Latest Odisha News

BREAKING NEWS

ସାହିତ୍ୟ ରଚନା ପାଇଁ ଅନୁଭୂତି ଓ କଳ୍ପନା ଅଙ୍ଗାଙ୍ଗୀ ଭାବରେ ଜଡ଼ିତ : ପ୍ରଶାନ୍ତ ନନ୍ଦ

ଏକାଧାରରେ ସେ ଜଣେ ଚଳଚ୍ଚିତ୍ର ଅଭିନେତା, ନିର୍ଦ୍ଦେଶକ, ସଂଳାପ ଲେଖକ, ଗୀତିକାର, ରାଜନୀତିଜ୍ଞ ତଥା ସାହିତ୍ୟିକ। ନିଜର ବହୁମୂଖୀ ପ୍ରତିଭା ସହ ସେ ଅନନ୍ୟ ଏବଂ ଅସାଧାରଣ। ଯେଉଁ କ୍ଷେତ୍ରରେ ସେ ପାଦ ଦେଇଛନ୍ତି ସେଇଠି ସଫଳତାର ଶୀର୍ଷରେ ପହଞ୍ଚି ଉଦାହରଣ ସୃଷ୍ଟି କରିଛନ୍ତି। ଓଡ଼ିଆ ଭାଷା ସାହିତ୍ୟରେ ମଧ୍ଯ ତାଙ୍କର ଅବଦାନ ଅତୁଳନୀୟ। ଅନୁସ୍ରବ, ପଲସା, କଳିଙ୍ଗ ଗାଥା ତ୍ରିକନ୍ୟା, ଅକ୍ଷୟ ଅବକ୍ଷୟ, ଅଥଚ ଆମେ, ଓଲଟ ପାଲଟ ଶ୍ରେୟୀ ଶକୁନ୍ତଳା ଆଦି ପୁସ୍ତକ ସହ ଆହୁରି ଅନେକ କାଳଜୟୀ ସୃଷ୍ଟିର ସେ ସ୍ରଷ୍ଟା।

ଓଡ଼ିଆ କଥାଚିତ୍ର ତଥା ଓଡ଼ିଆ ସାହିତ୍ୟ ଜଗତର କିମ୍ବଦନ୍ତୀ ବ୍ୟକ୍ତିତ୍ୱ ପ୍ରଶାନ୍ତ ନନ୍ଦଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ଆଳାପ।

 

 

 ଆପଣ ଏକାଧାରରେ ଜଣେ ଅଭିନେତା, ନିର୍ଦ୍ଦେଶକ, ଜନନେତା ଏବଂ ଲେଖକ । ତେବେ କେଉଁ ଭୂମିକାଟି ଆପଣଙ୍କର ପ୍ରିୟ ଓ କାହିଁକି ?

ଏଇ ପ୍ରଶ୍ନଟି ମତେ ସମସ୍ତେ ପଚାରନ୍ତି । ଏଥିପାଇଁ ପଚାରନ୍ତି ଯେ ମୁଁ ସବୁ କ୍ଷେତ୍ରରେ କାମ କରିଛି । ଇଚ୍ଛା କରି କରିଛି କି ଅନିଚ୍ଛା ସତ୍ତ୍ୱେ କରିଛି ବା ଆଗ୍ରହୀ ହୋଇ କରିଛି ତାହା ଆଲୋଚନାର ବିଷୟ । ମୁଁ ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ, ଗୀତିକାର, ସଂଳାପ ଲେଖକ, ରାଜନୀତି ଏବଂ ସାହିତ୍ୟରେ ମଧ୍ୟ ଅଛି । ଏ ପ୍ରଶ୍ନ ସ୍ୱାଭାବିକ। ଏତିକି କହିବି ଯେ ମୁଁ ନିଜକୁ ଭଲ ଭାବରେ ଚିହ୍ନିଛି। ମୋ ନିଜର ଇଚ୍ଛା ଓ ଖୁସିକୁ ଭଲରେ ଅନୁଶୀଳନ କରିଛି । ସେଥିପାଇଁ ଏହାର ଗୋଟିଏ ଉତ୍ତର ମୁଁ ତୁମକୁ ଦେଇପାରେ ଯେ, ଯେଉଁ ପରିଚୟରେ ପୂର୍ବତନ ଲାଗିବ ନାହିଁ ସେଇ ପରିଚୟରେ ମୁଁ ଖୁସି ।

ସାହିତ୍ୟ ଜୀବନର ଆରମ୍ଭ କିପରି ହୋଇଥିଲା ?

