର
ହେଲେ ହେଁ, ତହିଁର ବିଚାର
କେବଳ ଭାଷାଜ୍ଞାନ ଯୁକ୍ତ
ହେବାଟା ନୁହେ ଅବିହିତ
ଭୂଗୋଳ, ନୃତତ୍ତ୍ୱ, ସଂସ୍କୃତି
ସହିତ ଭାଷାର ସଂପୃକ୍ତି
ଥିଲେ ବି, ସବୁ ସହ ଖଂଜି
ଭାଷାତତ୍ତ୍ୱ ହୁଏନି ବୁଝି
କେତେ ମଧୁର କାବ୍ୟ ଗୀତି
ଆମର ଭାଷାର ସଂପତ୍ତି
ଏବେ ବି ଅଟେ ପ୍ରାସଂଗିକ
ବୁଝଂତିନାହିଁ ଆମ ଲୋକ
ସାହିତ୍ୟ ପ୍ରେରଣାର ଫଳ
ବାଂଟିଲେ ବଢ଼େ ଭାଷା ବଳ
ବଢ଼ଇ ଆଗ୍ରହ ଉତ୍ସାହ
ଘୁଂଚଇ ଭୟ ଆଉ କୋହ
ପାରସ୍ପରିକ ସହଯୋଗ
ଯୋଗାଏ ଅନେକ ସୁଯୋଗ
ସଂଭବ ହୁଏ ସର୍ବୋନ୍ନତି
ବିକାଶ କରେ ବ୍ୟକ୍ତି, ଜାତି
ସ୍ଥିର ମତି ଓ ଧୀର ଗତି
ଘଟାଏ ସକଳ ଉନ୍ନତି
ଭାଷା ସହିତ ହେଲେ ଯୋଡ଼ି
ଜାତି ବି ପାରେ ଆଗେ ବଢ଼ି
ନିର୍ଦିଷ୍ଟ ସୂକ୍ଷ୍ମ ଆଲୋଚନା
ବଳେ ନିଷ୍କର୍ଷ ପଡ଼େ ଜଣା
ଗପିଲେ ଏଣୁତେଣୁ କଥା
ନିଶ୍ଚୟ ବଢ଼େ ଅସ୍ଥିରତା
ମନକୁ ରଖି ଧୀର ସ୍ଥିର
ଯିଏ ବି ହୁଏ ନିଷ୍ଠାପର
ତାହାର କୃତି ଉପଯୋଗ
ଯୋଗାଏ ଅନେକ ସୁଯୋଗ
କହିବା ପାଇଁ କଥା କହି
ଅଯଥା ଉଲ୍ଲସିତ ହୋଇ
ଯିଏ ବି ଛାଡ଼େ ଶବ୍ଦବାଣ
ସେ ନୁହେ ଭାଷାପରାୟଣ
ଏପରି ଲୋକଂକ ପ୍ରବୃତ୍ତି
ଘଟାଏ ବହୁବିଧ କ୍ଷତି
ସବୁଠି ଜ୍ଞାନ ପ୍ରଦର୍ଶନ
ବୋଲାଏ ସଂସ୍କାର ସ୍ଖଳନ
Comments are closed.