Latest Odisha News

BREAKING NEWS

ଭାଷା ଭାଗବତ : ବ୍ୟକ୍ତିମତ ହିଁ ଜନମତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୨୦୦ 

ତଥ୍ୟର ମହା ବିସ୍ଫୋଟନ
ହେତୁ ଏବେ ଲୋକଂକ ମନ
କରୁନି ଏକାଗ୍ର ଚିଂତନ
ଘଟୁଛି ଭାବ ସଂକୋଚନ

ଗଣ ମାଧ୍ଯମ କରେ ସ୍ଥିର
କିପରି ପ୍ରସଂଗ ବିଚାର
କରିବେ ଜନସାଧାରଣ
ସ୍ବାଧୀନ ଚିଂତା ହେବ କ୍ଷୁଣ୍ଣ

ଲୋକଂକ ଗମନାଗମନ
ଜ୍ଞାନୀଂକ କଥୋପକଥନ
ସାଂଗ ସାଥୀଂକ ଆଳାପନ
ସବୁ କରିବେ ନିୟଂତ୍ରଣ

ବ୍ୟକ୍ତିର ବ୍ୟକ୍ତିଗତ ମତ
ଆପେ ହେବ ଗୋଷ୍ଠୀର ମତ
ଗୋଷ୍ଠୀ ସ୍ବୀକୃତ ଦଳମତ
ହୋଇବ ସ୍ପଷ୍ଟ ଜନମତ

ଏପରି ହୋଇଲେ ଉନ୍ନୀତ
ବ୍ୟକ୍ତିମତ ହିଁ ଜନମତ
ବାଂଛିତ ଅବା ଅବାଂଛିତ
ହେବନି ମୋଟେ ବିବେଚିତ

ଏପରି ବ୍ୟକ୍ତିତ୍ବ ବିକାଶ
ସହିତ ବ୍ୟକ୍ତିତ୍ବ ବିନାଶ
ପ୍ରକ୍ରିୟା ହୋଇ ପରଂପରା
ଚଳିବ ଏ ପୃଥିବୀ ସାରା

ଅତି ଅଳ୍ପସଂଖ୍ୟକ ଲୋକ
ହେବେ ଭାଗ୍ୟର ନିୟଂତ୍ରକ
ଅବଶିଷ୍ଟ ସମସ୍ତ ଲୋକ
ହୋଇବେ ଅଗତ୍ୟା ସ୍ତାବକ

ନାମରେ ହେଲେ ବି ବିଭିନ୍ନ
କାମରେ ସଭିଏଁ ସମାନ
ହେବାରୁ ଭାଷା ହେବ ନ୍ୟୂନ
ରହିବନାହିଁ ତା ସମ୍ମାନ

ଆଗାମୀ ଇତିହାସ କଥା
ପଢ଼ିଲେ ତୁଟିଯିବ ଆସ୍ଥା
ଅମୂଲ୍ୟ ମଣିଷ ଜୀବନ
ତତ୍କାଳ ହେବ ମୂଲ୍ୟହୀନ

ଏହି ସ୍ଥିତିର ସମ୍ମୁଖୀନ
ହେବାକୁ ଦୃଢ଼ କଲେ ମନ
ବ୍ୟକ୍ତିର ବ୍ୟକ୍ତିତ୍ବ ରକ୍ଷଣ
ନିମଂତେ ଲୋଡ଼ା ଏବେ ଧ୍ୟାନ

ଭାଷା ଓ ସଂସ୍କୃତି ସୁରକ୍ଷା
ପାଇଁ ଏବେ ହିଁ ନେଲେ ଦୀକ୍ଷା
ନିଜ ଘର ଓ ପରିବାର
ହୋଇବ ବିଶ୍ବ ସରକାର

ବ୍ୟକ୍ତି ଓ ବିଶ୍ବର ସଂପର୍କ
ମଧ୍ୟରେ ସବୁ ନିରର୍ଥକ
ବ୍ୟକ୍ତିରେ ବିଶ୍ବ ସମାହିତ
ଏ ସତ୍ୟ ହେଉ ସର୍ବଜ୍ଞାତ

Comments are closed.