ଯେତେ ସାହିତ୍ୟିକ ଅଛନ୍ତି ଅବା ଯେଉଁମାନେ ସାହିତ୍ୟ ବୁଝନ୍ତି, ସାହିତ୍ୟ ସହିତ ସେମାନଙ୍କ ପରିଚୟ ଆରମ୍ଭ ହୁଏ ମା’ କୋଳରୁ ଅବା ଜେଜେମା କି ଆଈ କୋଳରୁ। ସେମାନେ ଆଈ କି ଜେଜେମା ପାଖରୁ ଯେଉଁ ଗପ ଶୁଣନ୍ତି ଯେପରିକି ରାଜାରାଣୀ ଗପ, ଟୁଆଁଟୁଇଁ ଗପ, ଏସବୁ ଶୁଣିଲା ବେଳେ ଅଜାଣତରେ ମନରେ ସାହିତ୍ୟର ମଞ୍ଜି ବୁଣି ହୋଇଯାଏ। ତା’ପରେ ସେମାନେ ଯେତେବେଳେ ଟିକେ ବଡ଼ ହୋଇ ଯାଆନ୍ତି ବୋଉ ପାଖରୁ ପିଲାଦିନର ସ୍ମୃତି ଗୀତ, ଗପ ଆଦି ଶୁଣି ସାହିତ୍ୟ ସହ ଜଡ଼ିତ ହୋଇ ଯାଆନ୍ତି। ମୁଁ ମୋ କଥା କହିଲେ ମୋ ବୋଉ ପାଖରୁ ମୋର ସାହିତ୍ୟ ଜୀବନର ଆରମ୍ଭ ହୋଇଥିଲା। ମୁଁ ସପ୍ତମ ଅଷ୍ଟମ ପଢ଼ିଲା ବେଳେ ମୋ ନନା ( ବାପା) ଓ ମାମୁଁ ଅନେକ ସମୟରେ ସାହିତ୍ୟ ବିଷୟରେ ଆଲୋଚନା କରନ୍ତି। ଯାହା ମତେ ବହୁତ ଭଲ ଲାଗୁଥିଲା। ମୁଁ ଯେତେବେଳେ ନବମ ଶ୍ରେଣୀରେ ପଢ଼ୁଥିଲି ସେତେବେଳେ ଗୋଟିଏ ‘ଅଂଶୁପାର ମାୟା’ ନାଁ ରେ ଗୋଟିଏ ଉପନ୍ୟାସ ଲେଖିଥିଲି। ତାହା ମୋ ବୋଉ ପଢ଼ିଦେଇଥିଲେ ଏବଂ ନନାଙ୍କୁ ଜଣେଇ ଦେଇଥିଲେ। ଯାହା ପାଇଁ ମୁଁ ମାଡ଼ ବି ଖାଇଥିଲି। ପରେ ପରେ ସ୍କୁଲ କଲେଜର ପତ୍ରିକା ପାଇଁ ଲେଖିଲି। ପରବର୍ତ୍ତୀ କାଳରେ ସିନେମା ପାଇଁ ସଂଳାପ ଲେଖିଲି । ଯାହା ମୋର ବୃତ୍ତି ହୋଇଗଲା। ନବମ ଶ୍ରେଣୀରେ ଯେଉଁ ଉପନ୍ୟାସ ଲେଖିଥିଲି ତାକୁ ମନେପକେଇ ସିନେମା ତିଆରି କଲି। ସେଇ ସିନେମା ନନା ବୋଉ ଦେଖି ବହୁତ ଖୁସି ହୋଇଥିଲେ। ସେଇ ସିନେମାଟି ମା’ ଓ ମମତା ଥିଲା। ସେଦିନ ବୁଝିଗଲି ଯେ ମୁଁ ସିନେମା ଭିତରେ ସାହିତ୍ୟ ହିଁ କରୁଥିଲି। ଥରେ ଜଣେ ଲେଖିକା କହିଥିଲେ ଆପଣ ଏତେ ସୁନ୍ଦର ଚଳଚ୍ଚିତ୍ର କରୁଛନ୍ତି ତେବେ ସାହିତ୍ୟିକମାନଙ୍କର କାହାଣୀ ନେଇ କାହିଁକି ସିନେମା କରୁ ନାହାନ୍ତି। ମୁଁ ତାଙ୍କୁ ଉତ୍ତର ଦେଇଥିଲି ଯେ ଏପର୍ଯ୍ୟନ୍ତ ମୁଁ ଛବିଶଟି ଚଳଚ୍ଚିତ୍ର ପାଇଁ ସଂଳାପ ଓ ସ୍କ୍ରିନପ୍ଲେ ଲେଖି ସାରିଲିଣି । ଏଥିରେ ମୁଁ ସାହିତ୍ୟିକ କି ନୁହେଁ ଆପଣ ବିଚାର କରନ୍ତୁ। ବାଣୀବିହାରରେ ପଢ଼ିଲା ବେଳେ ସବୁ ରାତିରେ ଗୋଟିଏ ଗପ ଲେଖୁଥିଲି। ଏପରି ଭାବରେ ସାହିତ୍ୟ ସହିତ ମୁଁ ଯୋଡ଼ି ହୋଇ ରହିଛି।

କଳ୍ପନାକୁ ରୂପ ଦେବା ସହଜ ନା ଅନୁଭୁତିରେ ରଙ୍ଗ ଭରିବା ସହଜ ?

