ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
କଲେ ଦୂଷିତ ଜଳ ଦାନ
ହୁଏନି ତାହା କେବେ ପୁଣ୍ଯ
ଅଶୁଦ୍ଧ ହୋଇଥିଲେ ଲେଖା
ହୁଏନି ସାହିତ୍ୟର ସଖା
*ନବାକ୍ଷରୀ* କରେ ସ୍ବାଧୀନ
ନିଶ୍ଚିତ ରୂପେ ଭାବାଚ୍ଛନ୍ନ
ସେ ସବୁ କଲେ ଲିପିବଦ୍ଧ
ଦିଶେନି ତ୍ରୁଟି ଓ ପ୍ରମାଦ
ପୂର୍ବର ଆଖ୍ୟାୟିକାମାନ
ଧାରଣ କରଂତି ଏ ଗୁଣ
ହେଉଥାଂତି ପୁନର୍ଲିଖିତ
କରିଚାଲଂତି ଲୋକହିତ
ପୁରାଣ ହୁଏନି ପୁରୁଣା
ସର୍ବଦା ଯୋଗାଏ ପ୍ରେରଣା
ଏ କଥା ଅନେକଂକୁ ଜଣା
ମହତ୍ତ୍ବ ହୁଏନାହିଁ ଊଣା
ସ୍ଥଳୋତ୍ତୀର୍ଣ ଓ କାଳୋତ୍ତୀର୍ଣ
ହୋଇ ମୋହୁଛି ଜନମନ
ଏବେ ବି ଚାଲିଛି ପ୍ରଚେଷ୍ଟା
ଲେଖୁଅଛଂତି ବହୁ ସ୍ରଷ୍ଟା
ଧନ୍ୟବାଦାର୍ହ ସେହି କବି
ଶବ୍ଦରେ ଆଂକୁଥାଂତି ଛବି
କରିଲେ ଯାଂତ୍ରିକ ଲିଖନ
ସାହିତ୍ୟ ହୁଏ ଅର୍ଥହୀନ
ଏ ଅତି ସହଜିଆ କାମ
ଲାଗେନି ବେଶି ପରିଶ୍ରମ
ଘଟାଇ ଅଂତ୍ୟାକ୍ଷର ମେଳ
ଲେଖିଲେ ଧାଡ଼ି ମାଳ ମାଳ
ତାହା କି ହୁଅଇ କବିତା ?
ଥରଟେ କରୁଁ ଏବେ ଚିଂତା
କୌଣସି ଧୈର୍ଯଶୀଳ ଜନ
ଏପରି ପାଠ ଉତ୍ପାଦନ
କରିବା ହେଲେ ବି ସଂଭବ
ତାହା କି ସାହିତ୍ୟ ହୋଇବ?
ତତ୍କାଳ ପ୍ରଶଂସା ଶୁଣିଲେ
ତାହାକୁ ସତ୍ଯ ମନେ କଲେ
ନିରୀହ କବି କେଉଁ କାଳେ
ସତେ କି ଭାଷାକୁ ସଂଭାଳେ ?
ନୂଆ ଢଂଗରେ କଲେ କାମ
ମିଳଇ ନୂଆ ପରିଣାମ
ସଫଳତାର ଏ ନିୟମ
ଦିଶୁନାହିଁ ତ ବ୍ୟତିକ୍ରମ!
ଆମେ ତ ନିର୍ଲିପ୍ତ ନିରବ
ଯେ ଯାହା ଲେଖିଲେ କି ହେବ?
ମିଳିବ କ୍ଷୀଣଜୀବୀ ତୃପ୍ତି
ଘୁଂଚିବନାହିଁ ତ ବିପତ୍ତି
ଲେଖକଂକର ମନୋବୃତ୍ତି
ବଦଳିଲେ ହେବନି କ୍ଷତି
ନବାକ୍ଷରୀ ପଦ୍ୟର ଗୁଣ
ସର୍ବଦା ସଂଯତ ଲିଖନ
ଭାବର ସାରାଂଶ ବ୍ୟାଖ୍ୟାନ
ବୁଝଂତି ଜନସାଧାରଣ
ଅନବରତ ଏହି ଶୈଳୀ
ଏବର ଭାବନା ସଂଖୋଳି
କରୁଛି ଭାଷାକୁ ସମୃଦ୍ଧ
ପଥ ହୋଇନି ଅବରୁଦ୍ଧ
ଏହାକୁ ମିଳୁଛି ଆଦର
ଏହା ହିଁ ଆମ ଭାଷା-ଘର
ଚିଂତନ ବିବିଧ ପ୍ରକାର
ଅଟେ ଏହାର ଅଳଂକାର
ଶୈଳୀରେ ପରୀକ୍ଷା, ନିରୀକ୍ଷା
ଦେଇନି ଭାଷାକୁ ସୁରକ୍ଷା
ପୁନଶ୍ଚ କରିଲେ ସମୀକ୍ଷା
ନେଇପାରିବା ନୂଆ ଦୀକ୍ଷା
ଅଲୋଡ଼ା ହେବ ଯଶ ଭିକ୍ଷା
ସ୍ବଭାଷା ପାଇଯିବ ରକ୍ଷା
Comments are closed.