ସମକାଳୀନ ଓଡ଼ିଆ ସାହିତ୍ୟର ଏକ ସୁପରିଚିତ ନାଁ ମଞ୍ଜୁବାଳା ପଣ୍ଡା । ପେଶାରେ ଜଣେ ଡାକ୍ତର କିନ୍ତୁ ନିଶା ସାହିତ୍ୟ ସୃଷ୍ଟି । ସାମାଜିକ ସମସ୍ୟା ଓ ତାର ସମାଧାନର ବାର୍ତ୍ତା ନେଇ ସେ ରଚନା କରିଛନ୍ତି ଅନେକ ଗପ । ସେହିପରି କବିତାର ରଚନାରେ ମଧ୍ୟ ସେ ଜିଣିପାରିଛନ୍ତି ପାଠକଙ୍କ ହୃଦୟକୁ । ଭାବ ଓ ଭାଷାର ସମ୍ମିଶ୍ରଣରେ ଓଡ଼ିଆ ବାଣୀ ଭଣ୍ଡାରକୁ ରୁଦ୍ଧିମନ୍ତ କରିଚାଲିଛନ୍ତି ସେ।
ପାରନାନୀ ଓ ଅନ୍ୟାନ୍ୟ ଗଳ୍ପ , ଗୀତ ଗଜରା, ଅନ୍ତଃସ୍ୱର , ସାଉଁଟା କଥା , ବିଶ୍ୱରୂପା ଆଦି ପୁସ୍ତକର ସେ କାଳଜୟୀ ସ୍ରଷ୍ଟା । ନିଜ ନିଆରା ସାହିତ୍ୟ ସୃଷ୍ଟି ପାଇଁ ସେ ଅନେକ ସାହିତ୍ୟ ସଂସଦ ତଥା ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତା ଓ ସମ୍ମାନିତା ।
ଲେଖିକା ଡା. ମଞ୍ଜୁବାଳା ପଣ୍ଡାଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ
୧. ଆପଣ ଜଣେ ଡାକ୍ତର । ରୋଗୀ ସେବାରୁ ସାହିତ୍ୟ ସାଧନା ପ୍ରତି କିପରି ଆକୃଷ୍ଟ ହେଲେ ?
ଉତ୍ତର : ଏ ପ୍ରଶ୍ନର ବିପରୀତଟା ହିଁ ହୁଏତ ସତ ମୋ କ୍ଷେତ୍ରରେ। ଅର୍ଥାତ୍ ପ୍ରଥମେ ସାହିତ୍ୟ ସାଧନା, ପରେ ରୋଗୀ ସେବା। ଫ୍ରକ୍ ପିନ୍ଧା ବୟସରୁ ହିଁ ସାହିତ୍ୟପ୍ରେମୀ ମୁଁ। ତୃତୀୟ, ଚତୁର୍ଥ ଶ୍ରେଣୀରେ ବିଭିନ୍ନ କାହାଣୀ ପ୍ରଚୁର ପଢୁଥିଲି। ବିରାଟ କଳେବରର “ଟମକକାଙ୍କ କୁଟୀର” ଉପନ୍ୟାସ ମୁଁ ପଞ୍ଚମ ଶ୍ରେଣୀରେ ପଢିଥିଲି। କାହ୍ନୁଚରଣ ମହାନ୍ତି, ବିଭୂତି ପଟ୍ଟନାୟକ ଓ ଅନ୍ୟାନ୍ୟ ଖ୍ୟାତିସମ୍ପନ୍ନ ଔପନ୍ଯାସିକଙ୍କ ଉପନ୍ୟାସ ସବୁ ସପ୍ତମ, ଅଷ୍ଟମ ଶ୍ରେଣୀ ବେଳକୁ ମୋର ଆଉ ପଢିବାର ବାକି ନ ଥିଲା। ନବମ ଶ୍ରେଣୀ ପଢିଲା ବେଳେ ‘ସୁଚରିତା’ରେ ମୋ ପ୍ରଥମ ଗୀତିକବିତା – ‘ତୁମେ ଓ ମୁଁ’ ପ୍ରକାଶିତ ହେଇଥିଲା। ରୋଗୀସେବା ତ ଆରମ୍ଭ ହେଲା ମେଡିକାଲ୍ ପଢି ଡାକ୍ତର ହେବା ପରେ। ମୋର ବରଂ ମନେହୁଏ ସାହିତ୍ୟ ପ୍ରତି ପ୍ରେମ ହିଁ ମୋତେ ଏକ ଦରଦୀ, ମାନବପ୍ରେମୀ ମଣିଷ କରିଥିଲା ଯାହା ମୋ ବୃତ୍ତିଗତ ଜୀବନରେ ଏକ ସମ୍ବେଦନଶୀଳ ଚିକିତ୍ସିକା ହେବାରେ ସାହାଯ୍ୟ କରିଥିଲା। ଡାକ୍ତରୀ ମୋର ପେଶା ଏବଂ ସାହିତ୍ୟ ମୋର ନିଶା।
୨. ଆପଣଙ୍କ ସବୁ ଗପରେ ସାମାଜିକ ସମସ୍ୟାର ବର୍ଣ୍ଣନା ଥାଏ । ସେ ବିଷୟରେ କିଛି କୁହନ୍ତୁ ।
ଉତ୍ତର : ପ୍ରତିଟି ମଣିଷକୁ ମୁଁ ଭଲ ପାଏ। ମଣିଷପଣିଆ ପ୍ରତି ମୋର ଆଜନ୍ମ ଆକର୍ଷଣ। ଜୀବନରେ ପ୍ରତିଦିନ ଆମେ ଭେଟୁ ଏକାଧିକ ସମସ୍ୟା ନେଇ ଜିଉଁଥିବା ମଣିଷମାନଙ୍କୁ। ମଣିଷର ଏଇ ଅଭାବିତ ଅବସ୍ଥା ମୋ ହୃଦୟରେ ଏକ ଅନ୍ତର୍ବେଦନାର ରୂପ ନିଏ। ମନକୁ ଅସ୍ଥିର, ଆନ୍ଦୋଳିତ, ଉଦବେଳିତ କରେ। ସେ ସବୁ ଜୀବନାନୁଭବର ଭାବ ହିଁ ଗପ ହେଇ ଉତୁରି ଆସେ; କାଗଜ, କଲମରେ – ସମସ୍ୟା ହୋଇ , ପୁଣି ସମାଧାନ ନେଇ। ଜୀବନର କୌଣସି କର୍ମ ଉଦ୍ଦେଶ୍ୟରହିତ ନୁହେଁ। ସାହିତ୍ୟ ବି ଏକ କର୍ମ। ସେ ପରିପ୍ରେକ୍ଷୀରେ ଲେଖିବା ପଛରେ କିଛି ଅନ୍ତର୍ଦୃଷ୍ଟି ରହିବା ସ୍ବାଭାବିକ।
୩. ଲେଖିଲା ବେଳେ ଅନୁଭୂତିର ଆଶ୍ରୟ ନିଅନ୍ତି କି ?
ଉତ୍ତର : ଶତ ପ୍ରତିଶତ। ଅନେକ ଅନୁଭୂତିର କଥା ମୁଁ ମୋ ଚରିତ୍ରମାନଙ୍କ ମୁହଁରେ କୁହାଏ। ମୋତେ ଲାଗେ ନିଚ୍ଛକ କଳ୍ପନା ଅପେକ୍ଷା ଅନୁଭୂତିର କଥାରେ ଅଧିକ ଜୀବନ ଓ ଜିଇଁବାପଣ ଥାଏ। ଅବଶ୍ୟ ଖାଣ୍ଟି ସୁନାରେ ଯେପରି ଅଳଙ୍କାର ଗଢି ହୁଏ ନାହିଁ, ଠିକ୍ ସେପରି କେବଳ ସତ କଥାରେ ଗପ ଲେଖି ହୁଏ ନାହିଁ। ମନଛୁଆଁ ଗପଟିଏର ଗଢଣ ପାଇଁ କିଛି କଳ୍ପନାର ଖାଦ ମିଶେଇବାକୁ ପଡେ।
୪. ଜୀବନ ସହିତ ସାହିତ୍ୟ କେତେ ଦୂର ପ୍ରଭାବିତ ହୋଇପାରେ ?
