Latest Odisha News

BREAKING NEWS

ପୁସ୍ତକ ପରିଚୟ : ଶ୍ଯାମଳୀ ଦାସ

ଶ୍ଯାମଳୀ ଦାସ
ଗାଳ୍ପିକ : କୃଷ୍ଣ କୁମାର ମହାନ୍ତି
ପ୍ରକାଶକ : ଶ୍ରଦ୍ଧା ପବ୍ଲିକେଶନ
କଟକ
ପୃଷ୍ଠା : ୧୨୦
ମୂଲ୍ୟ : ୯୮

ଗାଳ୍ପିକ କୃଷ୍ଣ କୁମାର ମହାନ୍ତିଙ୍କ ଗଳ୍ପ ବସ୍ତୁ ଜଗତ ଅପେକ୍ଷା ଭାବ ଜଗତକୁ ହିଁ ପ୍ରତୀକିତ କରିଥାଏ ।ତାଙ୍କ କଳ୍ପନାର ଐଶ୍ବର୍ଯ୍ଯ ହେଉଛି ଭାବ , ପ୍ରେମ ଓ ଆବେଗ । ସେହି ପ୍ରେମ ଓ ଆବେଗ ବଳରେ ସେ ମାନବାତ୍ମାରେ ଦେବତାର ସନ୍ଧାନ କରିଛନ୍ତି ।
ଓଡ଼ିଆ କଥା ସାହିତ୍ୟରେ ଏକ ସ୍ୱତନ୍ତ୍ର ସ୍ବାକ୍ଷର ବହନ କରିଥିବା ଗାଳ୍ପିକ ଶ୍ରୀ ମହାନ୍ତି ଦୀର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧ୍ବ କାଳ ଧରି ତାଙ୍କ ଲେଖନୀରେ କେତେ କାହାଣୀ ଗଢ଼ିବା ସହିତ ବହୁ ଚରିତ୍ରକୁ ଜୀବନ୍ଯାସ ଦେଇଛନ୍ତି , କିନ୍ତୁ ଶ୍ଯାମଳୀ ଦାସର ଶ୍ଯାମଳିମାର ଅନ୍ତରାଳେ ତାଙ୍କ ଲେଖକୀୟ ସତ୍ତା ସତେ ଯେମିତି ବିଭୋର ହେବାର ନିଦର୍ଶନ , ପାଠକ ଟିଏ ଦେଖିବାକୁ ପାଇଥାଏ ।
” ଶ୍ଯାମଳୀ ଦାସ ” ଗଳ୍ପ ସଙ୍କଳନରେ ସ୍ଥାନିତ କୋଡିଏଟି ଗଳ୍ପର ଭାବଧର୍ମୀତା , ନିଆରା ଶୈଳୀ ଏବଂ ପ୍ରେମ ଓ ଆବେଗର ଭାଷା ଚିହ୍ନାଇ ଦିଏ ତାଙ୍କୁ ପାଠକ ପାଖରେ । ଏ ସମସ୍ତ ଗଳ୍ପ ଗୁଡିକ ହୃଦୟର ଆବେଗକୁ ଏତେ ପରିମାଣରେ ଅଜାଡି ଦିଅନ୍ତି ଯେ ତାକୁ ସମୀକ୍ଷା କରିବା ସମ୍ଭବ ନୁହେଁ ଏତେ ସୀମିତ ପରିସରରେ । ପ୍ରତ୍ୟେକ ଗଳ୍ପରେ ମୁଖ୍ୟ ହୋଇଥିବା ଅନୁଭବର ଗଭୀରତାକୁ ଏଠି ଅତି ସଂକ୍ଷିପ୍ତ ଭାବରେ ଦର୍ଶାଇବାର ପ୍ରଚେଷ୍ଟା କେବଳ କରାଯାଇଛି ।