ଅନୁଭୂତି ଓ କଳ୍ପନା ଦୁଇଟି ଅଲଗା ଅଲଗା ଭାବ ନୁହେଁ। ଆମର ଯାହା ବି ଅନୁଭୂତି ଅଛି ବିନା କଳ୍ପନାରେ ତାର ବିସ୍ତୃତି ସମ୍ଭବ ନୁହେଁ। ମନେ କରାଯାଉ ମୋର ଜଣକ ସହିତ ଦେଖା ହେଲା । ତା’ ସହ ଦେଖା ହୋଇ ମତେ ଭଲ ଲାଗିଲା। ସେ ଝିଅ, ପୁଅ କି ଯେ ବି ହୋଇଥାଉ। ତା’ ସହ ମୁଁ ଯେଉଁ କଥାବାର୍ତ୍ତା କଲି ତାହା ହେଉଛି ମୋର ଅନୁଭୂତି କିନ୍ତୁ ଯଦି ତାକୁ ନେଇ ମୁଁ କାହାଣୀ ଲେଖିବି ତେବେ କଳ୍ପନା କରିବାକୁ ପଡ଼ିବ ଏବଂ ତାକୁ ରୂପ ଦେବାକୁ ପଡ଼ିବ। ଅନୁଭୂତି ହେଉଛି ଏକମାଟିଆ ହୋଇଥିବା ଗୋଟିଏ ମୂର୍ତ୍ତି ତାକୁ ଅନେକ ମାଟିଆ କରିବା ପାଇଁ କଳ୍ପନାର ପୁଟ ଆବଶ୍ୟକ । ମୋ ମତରେ ସାହିତ୍ୟ ରଚନା ପାଇଁ ଅନୁଭୂତି ଓ କଳ୍ପନା ଅଙ୍ଗାଙ୍ଗୀ ଭାବରେ ଜଡ଼ିତ।

ପୂର୍ବରୁ ଅନେକ ଓଡ଼ିଆ ଉପନ୍ୟାସ ସିନେମା ହୋଇ ବିପୁଳ ସଫଳତା ସାଉଁଟିଥିଲା । ଏବେ ସେପରି ହେଉନାହିଁ । ଏହି ବିଡ଼ମ୍ବନାକୁ ଆପଣ କିପରି ଦେଖନ୍ତି ?

