ସୁଷମା ପରିଜାଙ୍କ ସ୍ମୃତିର ଫରୁଆରୁ…….
କଟକ ସହରରେ ରହୁଥିଲେ ମଧ୍ୟ ବୋଉ ମୋର ତା’ ଗାଉଁଲି ପରମ୍ପରାକୁ ମୋଟେ ଛାଡି ନଥିଲା। ଦୁତିଆ ଓଷାଠାରୁ ଦାଣ୍ଡ ପହଁରା ଯାଏଁ ଗାଆଁରେ ପାଳନ କରାଯାଉଥିବା ସବୁ ପର୍ବ ପର୍ବାଣି ସେ ଏଇଠି ରହି ପାଳନ କରୁଥିଲା ଖୁବ୍ ଆଗ୍ରହର ସହିତ।କଟକରେ ମକର ସଂକ୍ରାନ୍ତିକୁ “ ଖଜା ସଂକ୍ରାନ୍ତି “ ବୋଲି କହନ୍ତି । ଚିନି ଆଉ ଚାଉଳଚୂନା ମିଶି ଜନ୍ତା ହୋଇ ପଟାରେ ବାଡିଆ ହୋଇ ତିଆରି ହେଉଥିବା ଗୋଲ ଗୋଲ ଖଜା ଉପରେ କିଛି ତିଳ ( ରାଶି) ଛିଞ୍ଚି ଦିଆ ହୋଇଥିବାରୁ ତା’କୁ “ ତିଲୁଆ” ମଧ୍ୟ କୁହାଯାଏ । ନୂଆ ଚୂଡା ସହିତ ସେଇ ତିଲୁଆ ହେଲା କଟକରେ ମକର ସଂକ୍ରାନ୍ତିର ପ୍ରଧାନ ଭୋଗ ।
ମୋ’ ବୋଉ କିନ୍ତୁ ସେଇ ଖଜା, ଚୂଡା ସହିତ ଗାଆଁରେ ଭୋଗ ଲାଗୁଥିବା ମୁଆଁ ଆଉ ମକରଚାଉଳ ମିଶାଇ ଭୋଗ ଲଗାଏ ଠାକୁରଙ୍କୁ । ପୂର୍ବ ଦିନରୁ ଭିଜେଇ ରଖିଥିଥିବା ବାସୁମତୀ ଅରୁଆ ଚାଉଳକୁ ସଂକ୍ରାନ୍ତି ଦିନ ସକାଳୁ ଛାଣି ହେମଦସ୍ତାରେ କୁଟି, ଖଣ୍ଡ ଖଣ୍ଡିଆ ଥାଇ ବାହାର କରି ନଡିଆକୋରା, ଛେନା, କ୍ଷୀର, ଗୋଲମରିଚ, ଗୁଜୁତାତି , କାଜୁ, କିସ୍ମିସ୍ ସହିତ ଫଳ ସେଓର ଛୋଟ ଛୋଟ ଖଣ୍ଡକୁ ଗୁଡ ସହିତ ଚକଟାଚକଟି କରି ତିଆରି କରିବ ମକର ଚାଉଳ । ଏଠାରେ ସମସ୍ତଙ୍କୁ ଭୋଗ ବାଣ୍ଟିବ ବୋଲି ପିତ୍ତଳ ତସଲାରେ ଭର୍ତ୍ତି କରି ତସଲାଏ ଭୋଗ କରିବ।
କଟକର ଚଳଣି ଅନୁସାରେ ନୂଆଚୁଡାରେ ତିଲୁଆଖଜା, କଦଳୀ ନଡିଆ କୋରା ଦେଇ ଚକଟା ହେବ ଭୋଗ । ସକାଳୁ ସକାଳୁ ଅଗଣାରେ ଚିତା ପକେଇ କୋଠିଟିଏ କାଟିବ , ସେଇ କୋଠି ଭିତରେ କଳସ ସ୍ଥାପନା କରି ଛୋଟ ପିଢାଟିଏ ଉପରେ ନାଲି ମନ୍ଦାର ଫୁଲ ଆଉ ତଳେ ଭୋଗ ତସଲା ସବୁ ରଖିବ, ତମ୍ବାର ଛୋଟିଆ ଗଡୁଟିରେ କଞ୍ଚା କ୍ଷୀରରେ ହଳଦୀ, ଗୁଡ, ରାଶି ମିଶାଇ ରଖିବ। ଧୂପ, ଦୀପ, ଦୁବ, ବରକୋଳି ପତ୍ର ଦେଇ ଆବାହନ କରିବ ସୂର୍ଯ୍ୟ ଦେବତାଙ୍କୁ, ତମ୍ବା ଗଡୁରେ ଥିବା କ୍ଷୀର ଭୋଗ ଅର୍ପଣ କରିବ , ଖଜା ଚୂଡା, ମକର ଚାଉଳ ନୈବେଦ୍ୟ ଦେଇ ବେକରେ ଲୁଗା କାନି ଗୁଡେଇ ଲମ୍ବଦଣ୍ଡା ହୋଇ ପ୍ରଣାମ କରିବ ଆମ ସମସ୍ତଙ୍କର ମଙ୍ଗଳ କାମନା କରି। ଆମେ ପିଲାମାନେ କିନ୍ତୁ ବୋଉର ଡରରେ ସକାଳୁ ଉଠି, ହାଡଭଙ୍ଗା ଜାଡରେ ଗାଧୁଆପାଧୁଆ କରି କୋଠି ଚାରିପଟେ ହାତଯୋଡି ଠିଆ ହୋଇଥିବୁ ସିନା , ଲକ୍ଷ୍ୟ ଥିବ ସେଇ ଭୋଗ ଉପରେ, କେମିତି ବୋଉର ପୂଜା ସରିବ ଆଉ ଆମେ ଭୋଗ ଖାଇବୁ । ପୂଜା ସାରିଲେ ବୋଉ ସେଇ ଅର୍ପଣ ହୋଇଥିବା କ୍ଷୀର ଧାରକୁ ଲୁଗା କାନିରେ ତଳୁ ପୋଛି ଆଣି ଆମ ଦେହମୁଣ୍ଡରେ ବୋଳି ପକେଇବ ଆଉ ଆମ ପାଟିରେ ଟିକିଏ ଟିକିଏ ଭୋଗ ଦେବ। ସାହି ସାରା ବୁଲି ବୁଲି ଭୋଗ ବାଣ୍ଟିବ । ସମସ୍ତେ ଖୁବ୍ ଖୁସି ହୁଅନ୍ତି ବୋଉ ହାତ ତିଆରି ମକର ଚାଉଳ ପ୍ରସାଦ ପାଇ। କୁହନ୍ତି “ ରେଖା ଭଳିଆ ମକରଚାଉଳ କେହି ବନେଇ ପାରିବେନି” ।
ପିଲାବେଳେ ଆମକୁ ଖୁବ୍ ରାଗ ଆସୁଥିଲା ବୋଉ ଉପରେ ଆମ ପାଇଁ ଅଳ୍ପ ରଖି ସବୁ ଭୋଗ ବାଣ୍ଟି ଦେଉଛି ବୋଲି କିନ୍ତୁ ମୋର ହେତୁ ହେଲା ପରେ ମୁଁ ମନେମନେ ଗର୍ବ ଅନୁଭବ କଲି ମୋ’ ବୋଉର ପଡୋଶୀମାନଙ୍କ ପ୍ରତି ସେଇ ସ୍ନେହ ଶ୍ରଦ୍ଧା ଦେଖି। ସମୟ ବଦଳିଛି, ବୋଉ ଭଳି ମୁଁ ମଧ୍ୟ ପିଲାମାନଙ୍କ ପାଇଁ ମକର ସଂକ୍ରାନ୍ତି ପୂଜା କରୁଛି , ମୋ ବୋହୁ ମଧ୍ୟ କରୁଛି ତା’ ପୁଅ ପାଇଁ, ହେଲେ ମକର ଚାଉଳର ସେ ସ୍ୱାଦ କାଇଁ ? ଏବେ ବି ମୋ ମନ ଝୁରୁଛି ବୋଉ ହାତ ତିଆରି ସେ ମକର ଚାଉଳକୁ।
