Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦେବୀ (୨)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ ଦେବୀ : ଭାଗ ୨

ଶୀତରାତିର ଅନ୍ଧାର ବୁଢିଆଣୀ ଜାଲ ପରି ସୂକ୍ଷ୍ମ ଅଥଚ ବହଳ । ତା’ ସହିତ ଉପସ୍ଥିତ ସ୍ଥାନ ଯଦି ସହର ବହିର୍ଭୁତ କୌଣସି ଏକ ମଫସଲ ଗାଆଁ ହୋଇଥାଏ, ସେଠାରେ ଅନ୍ଧାର ଭାଲୁର ଲୋମଶ ଆଲିଙ୍ଗନ ପରି ମୁଲାୟମ ମାତ୍ର ଗାଢ଼। ବସରେ ବସି ଅନ୍ଧାରର ନାନାରୂପ ବିଷୟରେ କଳ୍ପନା କରୁଥିଲା ଦେବ। ସେ ଜାଣିପାରୁନଥିଲା ବସ୍ ଚାଲୁଛି କି ନାହିଁ! ଚାରି ଚକାର ଚଳଯୋଗ୍ୟ ବାହାନ ବାହାରେ ଗୋଟେ ପୃଥିବୀ ଅଛି କି ନାହିଁ !

ତା’ ପାଖରେ ବସିଥିବା କଲେଜ୍ ପଢୁଆ ଝିଅଟି ମୋବାଇଲ୍ ଦେଖି ଦେଖି ବୋର୍ ହେଲାପରେ ଢୁଳେଇ ପଡୁଥିଲା। ଦେବକୁ ଅସହଜ ଲାଗୁଥିଲେ ବି କିଛି କରିବାର ଜୁ ନଥିଲା।ସେ ଚାହୁଁଥିଲା ବସଟି ଯଥା ଶୀଘ୍ର ଗାଆଁ ମୁଣ୍ଡ ଛକରେ ପହଞ୍ଚିଯାଉ।

ଏମିତିରେ ସେ କେବେ କଳ୍ପନା କରିନଥିଲା ଯେ ତାକୁ ଏମିତି ହଠାତ୍ ଗାଆଁକୁ ଯିବାକୁ ହେବ । ଗଲା ଦଶହରା ଛୁଟିରେ ତ ସେ ସପରିବାର ଯାଇଥିଲା। ପିଲା ଦୁହିଙ୍କୁ ଗାଆଁର ପାଣି ପବନ ନଈ ସମୁଦ୍ର ଭଲ ଲାଗେ। ସ୍ତ୍ରୀ ସୀମା ଆସିଲେ ଯିବାର ନାଁ ଧରେନି। ନିଜେ ଦେବ ବି ଖୁବ୍ ସୁଖ ପାଏ ଗାଆଁରେ। ବୟସ ବଢିଲେ କଣ ହେଲା ପିଲାମାନଙ୍କ ସହିତ ପିଲା ହୁଏ। ସନ୍ତୋଷ ଓ ରାଜେଶ ସହ ଭୋଜି କରେ ମୁହାଣ ପାଖରେ। ସୁନାମୁହିଁ ନଈରେ ଧୋଇଦିଏ ତାର ସମସ୍ତ ବିଫଳତା । ତାକୁ ଲାଗେ ଗାଆଁର ପ୍ରତିଟି ମଣିଷ – ପଶୁ ପକ୍ଷୀ-ମାଛ-ଗଛ ଯେମିତି ତା’ର ଖୁବ୍ ଆପଣାର।

ଆଜି ଠିକ୍ ସମୟରେ ଅଫିସ୍ ରୁ ଫେରିଥିଲା ଦେବ।ଗୋଡ଼ ହାତ ଧୋଇ ସୋଫାରେ ବସୁ ବସୁ ଚା କପ୍ ବଢେଇ ଦେଇ ସୀମା ଜଣେଇଦେଲା ଗାଆଁ ରୁ ଆସିଥିବା ଫୋନ୍ କଲ୍ ବିଷୟରେ।

ଦେବ ଅଧା ଚା ପିଇଛି କି ନାହିଁ ମୋବାଇଲ୍ ବାଜିଉଠିଲା। ସ୍କ୍ରିନ ଉପରେ ଥିବା ନମ୍ବରଟି ତା ପାଇଁ ଅପରିଚିତ ବୋଲି ଜାଣି ସେ ଖୁବ୍ ସମ୍ଭ୍ରମତାର ସହିତ କହିଲା

ହେଲୋ….

