Latest Odisha News

ଝର୍କାର ଆଲୋକିତ ଫ୍ରେମରେ ଈଶ୍ବର

ପ୍ରଦୀପ କୁମାର ରାୟଙ୍କ ସ୍ମୃତିର ଫରୁଆରୁ 

ଓଃ… ଭୀଷଣ ବିରକ୍ତିକର..!

କଲେଜରୁ ଫେରିବା ବେଳେ ଝିପି ଝିପି ବର୍ଷା ହେଉଥିଲା । ଭିଜି ଭିଜି ଫେରିଥିଲି । ଘରକୁ ଆସି ଚେଞ୍ଜ କରି ଖଟ ଉପରେ ଗଡିପଡିଲି । ଏକୁଟିଆ ବ୍ୟାଚଲର ଜୀବନ । ଏଇ ଛୋଟିଆ ଭଡ଼ା ଘରର ମୁଁ ଅଧୀଶ୍ଵର । ଗଡ଼ୁ ଗଡ଼ୁ ଶୋଇ ପଡ଼ିଛି ନିଘୋଡ଼ ନିଦରେ । ନିଦ ଭାଙ୍ଗିଲା ମଶାମାନଙ୍କର ଅନବରତ ଅତ୍ୟାଚାର ହେତୁ ଆଖି ଖୋଲି ଚାହିଁଲି , କିଟିକିଟି ଅନ୍ଧାର , ଫ୍ୟାନଟା ବନ୍ଦ ହୋଇ ଯାଇଛି । ଲାଇନ୍ ନାହିଁ । ବାହାରେ ପ୍ରବଳ ବର୍ଷା , ଆଜବେଷ୍ଟସ ଛାତରେ ବର୍ଷାର ତାଣ୍ଡବ ନୃତ୍ୟ ।

ସମୟ କେତେ ହେବ ?

ଅଣ୍ଡାଳି ଅଣ୍ଡାଳି ଟର୍ଚ୍ଚଟା ପାଇଲି । ଟର୍ଚ୍ଚ ଆଲୁଅରେ ହାତ ଘଣ୍ଟା ଦେଖି ଜାଣିଲି ଆଠଟା ବାଜିବାକୁ ଦଶ ମିନିଟ ଅଛି। ବାଥରୁମ ଗଲି  ଫ୍ରେସ୍ ହେଲି । ଭୋକ ଭୋକ ଲାଗୁଛି । ମହମବତୀ ଲଗାଇ , ଷ୍ଟୋଭରେ ଚା କଲି । ବିସ୍କୁଟ ଡବା ଅଣ୍ଡାଳି ଦେଖିଲି କିଛି ନାହିଁ । ଖାଲି ଚା ପିଇ ସାରିବା ପରେ ଦାଣ୍ଡ ଘରର ଝର୍କା ଖୋଲିବା ମାତ୍ରେ ପବନ ସହ ବର୍ଷାର ଛିଟା ମୁହଁରେ ବାଜିଲା । ବାହାରଟା ଅନ୍ଧାର । ଏବେ କୁଆଡେ଼ ଯାଇ ହେବ ନାହିଁ । ବର୍ଷା କମିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ଲାଇନ୍ ଆସିଲେ ଟିକେ ଭଲ ଲାଗନ୍ତା । ଏବେ ଅନ୍ଧାରରେ କ’ଣ କରିବି । ମିଞ୍ଜି ମିଞ୍ଜି ମହମବତୀର ଆଲୁଅରେ ପଢ଼ାପଢ଼ି ବି କରିହେବ ନାହିଁ । ଏଇ ଗୋଟିଏ ମହମବତୀ କେତେ ସମୟ ଆଉ ବା ଜଳିବ ଯେ ! ଏଇ ଗୋଟାକ ସରିଗଲେ ଅନ୍ଧାର ସହ ମିତ ବସିବାକୁ ହେବ ।

ମହମବତୀ ଲିଭାଇ ଦେଇ ବିରକ୍ତିରେ ପୁଣି ଖଟ ଉପରେ ଗଡ଼ି ଗଡ଼ି ବର୍ଷାର ଧୂନ୍ ଶୁଣିବାରେ ଲାଗିଲି ।

ସାଢେ଼ ନଅଟା ପାଖାପାଖି ବର୍ଷା ଟିକେ କମ୍ ହେଲା । ତଥାପି ଝିପିଝିପି ବର୍ଷା ହେଉଛି । ପ୍ରବଳ ଭୋକ । ପ୍ୟାଣ୍ଟକୁ ଆଣ୍ଠୁ ତଳ ଯାଏଁ ମୋଡ଼ି , ଛତା ଧରି , ଘରେ ତାଲା ପକାଇ ବାହାରିଲି । ସାଇକେଲରେ ଏହି ଅନ୍ଧାରରେ ଯାଇ ହେବ ନାହିଁ । ରାସ୍ତାରେ ପାଣିର ସୁଅ , ରାସ୍ତା କଡ଼ ଡ୍ରେନରେ ଖଲ୍ ଖଲ୍ ହୋଇ ପାଣି ଯାଉଛି । ଦୋକାନ ବଜାର ପ୍ରାୟ ବନ୍ଦ । ଗାନ୍ଧୀ ଛକ ପାଖରେ ପହଞ୍ଚି ଦେଖିଲି ସିନ୍ଧି ହୋଟେଲର ପେଟ୍ରୋମ୍ୟାକ୍ସ ଲାଇଟ୍ ଜଳୁଛି । ପାଖର ଟିକନୁ ପାନ ଦୋକାନରେ ବି ଲ୍ୟାମ୍ପଟାଏ ମିଟିମିଟି ହୋଇ ଜଳୁଛି । ଟିକନୁ ପାଖକୁ ଯାଇ ପାନ ବରାଦ କଲି । ଟିକନୁ କହିଲା ଆପଣ ଖାଇବେ ଯାଆନ୍ତୁ , ମୁଁ ପାନ ଭାଙ୍ଗି , ଦୋକାନ ବନ୍ଦ କରି ପହଞ୍ଚାଇ ଦେବି ।

