ଗତ ମାସର କଥା । ବର୍ଷାରେ ତିନ୍ତି ସନ୍ଧ୍ୟାରେ ଘରକୁ ଫେରିବା ପରେ ଟିକେ ଜରୁଆ ଲାଗିଲା । ଦେହ ଉଷୁମ ଦେଖି ଚିନ୍ତା ବଢିଗଲା । କରୋନା ନୁହେଁ ତ? ମନ କଥା ମନରେ ରଖି ଭାବିଲି ସକାଳ ଯାଏଁ ଅପେକ୍ଷା କରେ ଯଦି ଜ୍ଵର ରୁହେ ତେବେ ଘରେ ଜଣେଇବି । ଅଯଥାରେ କାହିଁକି ସମସ୍ତଙ୍କୁ ଟେନ୍ସନ ଦେବି ।
ସକାଳ ହେଲା । ଦେହରେ ଜ୍ଵର ନାହିଁ । ଖୁସି ହେଲି ଯାହାହେଉ ଗୋଟେ ବଡ଼ ଚିନ୍ତାରୁ ମଣିଷ ବଞ୍ଚିଲା । ଏହା ଭିତରେ ମୋର ଦ୍ଵିତୀୟ ଡୋଜ ଟୀକା ପାଇଁ ସମୟ ହୋଇଯାଇଥିଲା । ସକାଳୁ ଟୀକା ସେଣ୍ଟରକୁ ଯାଇ ଦେଖିଲା ବେଳକୁ ଶହ ଶହ ଲୋକ ଅପେକ୍ଷା କରିଛନ୍ତି । ଟୀକା ନାହିଁ । କେବେ ଆସିବ ଜଣା ନାହିଁ । କ’ଣ ମୁଣ୍ଡକୁ ଉଠିଲା କେଜାଣି ଭାବିଲି ଡାକ୍ତରଖାନା ଆସିଛି ଯେତେବେଳେ ଟିକେ କୋଭିଡ ଟେଷ୍ଟ କରେଇଦେବା । ମାଗଣା ତ କୋଉ ଟଙ୍କା ଦେବାକୁ ପଡୁଛି ! ଶୁଣିଥିଲି କାଳେ କିଛି ବି ଲକ୍ଷଣ ନଥାଇ ଲୋକଙ୍କ କୋଭିଡ଼ ପଜିଟିଭ ଆସୁଛି । ଗତକାଲି ଜ୍ଵର ହୋଇ ଛାଡିଯାଇଛି ସତ ଏହାବି ସତ ମୋ ଠାରେ ଅନ୍ୟ କୌଣସି ଲକ୍ଷଣ ଦେଖା ଯାଉନି । ତଥାପି ମାଗଣାରେ ମିଳୁଛି ଯଦି ଟେଷ୍ଟ କରେଇଦେଲେ କ୍ଷତି ନାହିଁ ।
ଏମନ୍ତ ବିଚାରୀ ଟେଷ୍ଟିଙ୍ଗ କାଉଣ୍ଟର ପାଖକୁ ଗଲି । ସେଠାରେ ବସିଥିବା ଅଧିକାରୀ ପଚାରିଲେ କେଉଁ ଟେଷ୍ଟ କରିବେ । ରାପିଡ ନା ଆରଟିପିସିଆର । ମୁଁ ପଚାରିଲି ମାଗଣା କେଉଁଟା । ସେ କହିଲେ ଉଭୟ । ଖୁସିରେ କହିଲି ତେବେ ଯେଉଁଟା ଭଲ ସେଇଟା କରନ୍ତୁ । ଅଗତ୍ୟା ମୋର ଆରଟିପିସିଆର ଟେଷ୍ଟ ପାଇଁ ସାମ୍ପୁଲ ନେଲେ । କହିଲେ ଦୁଇ ଦିନ ପରେ ରିପୋର୍ଟ ଆସିବ । ଆପଣଙ୍କ ପାଖକୁ ଏସଏମଏସ ବି ଯିବ । ମନଖୁସିରେ ଘରକୁ ଫେରିଲି । କିନ୍ତୁ ସବୁଥର ପରି ଖୁସି ମୋ ସହ ବେଶି ସମୟ ରହିଲାନି । ଆଗ ଚଲା ଗୁଣ ଯୋଗୁଁ ଘରେ କହିଦେଲି ଦ୍ଵିତୀୟ ଡୋଜ ସିନା ଆଜି ନେଇପାରିଲିନାହିଁ କିନ୍ତୁ ମାଗଣା କୋଭିଡ ଟେଷ୍ଟ ପାଇଁ ସାମ୍ପୁଲ୍ ଦେଇକି ଆସିଛି ।
