ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ
ଅତି ଶୁଦ୍ଧତାପ୍ରେମୀ ହୋଇ
ବାସ୍ତବ ଭାଷାକୁ ଲୁଚାଇ
ରଖଂତି ଅନେକ ଲେଖକ
ରହେନି ସ୍ବଭାଷାର ଟେକ
ଲୋକ ତୁଂଡରୁ ଯେଉଁ ଶବ୍ଦ
ବାହାରି ହୁଏ ବାକ୍ୟ, ପଦ
ତହିଁରେ ନ ଥିଲେ ଶୃଂଖଳା
ବୁଡ଼େନି ସ୍ବଭାଷାର ଭେଳା
ଶୁଦ୍ଧ, ଅଶୁଦ୍ଧ ମିଶାମିଶି
ଭାଷାରେ ଭାବନା ପ୍ରକାଶି
ତୃପ୍ତି ପାଆଂତି ଜନଗଣ
ତ୍ରୁଟି ସଂଧାନ ଅକାରଣ
ଛାତ୍ରର ଭୁଲ୍ ସଂଶୋଧନ
କରଂତି ବିଜ୍ଞ ଗୁରୁଗଣ
ହାଟରେ କଲେ ଏହି କାର୍ଯ
ହୁଏନି ସହଜେ ସ୍ବୀକାର୍ଯ
ସଂସାର ନୁହେ ଶ୍ରେଣୀକକ୍ଷ
ଏହି ସତ୍ୟକୁ କରି ଲକ୍ଷ୍ୟ
କରିଲେ ଭାଷା ବ୍ୟବହାର
ବିକାଶ ହୁଏ ଦ୍ରୁତତର
ଭାଷାଭାଷୀ ଲୋକଂକୁ ଖୁଣି
ଯିଏ ବୋଲାଂତି ଜ୍ଞାନୀ, ଗୁଣୀ
ତାଂକ ପାଂଡିତ୍ୟ ପ୍ରଦର୍ଶନ
କରେନି ଭାଷାର ବର୍ଧନ
ପରସ୍ପରକୁ ଶୁଣି, ବୁଝି
ଚଳିବା ପାଇଁ ହେଲେ ରାଜି
ବ୍ୟକ୍ତିର ତ୍ରୁଟି ଓ ପ୍ରମାଦ
ହୁଏନି ଭାଷାକୁ ବିପଦ
ଯେଣୁ ଅନନ୍ୟ ପ୍ରତି ବ୍ୟକ୍ତି
ତାଂକ କହିବା ଢଂଗ, ରୀତି
ହୁଅଇ ବିଭିନ୍ନ ପ୍ରକାର
ଏ ସତ୍ୟ କରିବା ସ୍ବୀକାର
ଆମର ସବୁ କାର୍ଯାବଳି
ନୁହଂତି କେବେ ଏକ ଭଳି
ଏକ ଆରେକଠାରୁ ଭିନ୍ନ
ହେବା ହିଁ ଭାଷାର ଲକ୍ଷଣ
କରିଲେ ସମାନତା ଆଶା
ଭାଷାଟେ ହୁଏନି ସରସା
ପ୍ରତ୍ୟେକ ବ୍ୟକ୍ତିର ବ୍ୟକ୍ତିତ୍ୱ
ଭାଷାରେ ହୁଏ ପ୍ରକଟିତ
ଯେହେତୁ ଏହା ସ୍ବାଭାବିକ
ବିରୋଧ ଅଟେ ନିରର୍ଥକ
ସଭିଏଁ ଭିନ୍ନତା ଆଦରି
ହୋଇପାରଂତି ଉପକାରୀ