ଉତ୍ତର : ଜୀବନକୁ ସାହିତ୍ୟ ଗଭୀର ଭାବରେ ପ୍ରଭାବିତ କରିପାରେ। ଜୀବନ ଓ ସାହିତ୍ୟ ଓତଃପ୍ରୋତ ଭାବରେ ଜଡିତ। ଜୀବନରେ ସାହିତ୍ୟ ଓ ସାହିତ୍ୟରେ ଜୀବନ। ଉଭୟେ ପରସ୍ପରର ପରିପୂରକ।
୫. ସୃଜନଶୀଳତା ସହ ପରିବାରର ଦାୟିତ୍ୱର ସମନ୍ୱୟ କିପରି ରଖନ୍ତି?
ଉତ୍ତର : ନାରୀ ପରିବାରର କେନ୍ଦ୍ରବିନ୍ଦୁ। ଏକା ସହିତ ସେ କନ୍ୟା, ଭଗିନୀ, ଜାୟା, ଜନନୀର ଭୂମିକା ନିର୍ବାହ କରିଥାଏ। ମୋ ମତରେ ଏକ ସୁନ୍ଦର ପରିବାରର ଗଠନ ସର୍ବଦା ପ୍ରାଥମିକତା ପାଇବା ଉଚିତ। କାରଣ ଠିକ୍ ସମୟରେ ଏ କାମଟି ନ କଲେ ନେଡିଗୁଡ କହୁଣୀକୁ ବହିଯାଏ ଓ ପରବର୍ତ୍ତୀ ସମୟରେ ପଶ୍ଚାତ୍ତାପ କରିବା ସାର ହୁଏ। ଅନ୍ୟ ପକ୍ଷରେ ସୃଜନଶୀଳତା ତ ମଣିଷର ଅନ୍ତର୍ନିହିତ ଉପଲବ୍ଧିଟିଏ। ତେଣୁ ସୁବିଧା, ସୁଯୋଗ ପାଇଲେ ସେ ଆପେ ଆପେ ଆତ୍ମପ୍ରକାଶ କରେ। ଚିକିତ୍ସିକା ଜୀବନର ବ୍ୟସ୍ତତା ଭିତରେ, ମୋର ବଡ ପରିବାରକୁ ସମ୍ଭାଳିବା ଦାୟିତ୍ୱ ଭିତରେ, ମୁଁ ମୋ ବୟସର ମଧ୍ୟାହ୍ନରେ ସୃଜନଶୀଳତା କଥା ସମ୍ପୂର୍ଣ୍ଣ ପାଶୋରି ଯିବାକୁ ଏକରକମ ବାଧ୍ୟ ହେଇଥିଲି। ଏବେ ପରିବାର ପ୍ରତି ଦାୟିତ୍ୱ ସାମାନ୍ୟ ହେବାରୁ ଉଭୟଙ୍କ ( ସାହିତ୍ୟ ଓ ପରିବାର) ଭିତରେ ବେଶ୍ ସମନ୍ବୟ ରଖି ହଉଛି।
୬. ଓଡ଼ିଆ ସାହିତ୍ୟରେ ଗପର ପ୍ରଭାବ କେମିତି?
ଉତ୍ତର : ଖୁବ୍ ବେଶୀ। କବିତା ଅଧିକତର ସାହିତ୍ୟପ୍ରେମୀ ମାନେ ହିଁ ପଢନ୍ତି। ଗୀତିକବିତା ସଙ୍ଗୀତ ସହ ଜଡିତ ଥିବା ବ୍ୟକ୍ତିବିଶେଷ ହିଁ ବୁଝନ୍ତି। କିନ୍ତୁ ସାଧାରଣ ପାଠକଟିଏ ପଢିବାକୁ ଗପଟିଏ ଖୋଜେ – ବୋଧେ ନିଜେ ଗପ ଭିତରେ ବେଶୀ ହଜିପାରେ, ଗପରେ ନିଜକୁ ଖୋଜିପାରେ ଓ ପାଇପାରେ ବୋଲି।
୭. ନାରୀବାଦ କହିଲେ ଆପଣ କ’ଣ ବୁଝନ୍ତି ?
