ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୬୫
ନିରବ ଲୋକ ହିଁ କୃପଣ
କରେନି ଚିଂତା ଉଚ୍ଚାରଣ
ଧାରଣା ବିଚାର ଲିଖନ
ମନକୁ ଦିଏନାହିଁ ମାନ
ସବୁ ଚିଂତା ଭାବନା ସଂଚି
ରହେ ସେ ସଂସାରରେ ବଂଚି
କରେନି କିଛି ବି ପ୍ରକାଶ
କରେ ଅଜ୍ଞାତେ ଭାଷା ନାଶ
ଆଂକେ ସେ ନିଜର ପରିଧି
ରହେ ସେଠାରେ ହୋଇ ବଂଦି
ନିଜର ଇଚ୍ଛାରୁ ବିଚ୍ଛିନ୍ନ
ହୋଇ ବିତାଏ ରାତି ଦିନ
କଥା କହିଲେ ଯିବ ସରି
ହେବ ସେ ଶବ୍ଦର ଭିକାରି
ଏହି ଆଶଂକା ମନେ ଧରି
କାଳସ୍ରୋତକୁ ହୁଏ ପାରି
ଏପରି ଲୋକଂକର ସଂଖ୍ୟା
ବଢ଼ିଲେ ଭାଷାର ସୁରକ୍ଷା
କେହି କରିପାରଂତିନାହିଁ
ଚଂଚଳ ଯାଏ ଲୁପ୍ତ ହୋଇ
ଆମର ଭାଷାର ଅବସ୍ଥା
ପ୍ରସଂଗ କଲେ ଟିକେ ଚିଂତା
ମନ ଦୋହଲିଯାଏ ସ୍ବତଃ
ଅସ୍ପଷ୍ଟ ଆମ ଭବିଷ୍ଯତ
ବ୍ୟକ୍ତିଗତ ସ୍ତରରେ ଆମେ
ଲାଗିପାରିବା ଭାଷା କାମେ
ପୋଷିବା ଏ ଦୃଢ଼ ପ୍ରତ୍ୟୟ
ମନରୁ ତଡ଼ି ଦ୍ବିଧା ଭୟ
ଐତିହ୍ୟ ଅଧିକାରୀ ଆମେ
ପଡ଼ିବାନାହିଁ ଆଉ ଭ୍ରମେ
ସ୍ବଭାଷା ଗୁଣ ନୁହେ ଊଣା
ବିଶ୍ବକୁ ପଡ଼ୁ ଏବେ ଜଣା
ଭାଂଗି ଆଳସ୍ୟ ନିରବତା
ଲେଖି ଦେଖାଇ ଦେବା ସତ୍ତା
ଭାଷା ପାଇବ ନିରାପତ୍ତା
ବଢ଼ିବ ତାହାର ମହତ୍ତା
ସ୍ବଭାଷା ବିଲୋପନ କାଳ
ଦିଶୁଛି ଭୀଷଣ ନିର୍ମଳ
କିପାଇଁ ଲେଖନୀ ଅଚଳ
କହଂତୁ ଭାଷାଭାଷୀ କୁଳ
ଦୁଶ୍ଚିଂତାଗ୍ରସ୍ତ ହୋଇ କାଳ
କାଟିଲେ ମିଳେନି ସୁଫଳ
ସଂଗ୍ରହ କରି ମନୋବଳ
ହୋଇବା କର୍ମିଷ୍ଠ ଚଂଚଳ
ଅକ୍ଷରଜ୍ଞାନଧାରୀ ହୋଇ
ନିରକ୍ଷରଂକ ପରି ରହି
ସଂସାରେ ବିତାଉଁ ସମୟ
ଏହା କି ଆମ ପରିଚୟ ?