ଆପଣ ଦେବାର୍ଚ୍ଚନ ବାବୁ କହୁଛନ୍ତି? ମୋବାଇଲ୍ ସ୍ପିକରରୁ ବୋହିଆସିଲା ସୁମଧୁର ନାରୀ ସ୍ୱରଟିଏ।

ଦେବ ଅଜଣା କଣ୍ଠସ୍ୱରଟିକୁ କାହାର ବୋଲି ଖୋଜିହେବା ବେଳେ ଆଉ କେତୋଟି ଶବ୍ଦ ବିଞ୍ଚି ହୋଇଗଲା ତା କାନ ଭିତରେ…
ମୁଁ ମିନତି କହୁଛି। ଆପଣଙ୍କ ସାଙ୍ଗ ବିନୟର ସ୍ତ୍ରୀ। ମତେ ଜାଣି ନାହାନ୍ତି ନା ?

ଦେବ କି ଉତ୍ତର ଦେବ ବୁଝି ପାରିଲା ନାହିଁ। ଦୀର୍ଘ ଦିନ ହେଲା ସେ କଥା ହୋଇନି ବିନୟ ସହିତ। କେବେ ସୁଯୋଗ ଜୁଟିନି ନୁହେଁ ବିନୟକୁ କହିବା ଭଳି କିଛି ଶବ୍ଦ ଖୋଜି ପାଇନି। ବିନୟର ସ୍ତ୍ରୀକୁ କେବେ ପାଖରୁ ଦେଖିନଥିଲେ ବି ଶୁଣିଛି ,ସେ ଖୁବ୍ ସୁନ୍ଦର ଓ ଗୁଣର।

ଝର୍କା ବାଟେ ଆକାଶକୁ ଚାହିଁ ଦେବ ଉତ୍ତର ଦେଲା – ହଁ ହଁ , ଚିହ୍ନିଛି ହେଲେ ଆପଣଙ୍କ ସହ କେବେ ଦେଖା ହୋଇନି ଏମିତିରେ ବିନୟ ସହିତ ଅନେକ ଦିନରୁ ଯୋଗାଯୋଗ ନାହିଁ।ହେଲେ ଆପଣ ହଠାତ୍ ଏମିତି କଲ୍ କଲେ ଯେ ?କିଛି କାମ ଥିଲା ?

ହଁ… ଆପଣଙ୍କୁ ଟିକେ ଆମ ଘରକୁ ଆସିବାକୁ ପଡ଼ିବ।ଦୀର୍ଘଦିନ ହେଲା ଶ୍ବଶୁର ରୋଗ ଶଯ୍ୟାରେ ପଡିଛନ୍ତି।ଏଇ କିଛିଦିନ ତଳେ ଷ୍ଟ୍ରୋକ ହୋଇ ତାଙ୍କର ଲେଫ୍ଟ୍ ସାଇଡ୍ ପାରାଲେଶିସ୍ ହୋଇଯାଇଛି। ଖିଆ ପିଆ ଆଉ ନାହିଁ।ଧିରେ ଧିରେ ସରି ଆସୁଛନ୍ତି ଯେମିତି।ତିନି ଚାରି ଦିନ ହେଲା ଖାଲି ତୁମକୁ ହିଁ ଖୋଜୁଛନ୍ତି।କାରଣ ପଚାରିଲେ ନୀରବ ରହୁଛନ୍ତି।ଟିକେ ଆସନ୍ତ ନାହିଁ ?

ଶେଷ କେତୋଟି ଅକ୍ଷର ସହିତ ଅନୁଚ୍ଚାରିତ କୋହର ସ୍ୱଳ୍ପାଂଶ ଛୁଇଁଗଲା ଦେବର ହୃଦୟକୁ । ଦେହରେ ଖେଳି ଗଲା ଏକ ବିଦ୍ୟୁତୀୟ ଶିହରଣ।ସେ ଖୋଜିହେଲା ମିନତି ଭାଉଜଙ୍କ ଶବ୍ଦସବୁ ସହିତ ତାର ସମ୍ପର୍କ । ମନେପଡ଼ିଆସିଲା ଗହମ ଗୋରା ରଙ୍ଗର ବୟସ୍କ ମୁହଁଟିଏ, ସେ ମୁହଁରେ ପ୍ରତିଫଳିତ ଲାଳିତ୍ୟ ଆଉ ଘୃଣାର ଝଲକ।ଝାଳ ବୋହିଗଲା ସର୍ବାଙ୍ଗରେ ତାର। କିଛି ମୁହୂର୍ତ୍ତ କଟିଗଲା ଅସହ୍ୟ ନିରବତା ରେ।ମିନତି ଭାଉଜ ସାଧ୍ୟମତେ ନିଜର ଦୁଃଖ ଚାପି ଗାଆଁକୁ ଯିବାକୁ ଆଉଥରେ ଅନୁରୋଧ କରି ଫୋନ୍ କାଟିଲେ। ଦେବ ଆଗରେ ଠିଆହେଲା ଏକ ଶୂନ୍ୟତା।ସେ ଶୂନ୍ୟତା କ୍ରମଶଃ ତାର ଚତୁର୍ଦ୍ଦିଗକୁ ଆବୋରି ବସିଲା।

