ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନାରେ ଘଟିଥିବା ବହୁ ଚର୍ଚ୍ଚିତ ହାଜତ ମୃତ୍ୟୁ ଅଭିଯୋଗ ମାମଲାକୁ ରାଜ୍ୟ ପୋଲିସ ବିଭାଗ ଗମ୍ଭୀରତାର ସହ ନେଇଛି। ଏହି ସମ୍ବେଦନଶୀଳ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସେ ଏହି ଘଟଣାର ବିସ୍ତୃତ ତଦନ୍ତ ଭାର ହ୍ୟୁମାନ ରାଇଟ୍ସ ପ୍ରୋଟେକ୍ସନ ସେଲ ବା ଏଚଆରପିସିକୁ ହସ୍ତାନ୍ତର କରିଛନ୍ତି।
ମୃତକ ସୁବୁଳିଆ ଗାଁର ୩୨ ବର୍ଷୀୟ ସୁଶାନ୍ତ ସାହୁ ବୋଲି ଜଣାପଡିଛି। ସେ ଜଣେ ଶାରୀରିକ ଦିବ୍ୟାଙ୍ଗ ଥିଲେ ଏବଂ ଦିନ ମଜୁରିଆ ଭାବେ ନିଜର ପରିବାର ପ୍ରତିପୋଷଣ କରୁଥିଲେ। ଗତ ମେ ମାସ ୨୫ ତାରିଖରେ ଏକ ପଥର ଫଟା ଘଟଣା ସହ ଜଡିତ ଥିବା ସନ୍ଦେହରେ ପୋଲିସ ତାଙ୍କୁ ନିଜ ହେପାଜତକୁ ନେଇଥିଲା। ତେବେ ଥାନା ଭିତରେ ତାଙ୍କୁ ଲଗାତାର କିଛି ଦିନ ଧରି ଅଟକ ରଖିବା ସହ ଅମାନୁଷିକ ନିର୍ଯାତନା ଦିଆଯାଇଥିବା ନେଇ ପରିବାର ଲୋକେ ଗୁରୁତର ଅଭିଯୋଗ ଆଣିଛନ୍ତି।
ସୁଶାନ୍ତଙ୍କ ପତ୍ନୀ ମାମାଜିନ ପ୍ରଧାନ ଗଣମାଧ୍ୟମକୁ ଜଣାଇଛନ୍ତି ଯେ ଥାନା ଭିତରେ ତାଙ୍କ ସ୍ୱାମୀଙ୍କ ଉପରେ ଗରମ ପାଣି ଢଳାଯିବା ସହ ତାଙ୍କୁ ନିସ୍ତୁକ ମାଡ଼ ମରାଯାଇଥିଲା। ଏହି ନିର୍ଯାତନା ଯୋଗୁଁ ତାଙ୍କ ଶରୀର ସାରା ଫୋଟକା ବାହାରି ଯାଇଥିଲା। ଗତ ଶନିବାର ଦିନ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ପୋଲିସ ସୁଶାନ୍ତଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ପରିବାର ଲୋକେ ତାଙ୍କୁ ପ୍ରଥମେ ଆସ୍କା ମେଡିକାଲ ଏବଂ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ସୋମବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ସୁଶାନ୍ତ ଆଖି ବୁଜିଥିଲେ।
ଏହି ଅଭାବନୀୟ ମୃତ୍ୟୁ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଦୋଷୀ ପୋଲିସ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଏବଂ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସାଧାରଣରେ ଦାବି ଜୋର ଧରିଛି। ଏଚଆରପିସି ଟିମ୍ ଖୁବଶୀଘ୍ର ତଦନ୍ତ ପ୍ରକ୍ରିୟା ଆରମ୍ଭ କରି ସୁଶାନ୍ତଙ୍କୁ ଅଟକ ରଖିବା ଓ ତାଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ଖୋଜି ବାହାର କରିବ ବୋଲି ଆଶା କରାଯାଉଛି।

Comments are closed.