ପ୍ରେମ ଓ ଆବେଗରେ ପାଠକକୁ କୋଳେଇ ନେବାର ଶୈଳୀ କଥାକାର କୃଷ୍ଣ ଙ୍କୁ ଜୀବନବାଦୀ କଥାଶିଳ୍ପୀର ମର୍ଯ୍ଯାଦା ଦେଇଥାଏ, ଏଥିରେ କୌଣସି ଦ୍ୱିମତ ନାହିଁ । ତାଙ୍କ ଗଳ୍ପଗୁଡିକୁ ପଢିଲାବେଳେ ହୃଦୟ ର ଆବେଗ ସ୍ନାତ ଅନୁଭବ ସବୁ ପ୍ରସ୍ତ ପରେ ପ୍ରସ୍ତ ଉନ୍ମୋଚିତ ହୋଇ ଯାଇଥାଏ ।
“ଶ୍ଯାମଳୀଦାସ ” ଗଳ୍ପରେ ନାରୀ ହୃଦୟର ଅକପଟପ୍ରୀତି ଗାଳ୍ପିକ ଙ୍କୁ ମୋହାଛନ୍ନ କରି ରଖିବାର ସତ୍ଯତାକୁ ଏଡେଇ ହୁଏନା । ଖାସ୍ ସେଇଥିପାଇଁ ଶ୍ଯାମଳୀଦାସ ଭଳି ନାରୀର ଜୀବନକୁ ପ୍ରତ୍ୟେକ ଗଳ୍ପ ରେ ଅଲଗା ଅଲଗା ଭାବରେ ରୂପ ଦେବାରେ ତାଙ୍କ ଭାବପ୍ରବଣତା ଅତି ମାର୍ମିକ ଓ ଉଲ୍ଲେଖନୀୟ ।
“ପୁସ୍ତକ ମେଳାରେ ଶ୍ଯାମଳୀ ଦାସ ” ଗଳ୍ପ ରେ ନିଃସର୍ତ୍ତ ପ୍ରେମର ନିର୍ମଳତା ନାୟକ ଗୌତମ ଏବଂ ନାୟିକା ଶ୍ଯାମଳୀ ଙ୍କ ବନ୍ଧନକୁ ଅତି ନିବିଡ ଓ ରସାଣିତ କରିଛି ।
ନାରୀର ବାହ୍ଯ ରୂପ ନୁହେଁ ବରଂ ତାର କୋମଳ ନାରୀତ୍ୱ ମୁଗ୍ଧ କରେ ନାୟକକୁ ,ଏହାର ପ୍ରମାଣ ମିଳେ “ପ୍ରେମିକା ”
ଗଳ୍ପ ରେ । ପ୍ରେମ ଭାବ ଜଗତର ବସ୍ତୁ ଏକଥା ବୁଝିଯିବା ପରେ ପ୍ରେମିକ ଜଣକ ସହରୀ ବିଶ୍ୱାସଘାତକିନୀ ପ୍ରେମିକାର ମୋହ ତ୍ଯାଗ କରି ପ୍ରତ୍ୟାବର୍ତ୍ତନ କରେ ନିର୍ମଳ ହୃଦୟଧାରିଣୀ ଶ୍ଯାମଳାଙ୍ଗୀ ଶ୍ଯାମଳୀର ପ୍ରେମ ବଳୟକୁ ।

ଏଭଳି ପ୍ରତିଟି ଗଳ୍ପ ରେ ସ୍ରଷ୍ଟା ମାନସ ଆଶା ଓ ବିଶ୍ୱାସ ର ସଂଚାର କରିଥାନ୍ତି ପାଠକ ମନରେ । ଜୀବନକୁ ଆଉ ଥରେ ନୂଆ କରି ବଞ୍ଚିବାକୁ ଖୋରାକ ଯୋଗାଇ ଦିଅନ୍ତି ।

ଜୀବନର ଉପର ଠାଉରିଆ ଭାବ ନୁହେଁ ବରଂ ଅନନ୍ୟ ଦୁଃଖ, ପ୍ରେମର ପ୍ରେମିଳତା ତାଙ୍କ ଗଳ୍ପର ମଣିଷ ମାନଙ୍କୁ ମହିମ୍ନ କରିଛି । “କାନ୍ଥ ” ଗଳ୍ପ ରେ ନାୟକ ଗୌତମଙ୍କ ପତ୍ନୀ ଶ୍ଯାମଳୀର ଅତ୍ୟନ୍ତ ଦୁଃଖାନୁଭୂତିରେ ମଧ୍ଯ ସ୍ବାମୀ ପ୍ରତି ସମର୍ପିତ ପ୍ରେମ ବାସ୍ତବିକ ଖୁବ୍ ଅନାବିଳ ଓ ଅକପଟ ।

ଆବେଗ ଓ ପ୍ରେମ କୁ ଜୀବନର ପରମ ସମ୍ପଦ ମଣି ଗାଳ୍ପିକ ଅନ୍ତରାତ୍ମାରୁ ଚରିତ୍ର ଗଠନ କରିଛନ୍ତି । ସେଇଥିପାଇଁ
” ଶ୍ଯାମଳୀ ” ଚରିତ୍ର ଆଉ କେବଳ ଚରିତ୍ର ହୋଇ ରହିନାହିଁ , ସେ ଉଭୟ ଗାଳ୍ପିକ ଓ ପାଠକ ପାଇଁ ଚେତନା ପାଲଟି
ଯାଇଛି ।
“ଶ୍ଯାମଳୀ ଦାସ ” ର ପ୍ରେମ ଓ ଆବେଗ ପୂର୍ବରୁ ଯେମିତି ସମସ୍ତଙ୍କୁ ବାନ୍ଧି ରଖିଥିଲା , ଠିକ୍ ସେମିତି ଭବିତବ୍ଯରେ ସମସ୍ତଙ୍କୁ ଆହୁରି ବଳିଷ୍ଠ ଭାବରେ ଆବୋରି ନେବ । ପାଠକମାନଙ୍କ ଜୀବନକୁ ସ୍ନିଗ୍ଧ ଓ ସୁରଭିତ କରୁଥିବ ,ଏଥିରେ କୌଣସି ସନ୍ଦେହ ନାହିଁ ।

ମମତା ପ୍ରିୟଦର୍ଶିନୀ ସାହୁ,
ଓଡ଼ିଆ ଅଧ୍ୟାପିକା,
ସରକାରୀ ଏସ୍ ଏସ୍ ଡି, ଏଚ୍ ଏସ୍ ଏସ୍,
ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟ,
ବାଲିଶଙ୍କରା, ସୁନ୍ଦରଗଡ 

Comments are closed, but trackbacks and pingbacks are open.