ସିନ୍ଧି ହୋଟେଲରେ ମାତ୍ର ଦୁଇଜଣ ଗ୍ରାହକ ଖାଉଛନ୍ତି । ହୋଟେଲର କର୍ମଚାରୀମାନେ ହୋଟେଲ ବନ୍ଦ କରିବା ପାଇଁ ତତ୍ପର । ମୋତେ ଦେଖି ସିନ୍ଧି ( ହୋଟେଲ୍ ମାଲିକ , ତାଙ୍କର ନାଁ କଣ କେହି ଜାଣନ୍ତି ନାହିଁ । ସିନ୍ଧି ଲୋକ ବୋଲି , ହୋଟେଲର ନାଁ ସିନ୍ଧି ହୋଟେଲ ଆଉ ମାଲିକଙ୍କର ନାମ ମଧ୍ୟ ସିନ୍ଧି ) କହିଲେ , ଖାଲି ରୁଟି ଆଉ ତଡକା ହେବ । ବର୍ଷା ପାଇଁ ଆଜି ଗ୍ରାହକ ବି ନାହାନ୍ତି , ଯାହା ଥିଲା ସବୁ ସରିଗଲାଣି । ପ୍ରବଳ ଭୋକ ହେଉଛି , ତେଣୁ ସେତକ ଏବେ ମୋ ପାଇଁ ଅମୃତ । ଖାଉଛି , ଟିକନୁ ଆଣି ପାନ ରଖିଦେଇ ଗଲା । ଖାଇସାରିବା ପରେ ଘରକୁ ବାହାରିଲି । ଅଧାଅଧି ଓଦା ହୋଇ ଘରେ ପହଞ୍ଚିଲି ।

ସାର୍ଟ ପ୍ୟାଣ୍ଟ ଚେଞ୍ଜ କରି ପୋଛାପୋଛି ହେବା ବେଳକୁ ଯନ୍ତ୍ରଣାରେ କେହି ଗୁମୁରିବା ଶବ୍ଦ କାନରେ ବାଜିଲା । ପ୍ରଥମେ ଠିକ୍ ବୁଝି ପାରିଲି ନାହିଁ । ଭଲ ଭାବରେ କାନେଇବା ପରେ ଲାଗିଲା ପାଖ ଘରୁ ଏହି ଗୁମୁରିବା ଶବ୍ଦ ଭାସି ଆସୁଛି ।

ମୋର ଏହି ଭଡା ଘରର ମାଲିକ ମହେଶ ଚାଚା , ତାଙ୍କର ବୃତ୍ତି ହେଲା ଭଡ଼ାରେ ମାଇକ୍ ଦେବା । ତା ସହିତ ସହରର ଯେ କୌଣସି ଉତ୍ସବ ଅନୁଷ୍ଠାନ ହେଲେ ଏପରିକି ସରକାରୀ କୌଣସି ଘୋଷଣା କରିବାର ଥିଲେ , ମହେଶ ଚାଚାଙ୍କୁ ନିଯୁକ୍ତ କରାଯାଏ । ରିକ୍ସାରେ ବସି ମାଇକରେ ବୁଲି ବୁଲି ଚମତ୍କାର ପ୍ରଚାର କରନ୍ତି ସେ । ପିଲାଛୁଆ ନାହାନ୍ତି , ଚାଚା ଓ ଚାଚି ମାତ୍ର ଦୁଇ ଜଣ । ସେମାନେ ଘରର ଗୋଟିଏ ପାଖରେ ରହନ୍ତି ଆଉ ଅନ୍ୟ ପାଖରେ ମୁଁ ।

ପୁଣି କାନ ପତେଇଲି , ସେହି ଅସ୍ପଷ୍ଟ ଗୁମୁରିବାର ଶବ୍ଦ କ୍ରମଶଃ ଅଧିକ ସ୍ପଷ୍ଟ ହେବାରେ ଲାଗିଲା । ପଛ ପାଖର ଦରଜା ଖୋଲି , ମହେଶ ଚାଚାଙ୍କ ଝର୍କା ପାଖକୁ ଯାଇ ଦେଖିଲି । ଘର ଭିତରେ ମିଟିମିଟି ହୋଇ ଲଣ୍ଠନ ଜଳୁଛି । ମହେଶ ଚାଚା ଚଟାଣରେ ଗଡ଼ି ଯନ୍ତ୍ରଣା ରେ ଗୁମୁରି ଚାଲିଛନ୍ତି । ଚାଚି ଅଳ୍ପ ଦୂରରେ ବସି ଚାଚି ମଧ୍ୟ ଧକେଇ ହେଉଛନ୍ତି ।

ପାଟି କରି ଡାକିଲି… ଚାଚି… ଚାଚି….!

ବଡ଼ କଷ୍ଟରେ ଝର୍କା ଆଡ଼କୁ ଚାହିଁଲେ ।

କହିଲି … ଚାଚି … କବାଟ ଖୋଲ ।

ତାପରେ ଦରଜା ପାଖକୁ ଯାଇ ଠେଲିବା ମାତ୍ରେ ଆଉଜା ହୋଇଥିବା କବାଟ ଖୋଲିଗଲା । ଭିତରକୁ ଯାଇ ପଚାରିଲି.. କ’ଣ ହେଲା ? ଚାଚା ଏମିତି ହେଉଛନ୍ତି କାହିଁକି ? ଆଉ ତୁମେ ବି ତ…..!

ବଡ଼ କଷ୍ଟରେ ଗୁମୁରି ଗୁମୁରି ଚାଚି କହିଲେ , ଖାଇ ସାରିବା ପରେ କ’ଣ ହେଲା କେଜାଣି ତାଙ୍କର ଆଉ ମୋର ଭୀଷଣ ପେଟ ମୋଡ଼ି ହେଉଛି । ଜୀବନ ଛାଡ଼ିଗଲା ପରି ଲାଗୁଛି ।

କ’ଣ ଖାଇଛ…?

ତୁମର ଚାଚା ଆଜି ବଘିଆପଡା ହାଟରୁ ମରଡୋ ଛତୁ ଆଣିଥିଲେ । ଛତୁ ତରକାରୀ , ଡାଲି ଆଉ ଭାତ ତ ଖାଇଛୁ ବାପା । ଏତକ କହୁ କହୁ ଚାଚି ଭୀଷଣ ଭାବରେ ଗୁମୁରି ଉଠି ପ୍ରାୟ ନିସ୍ତେଜ ହୋଇଗଲେ ।