ଉତ୍ତର : ମୁଁ କେବଳ ଗୋଟିଏ ଶବ୍ଦରେ ବିଶ୍ବାସ କରେ – ‘ମାନବବାଦ’ – ଯାହା ଈଶ୍ବରସୃଷ୍ଟ। ଈଶ୍ବରଙ୍କ ସୃଷ୍ଟିରେ ବାୟୋଲଜିକାଲ୍ ଭିନ୍ନତା ଭିନ୍ନ; ନାରୀ ଓ ପୁରୁଷ ସମାନ। କିନ୍ତୁ ଆମର ପୁରୁଷ ପ୍ରଧାନ ସମାଜରେ ନାରୀ ଯେତେବେଳେ ଗୌଣ ବିବେଚିତ ହେଲା, ଅବହେଳିତ ହେଲା, ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ ହେଲା; ସେତେବେଳେ ସ୍ବର ଉଠିଲା ସେମାନଙ୍କୁ ସମାନ ସ୍ତରକୁ ଆଣିବା ପାଇଁ। ହୁଏତ ତାହା ହିଁ ନାରୀବାଦ। କିନ୍ତୁ କଠୋର ନାରୀବାଦର ନାରା ଦେଇ ଅହଂକାର ବା ସ୍ବେଚ୍ଛାଚାରିତାର ସପକ୍ଷରେ ମୁଁ ନୁହେଁ । ନାରୀ ଓ ପୁରୁଷ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ – ‘ଯୁଦ୍ଧଂ ଦେହି’ ଡାକରା କୌଣସି ସମସ୍ୟାର ସମାଧାନ ନୁହଁ। ମୁଁ ଏମିତି ଏକ ପୃଥ୍ବୀର କଳ୍ପନା କରେ ଯେଉଁଠି ନାରୀବାଦ ବା ପୁରୁଷବାଦ ବୋଲି କିଛି ସ୍ବତନ୍ତ୍ର ସଜ୍ଞା ନ ଥିବ। କେବଳ ମାନବବାଦ ମହମହ ମହକୁଥିବ।
୮. ଓଡ଼ିଶାରେ ଲେଖିକା ମାନଙ୍କର ପ୍ରଭାବ କିପରି ?
ଉତ୍ତର : କିଛି ଲେଖିକା ସ୍ବ-ଔଜଲ୍ୟରେ ଜାଜୁଲ୍ୟମାନ। ତଥାପି ଲେଖକଙ୍କ ତୁଳନାରେ ଲେଖିକାଙ୍କ କ୍ଷେତ୍ରରେ ପ୍ରତିବନ୍ଧକ ଅଧିକ। ମୁଁ ଭୁକ୍ତଭୋଗୀ। ମୁଁ ସେଇ ଲେଖିକାମାନଙ୍କୁ ଭାଗ୍ୟଶାଳୀ ମନେ କରେ, ଯେଉଁମାନେ ଲେଖିବା ପାଇଁ ପରିବାରର ସାହାଯ୍ୟ, ସମର୍ଥନ ପାଆନ୍ତି।
୯. ଯଦି ପାଠକ ନକରାତ୍ମକ ମତ ରଖନ୍ତି , ଆପଣଙ୍କ ପ୍ରତିକ୍ରିୟା କଣ ହେବ ?
ଉତ୍ତର : ପାଠକୀୟ ମତ ହିଁ ଗୁରୁତ୍ୱପୂର୍ଣ୍ଣ। ସକାରାତ୍ମକ ହେଉ କି ନକରାତ୍ମକ – ମତାମତ ମାତ୍ରକେ ସ୍ବାଗତଯୋଗ୍ଯ। ସକାରାତ୍ମକ ମତ ଉତ୍ସାହିତ କରେ, ନକରାତ୍ମକ ମତ ନିଜକୁ ସଜାଡିବାକୁ ସୁଯୋଗ ଦିଏ। ମୁଁ ଉଭୟ ମତକୁ ସମାନ ସମ୍ମାନ ଦେବି।
୧୦. ଜଣେ ସଫଳ ଲେଖକ( ଲେଖିକା) କେମିତି ହୋଇ ପାରିବ ?
