Latest Odisha News

କବିତା ହେଉଛି ସାହିତ୍ୟର ଆତ୍ମା : ପ୍ରହଲ୍ଲାଦ ଶତପଥି

ଓଡ଼ିଆ ସାହିତ୍ୟର ଏକ ସଶ୍ରଦ୍ଧ ଉଚ୍ଚାରଣ ପ୍ରହଲ୍ଲାଦ ଶତପଥି। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କ ରଚିତ କବିତାର ଶବ୍ଦବିନ୍ୟାସ ଏବଂ ନିଖୁଣ ଉପସ୍ଥାପନା ତାଙ୍କ ସମାଲୋଚକଙ୍କୁ ମଧ୍ୟ ବାଧ୍ୟ କରିଦିଏ ତାଙ୍କ ପ୍ରଶଂସା କରିବା ପାଇଁ ।

ଜଣେ କେହି ବର୍ଷାରେ ଭିଜୁଥାଇ ପାରେ, ଅଲଗୁଣୀରେ ଅବୟବ, ରାତି ସହ ମୁଁ ପାହି ଆସୁଥାଏ, ସବୁ ଏବେ ମାୟା, ଶବ୍ଦରେ ନିଃଶବ୍ଦ ପ୍ରଭୃତି କବିତା ସଙ୍କଳନ ସହିତ ଆହୁରି ଅନେକ କବିତା ସେ ସ୍ରଷ୍ଟା। ସାହିତ୍ୟ ସର୍ଜନା ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ।

କବି ପ୍ରହଲ୍ଲାଦ ଶତପଥିଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ଆଳାପ

 

କବିତାର ବ୍ୟାଖ୍ୟା କେମିତି କରିବେ ?

କବିତା ମୋ ପାଇଁ ଫର୍ଦ୍ଦେ ସଫେଦ କାଗଜର ଯନ୍ତ୍ରଣା । କବିତା ମୋ ପାଇଁ ଏକ ସୁନ୍ଦର ଆକସ୍ମିକତା। କବିତା ଶବ୍ଦ ହୋଇ, ଧ୍ୱନି ହୋଇ, ରୂପକଳ୍ପ ହୋଇ ବିଚରଣ କରୁଥାଏ। କବି କେବଳ ମାଧ୍ୟମଟିଏ। କବିତା ନିଜେ ନିଜକୁ ଲେଖେଇ ନିଏ। ସବୁ ଆଲୁଅ ଓ ଅନ୍ଧାର ଭିତରେ ମୁଁ। ‘ମୁଁ’ ର କ୍ରମବର୍ଦ୍ଧିଷ୍ଣୁ କାୟା, କ୍ଷିତି ଅପ ମରୁତ୍ ତେଜ ବ୍ୟୋମ। ମୁଁ ଯୁଦ୍ଧ, ବିଭୀଷିକା।ମୋର କ୍ରମବର୍ଦ୍ଧିଷ୍ଣୁ କାୟା ହିଁ ପ୍ରେମ। ମୁଁ ହିଁ ଯୁଦ୍ଧ ଓ ପ୍ରେମର ମଝାମଝି କୁହୁକ ଦ୍ବୀପ ଟିଏ-କବିତା ! ମୋତେ ଲାଗେ ଯେମିତି ମୁଁ ହିଁ ସେଇ କବିତା ଯାହାକୁ ଲେଖି ଚାଲିଛି ଅନବରତ।