ଠିକ୍ ଅଛି । ମୁଁ ରିକ୍ସା ନେଇ ଆସୁଛି । ଡାକ୍ତରଖାନା ଯିବା କହି ତର ତର ହୋଇ ବାହାରି ଆସିଲି ।

ବାବୁ ସାହି‌ର ସେମୁଣ୍ଡରେ ଏନ୍ ଏସ୍ ସିର ପାଚେରୀକୁ ଲାଗି ଗୋଟିଏ ଝୋପଡି ଘରେ ରିକ୍ସାବାଲା ତ୍ରିଲୋଚନ ରହେ । ତାରି ରିକ୍ସାରେ ପ୍ରାୟ ମହେଶ ଚାଚା ପ୍ରଚାର କରନ୍ତି । ତା’ ଘର ସାମ୍ନାରେ ଯାଇ ଡାକିଲି । ମହେଶ ଚାଚାଙ୍କ ନାଁ ଶୁଣିବା ମାତ୍ରେ ରିକ୍ସା ଧରି ବାହାରି ପଡ଼ିଲା ।

ବଡ଼ କଷ୍ଟରେ ତ୍ରିଲୋଚନ ସହ ଟେକାଟେକି କରି ରିକ୍ସାରେ ବସାଇଲୁ । ମୁଁ ତ୍ରିଲୋଚନ କୁ କହିଲି , ତୁମେ ଡାକ୍ତରଖାନା ଚାଲ , ମୁଁ ଘରେ ତାଲା ପକାଇ ସାଇକେଲରେ ଆସୁଛି ।

ଡ଼ାକ୍ତରଖାନାରେ ପହଞ୍ଚି ତ୍ରିଲୋଚନ ସହ ମିଶି ଚାଚା ଓ ଚାଚିଙ୍କୁ ନେଇ ଏମାରଜେନ୍ସି ଡିଉଟି ରୁମ୍ ବାରଣ୍ଡାରେ ବସାଇ ମୁଁ ଭିତରକୁ ଗଲି । ଡିଉଟି ରୁମରେ ଦୁଇଜଣ ନର୍ସ ବସି ଗପୁଛନ୍ତି । ଟେବୁଲ୍ ଉପରେ ମହମବତୀଟିଏ ଜଳୁଛି । ତାଙ୍କୁ ସବୁକଥା କହିବା ପରେ ଜଣେ ଦିଦି କହିଲେ , ଆଜି ଡକ୍ଟର ମହାପାତ୍ର ସାରଙ୍କର ନାଇଟ ଡ୍ୟୁଟି ଅଛି । ସେ କ୍ବାଟରରେ ଅଛନ୍ତି , ଡାକି ନେଇ ଆସନ୍ତୁ ।

ବର୍ଷାରେ ଧାଇଁଲି ଡାକ୍ତରଖାନା କ୍ୟାମ୍ପସରେ ଥିବା ଡକ୍ଟର ମହାପାତ୍ରଙ୍କ କ୍ବାଟରକୁ । କବାଟ ବାଡ଼େଇବାପରେ ଡକ୍ଟର ମହାପାତ୍ର ବାହାରିଲେ । ସବୁକଥା ଶୁଣି କହିଲେ ” ଫୁଡ୍ ପଏଜନିଂ” ହୋଇଛି । ଦିଦିଙ୍କୁ କହିବେ ଭମିଟିଂ କରାଇ ସାଲାଇନ୍ ଲଗାଇ ଦେବେ । ତାପରେ ମୋ ମୁହଁ ଉପରେ ଧଡାସ୍ କରି କବାଟ ବନ୍ଦ କରିଦେଲେ ।

ପୁଣି ଫେରି ଆସି ଡକ୍ଟର କହିଥିବା କଥା ଦିଦିମାନଙ୍କୁ କହିଲି । ସାଙ୍ଗେ ସାଙ୍ଗେ ସିନିୟର୍ ଦିଦି ଜଣକ କହିଲେ “ଫୁଡ୍ ପଏଜନିଂ କେସ୍ , କେତେବେଳେ କଣ ହେବ । ଡକ୍ଟର ନ ଆସିଲେ ଆମେ ରିସ୍କ ନେଇ ପାରିବୁ ନାହିଁ । ଆପଣ ଡକ୍ଟର ଙ୍କୁ ଡାକି ଆଣନ୍ତୁ ।”

ମୋର ଇଚ୍ଛା ହେଉଥିଲା ଖୁବ୍ ଜୋରରେ ଚିତ୍କାର କରିବି , ଟେବୁଲ୍ ଚଉକି ସବୁ କଚାଡି ଭାଙ୍ଗିବି । କିନ୍ତୁ ଡ୍ୟୁଟି ରୁମରୁ ବାହାରି ଆସିଲି । ଦେଖିଲି ଚାଚା ଚାଚି ଦୁହେଁ ତଳେ ଚଟାଣ ଉପରେ ଗଡ଼ି ପଡିଛନ୍ତି । ସେମାନଙ୍କ ଦେହରେ ବର୍ଷର ଛିଟା ବାଜୁଛି ।

ତ୍ରିଲୋଚନ ପଚାରିଲା “ଡାକ୍ତର ଆସିଲେ ବାବୁ ?”

ମୁଁ ତ୍ରିଲୋଚନ କୁ କହିଲି “ଚାଲ୍ ଏମାନଙ୍କୁ ନେଇ ଡକ୍ଟର ଜେନା ବାବୁଙ୍କ ଘରକୁ ଯିବା ।”

ସେତେବେଳକୁ ଚାଚା ଚାଚି କ୍ରମଶଃ ନିସ୍ତେଜ ହୋଇ ପଡିଛନ୍ତି । ପୁଣି ସେମାନଙ୍କୁ ନେଇ ଜେନା ସାରଙ୍କ ଘରେ ପହଞ୍ଚିଲୁ । ଜେନା ସାରଙ୍କ ଘରେ କାମ କରୁଥିବା ପିଲା ସୁବାସ କବାଟ ଖୋଲିଲା । ମୋ ନାଁ ଶୁଣି ଡକ୍ଟର ଜେନା ବାହାରକୁ ଆସିଲେ । ସବୁକଥା ଶୁଣି ସୁବାସକୁ ତାଙ୍କ କ୍ବାଟର ସାମ୍ନାରେ ଥିବା ଛୋଟିଆ ଆଜବେଷ୍ଟସ ବଖରା , ଯେଉଁଠାରେ ସେ ରୋଗୀ ଦେଖନ୍ତି ଖୋଲିବାକୁ କହିଲେ । ସୁବାସ , ମୁଁ ଓ ତ୍ରିଲୋଚନ ଧରାଧରି କରି ଚାଚା ଓ ଚାଚିଙ୍କୁ ଭିତରକୁ ନେଲୁଁ । ତାପରେ ଆରମ୍ଭ ହେଲା ଚିକିତ୍ସା । ଉଭୟଙ୍କୁ ବାନ୍ତି କରାଇ , ସାଲାଇନ୍ ଲଗାଗଲା । ଉଭୟଙ୍କୁ ଇଂଜେକସନ ଦେଲେ । ତାପରେ ଡକ୍ଟର ଜେନା କହିଲେ ସିଭିୟର ଫୁଡ୍ ପଏଜନିଂ ହୋଇଛି । ଯାହାହେଉ ଆପଣ ଠିକ୍ ସମୟରେ ନେଇ ଆସିଛନ୍ତି । ଆଜି ରାତିଟା ଏମାନଙ୍କୁ ଅବଜରଭେସନରେ ରଖିବାକୁ ହେବ । ସୁବାସ ରହିବ । ଆପଣ ଆଉ ଏମିତି ବର୍ଷାରେ କୁଆଡେ ଯିବେ । ଚାଲନ୍ତୁ ଆମ ଘରେ ରାତିଟା ଶୋଇ ପଡିବେ । ରିକ୍ସା ବାଲାକୁ ପଠାଇ ଦିଅନ୍ତୁ ।

