Latest Odisha News

ଭାଷା ଭାଗବତ : କାମ ମୋର ପରିଚୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଅନ୍ୟ ଯାହାର ଯେଉଁ ମତ

ତାହା ଜାଣି ମୁଁ ବିଚଳିତ

ସାଧାରଣତଃ ହୁଏଁନାହିଁ

ମୋ ମନ ରହେ ଶାଂତ ହୋଇ

 

ମନର ଶାଂତି ଅଂତରଂଗ

ତାହାକୁ କରିଦେଲେ ଭଂଗ

ପଶିଆସଂତି ନାନା ମତ

କରଂତି ମନକୁ ବିଭ୍ରାଂତ

 

ମୋର କାମ ମୋ ପରିଚୟ

ତହିଁରେ ଲଗାଇ ମୋ ଲୟ

ହେଉଛିଁ ଯେଣୁ କର୍ମାସକ୍ତ

ଉପେକ୍ଷା କରିପାରେଁ ମତ

 

ବ୍ୟକ୍ତିର ଏହି ଅନନ୍ୟତା

ରକ୍ଷିତ ହେଲେ ହିଁ ଅବସ୍ଥା

ଅବଶ୍ଯ କରେ କ୍ରମୋନ୍ନତି

ସେଆଡ଼େ ଦିଏଁ ମୋର ମତି

 

ମତିରେ ହୁଏ ଯାହା ଜାତ

ତାହା ସାହିତ୍ଯ, ଅସାହିତ୍ୟ

ରୂପରେ ନ ହେଲେ ଗୃହୀତ

ମୁଁ ହୁଏଁନାହିଁ ବିଚଳିତ

 

ଚାଷୀ ଯେମିତି ବୁଣେ ଧାନ

ନ କରି ବେଶି ଅନୁମାନ

ମୁଁ ମଧ୍ୟ ସେହି ଧାରା ଧରି

ଲେଖୁଛିଁ ଭାବନା ସଂଚାରି

 

ଚାଷୀର ଆଶା ଓ ବିଶ୍ବାସ

କରିନି ସଂସାରକୁ ନାଶ

ରହିଲେ ସୁଦ୍ଧା ସେ ଉପାସ

ଭରସା ହୁଏନାହିଁ ଶେଷ

 

ଅକ୍ଷର ଦିଏଁ ସିନା ବୁଣି

କେବେ ବି ପାରେଁନାହିଁ ଜାଣି

କିପରି ହେବ କାହା ମତ

ତେବେ ବି ମୁଁ ଲିଖନରତ

 

ରହି ହେଉଛିଁ ଆନଂଦିତ

ସ୍ବଭାଷା ସହ ପରିଚିତ

ଏତିକି ମୋ ପାଇଁ ବହୁତ

ଅଧିକ ଲୋଡ଼ୁନାହିଁ ଚିତ୍ତ

Comments are closed.