ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ସମୁଦ୍ର ରଖିନି ହିସାବ
କେତେ ଜାହାଜ, କେତେ ନାବ
ରହଂତି ସଦା ବୁଡ଼ି, ଭାସି
କେବେ ବି ଯାଆଂତିନି ମିଶି
ସିଂଧୁକୁ ସର୍ବଦା ଅଜଣା
କେତେଟା ନଦୀ ଓ ଝରଣା
ତାହା ଭିତରେ ହେଲେ ଲୀନ
ବାସ୍ତବ ଅର୍ଥରେ ନିଶ୍ଚିହ୍ନ
ଅରଣ୍ୟ ପାଳେ ବହୁ ଗଛ
ଭଲ, ମଂଦ ଓ ଆଗ, ପଛ
କରେନି କେବେ ଅବିଚାର
ଉଦାର ସ୍ବଭାବ ତାହାର
ଗଛର ଚେର, ଗଂଡି, ଡାଳ
ପତ୍ର ସହିତ ଫୁଲ, ଫଳ
ଯେହେତୁ ପାଇଥାଉଁ ଦାନ
ଭାବିବାନାହିଁ ମୂଲ୍ୟହୀନ
ବୀଜରୁ ଜନ୍ମ ପାଏ ବୃକ୍ଷ
ମନୁଷ୍ଯ କଲେ ହେଁ ପ୍ରତ୍ୟକ୍ଷ
କେବେ ତ କରେନାହିଁ ଲକ୍ଷ୍ୟ
କାରଣ ନୁହେ ସେତେ ଦକ୍ଷ
ଫଳ ନ ପାରିଲେ ବି ଦେଇ
ଗଛଟେ ଦିଏ ନିଶ୍ଚେ ଛାଇ
ଗଛକୁ ମାନି ନିଜ ଗୁରୁ
ମଣିଷ ଏବେ ଶିକ୍ଷା କରୁ
ବୃକ୍ଷବିରାଗୀ ହେଲେ ଜାତି
ଭୋଗଇ ବହୁବିଧ କ୍ଷତି
ବୃକ୍ଷସରାଗୀ ହେଲେ ଲୋକ
ପାଆଂତି ଆନଂଦ ଆଲୋକ
ବିଶ୍ବର ଯେତେ ବନବାସୀ
ପାଆଂତି ସୁବିମଳ ଖୁସି
ହୁଅଂତି ଜୀବନ ବିଶ୍ବାସୀ
ଜୀବଂତ ବୃକ୍ଷ ସହ ମିଶି
ଲୋକଂକ ବହୁ ପ୍ରୟୋଜନ
ଗଛଟେ କରଇ ପୂରଣ
ତେଣୁ ତାହାକୁ କଲେ ଯତ୍ନ
ମିଳଇ ବହୁ ଦିବ୍ୟ ରତ୍ନ
ଲୋକଂକୁ କରି ସଚେତନ
ହେଲେ ହେଁ କଥନ, ଲିଖନ
ବଦଳୁନାହିଁ ଲୋକ ମନ
ଏହା ତ ନୁହେ ସମୀଚୀନ
କେଉଁ ପ୍ରକାରେ କହି କଥା
ସ୍ବଚ୍ଛ କରିବା ଆମ ମଥା
ତାହା ଯେହେତୁ ଜଣା ନାହିଁ
କିଛି କରୁନୁ ଗଛ ପାଇଁ
Comments are closed.