ଡକ୍ଟର ଜେନାଙ୍କୁ ମୋ ପାଇଁ ବ୍ୟସ୍ତ ନ ହେବା ପାଇଁ ଯେତେ କହିଲେ ବି ମାନିଲେ ନାହିଁ । ଅଗତ୍ୟା ରିକ୍ସାବାଲାକୁ ପଠାଇ ଦେଇ ମୁଁ ଜେନା ସାରଙ୍କ ଘରକୁ ଗଲି । ସୁବାସ ମୋ ପାଇଁ ଦାଣ୍ଡଘରେ ଫୋଲ୍ଡିଂ ଖଟରେ ବିଛଣା କରିଦେଲା । ଶୁଖିଲା ଧୋତି ଗାମୁଛା ଧରି ଜେନା ସାର୍ ଆସି କହିଲେ “ନିଅନ୍ତୁ , ଲୁଗା ବଦଳାଇ ପୋଛାପୋଛି ହୋଇ ଶୋଇ ପଡନ୍ତୁ ।”

ଜେନା ବାବୁ ଭିତରକୁ ଗଲେ , ସୁବାସ ଚାଲିଗଲା ଚାଚା ଚାଚିଙ୍କ ପାଖକୁ । ଦାଣ୍ଡଘରେ ଏକା ମୁଁ । ନିଦ ଆସୁନାହିଁ ,ଖଟରେ ଗଡ଼ି ଗଡ଼ି ଭାବୁଛି , କି ବିଚିତ୍ର ମଣିଷ ଡକ୍ଟର ଜେନା ସତରେ ।

ବଉଦ କଲେଜରେ ମୁଁ ଜଏନ୍ କରିବା ପରେ ଯେହେତୁ ମୁଁ ଏନ୍. ଏସ. ଏସ୍ ଦାୟିତ୍ଵରେ ଥିଲି , ଥରେ ଗୋଟିଏ ହେଲଥ୍ ପ୍ରୋଗ୍ରାମରେ ଜେନା ବାବୁ ମୋତେ କହିଥିଲେ , ରକ୍ତ ପାଇଁ ଏଠି କେତେ ରୋଗୀଙ୍କର ମୃତ୍ୟୁ ହେଉଛି ଆପଣ ଜାଣିଛନ୍ତି ? ଆପଣ ଚାହିଁଲେ ସେଭଳି ରୋଗୀମାନଙ୍କ ପାଇଁ କିଛି କରି ପାରିବେ । ଦିନେ ପ୍ରୋଗ୍ରାମ କରନ୍ତୁ , କଲେଜର ଯେଉଁ ପିଲାମାନେ ରକ୍ତଦାନ କରିବାକୁ ଆଗ୍ରହୀ ସେମାନଙ୍କର ବ୍ଲଡ୍ ଗ୍ରୁପ୍ ଟେଷ୍ଟ କରି ଗୋଟିଏ ତାଲିକା କରି ରଖିବା । ଯେତେବେଳେ କୈାଣସି ରୋଗୀ ପାଇଁ ରକ୍ତ ଦରକାର ହେବ , ସେହି ରକ୍ତଦାତାଙ୍କୁ ଆମେ ଖୁବ୍ ଶୀଘ୍ର ଡକାଇ , ରୋଗୀକୁ ବଞ୍ଚାଇ ପାରିବା । ଡକ୍ଟର ଜେନାଙ୍କ ପ୍ରସ୍ତାବ ଅନୁଯାୟୀ ରକ୍ତଦାତା ପିଲାଙ୍କର ବ୍ଲଡ ଗ୍ରୁପ୍ ସହ ଏକ ତାଲିକା କରି କରିଥିଲୁ । ଅନେକ ରୋଗୀଙ୍କୁ ଆମର ପିଲାଏ ରକ୍ତ ଦେଇ ସେମାନଙ୍କର ଜୀବନ ରକ୍ଷା କରିଛନ୍ତି । ମୋର ମଧ୍ୟ ଡକ୍ଟର ଜେନା ଙ୍କ ସହ ଅନ୍ତରଙ୍ଗ ସମ୍ପର୍କ ଗଢ଼ି ଉଠିଥିଲା ।