ପ୍ରକୃତରେ ଆମେ ଲେଖୁ ନ ଥିବା ବେଳେ ବି କବିତା ଲେଖା ଚାଲିଥାଏ। ମୁଁ ଯାହାକୁ ଅନାଏ, ତା ଆଖିରେ କବିତା ଦେଖେ। କୋଦାଳ ନେଇ ମାଟି ହାଣୁଥିବା ହାତ, ଚାରା ରୋପୁଥିବା ଆଙ୍ଗୁଳି, ଫୁଲ ଫୁଟାଉଥିବା ଗଛ, ପତ୍ରରେ ନିଜସ୍ୱ ଅଙ୍ଗ ପ୍ରତ୍ୟଙ୍ଗକୁ ଢାଙ୍କୁଥିବା ନଙ୍ଗଳା ଡାଳ, ନୂଆଁ ହେଇ ଉଡ଼ି ଶିଖୁଥିବା ପକ୍ଷୀ, ମାଟି ଭିତରକୁ ପଶୁଥିବା କୀଟ, ଗୋଟାଏ ଉଦାସ ସନ୍ଧ୍ୟାକୁ କୂଳରେ ଅପେକ୍ଷା କରିଥିବା ନଈ, ଦୁଇଟି ପାହାଡ଼ ସନ୍ଧିରେ ଉଦୟ ହେବାକୁଥିବା ସୂର୍ଯ୍ୟ, ରାବିବାକୁ ଉଦ୍ୟମରତ ପକ୍ଷୀ, ସଭିଏଁ କବିତା ; ଯେଉଁମାନଙ୍କୁ ମୁଁ ଏଯାବତ ଲେଖିପାରିନି ; ଅଥଚ ସେମାନେ ନିଜ ନିଜ ବାଗରେ ଗୋଟିଏ ଗୋଟିଏ କବିତା । କବିତାର ଭାଷା ଓ ପ୍ରାର୍ଥନାର ଭାଷା ମୋତେ ଏକା ପରି ଲାଗେ। କବିତାର ମାନ୍ତ୍ରିକ ଶକ୍ତି ଥାଏ ଉଚ୍ଚାରଣରେ।

ଓଡ଼ିଆ ସାହିତ୍ୟରେ କବିତାର ପ୍ରଭାବ କେମିତି ? ରୀତି ଯୁଗର କବିତା ଓ ଏବେର କବିତା ଭିତରେ କଣ ପରିବର୍ତ୍ତନ ଘଟିଛି ବୋଲି ଆପଣ ଭାବନ୍ତି ?

ଓଡ଼ିଆ ସାହିତ୍ୟରେ କବିତାର ପ୍ରଭାବ ଯଥେଷ୍ଟ। ସାହିତ୍ୟର ଆତ୍ମା ହେଉଛି କବିତା। କବିତା ରସୋତ୍ତୀର୍ଣ କରେ ଗପକୁ, ନାଟକକୁ। ପ୍ରେମ ସୁଧା ନିଧି, ମନବୋଧ ଚଉତିଶା ଆଦି ରୀତି ଯୁଗର ଅନେକ କୃତି ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି।କେବଳ ଉପେନ୍ଦ୍ର ଭଞ୍ଜ ଓଡ଼ିଆ ସାହିତ୍ୟର ଶବ୍ଦ ଭଣ୍ଡାରକୁ ତିନିହଜାରରୁ ଉର୍ଦ୍ଧ୍ବ ଶବ୍ଦ ପ୍ରଦାନ କରିଛନ୍ତି। ଅଳଙ୍କାର, ରସ, ପଦ ସଂଯୋଜନାର ସମାହାର ହିଁ ରୀତିଯୁଗର କବିତାର ଆତ୍ମା। ପ୍ରକୃତି ଚିତ୍ରଣ, ସଙ୍ଗୀତମୟ ଛନ୍ଦର ପ୍ରୟୋଗ, ଧ୍ୱନିର ପ୍ରୟୋଗ, ସଂସ୍କୃତ କାବ୍ୟର ଅନୁସରଣ ଦେଖିବାକୁ ମିଳେ ରୀତିଯୁଗର କବିତାରେ। ସାଧାରଣ ଲୋକର ଭାଷା ସେମାନଙ୍କ କବିତାକୁ ଲୋକାଭିମୁଖୀ କରି ପାରିଥିଲା । ରୀତିଯୁଗ କବିଙ୍କ ମତରେ ରସପୂର୍ଣ୍ଣ ବାକ୍ୟ ହେଉଛି କାବ୍ୟ। ଏଯାବତ ପୁରପଲ୍ଲୀରେ ଦାସକାଠି, ପାଲା ମାଧ୍ୟମରେ ଆମେ ସେ ଯୁଗର କବିତା ସବୁକୁ ଉପଭୋଗ କରୁ। ସାମ୍ପ୍ରତିକ ଯୁଗର କବିତା ଉତ୍ତର ଆଧୁନିକ।ବିଶ୍ଵାୟନର ଯୁଗ। ତଥାପି ବି ଆଜି ମଧ୍ୟ ଭୀମଭୋଇଙ୍କ “ପ୍ରାଣୀର ଆରତ ଦୁଃଖ ଅପ୍ରମିତ, ଦେଖୁ ଦେଖୁ କିମ୍ପା ସହୁ,ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ।” ମିଳିତ ଜାତିସଂଘରେ ଏବଂ ଭାରତର ସଂସଦ ଭବନରେ ସ୍ଥାନ ପାଇଛି। ଆଧୁନିକ କବିତା ରୀତିଯୁଗ କବିତା ତୁଳନାରେ ଅଧିକ ଦୁର୍ବୋଧ୍ୟ ଓ ସାଧାରଣ ଲୋକଙ୍କ ପାଖରେ ଆଦୃତ ହେଉନି ବୋଲି ମୋର ବ୍ୟକ୍ତିଗତ ମନ୍ତବ୍ୟ।

