Latest Odisha News

BREAKING NEWS

ଭାଷା ଭାଗବତ : ଶକ୍ତି ଗାଥା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ 

ଆତ୍ମଜ୍ଞାନରୁ ମିଳେ ଶକ୍ତି
ଏହା ହିଁ ଶୁଦ୍ଧ ଆତ୍ମଭକ୍ତି
ତାହା ନ ଥିଲେ ଜଣେ ବ୍ୟକ୍ତି
ସର୍ବଦା କରେ ପୁନରୁକ୍ତି

ସ୍ବାଧୀନତା କେ ଦିଏନାହିଁ
ସ୍ବାୟତ୍ତତା କେ ପାଏନାହିଁ
ଉଭୟ କରିଲେ ଅର୍ଜନ
ବ୍ୟକ୍ତି ହିଁ ହୁଏ ଶକ୍ତିମାନ

ନର ହେଉ ଅଥବା ନାରୀ
ନ ହେଲେ ଶକ୍ତିଅଧିକାରୀ
ଭୋଗଂତି ନିର୍ମମ କଷଣ
ପ୍ରଥାଦି କରଂତି ପାଳନ

ବିଶ୍ବବ୍ୟାପୀ ଏ କାର୍ଯଧାରା
ଗଢ଼ିଦେଇଛି ଯେଉଁ କାରା
ହୋଇ ସେଠାରେ ଅଧିବାସୀ
କେହି ପାଆଂତି ନିତି ଖୁସି

ଆଖି ବୁଝିଲେ ଯାହା ଦିଶେ
ବଧିର କାନେ ଯାହା ପଶେ
ଅଦୃଶ୍ୟ ଓ ଅଶ୍ରୁତ ମିଶେ
ମନରୁ କେବେ ବି ନ ଖସେ

କ୍ଷମତାଧାରୀ ଜଣେ ବ୍ୟକ୍ତି
ଦେଖାଏ ଯେତେ ପ୍ରତିପତ୍ତି
ଲୁଚାଏ ତହିଁରୁ ଅଧିକ
ସେ ହୁଏ ଆଜୀବନ ଠକ

ନିଜକୁ ଯାହା ବୋଲି ଭାବେ
ସ୍ବୀକାର ନ କରିଲେ ସର୍ବେ
ଚଳାଏ ଆପଣା ପ୍ରଚାର
ସିଏ କେମିତି କର୍ମବୀର

ବେତନଭୋଗୀ କର୍ମଚାରୀ
ଦଳୀୟ ପତାକାଟେ ଧରି
ଯା ଇଚ୍ଛା ହୁଏ, ପାରେ କରି
କାହାକୁ ନ ଡରି, ସୁମରି

ଦାସ ଭଳି ଯେ ଅନୁଗତ
ତାହାର ମନ ଆଉ ଚିତ୍ତ
କେବେ ନ ହୁଅଂତି ସ୍ବାଧୀନ
ଏମିତି ବିତେ ତା ଜୀବନ

ଯେ ହୁଏ ଏତେ ବଶଂବଦ
ତାହାର ମନେ ଦ୍ବିଧା, ଦ୍ବଂଦ୍ବ
ସର୍ବଦା କରୁଥାଂତି ବାସ
ଶକ୍ତିର ସତ୍ତା ହୁଏ ନାଶ

Leave A Reply

Your email address will not be published.