ସତରେ ଡକ୍ଟର ଜେନା ଥିଲେ ଜଣେ ଅଦ୍ଭୁତ ମଣିଷ ।

ନିଦ ହେଉନାହିଁ , ଆଖି ବୁଜି ପଡ଼ି ରହିଛି । ଦେଖିଲି ଖୁବ୍ ସନ୍ତର୍ପଣରେ ଦରଜା ଖୋଲି ଡକ୍ଟର ଜେନା ଯାଇ ଚାଚା ଓ ଚାଚିଙ୍କୁ ଦେଖି ଆସୁଛନ୍ତି ବାରମ୍ବାର । ରାତି କ୍ରମଶଃ ଗଭୀର ହେଉଛି ଏବଂ ମୋ ଆଖି ଆଗରେ ଭାସି ଉଠୁଛି ଅତୀତର ଏକ ଘଟଣା ।
ଗାନ୍ଧୀ ଛକରେ ଥିବା ଦୁର୍ଗା ଦାଦାଙ୍କ ଚା’ ଦୋକାନରେ ପ୍ରତିଦିନ ଆମମାନଙ୍କର ଆଡ୍ଡା ଜମେ । ଲଳିତ ଜାନୀ , ଶିବ ମିଶ୍ର , ବୀର ଦଳେଇ , ଶିବ ପଣ୍ଡା , ତାରେଣୀ ମହାପାତ୍ର , ସାକ୍ଷୀଗୋପାଳ , ପଞ୍ଚା ମହାପାତ୍ର ଏବଂ ମୁଁ ଏମିତି କେତେଜଣ ସନ୍ଧ୍ୟା ହେବାମାତ୍ରେ ନିୟମିତ ପହଞ୍ଚି ଯାଉ । ଆହୁରି କେତେଜଣ ସୁବିଧା ଅନୁସାରେ ମଧ୍ୟ ଆସନ୍ତି । କେବେ କେବଳ ଚା ‘ରେ ପୁଣି କେବେ ପକୋଡି , ମୁଢି ସହିତ ଚା’ର ଆସର ଜମେ । ମଝିରେ ମଝିରେ ଭୋଜିଭାତର ମଧ୍ୟ ଆୟୋଜନ ହୂଏ । ଦୁର୍ଗା ଦାଦାଙ୍କ ହାତ ରନ୍ଧାର ତ ଜବାବ ନାହିଁ । ଦୁର୍ଗା ଦାଦା କେମିତି ଆମମାନଙ୍କର ଉତ୍ପାତ ସହି ପୁଣି ଆମ ସହିତ ସାମିଲ୍ ହୁଅନ୍ତି , ଭାବିଲେ ଆଶ୍ଚର୍ଯ୍ୟ ଲାଗେ । କୌଣସି କାରଣରୁ ଦିନେ ସେଠାକୁ ଯାଇ ନ ପାରିଲେ ଭୀଷଣ ଖାଁ ଖାଁ ଲାଗେ । ସେଠି ଯେ ଆମେ କେବଳ ଆଡ୍ଡା ମାରୁ ତାହା ନୁହେଁ , ଆମର ସବୁ ଯୋଜନାର ଏନ୍ତୁଡ଼ିଶାଳ ଦୁର୍ଗା ଦାଦାଙ୍କ ଚା’ ଦୋକାନ । ନାଟକ ମଞ୍ଚସ୍ଥ କରିବା ହେଉ କିମ୍ବା ଅନ୍ୟ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ , ତାହାର ମୂଳ ଭିତ୍ତି ପଡେ ସେହି ଆସରରେ । କେବଳ ସେତିକି ନୁହେଁ , ବଉଦର ଭୟାବହ ବନ୍ୟା ବେଳେ ରାତି ରାତି ଶଶୀକାକାଙ୍କ ଲଜର ଛାତ ଉପରେ ଖୋଲା ଆକାଶ ତଳେ ଶୋଇ ସକାଳୁ ଆମେ ସମସ୍ତେ ବାହାରି ପଡୁଥିଲୁ ବନ୍ୟାରେ ବିଧ୍ବସ୍ତ ଘରମାନଙ୍କୁ ପାରୁ ପର୍ଯ୍ୟନ୍ତ ସାହାଯ୍ୟ କରିବା ପାଇଁ ।

ସେଦିନ ବି ସେମିତି ଆମର ଆସର ଜମିଥିଲା । ଆସର ପରେ ସମସ୍ତେ ଚାଲି ଯାଇଥିଲେ , ମୁଁ ଟିକନୁ ପାନ ଦୋକାନ ଆଗରେ ଛିଡା ହୋଇ ପାନ ପାଇଁ ଅପେକ୍ଷା କରିଛି । ଡକ୍ଟର ଜେନାଙ୍କ ଘରେ କାମ କରୁଥିବା ପିଲା ସୁବାସ ସାଇକେଲ ରଖି ମୋ ଆଗରେ ଆସି ଛିଡା ହେଲା । ନମସ୍କାର କରି କାଗଜ ଖଣ୍ଡେ ମୋ ହାତକୁ ବଢାଇ ଦେଲା । କାଗଜ ଖଣ୍ଡକ ଖୋଲି ଦେଖିଲି AB+ ଲେଖା ହୋଇଛି । ସୁବାସକୁ ଚାହିଁବା ମାତ୍ରେ ସେ କହିଲା ” ସାର୍ , ଖୁବ୍ ସାନ ପିଲାଟିଏ ଏକ୍ସିଡେଣ୍ଟ ହୋଇ ଆସିଛି । ପ୍ରଚୁର ବ୍ଲିଡିଂ ହେଉଛି । ସାର୍ କହିଲେ ଅପରେସନ କରିବାକୁ ପଡ଼ିବ ।ରକ୍ତ ନିହାତି ଦରକାର । ଏହି ବ୍ଲଡ୍ ଗ୍ରୁପର ୫/୬ ପାଞ୍ଚ ଛଅ ଜଣ ପିଲାଙ୍କୁ ନେଇ ଟିକେ ଶୀଘ୍ର ଆସନ୍ତୁ ।

ହଉ , ତୁମେ ଯାଅ , ମୁଁ ପିଲାମାନଙ୍କୁ ନେଇ ଯାଉଛି କହି ତତ୍ପର ହୋଇ ପଡିଲି । ଆମେ ରକ୍ତଦାତା ପିଲାଙ୍କର ଯେଉଁ ଲିଷ୍ଟ କରିଛୁ ତାର ଗୋଟିଏ କପି ଶଙ୍କର ମିଶ୍ର ପାଖରେ ଅଛି । ଶଙ୍କରକୁ ଖବର ଦେଲେ ସେ ପିଲା ଯୋଗାଡ଼ କରି ପହଞ୍ଚି ଯିବ । ମୁଁ ଶଙ୍କରକୁ କାହା ହାତରେ ଖବର ଦେବି ବୋଲି ଭାବି ଏପାଖ ସେପାଖ ଚାହିଁବା ବେଳକୁ ହଠାତ୍ ନଜରରେ ପଡ଼ିଲା ସୁଦେଶ ସାମନ୍ତ ( ଟୁନା ), ବାଇକରେ ଯାଉଛି । ଟୁନାକୁ ପାଟି କରି ଡାକିଲି । ଟୁନା ପାଖକୁ ଆସି ଛିଡା ହେଲା । ତା ହାତକୁ କାଗଜ ଖଣ୍ଡକ ବଢେଇ ଦେଇ କହିଲି “ଶଙ୍କର ପାଖକୁ ଯାଅ । ଏହି ଗ୍ରୁପର ବ୍ଲଡ୍ ଦରକାର । କିଛି ପିଲା ଯୋଗାଡ଼ କରି ଡାକ୍ତରଖାନାରେ ଜଲଦି ପହଞ୍ଚିବାର ଚେଷ୍ଟାକର ।”