ଗପ ତୁଳନାରେ କବିତାକୁ ପାଠକୀୟ ଆଦୃତି ସେତେଟା ମିଳେ ନାହିଁ , କାହିଁକି ?

ମୋ ମତରେ, ଅସଂଖ୍ୟ କବିତା ଛପିଥାଏ ସାମ୍ପ୍ରତିକ ସମୟର ଗପରେ। ଅନେକ ଗାଳ୍ପିକଙ୍କ ସର୍ଜନା କବିତାରୁ ଆରମ୍ଭ।ତେଣୁ ଗପ ଓ କବିତାର ତୁଳନାତ୍ମକ ଉପସ୍ଥାପନା ଏତେଟା ସମ୍ଭବ ନୁହଁ ଯଦିଓ ସାହିତ୍ୟର ଉଭୟେ ଭିନ୍ନ ଭିନ୍ନ ବିଭବ। ତେବେ ବି ଗପ ତୁଳନାରେ କବିତାକୁ ପାଠକୀୟ ଆଦୃତି ନ ମିଳିବାର କାରଣ ହୁଏତ କିଛିକାଂଶରେ କବିତାର ଦୁର୍ବୋଧ୍ୟତାକୁ ଦାୟୀ କରା ଯାଇପାରେ। ଯଦି ଆମେ ବିଭିନ୍ନ ପୁରସ୍କାର ପରିପ୍ରେକ୍ଷୀରେ ଆଲୋଚନା କରିବା ଉଭୟ ଗପ ଓ କବିତାକୁ କେନ୍ଦ୍ର ତେବେ କବିତାକୁ ମଧ୍ୟ ପାଠକୀୟ ସ୍ୱୀକୃତି ମିଳୁଛି। ତେବେ ବି, ଗପର କାନଭାସ ଖୁବ ବଡ। ଚରିତ୍ରମାନଙ୍କ ସହ ପାଠକ ଶୀଘ୍ର ମିଶିଯାନ୍ତି। ନିଜ ଅନୁଭୂତି ସହ ଗଳ୍ପର ଚରିତ୍ର ମିଶିଗଲେ ପାଠକ ଗପ ପ୍ରତି ଅଧିକ ଆକୃଷ୍ଟ ହୋଇଯାଏ। କବିତା ଏକ ଅନ୍ତର୍ମୁଖୀ ଯାତ୍ରା। କମ ଶବ୍ଦରେ ଅନେକ କିଛି କବିତାରେ କୁହାଯାଏ। ପାଠକକୁ ଅଧିକ ମନନଶୀଳ ହେବାକୁ ହୁଏ କବିତାରେ।

ଆପଣଙ୍କ କବିତା ପଛର କୋମଳତା ଓ ମାଧୁର୍ଯ୍ୟର ରହସ୍ୟ କ’ଣ ?

ଶେଲିଙ୍କ ଉକ୍ତି ମନେ ପଡେ, ” ଆୱାର ସ୍ବିଟେଷ୍ଟ ସଙ୍ଗସ ଆର ଦୋଜ ଡେଟ ଟେଲ ଅଫ ସେଡେଷ୍ଟ ଥଟ ।” ଅର୍ଥାତ ଏକାକୀତ୍ୱ ବୋଧ, ଦୁଃଖ,ହତାଶା ଭିତରେ ଛପିଥାଏ କବିତାର କୋମଳ ମାଧୁର୍ଯ୍ୟ। ନିଜେ ବଞ୍ଚିଥିବା କବିତାକୁ ଶବ୍ଦରେ ରୂପାନ୍ତରିତ କଲାବେଳେ ବିଶେଷ କଷ୍ଟ ହୁଏନି। ଶବ୍ଦମାନେ ଆସି ଯିଏ ଯା’ର ଜାଗାରେ ବସି ଯାଆନ୍ତି। ଆପଣାଛାଏଁ କବିତାଟି ଲେଖିହେଇଯାଏ। ମନେହୁଏ ଯେମିତି କବିତା ନିଜେ ଆସି ନିଜକୁ ଲେଖେଇ ନେଉଛି।