କଟକରେ ମକର ସଂକ୍ରାନ୍ତିର ଆଉ ଗୋଟିଏ ବିଶେଷତ୍ୱ ହେଲା “ ଗୁଡି ଉଡା “ । ପିଲାଠାରୁ ଆରମ୍ଭ କରି ବୁଢା ଯାଏଁ ସମସ୍ତେ ଗୁଡି ଉଡେଇବାକୁ ଖୁବ୍ ଭଲ ପାଆନ୍ତି । ମୋ ବାବା ତ ସବୁବେଳେ ଚାକିରୀ ଦାୟରେ ବାହାରେ ଥାଆନ୍ତି, ଗୁଡି ଉଡାରେ ତାଙ୍କର ଆଗ୍ରହ ନଥାଏ କି ସେ କେବେ ଗୁଡି ଉଡାନ୍ତି ନାହିଁ , କିନ୍ତୁ ମୋ ମଉସା, ଯାହାଙ୍କ ଘରେ ଆମେ ରହିଥାଉ, ସେ ଖୁବ୍ ଭଲ ପାଆନ୍ତି ଗୁଡି ଉଡେଇବାକୁ। ବାପା ମାଆଙ୍କର ଗୋଟିଏ ବୋଲି ପୁଅ ସେ , ଖୁବ୍ ସଉକିଆ । ମାଉସୀ ଘର ବହୁତ ପ୍ରଶସ୍ତ ଯାଗା। ଧନୁ ସଂକ୍ରାନ୍ତି ପରେ ପରେ ମଉସାଙ୍କ ଗୁଡି ଉଡା ପ୍ରସ୍ତୁତି ଆରମ୍ଭ ହୁଏ। ଗୁଡି ଉଡେଇବାକୁ ବ୍ୟବହାର ହେଉଥିବା ସରଞ୍ଜାମ ଯଥା ଗୁଡି,ସୂତା, ନଟେଇ ଇତ୍ୟାଦି ତିଆରି ହୁଏ। ସୂତାକୁ ଧାରୁଆ କରିବା ଲାଗି ଭଙ୍ଗା କାଚ ସଂଗ୍ରହ କରି ହେମଦସ୍ତାରେ କୁଟାହୋଇ ଗୁଣ୍ଡ ହୁଏ,ତା’କୁ ଚାଲୁଣିରେ ଚଲାହୁଏ, ତା’ପରେ ଆରାରୋଟ୍ ରନ୍ଧା ହୋଇ ଅଠା ତିଆରି ହୁଏ ସେଇ କାଚଗୁଣ୍ଡ ପଡି । ଦୁଇଟି ଲମ୍ବା ଖୁଣ୍ଟ ପୋତାହୁଏ ଏମୁଣ୍ଡ ସେମୁଣ୍ଡ ହୋଇ ବଡ ବଡ ସୂତା ରିଲ୍ କିଣା ହୋଇ ଆସେ, ସେ ଦୁଇଟି ଯାକ ଖୁଣ୍ଟରେ ଗୁଡେଇ ଦିଆଯାଏ କେରି କେରି, ମଉସା ହାତରେ ଛିଣ୍ଡା କପଡା ଗୁଡାଇ , ନିଜେ ତିଆରି କରିଥିବା କାଚମିଶା ଅଠା ( ତା’କୁ ମାଞ୍ଜା ବୋଲି କହନ୍ତି କଟକରେ)କୁ ନେଇ ବୋଳନ୍ତି ଖୁଣ୍ଟରେ ଗୁଡା ହୋଇଥିବା ସୂତାରେ ।
ସେଇଠି ସେମିତି ସୂତା ଖରା ଖାଇ ଶୁଖିଲା ପରେ ନଟେଇରେ ଗୁଡାହୁଏ। ନଟେଇରେ ସୂତା ଗୁଡା ହେବାର ଦୃଶ୍ୟ ଖୁବ୍ ସୁନ୍ଦର । ନଟେଇକୁ ହାତରେ ଘୁରେଇ ଘୁରେଇ ଦୁଇଟି ଯାକ ଖୁଣ୍ଟକୁ କ୍ରମାଗତ ଭାବରେ ପରିକ୍ରମା କରୁଥିବେ ମଉସା, ଠିକ୍ ଖେଳ ପଡିଆରେ ଚକ୍କର ଲଗାଇବା ଭଳି। ବଜାରରୁ ପତଳା ରଙ୍ଗୀନ୍ କାଗଜ, ବାଉଁଶ କଣି କିଣା ହୋଇ ଆସେ ଗୁଡି ତିଆରି ହେବା ଲାଗି । ଗୁଡି ତିଆରିରେ ଦୁଇ ଖଣ୍ଡ ବାଉଁଶ ପାତିଆ ବ୍ୟବହାର ହୋଇଥାଏ, ଗୋଟିଏ ଧନୁ ଭଳି ବଙ୍କା , ତା’କୁ କମାଣି କହନ୍ତି ଆଉ ସିଧା ହୋଇ ଲାଗୁଥିବା ପାତିଆକୁ ଦଣ୍ଡା । କମାଣିଟିଏ ଲଗାଇବା ପୂର୍ବରୁ ଖୁବ୍ ପରୀକ୍ଷଣ କରନ୍ତି ମଉସା, ଦଶ ଥର ତା’ର ନମନୀୟତା ପରୀକ୍ଷା କରନ୍ତି । ପେଟି ବାନ୍ଧି ସାରି ଆମ ଦ୍ୱାରା ଉଡାଣ ପରୀକ୍ଷା କରନ୍ତି ଆଉ ନଟେଇ ସୂତା ,ଗୁଡିକ ସବୁ ଶୁଖିବା ବେଳକୁ ଆମେ ଜଗି ରହୁ ସବୁ ଜିନିଷକୁ। ଅତି କମ୍ ରେ ଦୁଇଟି ନଟେଇ ଗୋଟିଏ ଛୋଟ ଆଉ ଗୋଟିଏ ବଡ ପ୍ରସ୍ତୁତ ହୋଇ ରହେ ଆଉ ତା’ ସହିତ ଅତି କମରେ ଦଶ, କୋଡିଏଟି ଗୁଡି।।ଆମେ ପିଲାମାନେ ଖୁବ୍ କୌତୁହଳୀ ହୋଇ ଦେଖୁଥାଉ ତାଙ୍କୁ। ଖୁବ୍ ଭଲ ଲାଗେ ଆମମାନଙ୍କୁ । ମାଉସୀର ଛଅଟି ପିଲା ଆଉ ଆମର ଭାଇ ଭଉଣୀ ମିଶି ପାଞ୍ଚଟି, ଏମିତି ଆମେ ଏଗାର ଜଣ।
ଆମ ପିଲାମାନଙ୍କୁ ବହୁତ ଭଲ ପାଆନ୍ତି ମଉସା ,ବିଶେଷ କରି ମତେ କାରଣ ଆମ ଦୁଇ ପରିବାରର ମୁଁ ପ୍ରଥମ ସନ୍ତାନ ଆଉ ମୁଁ ଦେଢ ମାସର ହୋଇଥିବା ବେଳେ ସେ ନିଜେ କୋଳରେ ଧରି ମତେ ଆଣିଥିଲେ ତାଙ୍କ ଘରକୁ । ଆଉ ସେଇଠି ରହିଥିଲୁ ଆମେ ବାପାଙ୍କ ଚାକିରୀ ସମୟର ପୁରା ତେତିଶି ବର୍ଷ । ମକର ସଂକ୍ରାନ୍ତି ଦିନ ବାହାରେ ଗୁଡି ଆଉ ନଟେଇ । ମୋର ସାନ ସାନ ଭାଇମାନଙ୍କୁ ଛୋଟ ନଟେଇରେ ଗୁଡିଉଡା ଶିଖାନ୍ତି ମଉସା, ପବନର ଦିଗ ଅନୁଧ୍ୟାନ କରି ଗୁଡିକ ଉଡେଇବାକୁ ହୁଏ ।ମଉସା ବଡ ନଟେଇ ଧରି ଗୁଡିକ ଉଠାନ୍ତି ଉପରକୁ, ଆହୁରି ଉପରକୁ, ଆକାଶରେ ପଇଁତରା ମାରେ ଗୁଡି, ଆମେ ଆଖି ଟେରା କରି ଚାହିଁ ରହୁ, ଗୁଡି ଚକ୍କର କାଟେ, ଆକାଶରେ ବୁରୁଞ୍ଜ ହୋଇ ଆହ୍ୱାନ ଦିଏ ଅନ୍ୟ ପ୍ରତିଯୋଗୀମାନଙ୍କୁ ପେଞ୍ଚ ପକାଇବାକୁ, ଗୁଡି ସୂତା ସହ ସୁରକି ଖାଏ, ମୁରକି ଖାଏ , କାନି ମାରେ ,ପେଞ୍ଚ ପଡି ଟକ୍କର ମାରେ ଆଉ କାଟି ଦିଏ ଅନ୍ୟ ଗୁଡିକୁ । ଯିଏ ଯେତେ ଗୁଡି କାଟି ପାରିଲା ସିଏ ରଜା । ସାହି ସାହି ଭିତରେ ଖୁବ୍ ପ୍ରତିଯୋଗିତା ସେ ଗୁଡି ଉଡା ପାଇଁ ।
