ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
କହ : କୁହ ଓ ରହ : ରୁହ
ଉଭୟ ପ୍ରକାରକୁ ବୋହ
ଦବ : ଦେବ ଓ ନବ : ନେବ
ଏବେ ଚଳୁଛି ହବ : ହେବ
ଉଭୟେ ପକାଂତି ପ୍ରଭାବ
ସଭିଏଁ କରି ଅନୁଭବ
ସର୍ବଦା ରହିଲେ ନିରବ
ଭାଷା ସଂସ୍କାର ଅସଂଭବ
ରୁହିବା, କୁହିବା ଲେଖିଲେ
କାହିଁକି ନ ଚଳିବ ଭଲେ
ତାହେଲେ ହେଲାଣି ତାହାଲେ
କେହି କି କିଛି ବି କୁହିଲେ?
ସଭାରେ କେତେ କ’ଣ ହଲା ?
କାହାକୁ କିଏ କିଆଁ ଦଲା
ଯଦି କେ ଲେଖି ଦେଖାଇବ
ତାହା କି ଗ୍ରହଣୀୟ ହବ?
ବାର୍ତା, ସୂଚନା ପ୍ରସାରଣ
ପାଇଁ ଭାଷାକୁ କଲେ ଭିନ୍ନ
ତହିଁର ଦ୍ରୁତ ସଂଚାରଣ
ସଂଭବ ନୁହେ ବୋଲି ଜାଣ
ଗଳ୍ପ, କବିତା, ଉପନ୍ୟାସ
ନାଟକେ ଭାଷା କରେ ବାସ
ଯାହା ପ୍ରତ୍ୟକ୍ଷ ବାସ୍ତବିକ
ବୁଝଂତି ଲେଖକ, ପାଠକ
ଚରିତ୍ରୋଚିତ ହେଲେ ଭାଷା
ଭାଷାକୁ କରଇ ସରସା
ଲୋକ ମୁଖରୁ ଶବ୍ଦ ଆଣି
ଲେଖକେ ଦେଇଥାଂତି ବୁଣି
ତଥ୍ୟ-ଆଶ୍ରୟୀ ସୂତ୍ର, ଜ୍ଞାନ
ଧାରଣ ଆଉ ପ୍ରସାରଣ
ନିମଂତେ ଶବ୍ଦ ସମାନତା
ରଖିବା ପାଇଁ କରୁଁ ଚିଂତା
ସାହିତ୍ୟ ବଳେ କେଉଁ ଭାଷା
ସଂଚାର କରେନି ଭରସା
ଭାଷାରେ ହେଲେ ସବୁ କାର୍ଯ
ନିଶ୍ଚୟ ହୁଅଇ ସ୍ବୀକାର୍ଯ
ସାହିତ୍ୟ ପ୍ରାଂତସ୍ଥ ବିଷୟ
ତହିଁରୁ ଭାଷା ପରିଚୟ
ମିଳେନି, ଜାଣେ ସମୁଦାୟ
ଅନ୍ୟ ଭାଷାକୁ ଦିଏ ଶ୍ରେୟ
ଯେ ଯାହା କରୁଁ ଭାଷା ସହ
ତା କ୍ରମେ ହେଲେ ହେଁ ଅସହ୍ୟ
ଅବକ୍ଷୟ ବା ଅଭ୍ୟୁଦୟ
ଘଟିବା ନୁହେ ଏବେ ଥୟ