Latest Odisha News

BREAKING NEWS

ଭାଷା ଭାଗବତ : ଅପୂର୍ବ ବିଜୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

ଯେ ଯାହା ଭାବଂତି ଉଚିତ
କରଂତୁ ଆହୁରି ବହୁତ
ମୁଁ ହେବିନାହିଁ ବିଚଳିତ
ସ୍ଥିର ରଖିବି ନିଜ ଚିତ୍ତ

ଏତିକି ମୋହର ଦାୟିତ୍ବ
ନିର୍ବାହ କରି ହେବି ପ୍ରୀତ
ଅନ୍ୟ କାହାର କାର୍ଯ ପାଇଁ
ମୁଁ ଦାୟୀ ହୋଇବି କିପାଇଁ

ଅନେକ କ୍ଷେତ୍ରରେ ମୌନତା
ଫେରାଇଆଣେ ସ୍ଥିତାବସ୍ଥା
ତେଣୁ ମୁଁ ରଖି ଦୀର୍ଘ ଧୈର୍ଯ
କରିଚାଲିବି ନିଜ କାର୍ଯ

ଅନ୍ୟ କାହାର ବିଚାରକ
ହେବାକୁ ମୋ ନିଜ ବିବେକ
ମୋତେ ହିଁ କରିଲେ ବାରଣ
ମାନିବି, ନ କରି ଅମାନ୍ୟ

ସମାଜେ ଯାହା ଯାଏ ଘଟି
ସେ ସବୁ ମନ ମଧ୍ୟେ ଘାଂଟି
ମୁଁ ଯେତେ ହେଲେ ବି ଚିଂତିତ
ହେବନି ସମାଜର ହିତ

ମୁଁ ଯେଣୁ ନୁହଇ ବିଶିଷ୍ଟ
କେବଳ ହୋଇ ସୁଦ୍ଧା ଶିଷ୍ଟ
କରୁଛିଁ ନିଜ କାର୍ଯମାନ
ଜିଉଁଛିଁ ସଂତୁଷ୍ଟ ଜୀବନ

ଯେତେ ଅଛି, ତାହା ତ ବେଶି
ତେଣୁ ମୁଁ ହୋଇ ସଦା ଖୁସି
ଏଠାରେ ସାରୁଛିଁ ସମୟ
ଲୋଡ଼ୁନି ଅପୂର୍ବ ବିଜୟ

କଥାର ପ୍ରଭାବ ସୀମିତ
କାମର ପ୍ରଭାବ ବହୁତ
ମନେ ରଖିବି ଏହି ସତ୍ୟ
ମୁଁ ସ୍ବୟଂ ହେବି ଅନୁଗତ

ମନର ପ୍ରେମ, ଶ୍ରଦ୍ଧା, ଭକ୍ତି
ନ ହେଲେ ଶବ୍ଦାଶ୍ରୟୀ ଉକ୍ତି
ହୁଏ ଅଧିକ କାର୍ଯକାରୀ
ମଣିଷ ହୁଏ ଭାବଧାରୀ

ସେହି ଭାବ ଦ୍ବାରା ଚାଳିତ
ବ୍ୟକ୍ତି ହିଁ କରିଥାଏ ହିତ
ନ ଥାଏ କାର୍ଯର ବିକଳ୍ପ
ହେଉ ଅଧିକ ଅବା ଅଳ୍ପ

Leave A Reply

Your email address will not be published.