Latest Odisha News

BREAKING NEWS

ନିଜକୁ ନିଜେ ବୁଝିବା ପାଇଁ ମୁଁ ଲେଖେ : ଆକାଂକ୍ଷାମୟୀ ଦାଶ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ଆକାଂକ୍ଷାମୟୀ ଦାଶ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି ସମର୍ପିତ।

ଓଡ଼ିଆ ସାହିତ୍ୟର ନବ ପ୍ରତିଭା ଆକାଂକ୍ଷାମୟୀ ଦାଶଙ୍କ ସହ ‘ସ୍ଵଳ୍ପ ଆଳାପ’

 

ମୁଁ କାହିଁକି ଲେଖେ ?

ନିଜକୁ ନିଜେ ବୁଝିବା ପାଇଁ ତଥା ସମାଜ ପାଇଁ ମୁଁ କବିତା ଓ ଗଳ୍ପ ଲେଖେ। ସମାଜରେ ସଂସ୍କାର ଆଣିବା ପାଇଁ ସାହିତ୍ୟ ଗୋଟିଏ ମାଧ୍ୟମ । ମୋ ଗପ ମାଧ୍ୟମରେ ଲୋକଙ୍କ ମନରେ ସଚେତନତା ଆଣିବା ପାଇଁ ମୁଁ ଲେଖେ ।

ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ?

ସ୍କୁଲରେ ପଢିବା ସମୟରୁ ହିଁ ମୁଁ କବିତା ଓ ଗଳ୍ପ ଲେଖିବା ଆରମ୍ଭ କରିଥିଲି । ସାହିତ୍ୟ ମୋ ଅନ୍ତର ମନକୁ ଶାନ୍ତି ଦିଏ । ଦୁଃଖ ଓ ସୁଖ ଉଭୟ ସମୟରେ ମତେ ଦମ୍ଭ ଦିଏ ।

ପ୍ରଥମ ପ୍ରକାଶିତ ଲେଖାଟି କ’ଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା?

ମୋର ପ୍ରଥମ ଲେଖା ‘ଛୋଟ ପିଲାମାନଙ୍କ ନାଟ ତମସା’ । ତାହା ନନ୍ଦିନୀ ଖବର କାଗଜରେ ପ୍ରକାଶିତ ହୋଇଥିଲା। ଯାହାକି ମତେ ବହୁତ୍ ଉତ୍ସାହିତ କରିଥିଲା ।ସେଥିପାଇଁ ମୁଁ ପୁରସ୍କୃତ ମଧ୍ୟ ହୋଇଥିଲି ।

ଗଳ୍ପ / କବିତା ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ ?

ଗଳ୍ପ ଓ କବିତା ମାଧ୍ୟମରେ ମୋର ସମାଜ ପ୍ରତି କିଛି ବାର୍ତ୍ତା ରହିଥାଏ । ଯେମିତି ଲେଖାଟିଏ ପଢି ଜଣକ ମନରେ ବି ଟିକେ ଭାବାନ୍ତର ସୃଷ୍ଟି ହେଲା, ତାହା ହିଁ ମତେ ଆନନ୍ଦ ଦେଇଥାଏ ।

ତାଙ୍କ ରଚନାରୁ କବିତା : ସମ୍ମାନ

ସମ୍ମାନ କାହାକୁ ଆପେ ମିଳେ ନାହିଁ
କର୍ମ କରିବାକୁ ହୁଏ
ପର ପାଇଁ ହୃଦ ଯା’ ପ୍ରାଣ କନ୍ଦାଇ
ଭଲ ମଣିଷଟେ ସିଏ ।

ଗର୍ବ ଅହଂକାର ଯେଉଁ ନର କରେ
ଭାଉ ଧନ ସମ୍ପତ୍ତିର
ସେ ବ୍ୟକ୍ତି ସମ୍ମାନ ଧୂଳିସାତ ହୁଏ
ନିଜ ଲୋକ କରେ ପର ।

ସୁଚରିତ୍ର ବ୍ୟକ୍ତି କର୍ତ୍ତବ୍ୟ ନିଷ୍ଠାରେ
ସମାଜରେ କାର୍ଯ୍ୟ କରେ
ନିଃସ୍ୱାର୍ଥ ସେବାରେ ପର ଉପକାରେ
ଜୀବନ ଉତ୍ସର୍ଗ କରେ ।

ମଣିଷ ପଣିଆ ସେ ବ୍ୟକ୍ତିର ଥାଏ
ପରକୁ କରେ ନିଜର
ଦୀନ ଦୁଃଖି ପ୍ରତି ଦୟା ଭାବ ରଖି
ଅନ୍ନ ଦିଅଇ ମୁଖର ।

ଅସହାୟକୁ ଯେ ସାହାଯ୍ୟ କରଇ
ଦେଇ ଧନ ମନ ବଳ
ବିପଦ ସମୟେ ତା ଦୁଆରେ ଠିଆ
କରେ ନାହିଁ ଗଣ୍ଡଗୋଳ ।

ସ୍ନେହ ଶ୍ରଦ୍ଧା ପ୍ରେମ ଯେ ବ୍ୟକ୍ତି ବାଣ୍ଟଇ
ଜାତି ଧର୍ମ ନିର୍ବିଶେଷେ
ଉଚ୍ଚ ନୀଚ ଭେଦ ତା ମନେ ନ ଥାଏ
ଦିନ ବିତଇ ସନ୍ତୋଷ ।

ସଂସ୍କୃତି ସହିତ ନୀତି ପରମ୍ପରା
ସଦା ମାନି ଚଳୁଥିଲେ
ନିଜ ବ୍ୟକ୍ତିତ୍ୱରେ ମହତ୍ବ ହୋଇଲେ
ଆପେ ସନମାନ ମିଳେ ।

ଅଳିକ ସଂସାରେ କ୍ଷଣିକ ଜୀବନ
ଦିନେ ମାଟିରେ ମିଶିବ
ଭଲ କାମ କରି ଯଶ ରଖିଗଲେ
ସମ୍ମାନ ନିଶ୍ଚେ ପାଇବ ।

ସମାଜର ହୀତ ସଦା ଚାହୁଁ ଥିବ
ଦେଶ ଜାତି ସ୍ୱାଭିମାନ
ସଂଯମ ଗୁଣରେ ଶୃଙ୍ଖଳା ଜ୍ଞାନରେ
ମିଳାଇ ତାକୁ ସମ୍ମାନ ।

ଦରଦୀ ମଣିଷ ଯେଉଁ ବ୍ୟକ୍ତି ହୁଏ
ସମାଜ ଦିଏ ସମ୍ମାନ
ମାନବିକ ଗୁଣ ଯାହା ଠାରେ ଥାଏ
ସଂସାରେ ହୁଏ ମହାନ ।

Leave A Reply

Your email address will not be published.