ଏହି ପ୍ରଶ୍ନର ଉତ୍ତର ଲେଖକ ଭାବରେ ନୁହେଁ ବରଂ ଜଣେ ସ୍ୱାଭିମାନୀ ଓଡ଼ିଆ ଭାବରେ ଦେବାକୁ ଚାହିଁବି। ୧୯୭୬-୭୭ ରେ ମୁଁ ଯେତେବେଳେ ଶେଷ ଶ୍ରାବଣ କଲି ସେତେବେଳେ ମୋର ଇଚ୍ଛା ଥିଲା ଯେ ଆମ ଓଡ଼ିଆ କାହାଣୀ ହିନ୍ଦୀରେ ହେଉ। ନୈୟା ହେଲା ମଧ୍ୟ। ସେତେବେଳେ ଅନେକ ମାଡ୍ରାସୀ ପ୍ରୟୋଜକ ଆସି ଓଡ଼ିଶାରେ ଡେରା ପକେଇ ସଫଳ ହୋଇଥିବା ଅନେକ ହିନ୍ଦୀ ଚଳଚ୍ଚିତ୍ରର ଓଡ଼ିଆ ରିମେକ କରିବାକୁ ଚାହିଁଲେ ଆଉ କଲେ ମଧ୍ୟ । ଓଡ଼ିଶାରେ ମୂଳ ରଚନା ଆଉ କିଛି ନହେଉ ଏହା ସେମାନଙ୍କ ଆଭିମୁଖ୍ୟ ଥିଲା। ଅନେକ ଅଭିନେତା, ଅଭିନେତ୍ରୀ ଗଲେ। କିନ୍ତୁ ମୁଁ ଯାଇନି। ମୁଁ ଏଇଠି ପୁଣି ଓଡ଼ିଆ କାହାଣୀକୁ ନେଇ ଚଳଚ୍ଚିତ୍ର କଲି। ମୋ ସିନେମା ହିଟ ହେଲା। ସେତେବେଳେ ଓଡ଼ିଆ ସିନେମାକୁ ନେଇ ଯେଉଁ ଯୁଦ୍ଧ ଚାଲିଥିଲା ସେଥିରେ ମୁଁ ଜିତିଥିଲି। ସେମାନେ ହାରିଲେ। ହେଲେ ୯୦ ମସିହା ବେଳକୁ ମୁଁ ଆଉ ସିନେମା ନିର୍ମାଣରେ ବେଶୀ ସମୟ ଦେଇ ପାରିଲି ନାହିଁ। ସେତେବେଳେ ମୁଁ ଏହା ବି ଦେଖିଲି ଯେ ମୂଳ ରଚନାକୁ ନେଇ କେହି ସିନେମା କରିବାକୁ ରାଜି ହେଲେ ନାହିଁ। ଯେଉଁ ପ୍ରଯୋଜକମାନଙ୍କୁ ସଂଳାପ ଓ ଚିତ୍ରନାଟ୍ୟ ଭିତରେ ସମ୍ପୂର୍ଣ୍ଣ ସିନେମା ଦେଖାଯାଉଥିଲା ସେମାନେ କେଉଁଠି ଯେମିତି ହଜିଗଲେ । ନୂଆ ଲୋକ ଆସିଲେ। ସେମାନେ ଆଉ ସେଇ ସଂଳାପ ଆଉ ଚିତ୍ରନାଟ୍ୟ ଭିତରେ କାହାଣୀ ଦେଖି ପାରିଲେ ନାହିଁ। ପଡ଼ୋଶୀ ରାଜ୍ୟର ସିନେମାର କାହାଣୀ ନେଇ ସିନେମା କରିବା ଆରମ୍ଭ କଲେ। କିଛି ହିଟ ମଧ୍ୟ ହେଲା। ଏଥିପାଇଁ ନିର୍ଦ୍ଦେଶକର ଆଉ ଆବଶ୍ୟକତା ରହିଲା ନାହିଁ। କିନ୍ତୁ ଏହା ବେଶିଦିନ ରହିଲା ନାହିଁ । ଦର୍ଶକ ସେଇ ସିନେମା ଭିତରେ ଓଡ଼ିଆପଣ ପାଇଲେ ନାହିଁ। ପ୍ରେକ୍ଷାଳୟ ଖାଲି ପଡ଼ିଲା । କିନ୍ତୁ ଏପର୍ଯ୍ୟନ୍ତ ତାହା ହିଁ ଚାଲିଛି । ବର୍ତ୍ତମାନ ସେ ବିଷୟରେ ଚିନ୍ତା କରାଯାଉଛି। ଓଡ଼ିଆ ଗଳ୍ପ କି ଉପନ୍ୟାସର ଅଭାବ ନାହିଁ। କିନ୍ତୁ ଓଡ଼ିଆ କାହାଣୀକୁ ନେଇ ସିନେମା କରିବା ପାଇଁ ଜଣେ ନିର୍ମାତା ଦରକାର। ବର୍ତ୍ତମାନ ଅନେକ ପରିବର୍ତ୍ତନ ହେଲାଣି। ପୂର୍ବ ଅପେକ୍ଷା ସିନେମା କରିବା ପାଇଁ ଅଧିକରୁ ଅଧିକ ବ୍ୟୟ ହେଉଛି। ସେଥିପାଇଁ ବି ନିର୍ମାତା ମନ ଦେଉ ନାହାନ୍ତି।

ଜଣେ ସ୍ତମ୍ଭକାର ଭାବରେ ଆପଣ ପରିଚିତ । ସ୍ତମ୍ଭ ଲେଖିବା ପାଇଁ କାହିଁକି ଆଗ୍ରହ ପ୍ରକାଶ କଲେ ?

ଲେଖକ ଲେଖିସାରିଲା ପରେ ଖୁସି ହୁଏ। କିନ୍ତୁ ସେ ଲେଖାଟି ଭଲ ହୋଇଛି ନା ଖରାପ ହୋଇଛି ତାର ବିଶ୍ଳେଷଣ ହେବା ଆବଶ୍ୟକ। ଜଣେ ଯାହା ଲେଖିବ ତାର ଆଲୋଚନା ସମାଲୋଚନା ହେବା ଆବଶ୍ୟକ। ଆଉ ଏହା ସେତେବେଳେ ସମ୍ଭବ ଯେତେବେଳେ ପାଠକ ତାକୁ ପଢ଼ିବେ। ପଢ଼ିବା ପାଇଁ ଲୋକଙ୍କର ଆଗ୍ରହ ବହୁତ କମ। କିନ୍ତୁ ଖବର କାଗଜ ସମସ୍ତେ ପଢ଼ନ୍ତି। ସେଥିପାଇଁ ମୁଁ ସମ୍ଭ ଲେଖିବାକୁ ଆଗ୍ରହୀ ହେଲି। ବହୁ ପାଠକ ତାକୁ ପଢ଼ି ମତାମତ ମଧ୍ୟ ଦେଲେ। ଯାହାକି ମତେ ଲେଖିବା ପାଇଁ ପ୍ରେରଣା ଯୋଗେଇଲା।

ଏତେ ବର୍ଷର ସାଧନା ଭିତରେ ନିଜର ଇପ୍ସିତ ସୃଷ୍ଟିକୁ ରୂପ ଦେଇପାରିଛନ୍ତି କି ?