ଉତ୍ତର : ସମସ୍ତେ ତ ନିଶ୍ଚୟ ଚାହିଁବେ ସଫଳ ଲେଖକ/ଲେଖିକା ହେବା ପାଇଁ। ପାଠକ ହିଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରନ୍ତି। ମୋ ମତରେ ପ୍ରଥମତଃ ପ୍ରତ୍ୟେକ ଲେଖକ ପ୍ରଚୁର ପଢିବା ଲୋଡା। ଦ୍ବିତୀୟତଃ – ଗ୍ରହଣୀୟତା – ସମସ୍ତଙ୍କୁ ଗ୍ରହଣ କରିବା ଉଚିତ। ତୃତୀୟତଃ ନିଜ ଶୈଳୀ ଓ ସ୍ବାତନ୍ତ୍ର୍ଯ ବଜାୟ ରଖିବା ଏବଂ ଶେଷରେ ଅହରହ ଉଦ୍ୟମ ଓ ଅସୀମ ଧୈର୍ଯ୍ଯ ରଖିବା ଉଚିତ।
୧୧.ଓଡ଼ିଆ ସାହିତ୍ୟର ଭବିଷ୍ୟତକୁ ଆପଣ କିପରି ଭାବରେ ଦେଖନ୍ତି ?
ଉତ୍ତର : ଖୁବ୍ ଉଜ୍ଜ୍ବଳ। ନୂତନ ଲେଖକମାନେ, କି ସୁନ୍ଦର ଲେଖୁଛନ୍ତି! ଲେଖୁ ଲେଖୁ କ୍ରମଶଃ ସମସ୍ତେ ନିଜ ଲେଖାକୁ ଘଷି, ମାଜି ଉଜ୍ଜ୍ଵଳ କରନ୍ତି। ଆମେ ଭାବୁଛୁ ନୂତନ ପୀଢି ଆମ ଭାଷାଠାରୁ ଦୂରେଇ ଯାଉଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟ ହେବେ, ମୋର ଅଧିକାଂଶ ପାଠକ ଯୁବବର୍ଗର। ଆଉ ସେମାନଙ୍କ ସୃଜନଶୀଳ ମତାମତରେ ମୁଁ ଅଭିଭୂତା ହୁଏ। ତେଣୁ ମୁଁ ଓଡିଆ ସାହିତ୍ୟର ଭବିଷ୍ୟତ ନେଇ ଖୁବ୍ ଆଶାବାଦୀ। ଲେଖକ, ପ୍ରକାଶକ ଓ ପାଠକ – ଆମ ସାହିତ୍ୟ ତ୍ରିଭୁଜର ତିନୋଟି ବାହୁ। ଏହା ଅବିଚ୍ଛିନ୍ନ ରହିବା ବିଧ୍ୟେୟ।
୧୨. ନୂଆ ଲେଖକଙ୍କ ପାଇଁ ଆପଣ କି ବାର୍ତ୍ତା ଦେବେ ?
ଉତ୍ତର : ସାହିତ୍ୟ ଅମୃତ ତୁଲ୍ୟ। ଅତଏବ ଲେଖକଟିଏ ତା’ର ଅମୃତମୟ ହାତରେ ପାଠକକୁ ଅମୃତ ପରଶିବାର ସାମର୍ଥ୍ୟ ରଖେ। ତେଣୁ ଈର୍ଷା, ଅସୂୟା, ଅହଂକାରଠାରୁ ଦୂରେଇ ରହି ନିରବଚ୍ଛିନ୍ନ ଭାବରେ ସାହିତ୍ୟ- ମନସ୍କ ହେବା ଉଚିତ।