ଆପଣ ଅର୍ଥନୀତିର ପ୍ରାଧ୍ୟାପକ ଥିଲେ । ତେବେ ଆର୍ଥନୈତିକ ଗୂଢ଼ ତତ୍ତ୍ୱରୁ ସାହିତ୍ୟ ପ୍ରତି କିପରି ଆକୃଷ୍ଟ ହେଲେ ?

ଉ: ଅଧ୍ୟାପନା ବୃତ୍ତି ଥିଲା ଓ କବିତା ପ୍ରବୃତ୍ତି। ସ୍ନାତ୍ତକୋତ୍ତର ଯାଏଁ ମୁଁ ଜାଣିନଥିଲି ଯେ ମୁଁ ଦିନେ କବିତା ଲେଖିବି। ଲଭ ଏଟ ଫାଷ୍ଟ ସାଇଟ ପରି ମୁଁ କବିତାର ପ୍ରେମରେ ପଡ଼ିଗଲି। ନା, ବୋଧହୁଏ ପ୍ରଥମେ ପ୍ରେମରେ ପଡିଲି ଓ ପରେ ଆପେ ଆପେ କବିତାର ପ୍ରେମରେ । ଦାର୍ଶନିକ ପ୍ଲାଟୋ ଏକ ସୁନ୍ଦର କଥା କହିଛନ୍ତି : “ପ୍ରତ୍ୟେକ ହୃଦୟ ଏକ ଗୀତ ଗାଇଥାଏ । ଯେଉଁମାନେ ଗାଇବାକୁ ଇଚ୍ଛା କରନ୍ତି ସେମାନେ ସର୍ବଦା ଏକ ଗୀତ ପାଇଥା’ନ୍ତି। ପ୍ରେମିକାର ସ୍ପର୍ଶରେ ସମସ୍ତେ କବି ହୁଅନ୍ତି।”

 

ଆପଣ ଅନେକ କବିତା ସଙ୍କଳନର ସ୍ରଷ୍ଟା ତେବେ ଗଳ୍ପ ଲେଖିବାକୁ କାହଁକି ଆଗହୀ ହେଲେ ନାହିଁ ?

ମୁଁ ତିନି ଚାରୋଟି ଗପ ଲେଖିଥିଲି। କିନ୍ତୁ ପ୍ରକାଶ କରିନଥିଲି । ଆଗ୍ରହ ଥିଲା ଲେଖିବାକୁ, ବୋଧହୁଏ ପ୍ରକାଶିତ ହୋଇଥିଲେ ଲେଖିବାକୁ ପ୍ରେରଣା ମିଳିଥାନ୍ତା। ଦେଖାଯାଉ ଆଗକୁ ହୁଏତ ଲେଖିପାରେ ।

ସମ୍ପ୍ରତି ସାହିତ୍ୟରେ କାବ୍ୟଗ୍ରନ୍ଥ କେବଳ ଆଲୋଚନାର ବିଷୟ ହୋଇ ରହି ଯାଉଛି। ଜଣେ କବି ହିସାବରେ ଆପଣ ଏ ବିଷୟରେ କ’ଣ କହିବେ।

ମୁଁ ଏକମତ। ଆଲୋଚନା ହେଲେ କେଉଁ ହେଉଛି? ସାହିତ୍ୟରେ କବିତାର ଆଲୋଚନା ଦିଗଟି ବେଶ ଧିମେଇ ଯାଇଛି।ପାଠକଙ୍କ ସଂଖ୍ୟା କବିତା କ୍ଷେତ୍ରରେ ଅବଶ୍ୟ କମିଛି ଯଦିଓ । କବିତା ସବୁ ସମୟରେ ଏକ ବିଶେଷ କଳା । ତେବେ ବି, ମନେ ହେଉଛି କାବ୍ୟଗ୍ରନ୍ଥ ଭିତରେ ଯେମିତି କବିତା ସବୁ ବନ୍ଦୀ ।

ପୁରସ୍କାର ଓ ପରିଚିତି ଜଣେ ସାହିତ୍ୟିକକୁ ଅଧିକ ସର୍ଜନଶୀଳ କରିବାରେ ସହାୟକ ହୁଏ କି ?