ଇପ୍ସିତ ସୃଷ୍ଟିକୁ କେବେ ରୂପ ଦେଇ ହୁଏ ନାହିଁ। ଇଚ୍ଛା ସବୁବେଳେ ବଢୁଥାଏ। ଯେତେବେଳେ ଛବିଶ ବର୍ଷ ବୟସରେ ମତେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଭାବରେ ସଫଳତା ମିଳିଗଲା ମୁଁ ଭାବିଲି ମୁଁ ଜୀବନରେ ବହୁତ କିଛି କରିନେବି। କିନ୍ତୁ ତାହା ହୁଏ ନାହିଁ। ଗୋଟିଏ ଚଳଚ୍ଚିତ୍ର ପରେ ଆଉ ଗୋଟିଏ ପୁଣି ତାପରେ ଆଉ ଗୋଟିଏ ଏମିତି ବଢ଼ି ଚାଲେ। ଚଳଚ୍ଚିତ୍ର, ରାଜନୀତି ଅବା ସାହିତ୍ୟ ସେ ଯେଉଁ କ୍ଷେତ୍ର ହେଉ ଆହୁରି ଅନେକ କିଛି କରିବାର ବାକି ରହିଗଲା ପରି ଲାଗୁଛି। ସେଥିପାଇଁ କହିବି ଇପ୍ସିତ ଅଭିବ୍ୟକ୍ତିକୁ କେବେ ରୂପ ଦେଇ ହୁଏ ନାହିଁ।

ଓଡ଼ିଆ ସାହିତ୍ୟ ଏବଂ ଓଡ଼ିଆ ଚଳଚ୍ଚିତ୍ରରେ ଅଶ୍ଳୀଳତା ପଶିଲାଣି ବୋଲି ଅନେକ ମତ ଦିଅନ୍ତି । ସେ ବିଷୟରେ ଆପଣ କ’ଣ କହିବେ ?

ଶ୍ଳୀଳତା ଓ ଅଶ୍ଳୀଳତାର ପ୍ରଥମେ ସଂଜ୍ଞା ନିରୂପଣ କରାଯାଉ। କେଉଁଠି ଅଶ୍ଳୀଳତା ହେଲା, ସେ ଲକ୍ଷ୍ମଣ ରେଖା କିଏ ନିର୍ଦ୍ଧାରିତ କରିଛି? ଯଦି ସେ ରେଖା କିଏ ପାରି ହୋଇଛି ତେବେ ତୁମ ପ୍ରଶ୍ନଟି ଠିକ । ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟକବିତା ଅଶ୍ଳୀଳ ବୋଲି କୁହାଗଲା। କିନ୍ତୁ ଆଜି ତାହା ସାହିତ୍ୟ ଜଗତର ଶୀର୍ଷରେ। କୋଣାର୍କରେ ଅଶ୍ଳୀଳତା ଭରି ରହିଛି ବୋଲି ଲୋକମାନେ କହନ୍ତି କିନ୍ତୁ ତାହା ପୃଥିବୀର ସର୍ବଶ୍ରେଷ୍ଠ କାରୁକାର୍ଯ୍ୟ ଭାବେ ବିଶ୍ୱ ପ୍ରସିଦ୍ଧ। ତେଣୁ ମୂଳ କଥା ହେଉଛି ଯେପର୍ଯ୍ୟନ୍ତ ଆମେ ଗୋଟିଏ ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ପହଞ୍ଚି ନାହୁଁ ସେ ବିଷୟରେ କିଛି ମତ ଦେବା ଠିକ ନୁହେଁ ।

ଓଡ଼ିଆ ସାହିତ୍ୟରେ ଆଉ ସିନେମାରେ ଓଡ଼ିଆତ୍ୱ ନାହିଁ। ଏ ବିଷୟରେ ଆପଣ କ’ଣ କହିବେ ?