ଟୁନା କାଗଜ ଖଣ୍ଡକ ଧରି ଚାଲିଗଲା । ମୁଁ ଡାକ୍ତରଖାନା ଆଡ଼କୁ ପାଦ ବଢାଇଲି ।

ଡ଼ାକ୍ତରଖାନା ରେ ପହଞ୍ଚି ଦେଖିଲି ଓ.ଟି. ସାମ୍ନା ବାରଣ୍ଡାରେ ରକ୍ତ ଜୁଡୁବୁଡୁ ହୋଇ ଷ୍ଟ୍ରେଚର୍ ଉପରେ ତିନି ଚାରି ବର୍ଷର ପିଲାଟିଏ ଶୋଇଛି। ପାଖରେ ବସି ଲୁହ ଗଡାଉଛି ତା’ର ବାପା , ପିନ୍ଧା ଲୁଙ୍ଗି ଟା ତା’ର ଭିଜି ଯାଇଛି ପୁଅର ରକ୍ତରେ । ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଧାନ ବୋଝେଇ ଟ୍ରାକ୍ଟର ଧକ୍କା ମାରିଛି ପିଲାଟିକୁ । ବାଁ ହାତର କହୁଣି ଉପରକୁ ହାଡ଼ ଭାଙ୍ଗି ମାଂସ ଚମ ଫୁଟାଇ ବାହାରକୁ ବାହାରି ପଡିଛି । ଡକ୍ଟର ଜେନା ଅପରେସନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ । ମୋତେ ଦେଖି ପଚାରିଲେ‌” ପିଲାମାନେ ଆସୁଛନ୍ତି ତ ?” ସମ୍ମତି ସୂଚକ ମୁଣ୍ଡ ହଲାଇ ଉତ୍ତର ଦେଲି । ସାନ ପିଲାଟି ପାଇଁ ଭୀଷଣ କଷ୍ଟ ହେଉଥାଏ ।

କିଛି ସମୟ ଭିତରେ ଶଙ୍କର , ପ୍ରମିଳା , ଟୁନା , ରଣଜିତ , ତପନ, ପ୍ରଫୁଲ୍ଲ , ଗୈାରୀ , ବାବୁ ଦାନୀ ଏମିତି ପ୍ରାୟ ଦଶ, ବାର ଜଣ ପିଲା ପହଞ୍ଚି ଗଲେ । ପିଲାଟିକୁ ଦେଖି ପ୍ରଫୁଲ୍ଲ ପୋଢ କହିଲା , “ଯେତେ ରକ୍ତ ଦରକାର ମୁଁ ଦେବି , ମୋର ଏବି + ଗ୍ରୁପ , ପିଲାଟି କେମିତି ଭଲ ହୋଇଯାଉ ।”

ରକ୍ତ ସଂଗ୍ରହ ପାଇଁ ପିଲାମାନଙ୍କୁ ପଠାଇ ଦେଇ ଛୁଆଟିକୁ ଓ.ଟି. ଭିତରକୁ ନିଆଗଲା । ଡକ୍ଟର ଜେନା ମୋତେ କହିଲେ “ସାର୍ , ଆଜି ଲାଇନ୍ ନାହିଁ , ପୁଣି ଆମର ଷ୍ଟାଫ୍ ବି ଆଜି ବହୁତ କମ୍ । ଆପଣ ଆଜି ମୋତେ ଆସିଷ୍ଟ କରିବେ ।”

ମୁଁ କଣ ଆସିଷ୍ଟ କରିବି ? ମୁଁ ଦ୍ବନ୍ଦରେ ପଡ଼ିଗଲି । ମୋର ମନକଥା ବୁଝିପାରି ଡକ୍ଟର ଜେନା କହିଲେ “ଆରେ ବ୍ୟସ୍ତ ହୁଅନ୍ତୁ ନାହିଁ , ଆପଣ ଖାଲି ଲାଇଟ୍ ଦେଖାଇ ସାହାଯ୍ୟ କରିବେ ।”

ରାତି ନଅଟା ପାଖାପାଖି ଅପରେସନ ଆରମ୍ଭ ହେଲା । ଓ.ଟି. ଭିତରେ ଡକ୍ଟର ଜେନା , ଜଣେ ଷ୍ଟାଫ୍ ନର୍ସ , ଜଣେ ଡ୍ରେସର୍ ଏବଂ ମୁଁ । ସେତେବେଳେ ପ୍ରଚଳିତ କିଷାନ ଟର୍ଚ୍ଚ ଗୋଟିଏ ମୁଁ ଏବଂ ଆଉ ଗୋଟିଏ ଡ୍ରେସର୍ ଧରି ଛିଡା ହେଲୁ । ଷ୍ଟାଫ୍ ନର୍ସ ଜଣକ ଡକ୍ଟରଙ୍କୁ ସାହାଯ୍ୟ କରୁଥାନ୍ତି । ଡକ୍ଟର ପ୍ରଥମେ ପିଲାଟିର ହାତକୁ ପରିଷ୍କାର କରି ବସିଲେ । ଯେଉଁ ସ୍ଥାନରେ ହାଡ଼ ଭାଙ୍ଗି ମାଂସ ଚମ ଫୁଟାଇ ପଦାକୁ ବାହାରି ଆସିଛି , ସେଠାରେ ରକ୍ତ , ମାଟି, ବାଲି ବୋଳି ହୋଇ ରହିଛି । ଖୁବ୍ ଯତ୍ନରେ ଡକ୍ଟର ଜେନା ରକ୍ତ , ମାଟି ବାଲି ସଫା କରୁଥାନ୍ତି । ସଫା କରୁ କରୁ କହିଲେ , ଟିକେ ବି ବାଲି ଯଦି ରହିଯିବ , ପିଲାଟିର ହାତ ସେପଟିକ୍ ହୋଇଯିବ । ସଫା କରିବାରେ ପ୍ରାୟ ଦୁଇଘଣ୍ଟା ଲାଗିଗଲା ।