ଅଧିକ ସର୍ଜନଶୀଳ କରୁ ବା ନ କରୁ ପୁରସ୍କାର ଓ ପରିଚିତି କିଛିଟା ସାମାଜିକ ଦାୟିତ୍ୱବୋଧ, ପ୍ରତିବଦ୍ଧତା, ଅବଶ୍ୟ ବଢ଼ାଏ ।ଉଭୟ ସାହିତ୍ୟିକର ଜୀବନରେ ଓ ସୃଷ୍ଟି ସମ୍ଭାରରେ। ଅଧିକ ସଚେତନ ଓ ଯତ୍ନବାନ ହେବାକୁ ପଡେ କବିତା ଲେଖିଲା ବେଳେ।

 ଅବସରକାଳୀନ ଜୀବନରେ ଆପଣଙ୍କ ସର୍ଜନଶୀଳତା ପଛରେ ପ୍ରେରଣା କ’ଣ ?

କବିତା ଓ ଜୀବନ ଉଭୟ ପ୍ରେରଣାଦାୟକ। ନକାରାତ୍ମକ ମାନସିକତାକୁ ସକାରାତ୍ମକ କରିବାରେ କବିତା ଯଥେଷ୍ଟ ସହାୟକ ହୁଏ। କିଛିକାଂଶରେ ଅସହାୟତା, ସଂଶୟ, ଅନୁଶୋଚନା ସବୁକୁ ଏଡେଇ ଦେଇହୁଏ।

ଓଡ଼ିଆ ସାହିତ୍ୟର ଯାତ୍ରାରେ କିଛି ପରିବର୍ତ୍ତନ ଆସିବାର ଆବଶ୍ୟକତା ଅଛି ବୋଲି ଆପଣ ଭାବନ୍ତି କି ?

ସମୟ ସହ ତାଳ ଦେଇ ଓଡ଼ିଆ ସାହିତ୍ୟ ଆଗେଇବା ଉଚିତ। ଏବେ ଡିଜିଟାଲାଇଜେସନ୍ ର ସମୟ । ନୂଆ ପୀଢ଼ିରେ ଓଡ଼ିଆ ଭାଷାର ଶିକ୍ଷା ଓ ବ୍ୟବହାର କମି କମି ଆସୁଛି। ଇଂରାଜୀ ଭାଷାର ପ୍ରଭାବ ବଢ଼ିବାରେ ଲାଗିଛି, ଇଂରାଜୀ ଯେଣୁ ଜୀବିକାର ଭାଷା। ଓଡ଼ିଆ ଭାଷା ପ୍ରତି କେମିତି ଅଧିକ ଲୋକ ଆକର୍ଷିତ ହେବେ, ସେ ଦିଗରେ ଯତ୍ନବାନ ହେବା ସହ ଓଡ଼ିଆରୁ ଅନ୍ୟାନ୍ୟ ଭାଷାକୁ ଅନୁସୃଜନ କରିବାକୁ ପ୍ରୋତ୍ସାହିତ କରିବା ଉଚିତ। ସ୍କୁଲ କଲେଜରେ ସାହିତ୍ୟ ଉତ୍ସବର ଆୟୋଜନ କରାଯାଉ। ନାଟକ, କବିତା ଗପର କର୍ମଶାଳାକୁ ଅଧିକ ଗୁରୁତ୍ୱ ଦେବା କଥା। ପଶ୍ଚିମ ଓଡ଼ିଶାର ଭାଷାର ସାହିତ୍ୟକୁ ମାନ୍ୟତା ଦେଇ ସାହିତ୍ୟର ମୁଖ୍ୟ ସ୍ରୋତକୁ ଆଣିବା ଉଚିତ। କୋଶଳୀ ଶବ୍ଦର ବହୁଳ ବ୍ୟବହାର ଓଡ଼ିଆ ଭାଷା ସାହିତ୍ୟକୁ, ଅଧିକ ରୁଦ୍ଧିମନ୍ତ କରିବ। ଶବ୍ଦ ଶବ୍ଦ ଭିତରେ ସେତୁ ନିର୍ମାଣ କରେ ଉତ୍କୃଷ୍ଟ ସାହିତ୍ୟ।

Leave A Reply

Your email address will not be published.