ସମାଜରେ ଯାହା ଘଟୁଛି ବା ଘଟୁଥାଏ ତାକୁ ନେଇକି ହିଁ ସିନେମା ହୁଏ ବା ସାହିତ୍ୟ ସୃଷ୍ଟି ହୁଏ। ଆମେ ଆମ ପିଲାଙ୍କୁ ଓଡ଼ିଆ ପଢ଼େଇଲେ ନାହିଁ। ପିଲାଦିନରୁ ଇଂରାଜୀ ଭାଷାରେ ସେମାନେ ପଢ଼ିଲେ। ପିଲାମାନଙ୍କ ଏବଂ ବଡ଼ମାନଙ୍କ ପରିଧାନ ବି ପାଶ୍ଚାତ୍ୟ ଶୈଳୀରେ ହେଲା। ଏପରିକି ଓଡ଼ିଶାର ଗାଁ ଗଣ୍ଡାରେ ବି ଶାଢ଼ୀ ପରିବର୍ତ୍ତେ ଡ୍ରେସ ପଶିଲାଣି। ଚକୁଳି ଚିତଉ ବଦଳରେ ମ୍ୟାଗି ଖାଇବାକୁ ଦେଲେ। ଆମେ ଓଡ଼ିଆ କଥା କହିବା ନାହିଁ, ଓଡ଼ିଆ ଗୀତ ଶୁଣିବା ନାହିଁ କି ଓଡ଼ିଆ କାର୍ଯ୍ୟକ୍ରମ ଦେଖିବା ନାହିଁ। ପରିବାରରେ ଅଳ୍ପ ସ୍ୱଚ୍ଛଳତା ଆସିଗଲେ ଇଂରାଜୀ କି ହିନ୍ଦୀରେ କଥାବାର୍ତ୍ତା ନକଲେ ପାଖ ପଡ଼ୋଶୀ ପାଖରେ ଅପମାନିତ ମନେ କରୁଛୁ। ବର୍ତ୍ତମାନ ବହୁତ ଅଳ୍ପ ପରିବାର ଥିବେ ଯେଉଁ ଘରେ ବାପା ମା କି ବାପା ବୋଉ ଡାକ ଥିବ। ନେହଲେ ସବୁ ଡାଡି ମମି ଡାକିବାରେ ଅଭ୍ୟସ୍ତ। ଯେତେବେଳେ ଆମେ ବାପା ମା ହିସାବରେ ସେସବୁ କରୁଛେ। ତେବେ ସମାଜରୁ ଆଉ କ’ଣ ଆଶା କରିବା। ସିନେମା ଓ ସାହିତ୍ୟ ତ ସମାଜର ପ୍ରତିଫଳନ। ତେଣୁ କାହାଣୀ ବି ବଦଳିବ।

ସାହିତ୍ୟକୁ ଲୋକପ୍ରିୟ କରାଇବାରେ ଗଣମାଧ୍ୟମର ଭୂମିକାକୁ ଆପଣ କିପରି ମୂଲ୍ୟାୟନ କରିବେ ?

ସାହିତ୍ୟ ହେଉ ବା ଚଳଚ୍ଚିତ୍ର ହେଉ ତାର ପ୍ରଚାର ପ୍ରସାର ଦିଗରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ବର୍ତ୍ତମାନ ଗଣମାଧ୍ୟମ ସବୁ ଟିଆରପି ପଛରେ । କିଏ କାହାକୁ ନେଇ ପଳେଇଲା କିଏ କାହା ସହିତ କଣ କଲା , ସେସବୁକୁ ନେଇ ମନୋରଞ୍ଜନଧର୍ମୀ ଖବର ପ୍ରସାରିତ କରି କେବଳ ଶସ୍ତା ଲୋକପ୍ରିୟତା ହାସଲ କରିବାରେ ବ୍ୟସ୍ତ। କେଉଁଠି କିଛି ଭଲ ହେଲେ ତାର ଖବର ଅଳ୍ପ ସମୟ ମଧ୍ୟରେ ସୀମିତ। ଗଣମାଧ୍ୟମ ହାତରେ ପ୍ରଚାର କ୍ଷମତା ଅଛି କିନ୍ତୁ ତାର ସଠିକ ବ୍ୟବହାର ହେବା ଆବଶ୍ୟକ। କେବଳ ସାହିତ୍ୟ ନୁହେଁ ସେ ଯେଉଁ କ୍ଷେତ୍ର ହେଉ ଲୋକଙ୍କ ପାଖରେ ଭଲ ଖବର ପହଞ୍ଚାଇବା ପାଇଁ ଗଣମାଧ୍ୟମ ସବୁବେଳେ ଚେଷ୍ଟା କରିବା ଆବଶ୍ୟକ।

ଜଣେ ଲେଖକର ସାମାଜିକ ଦାୟିତ୍ୱବୋଧ କିପରି ହେବା ଆବଶ୍ୟକ ?

ଜଣେ ଲେଖକର ସାମାଜିକ ଦାୟିତ୍ୱ ନିଶ୍ଚିତ ଭାବରେ ରହିଛି। ସମାଜରେ ସଚେତନତା ସୃଷ୍ଟି କରିବା ଦାୟିତ୍ବ ହେଉଛି ଲେଖକର। ଉଦାହରଣ ସ୍ୱରୂପ ବାପା ମା ପିଲାଟିକୁ କଷ୍ଟ କରି ପାଠ ପଢ଼େଇଲେ ଓ ପିଲାଟି ଆମେରିକା ଚାଲିଗଲା। ଆମେ ଯଦି ବାରମ୍ବାର ଗପରେ ଲେଖିବା ଯେ ପିଲାମାନେ ବାପା ମାଙ୍କ ପ୍ରତି ସେମାନଙ୍କ ଦାୟିତ୍ୱ ବୁଝନ୍ତୁ ଏବଂ ଫେରି ଆସନ୍ତୁ। ତେବେ ହୁଏତ ସେଇ ପିଲାମାନଙ୍କୁ ଏହା ଏକ ଦିଗଦର୍ଶନ ହୋଇପାରେ। ତେଣୁ ଲେଖକର ସାମାଜିକ ଦାୟିତ୍ୱ ସବୁବେଳେ ରହିଛି।

ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଲା ପରେ ବି ନିଜ ମାତୃଭାଷା ପ୍ରତି ଓଡ଼ିଆଙ୍କ ବିମୁଖତାର ବିଡ଼ମ୍ବନାକୁ ଜଣେ ଜନପ୍ରତିନିଧି ଭାବରେ ଆପଣ କିପରି ଦେଖନ୍ତି ?

ଯେଉଁ ଘରର ମୂଳଦୁଆ ଯେତେ ଅଧିକ ଶକ୍ତ ହେବ ସେ ଘର ସେତିକି ଶକ୍ତ ହେବ। ଆମର ପିଲାମାନଙ୍କର ମୂଳଦୁଆ ଟୁଆଁଟୁଇଁ ନ ହୋଇ ଜ୍ୟାକ ଆଣ୍ଡ ଜିଲ ହେବା ତେବେ ଓଡ଼ିଆ ଭାଷାର କଣ ହେବ। ଯଦି ଆମେ ପିଲାମାନଙ୍କୁ ଓଡ଼ିଆ କାହାଣୀ ନକହିବା , ଆମ ଢଗ ଢମାଳି ସହ ପରିଚିତ ନକରେଇବା ତେବେ ସେମାନେ କିପରି ଭାବରେ ଆମ ଭାଷା ଶିଖିବେ। ଆମେ ନିଜେ ହିଁ ଭୁଲ କରିଛେ। ସେଥିପାଇଁ ମାତୃଭାଷା ପ୍ରତି କାହାର ଆଗ୍ରହ ରହୁନାହିଁ। ଓଡ଼ିଶା ବାହାରେ ରହୁଥିବା ପିଲାମାନେ ତାଙ୍କ ପିଲାଙ୍କୁ ଓଡ଼ିଆ ଭାଷା ନଶିଖେଇ ସେହି ଅଞ୍ଚଳର ଭାଷା ଶିଖେଇଲେ ତେବେ ଓଡ଼ିଆ କେମିତି କହିବେ। ଆମ ଓଡ଼ିଆ ଭାଷାରେ ଏବେ ଅନେକ ଭଲ ବହି ଲେଖା ଯାଉଛି। ପିଲା ପଢ଼ିବାକୁ ଚାହିଁଲେ ବି ଓଡ଼ିଆ ନଶିଖିବା କାରଣରୁ ପଢ଼ି ପାରୁ ନାହାଁନ୍ତି। ସେଥିପାଇଁ ଶ୍ରୁତି ସାହିତ୍ୟ ହେବା ଆବଶ୍ୟକ। ଶ୍ରୁତି ସାହିତ୍ୟ ଆମକୁ ମାତୃଭାଷା ସହିତ ଏକାତ୍ମ କରେଇବ।

ପୁରୁଣା ଓଡ଼ିଆ ଗୀତର ଲୋକପ୍ରିୟତା ଆକାଶଛୁଆଁ ଥିବା ବେଳେ ବର୍ତ୍ତମାନର ଓଡ଼ିଆ ଗୀତର ଆଦୃତି ସେମିତି ନାହିଁ ? ଜଣେ ଗୀତିକାର ଭାବରେ ଆପଣ ଏ ବିଷୟରେ କ’ଣ କହିବେ ?

ଏହା କେବଳ ଓଡ଼ିଶାରେ ନୁହେଁ ସାରା ଭାରତରେ ଏଇ ଅବସ୍ଥା। ଆଗରୁ ହିନ୍ଦୀ ସିନେମା ଗୀତ ଶୁଣି ଆମେ ପାଗଳ ହେଉଥିଲୁ। ଏବେ ଆଉ ସେ ସମୟ ନାହିଁ। ଗୋଟେ ସମୟ ଥିଲା ସେତେବେଳେ ମେଲୋଡ଼ି ଚାଲିଥିଲା । କିନ୍ତୁ ବର୍ତ୍ତମାନ ରିଦିମ ଆସିଲା। ଲୋକ ଡେଇଁବାକୁ ଆରମ୍ଭ କଲେ। ଯେଉଁ ଗୀତରେ ନାଚିହେବ ସେ ଗୀତକୁ ଲୋକ ପସନ୍ଦ କଲେ। ସମୟ ବଦଳୁଛି ସେହି ଅନୁସାରେ ଲୋକଙ୍କ ପସନ୍ଦ ନାପସନ୍ଦ ବି ବଦଳୁଛି।

ଆପଣ ଆଉଥରେ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଫେରିବାର ସମ୍ଭାବନା ଅଛି କି?