କାହିଁକି କ’ଣ ପାଇଁ ପ୍ରଶ୍ନ ସବୁର ଉତ୍ତର ଦେଉ ଦେଉ ମୋ ପାଟିରୁ ବାହାରିଗଲା ଗତକାଲି ରାତିରେ ମୋତେ ଜ୍ଵର ଆସିଥିଲା । ସକାଳୁ ଛାଡି ଯାଇଛି । ମୋ ଠାରେ ଅନ୍ୟ କୌଣସି ଲକ୍ଷଣ ବି ଦେଖା ଯାଉନି । କିନ୍ତୁ ନିଶ୍ଚିତ ହେବା ପାଇଁ ଯାଇଥିଲି ବୋଲି ଟେଷ୍ଟ କରେଇ ଦେଲି । ଦୁଇ ଦିନ ପରେ ରିପୋର୍ଟ ଆସିଯିବ କହିଛନ୍ତି ।
ବାସ୍ ଏଇଠୁ ଆରମ୍ଭ ହେଲା ମୋ ଦୁଃଖର କାହାଣୀ । ଘରଣୀ କହିଲେ, ” ଠିକ ଅଛି ଯେ ପର୍ଯ୍ୟନ୍ତ ରିପୋର୍ଟ ଆସିନି ତୁମେ ଅଲଗା ରୁହ । ମୋ ପିଲାମାନଙ୍କୁ ଡେଇଁବ । କାହାକୁ ଛୁଅଁନି । ଦାଣ୍ଡ ଘରେ ମୁଁ ଅଲଗା ବ୍ୟବସ୍ଥା କରିଦେଉଛି ସେଇଠି ରୁହ । ଭୁଲରେ ଏପଟକୁ ଆସିବନି ।” ତାଙ୍କ କଥା ଶୁଣି ମୋ ଅକଲ ଗୁଡୁମ ।
ଭଲ କଥା ହେଲା। କାହିଁକି ଏତେ କଥା ଅକାରଣରେ ଘରେ କହୁଥିଲି । ପୁଣି ପରେ ଭାବିଲି ନା ଏଇଟା ବି ସତ କଥା, ଯଦି କରନା ଭୁତାଣୁ ଥାଏ ତେବେ ଅନ୍ୟମାନଙ୍କୁ ସଂକ୍ରମିତ କରିବି କାହିଁକି ? ଭଲ ହେବ ରିପୋର୍ଟ ଆସିଵା ଯାଏଁ ଅଲଗା ରହିବି । ଦୁଇ ଦିନ ଭିତରେ ଯେତେ ପ୍ରକାର ପ୍ରାକୃତିକ ଓ ଅପ୍ରାକୃତିକ ଚିକିତ୍ସା ଅଛି ସବୁ ମୋ ଉପରେ ପ୍ରୟୋଗ ଆରମ୍ଭ ହୋଇଗଲା ।
ତିନି ଦିନ ବିତି ଚାରିଦିନ ହୋଇଗଲା ପଛେ ରିପୋର୍ଟ ଆସିଲା ନାହିଁ । ଯଦିଓ ଦେହ ପୂରା ଭଲ ଅଛି କିନ୍ତୁ ପ୍ରତିଷେଧକ ପାଇଁ ଘରେ ଅଲଗା ଚଳୁଛି । ଦାଣ୍ଡ ଘରେ ଶୋଉଛି । ଯାବତୀୟ ଘରୋଇ ଉପଚାରର ଗବେଷଣା ମୋ ଉପରେ ଚାଲିଛି । ଦିନକୁ ପାଞ୍ଚଥର ଭିନ୍ନ ଭିନ୍ନ ପ୍ରକାରର କାଢା, ଦିନଯାକ ବାମ୍ପ, ହଳଦୀ ପାଣି, ନାକରେ ଲେମ୍ବୁ, ଗିଲୋହି, ଭିଟାମିନ ସି, ଜ଼ୀଙ୍କ ଇତ୍ୟାଦି ଖାଇ ଖାଇ ଏମିତି ଲାଗିଲାଣି ଯେମିତି ଯଦି ଦେହ କଟିଯାଏ ତେବେ ରକ୍ତ ବଦଳରେ କାଢା ବାହାରିବ ।
ଏପରି ସମୟରେ ବନ୍ଧୁ ବାନ୍ଧବ ପାଖ ପଡିଶା ସବୁ ଜଣେ ଜଣେ ଅଭିଜ୍ଞ ଡାକ୍ତରଙ୍କ ଭଳି ଉପରେ ପଡି ଗୋଟେ ଗୋଟେ ଟୁଣୁକା ଚିକତ୍ସା ବତାଉଥାନ୍ତି ଓ ଅବିଳମ୍ବେ ସେ ଚିକିତ୍ସା ମୋ ଉପରେ ପ୍ରୟୋଗ ହେଉଥାଏ । ଯେଉଁ ହସ୍ପିଟାଲରେ ମୋର ସାମ୍ପୁଲ ନେଇଥିଲେ ସେମାନଙ୍କ କହିବା କଥା କେବଳ ନେଗେଟିଭ ଥିବା ଲୋକଙ୍କ ତାଲିକା ତାଙ୍କ ପାଖକୁ ଆସେ ସେଥିରେ ମୋ ନାଁ ନାହିଁ । ପଜିଟିଭ ଥିବା ଲୋକଙ୍କ ତାଲିକା ଡିଷ୍ଟ୍ରିକ୍ଟ କୋଭିଡ କଣ୍ଟ୍ରୋଲ ରୁମକୁ ଯାଏ । ସେମାନେ ଅଠଚାଳିଶ ଘଣ୍ଟା ଭିତରେ ଫୋନ କରନ୍ତି ଓ କଣ୍ଟାକ୍ଟ ଟ୍ରେସିଂ କରନ୍ତି । କିନ୍ତୁ ମୋ କ୍ଷେତ୍ରରେ ସେଇଟା ବି ହୋଇନି । ତେଣୁ ଆପାତଃ ମୁଁ ପଜିଟିଭ ନୁହେଁ ବୋଲି ଧରାଯାଇପାରେ ।
ଏବେ ମୋ ଅବସ୍ଥା ବୁଝିପାରୁଥିବେ । ମୁଁ ନା ନେଗେଟିଭ ନା ପଜିଟିଭ ଚିହ୍ନଟ ହେଲି । ମୋ ସ୍ତ୍ରୀ କହିଲେ , “ଯେହେତୁ ତୁମେ ଜଣେ ଅନନ୍ୟ ପ୍ରତିଭା ତେଣୁ ରାଜ୍ୟ ସରକାର ଏକ ବିଶେଷ ସମାରୋହରେ ତୁମକୁ ତୁମ କୋଭିଡ ଟେଷ୍ଟ ରିପୋର୍ଟ ଦେବା ପାଇଁ ଚିନ୍ତା କରୁଛନ୍ତି । ସେଥିପାଇଁ ବିଳମ୍ବ ହେଉଛି । “ସେତେଦିନ ପର୍ଯ୍ୟନ୍ତ ଛ ଫୁଟ ଦୂରତା ରଖ । ଓଃ କି ବିଷମ ପରିସ୍ଥିତି ହେଲା । କୋଭିଡ଼ ହେଲ୍ପ ଲାଇନ, ଆରଏମଆରସି ପୋର୍ଟାଲ , ଓଡିଶା ସ୍ୱାସ୍ଥ୍ୟ ବିଭାଗ ୱେବସାଇଟ ସବୁ ଯୋଗାଯୋଗ କରି ବିଫଳ ହେଲିଣି । କେଉଁଠୁ ମୋ ରିପୋର୍ଟର ଅବସ୍ଥିତି ବିଷୟରେ ଜାଣି ପାରିଲି ନାହିଁ । ସମସ୍ତଙ୍କ କହିବା କଥା ତୁମ ଟେଷ୍ଟ ରିପୋର୍ଟ ଯଦି ପଜିଟିଭ ହୋଇଥାନ୍ତା ତେବେ ଝିଅ ପାଇଁ ବରପାତ୍ର ଖୋଜିଲା ଭଳି ସରକାର ତୁମକୁ ଖୋଜି କାଢିଥାନ୍ତେ । ଯେହେତୁ ତୁମେ ନେଗେଟିଭ ତେଣୁ ତୁମକୁ କେହି ଖୋଜୁନାହାଁନ୍ତି । ଅଲୋଡ଼ା ବୋଲି କହିପାର ।
ଆପଣଙ୍କୁ ମିଛ ମୋତେ ସତ କାଳେ ପଜିଟିଭ ରିପୋର୍ଟ ଆସିବ ସେଥିପାଇଁ ମୁଁ ଆଗୁଆ ବହୁତ ଭାବିଥିଲି । ଫେସବୁକ ପାଇଁ ଗୋଟେ ହୃଦୟ ବିଦାରକ ଲେଖାଟିଏ ବି ଲେଖିଥିଲି । କେତେ ସ୍ୱପ୍ନ ଦେଖିଥିଲି ମୋ’ କୋଭିଡ ପଜିଟିଭ ଖବର ଶୁଣି ଶହ ଶହ ସମବେଦନା , ସହାନୁଭୂତି , ଯତ୍ନମୟ ମତାମତ ମନ୍ତବ୍ୟ ଆସିବ । ମୋ ଆଶୁ ଆରୋଗ୍ୟ ପାଇଁ ଲୋକ ପାର୍ଥନା କରିବେ । ହୁଏତ କେହି ଜଣେ ପ୍ରତିଷ୍ଠିତ ସାହିତ୍ୟିକ ମୋ ଆଶୁ ଆରୋଗ୍ୟ କାମନା କରି ଏକ ଦୀର୍ଘ ଆଲେଖ ବି ଲେଖିପାରନ୍ତି । କିନ୍ତୁ ହାୟ ସେ ସବୁ ସ୍ୱପ୍ନ ପାଣି ଫାଟିଗଲା ! ମନ ଦୁଃଖରେ କିଛିଦିନ ପରେ ସେ ଲେଖାଟିକୁ ଲିଭେଇବାକୁ ବାଧ୍ୟ ହେଲି। ଆଉ ବୋଧେ ସର୍ଟକଟ ରାସ୍ତାରେ ପ୍ରସିଦ୍ଧ ହେବାର ସୌଭାଗ୍ୟ ଏଇ ଜନ୍ମରେ ଆଉ ନାହିଁ । ଦେଖାଯାଉ କାଳିଆର କଣ ଇଚ୍ଛା !