ତାପରେ ଆରମ୍ଭ ହେଲା ଭଙ୍ଗା ହାଡ ସେଟିଂ କରିବାର ପ୍ରକ୍ରିୟା । ହାଡ଼ ସେଟିଂ କରି ଯୋଡାଯୋଡି କଲେ । ଷ୍ଟିଚ୍ କରି ବ୍ୟାଣ୍ଡେଜ କରି , ଇଂଜେକସନ ଦେଇସାରି ଡକ୍ଟର ଜେନା ଧୁଆଧୋଇ ହେବାପାଇଁ ଗଲେ । ଆମେ ଯେତେବେଳେ ଓ.ଟି. ରୁ ବାହାରିଲୁ , ସେତେବେଳେ ରାତି ଦୁଇଟା ଉପରେ । ଜୀବନରେ କେବେ ଓ.ଟି. ଭିତରେ ରହି ଅପରେସନ ଦେଖି ନାହିଁ । ଏତେ ସମୟ ଟର୍ଚ୍ଚ ଧରି ଛିଡା ହୋଇ ରହିବା ଫଳରେ ଭୀଷଣ କ୍ଳାନ୍ତ ଅନୁଭବ କରୁଥିଲି କିନ୍ତୁ ଡକ୍ଟର ଜେନାଙ୍କର ନିଷ୍ଠା ଆଗରେ ମୋର କ୍ଳାନ୍ତି ମୂଲ୍ୟହୀନ ।

ଆମେ ଓ.ଟି. ସାମ୍ନା ବାରଣ୍ଡାରେ ଆସି ବସିଲୁ । ସୁବାସ ଡକ୍ଟର ଜେନାଙ୍କ ଘରୁ ପାଣି ଓ ଚା ନେଇ ଆସିଲା । ଚା ପିଇ ସାରିବା ପରେ ଟିକେ ଭଲ ଲାଗିଲା ।

କିଛି ସମୟ ପରେ ପିଲାଟିର ବାପା ଆସି ଆମ ଆଗରେ ଛିଡା ହେଲା । କାନ୍ଦି କାନ୍ଦି ଅଣ୍ଟାର ଖୋଷଣୀ ଭିତରୁ କେଇଟା ମଳିଚିଆ ପାଞ୍ଚ ଟଙ୍କିଆ , ଦୁଇ ଟଙ୍କିଆ ଓ ଟଙ୍କିକିଆ ନୋଟ୍ କାଢି ଡକ୍ଟର ଜେନାଙ୍କ ଆଡ଼କୁ ବଢାଇ ଦେଉ ଦେଉ କହିଲା “ତମେ ସାକ୍ଷାତ ମହାପୁରୁ ଆଅ ଆଜ୍ଞା । ଗରୀବ ଲୋକ , ଏତିକି ନ ମୋର ନେ ଅଛେ । ଏତକ ରଖ । ମୁଇଁ କାଣା ଆରୁ ତୁମକୁ ଦେଇ ପାରମି !”

ଡକ୍ଟର ଜେନା ଲୋକଟିକୁ ଚାହିଁ ଟିକେ ହସିଲେ , ତାପରେ କହିଲେ , ” ଯା , ଦିଦିଙ୍କ ପାଖରୁ ଖଣ୍ଡେ କାଗଜ ଓ କଲମ ମାଗି ନେଇ ଆସିବୁ ।”

ଲୋକଟି ପ୍ରଥମେ କିଛି ବୁଝି ନ ପାରି ଡକ୍ଟର ଜେନାଙ୍କୁ କେବଳ ବଲବଲ କରି ଚାହିଁ ରହିଲା । ଡକ୍ଟର ଜେନା ପୁଣି କହିଲେ , — ” ଡ୍ୟୁଟି ରୁମରେ ଦିଦି ଥିବେ । ତାଙ୍କୁ କହିବୁ ମୁଁ କାଗଜ ଓ କଲମ ମାଗୁଛି । ସେ ଦେବେ । ନେଇ ଆସିବୁ ଯା । ”

ଲୋକଟି ଧାଇଁ ଯାଇ କାଗଜ କଲମ ନେଇ ଆସିଲା । ଡକ୍ଟର ଜେନା କାଗଜ ଉପରେ ” ହରଲିକ୍ସ ” ଲେଖି କାଗଜ ଖଣ୍ଡକ ତାକୁ ବଢେଇ ଦେଇ କହିଲେ , “ତୋ ପୁଅ ପୁରା ଭଲ ହୋଇଯିବ । ଦେହରୁ ବହୁତ ରକ୍ତ ଯାଇଛି । ରକ୍ତ ଅବଶ୍ୟ ଦିଆଯାଇଛି ତଥାପି ସେ ବହୁତ ଦୁର୍ବଳ ଅନୁଭବ କରିବ । କାଗଜରେ ଯାହା ଲେଖିଦେଲି କାଲି ଔଷଧ ଦୋକାନରୁ କିଣି ନେଇ ଆସିବୁ । ପାଣି ଫୁଟାଇ ଗୋଟିଏ ଗ୍ଲାସ୍ ପାଣିରେ ଦୁଇ ତିନି ଚାମଚ ମିଶାଇ ପୁଅକୁ ଦିନରେ ଦୁଇଥର ପିଆଇବୁ । ଟଙ୍କାତକ ତୋ ପାଖରେ ରଖ । ତୋ ପୁଅ ର ଚେତା ଫେରିଲା ପରେ ଓ୍ବାର୍ଡକୁ ନିଆଯିବ । ଚିନ୍ତା କରନି , ତୁ ବି ଯା , ଟିକେ କୋଉଠି ଶୋଇ ପଡ଼ିବୁ । ଔଷଧ ପତ୍ର କଥା ମୁଁ ସକାଳୁ ବୁଝିବି ।”

ଲୋକଟି କୃତଜ୍ଞତାର କେଇ ଟୋପା ଲୁହ ଗଡ଼ାଇ ଚାଲିଗଲା । ମୁଁ ଡକ୍ଟର ଜେନାଙ୍କ ମୁହଁକୁ ଚାହିଁଲି , ସେଠାରେ ତୃପ୍ତିର ଝଲକାଏ ଆଲୋକର ଲହଡ଼ି ।

ଭୋର୍ ଭୋର୍ ଗଭୀର ନିଦରେ ଶୋଇ ପଡ଼ିଥିଲି । ଡକ୍ଟର ଜେନାଙ୍କ ଡାକରେ ହଡବଡେଇ ଉଠି ପଡ଼ିଲି ।

— ଗୁଡ୍ ମର୍ଣିଂ । ମୁହଁ ଧୋଇ ଆସନ୍ତୁ । ଚା’ ପିଇବା ।
— ଚାଚା ଆଉ ଚାଚି…?
— ହଁ ସେମାନେ ଭଲ ଅଛନ୍ତି । ଘରକୁ ଯିବା ପାଇଁ କହି ଦେଇଛି ।

ଆଶ୍ବସ୍ତ ହେଲି । ମୁହଁ ଧୋଇ ଆସି ବସିଲି । ସୁବାସ ଚା’ଆଣି ଦେଲା । ଆମେ ତା’ର ପିଉଛୁ , ଚାଚା ଓ ଚାଚି ଆସି ଦରଜା ମୁହଁରେ ଛିଡା ହେଲେ । ଚାଚା ଦୁଇ ହାତ ଯୋଡ଼ି କହିଲେ ” ଆପଣଙ୍କ ପାଇଁ ଆମେ ବଞ୍ଚି ଗଲୁ ଆଜ୍ଞା । ପୁଅ ତ ଆମକୁ ଯେମିତି ଥିଲୁ ସେମିତି ନେଇ ଆସିଲେ । ଟଙ୍କା ପଇସା କିଛି ଧରିନାହିଁ । ଆପଣଙ୍କର ଫିସ୍ ମୁଁ ପରେ ଆଣି ଦେଇଯିବି ସାର୍ ।”

ଆରେ , କାହିଁକି ଏମିତି ବ୍ୟସ୍ତ ହେଉଛ । ମୋର ଫିସ୍ ଦରକାର ନାହିଁ । ଠିକ୍ ସମୟରେ ଆଜ୍ଞା ତୁମକୁ ନ ଆଣିଥିଲେ ବରଂ ଅସୁବିଧା ହୋଇଥାନ୍ତା । ତୁମର ପୁଅକୁ ଦିନେ କୁକୁଡ଼ା ରାନ୍ଧି ଖୁଆଇ ଦେବ । ଆଉ ହଁ ଏଇ ନିହାତି ବାଜେ ଛତୁ ଆଉ କେବେ ଖାଇବ ନାହିଁ ।

ଚାଚା ଓ ଚାଚି ଡକ୍ଟର ଜେନାଙ୍କୁ ନମସ୍କାର କରି ଚାଲିଗଲେ ।

କିଛି ସମୟ ର ନିରବତା ପରେ ମୁଁ ଡକ୍ଟର ଜେନାଙ୍କୁ କହିଲି “ସାର୍ , ଗୋଟିଏ କଥା କହିବି କିଛି ଖରାପ ଭାବିବେ ନାହିଁ । ଆପଣଙ୍କର ସେବା ମନୋଭାବ ଆମକୁ ମୁଗ୍ଧ କରେ , କିନ୍ତୁ ଔଷଧ ପତ୍ରର ପଇସା ବି ଆପଣ ଯଦି ନେବେ ନାହିଁଁ……!”

ମୋର କଥା ଶେଷ ହେବା ପୂର୍ବରୁ ଡକ୍ଟର ଜେନା କହିଲେ ” ଫିଜିସିଆନ୍ ସେମ୍ପଲ୍ ବିକି କ’ଣ ମୁଁ ଧନୀ ହେବି ? ତାପରେ ଉଠି ଯାଇ କୋଠରୀର ପୂର୍ବ ଦିଗରେ ଥିବା ଖୋଲା ଝର୍କା ପାଖରେ ଛିଡ଼ା ହେଲେ । ହଠାତ୍ ତାଙ୍କର ଛାତି ଭିତରୁ ଦୀର୍ଘଶ୍ୱାସ ଟିଏ ବାହାରି ଆସିଲା । ତାଙ୍କର ପ୍ରଶାନ୍ତ ହସ ହସ ମୁହଁକୁ ଦୁଃଖର କଳାହାଣ୍ଡିଆ ମେଘ ଓହ୍ଲାଇ ଆସିଲା ଯେମିତି । ସେ କହିଲେ ” ଆପଣ ଜାଣନ୍ତି ମୋର ଚାରୋଟି ଝିଅ । କିନ୍ତୁ ମୋର ପୁଅଟିଏ ବି ଥିଲା । ପିଲାଦିନରୁ ତାର ଭୀଷଣ ଶ୍ବାସ କଷ୍ଟ । ତାରି ଚିକିତ୍ସା ପାଇଁ ଆମେ ସବୁପ୍ରକାର ଯତ୍ନ ବି ନେଉଥିଲୁ । ତାକୁ ଯେତେବେଳେ ପାଞ୍ଚ ବର୍ଷ , ହଠାତ୍ ଭୀଷଣ ଅସୁସ୍ଥ ହୋଇ ପଡ଼ିଲା ସେ । କଟକ ବଡ଼ ଡ଼ାକ୍ତରଖାନାରେ ଆଡମିଟ୍ କରାହେଲା । ଦିନକୁ ଦିନ ତାର ଅବସ୍ଥା ଶୋଚନୀୟ ହେବାକୁ ବସିଲା । ସେତେବେଳେ ମୋର ମିସେସ୍ ଡାକ୍ତରମାନଙ୍କ ପାଖରେ କେତେ ବିକଳ ହୋଇ ପୁଅକୁ ଭଲ କରିଦେବା ପାଇଁ ପ୍ରାର୍ଥନା କରୁଥାନ୍ତି , ଅଥଚ ତାଙ୍କର ସବୁ ପ୍ରାର୍ଥନା କିଛି କାମ ଦେଲା ନାହିଁ । ପୁଅ ଚାଲିଗଲା । ମୋ ମିସେସଙ୍କର ବିକଳ ପଣ ମୁଁ ସବୁ ରୋଗୀମାନଙ୍କର ସମ୍ପର୍କୀୟମାନଙ୍କ ଭିତରେ ଅନୁଭବ କରିପାରେ ।ଆଉ ସେଥିପାଇଁ…….!”

ଆଖିରୁ ଗଡ଼ି ପଡୁଥିବା ଲୁହକୁ ଲୁଚେଇବା ପାଇଁ ସେ ମୋତେ ପିଠି କରି ବାହାରକୁ ଚାହିଁ ରହିଲେ । ସକାଳର ସୁନେଲି ଖରା ଝର୍କା ଦେଇ ଭିତରକୁ ପଶି ଆସୁଛି । ମୁଁ ଡକ୍ଟର ଜେନାଙ୍କ ଆଡ଼କୁ ଚାହିଁ ରହିଛି କିନ୍ତୁ କି ଆଶ୍ଚର୍ଯ୍ୟ ମୁଁ ଝର୍କାର ଆଲୋକିତ ଫ୍ରେମ୍ ଭିତରେ ଈଶ୍ୱରଙ୍କୁ ଦେଖୁଛି ।

 

Comments are closed.