Latest Odisha News

BREAKING NEWS

ଭାଷା ଭାଗବତ : ହେଉଁ ଭାଷାଭକ୍ତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୮୦ 

ଶବ୍ଦଗଠିତ ଲେଖାମାନ
କରିଲେ ସୂକ୍ଷ୍ମ ଅଧ୍ୟୟନ
ତହିଁରୁ ଭାଷାଂଶ ଲକ୍ଷଣ
କରିପାରିବା ବିଶ୍ଳେଷଣ

ସର୍ବାଂଚଳରୁ ସଂଗୃହୀତ
କଥିତ ଭାଷାର ଦୃଷ୍ଟାଂତ
ମିଳିଲେ ଦିଶେ ଯେଉଁ ରୂପ
ତାହା ହିଁ ଭାଷାର ସ୍ବରୂପ

ଶୃଂଗରୁ ମୁହାଣ ପର୍ଯଂତ
ଭାଷାର ଧାରା ପ୍ରବାହିତ
ତହିଁର ସୂକ୍ଷ୍ମ ଅନୁଧ୍ୟାନ
ବଢ଼ାଇଥାଏ ଭାଷାଜ୍ଞାନ

ନିଜର ଧାରଣା ଓ ରୁଚି
ନୁହେ ଭାଷାର ସବୁକିଛି
ବହୁ ସୂତ୍ରରୁ ତଥ୍ୟ ବାଛି
ଭାଷା ଭଂଡାରେ ଥାଉଁ ସଂଚି

ଏପରି ଗଚ୍ଛିତ ସଂପଦ
ଭାଷାକୁ କରଂତି ସମୃଦ୍ଧ
ନ ରଖି ଭେଦ କି ଅଂତର
କରୁଁ ଶବ୍ଦର ବ୍ୟବହାର

ପ୍ରୟୋଗାଶ୍ରିତ ଯେଣୁ ଭାଷା
ପଡ଼ିରହିଲେ ତାର ଦଶା
ବଢ଼ାଇ ପାରିବନି ଆଶା
ଅକାଳେ ତୁଟିବ ଭରସା

ଯାହା ହୋଇଛି, ହୋଇପାରେ
ଅତୀତ ଭବିଷ୍ଯତଠାରେ
ହେଉଛି ସର୍ବଦା ମିଳିତ
ଏହା ତ ସମୟର ସ୍ରୋତ

ପୁରୁଣା ନୂଆ ଭେଦଭାବ
ଅଯଥା କରି ଅନୁଭବ
ହୋଇଲେ ପରଂପରାପ୍ରିୟ
ଘଟେ ଭାଷାର ଅବକ୍ଷୟ

ଭାଷାର କ୍ଷୟ ଆଉ ବୃଦ୍ଧି
ଯେଣୁ ଘଟୁଛି ନିରବଧି
ଉଭୟ କରିଲେ ସ୍ବୀକାର
ଭାଷାକୁ ମିଳେ ଉପକାର

ଅନ୍ୟ କେ କହେ ଲେଖେ କ’ଣ
ତା ପ୍ରତି ଦେଇ ସଦା ଧ୍ୟାନ
ଖୋଜେ ଯେ ସବୁଥିରେ ଖୁଣ
ସେ କେବେ ହୁଏନି ନିପୁଣ

ଦେଖାଇହେବାର ପ୍ରବୃତ୍ତି
କରେ ବ୍ୟକ୍ତିର ଖୁବ୍‌ କ୍ଷତି
ଏହି ତଥ୍ୟକୁ ନେଲେ ମାନି
କିଛି ବି ହୁଏନାହିଁ ଖୁଣି

ନିଜ କାମରେ ରହି ଲିପ୍ତ
ହୋଇ ସ୍ବଭାଷା ଅନୁରକ୍ତ
ଭାଷାକୁ ପାରିବା ଚଳାଇ
ମନରୁ ଯାଇନି ପଳାଇ

 

Comments are closed.