ଚା’ କପ୍ ପାଖରେ ମୋବାଇଲ୍ ଥୋଇ ଅସହାୟ ଭାବରେ ଚାରିଆଡ଼କୁ ଚାହିଁଲା ଦେବ।ସତେ ଯେମିତି କେହିଜଣେ ରୁନ୍ଧିଦେଲା ତା ପରିଚିତ ପୃଥିବୀର ଦଶଦିଗ।କାହାର ଅଦୃଶ୍ୟ ସ୍ପର୍ଶ ପାଇ ସେ ବର୍ତ୍ତମାନକୁ ଅନୁଭବ କଲା। ଆଖିରେ ଆଖିଏ ପ୍ରଶ୍ନ ସହିତ ଆଗରେ ଠିଆ ହୋଇଥିଲା ପତ୍ନୀ – ସୀମା।

ମତେ ଗାଆଁ କୁ ଯିବାକୁ ହେବ, ଜଷ୍ଟ ନାଓ। ଦେବ କହିଲା ଓ ବେଡ୍ ରୁମରେ ପଶିଗଲା। କାନ୍ଥ ଆଲମିରାରୁ ଡ୍ରେସ କାଢି ପିନ୍ଧିବା ବେଳେ ସୀମା ପ୍ରଶ୍ନ କଲା ” କ’ଣ ହେଇଛି କାହାର?”

ଦେବାର୍ଚ୍ଚନ ଜାଣିଶୁଣି ଚୁପ୍ ରହିଲା।ଗୋଟିଏ ବି ବାକ୍ୟ ବ୍ୟୟ କରିବାକୁ ତାର ଇଚ୍ଛା ନଥିଲା। ତା ମନ ଭିତରେ ଦୌଡୁଥିଲା କେବଳ ଗୋଟିଏ ଶବ୍ଦ – ଗାଆଁ।

ଦରକାରୀ କିଛି ଜିନିଷ ହାଣ୍ଡ ବ୍ୟାଗ୍ ରେ ପୁରେଇ ଯେତେ ଶୀଘ୍ର ହେବ ଘରୁ ବାହାରିଗଲା ସେ।ଅଗଣା ପର୍ଯ୍ୟନ୍ତ ପଛ ଧରିଥିଲା ସୀମା। ଗେଟ୍ ବନ୍ଦ କରିବାର ଶେଷତମ ମୁହୂର୍ତ୍ତରେ ଦେବ ପଛକୁ ଚାହିଁ କହିଲା – ବ୍ୟସ୍ତ ହୁଅନା ଫେରିଲେ ସବୁ କହିବି। ଅଟୋ ଧରି ବସ୍ ଷ୍ଟାଣ୍ଡରେ ପହଁଚିଲା ପରେ ଗାଡ଼ିରେ ବସିଲା ସେ।

***********-****
ଏତେ ସମୟ ଧରି ଅନ୍ୟମନସ୍କ ହୋଇ ଆସିବାର କାରଣ କଥା ଭାବୁଥିଲା ଦେବ। ଗାଆଁ କଣ ଆଉ ହଜିଗଲା! କି ବାଟବଣା ହେଲା ବସ୍!କେହି କିଛି ଯାଦୁମନ୍ତ୍ର କରିନି ତ !  ବିରକ୍ତି, ବିସ୍ମୟ ହୋଇ ହଇରାଣ କଲା ତାକୁ।

ଏମିତି ଏକ ସନ୍ଦିହାନ ଅବସ୍ଥାରେ ଥିଲାବେଳେ ଗାଡି ଅଟକିଲା। ସେ ପଛକୁ ଚାହିଁ ଦେଖିଲା ,ତାକୁ ଛାଡି ଯେଉଁ ଦୁଇ ତିନୋଟି ଲୋକ ତାର ସହଯାତ୍ରୀ ଥିଲେ ସମସ୍ତେ ନିଜନିଜର ବ୍ୟାଗ ଖୋଜିବାରେ ବ୍ୟସ୍ତ।ଦେବାର୍ଚ୍ଚନ କିଛି ଜାଣି ନପାରି ଝର୍କା କାଚ ଦେଇ ବାହାରକୁ ଚାହିଁଲା ବେଳେ ହେଲ୍ପର ଚିତ୍କାର କଲା – କ’ଣ ରାତିରେ ଏଇଠି ଶୋଇବେ କି ଆଜ୍ଞା!ତମ ଗାଆଁ ହେଲା ପରା।

ପଲକେ ମାତ୍ର ସମୟରେ ସିଟରୁ ଉଠି କୁହୁଡିଆ ଅନ୍ଧାର ଭିତରକୁ ଡେଇଁ ପଡିଲା ସେ। ( କ୍ରମଶଃ )

 

Leave A Reply

Your email address will not be published.