ଓଃ କି ଆନନ୍ଦ ଆମର ଲଚକି ଲଚକି ଉଡିଯାଉଥିବା ସେ ଗୁଡି ମାନଙ୍କୁ ଦେଖି। ଗୋଟାଏ ଗୁଡି କଟିବାମାନେ ଦଶଟା ପିଲା ଧାଇଁ ଥିବେ ଚାଳେ ଚାଳେ, ଡାଳେ ଡାଳେ ତା’କୁ ଧରିବା ପାଇଁ, ତେଣିକି ହାତ କଟୁ କି ମୁଣ୍ଡ ଫାଟୁ ତହିଁକି ପରୁଆ ନାହିଁ। ଗୁଡି ସବୁ ଗଦା ହୋଇ ଥୁଆ ହୋଇଥିବ ପାଖରେ ଗୋଡି ଚାପ ଦେଇ , ଗୋଟାଏ କଟିଗଲେ ଅବିଳମ୍ବେ ଆଉ ଗୋଟିଏ ଯୋଡା ହେଉଥିବ ସଞ୍ଜ ଯାଏଁ । ମଝିରେ ମଝିରେ ଖିଆ ହେଉଥିବ ଧଳା, ନାଲି, ହଳଦୀ ରଙ୍ଗର ତିଲୁଆ ଖଜା।
ରାତିରେ ମଉସା ଆଣିବେ ହରି ବେହେରା ଠାରୁ ରାବିଡି । ଖୁବ୍ ମଧୁର ସେ ସ୍ମୃତି । ମଉସା ଚାଲିଗଲେଣି ଊଣେଇଶହ ବୟାଅଶୀରୁ , ହେଲେ ସେଇ ସ୍ମୃତି ସେମିତି ସତେଜ ଅଛି ମୋ ମନ ଭିତରେ । ମକର ସଂକ୍ରାନ୍ତି ଆସିଲେ ମୋ’ ପିଲାଦିନ ଆଉ ମଉସା ଖୁବ୍ ମନେ ପଡନ୍ତି । ତାଙ୍କର ହସହସ ମୁହଁ ଦିଶିଯାଏ ମୋତେ । ମୋ’ ପାଇଁ ସେ ଦ୍ୱିତୀୟ ବାପା।
ଆଜି ଆଉ ଆଗଭଳି ନାହିଁ କଟକର ମକର ସଂକ୍ରାନ୍ତି । ଗୁଡି ଜନିତ ଅନେକ ଗୁଡିଏ ଦୁର୍ଘଟଣା ପରେ କଟକରେ କଟକଣା ଲାଗିଛି ସାର୍ବଜନୀନ ସ୍ଥାନରେ ଗୁଡି ଉଠାଇବା ଲାଗି, କେବଳ କାଠଜୋଡି କୂଳରେ, ଆଉ ମହାନଦୀ ବାଲିରେ, ହେଉଛି ଗୁଡି ମହୋତ୍ସବ । ନୂଆ ପୀଢ଼ି ର ପିଲାଏ ପୁରୁଖାଙ୍କ ପାଖରୁ କିଛି କିଛି ଶିଖୁଛନ୍ତି ଗୁଡି ଉଡାଣ କଳା , ହେଲେ ସେ ବେଳର ମାଧୁର୍ଯ୍ୟମୟ ମକର ସଂକ୍ରାନ୍ତି ଆଉ ନାହିଁ । ପରମ୍ପରା ବୋଲି ଚାଲୁଛି ଖାଲି । ଚାଲି ଥାଉ ସେମିତି । ପରମ୍ପରା ବଞ୍ଚି ରହୁ ।
ଶାରଳା ଭବନ ପୋତାପୋଖରୀ କଟକ
Comments are closed.