ଚଳଚ୍ଚିତ୍ର ଆମେ କାହା ପାଇଁ କରୁ। ଲେଖିବା ପାଠକ ନଥିବେ , ଚଳଚ୍ଚିତ୍ର କରିବା ଦର୍ଶକ ନଥିବେ ତେବେ କାହା ପାଇଁ କଣ କରାହେବ। ବର୍ତ୍ତମାନ ସାହିତ୍ୟ ପାଇଁ ପାଠକ ଓ ଚଳଚ୍ଚିତ୍ର ପାଇଁ ଦର୍ଶକମାନଙ୍କୁ ଫେରେଇବାକୁ ପଡ଼ିବ। ବର୍ତ୍ତମାନ ଲୋକ ଟିଭି ସିରିୟଲରେ ରହିଯାଇଛନ୍ତି। ଓଡ଼ିଆ କାହାଣୀ ପାଇଲେ ଦର୍ଶକ ହୁଅନ୍ତୁ ବା ପାଠକ ସେମାନେ ଫେରିବେ। ବାକି ରହିଲା ଚଳଚ୍ଚିତ୍ର ଜଗତକୁ ଫେରିବା କଥା ତାହା ସମୟ ନିର୍ଦ୍ଧାରଣ କରିବ।

ଜୀବନରେ କିଛି ଅବସୋସ ରହିଗଲା ବୋଲି ଆପଣ ଭାବନ୍ତି କି ?

ମୁଁ ଯାହା ଚାହିଁଲି ତାହା ପାଇଲି। ଅବସୋସ କରିବା ପାଇଁ କିଛି ନାହିଁ। ବୈକୁଣ୍ଠ ନାଥ ପଟ୍ଟନାୟକଙ୍କ ଯେଉଁ ଗୀତ “ଜୀବନ ପାତ୍ର ମୋ ଭରିଛ ଯେତେ ଯେତେ ନଦେଲ ବୋଲି କହିବି କି ଆଉ।” ଆଉ ଅଧିକ କଣ ପାଇଥାନ୍ତି ମୁଁ। କିନ୍ତୁ ଭଗବାନଙ୍କ ପାଖରେ ଗୋଟିଏ ଅଭିଯୋଗ ଯେ ବୟସକୁ ଏତେ ସୀମିତ କାହିଁକି କରିଦେଲେ। ଏବେ ଚାହିଁଲେ ବି ଅଧିକ ଦିନ ବିଶେଷ କିଛି କରି ପାରିବି ନାହିଁ। ଏ ଯେଉଁ ଭାବନା ମନରେ ଆସେ ତାହା ହିଁ ମୋର ଅବସୋସ। ତଥାପି ଯେତେଦିନ ମୋର ମୁଣ୍ଡ ଠିକ ଭାବରେ କାମ କରୁଛି , ମୋ ଭାବନାରେ ନୂତନତ୍ୱ ଆସୁଛି ମୁଁ କାମ କରିଚାଲିଥିବି।

 ନୂଆ ପୀଢ଼ି ପାଇଁ କି ବାର୍ତ୍ତା ଦେବେ।

ବାର୍ତ୍ତା ଦେଲେ ଶୁଣିବ କିଏ। ମନ କଥା କହିବି। ମୋ ପିଲାଦିନେ ଯେତେବେଳେ ସେଇ ବୟସରେ ଥିଲି ମୋର ଯେତେ ବୁଦ୍ଧି ଥିଲା ଏବେକାର ପିଲାମାନଙ୍କ ପାଖରେ ଅଧିକ ବୁଦ୍ଧି ଅଛି। ସେମାନେ ଅଧିକ ଯୋଗ୍ୟ। କିନ୍ତୁ ସେମାନେ ନିଜେ ନିଜର ଠିକଣା ଠିକ କରିବା ଆବଶ୍ୟକ। ଜଣେ କଣ ହେବା ପାଇଁ ଚାହୁଁଛି ତାହା ସେ ପ୍ରଥମେ ଠିକ କରୁ। ସେହି ଲକ୍ଷ୍ୟରେ କାମ କରନ୍ତୁ। ମୁଁ ଗୋଟିଏ କଥା ସବୁବେଳେ କହେ “ଦେଷ୍ଟିନେସନ କମ୍ପେଲ ଦେଷ୍ଟିନି ଟୁ ସରେନଣ୍ଡର।” ଭାଗ୍ୟ ଉପରେ ନିର୍ଭର ନକରି ଲକ୍ଷ୍ୟ ଉପରେ ଦୃଷ୍ଟି ସ୍ଥିର କଲେ ଜଣେ ନିଶ୍ଚିତ ଭାବରେ ସଫଳ ହେବ।

Leave A Reply

Your email address will not be published.