ଆଜିକୁ ଏଗାରଦିନ ପୂରି ବାରଦିନ ଚାଲିଲା । ଆଉ କଷ୍ଟେ ମଷ୍ଟେ ଦୁଇଦିନ ବିତେଇଦେଲେ ଚଉଦ ଦିନର ବନବାସ ସରିବ । ସକାଳୁ ସକାଳୁ ବସି ଖବରକାଗଜ ପଢୁଛି ଗୋଟେ ଅଜଣା ନମ୍ବରରୁ ଫୋନ ଆସିଲା । ସେପଟୁ ପ୍ରଶ୍ନ ,” ଆପଣ ଓଁ ଅଭିଜ୍ଞାନ ସାହୁ କହୁଛନ୍ତି ? ମୋ ‘ ହଁ ‘ଉତ୍ତର ଶୁଣିଲା ପରେ ପଚାରିଲେ ,ଆପଣ ଆର୍ଟିପିସିଆର ଟେଷ୍ଟ କରିଥିଲେ ? ମୁଁ କହିଲି,” ଆଜ୍ଞା ହଁ । “ତାପରେ ସେପଟୁ ଯାହା କହିଲେ ତାକୁ ଶୁଣି ମୋ ବୁଦ୍ଧି ହଜିଗଲା । ଜାଣିବାକୁ ପାଇଲି ଭିଡ଼ ଭିତରେ ହଜି ଯାଇଥିବା ରିପୋର୍ଟ ସେମାନଙ୍କୁ ଆଜି ମିଳିଛି ଯାହା ପଜିଟିଭ ଅଛି । ଘରେ ସୁବିଧା ଅଛି ଯଦି ଠିକ ଅଛି ନଚେତ ସରକାରୀ କ୍ୱାରେଣ୍ଟଇନ ସେଣ୍ଟରକୁ ଯିବାକୁ ପଡ଼ିବ । ଏହା ସହ ଯାହା ଯାହା ସଂସ୍ପର୍ଶରେ ଆସିଛି ସେମାନଙ୍କ ନାମ ଓ ଠିକଣା ଜଣେଇବାକୁ ପଡିବ । ହତାଶା ଏବଂ ବିରକ୍ତିରୁ ଇଚ୍ଛା ହେଉଥିଲା ସେହିସବୁ ଲୋକମାନଙ୍କ ନାଁ ନେଇଯିବି ଯେଉଁମାନେ ଉପରେ ପଡି ମୋର ଏଣୁ ତେଣୁ ଚିକିତ୍ସାରେ ଲାଗିଥିଲେ ଏବଂ ନେବାକୁ ଏକରକମ ବାଧ୍ୟ କରିଥିଲେ । ତାଙ୍କ ଯୋଗୁଁ ମୁଁ କି ପ୍ରକାର ପୀଡା ଭୋଗିଛି ତାର ପ୍ରତିଶୋଧ ନେବାର ଏହାଠୁ ଆଉ ଭଲ ଉପାୟ କିଛି ନାହିଁ ।
ମନ କଥା ମନରେ ରଖି ମୁଁ ପୁଣି ପଚାରିଲି , “ଆଜ୍ଞା ମୁଁ ତ ଘରେ ଗତ ବାରଦିନ ହେଲା ସେଲ୍ଫ କ୍ୱାରେଣ୍ଟଇଁନରେ ରହିଲିଣି । ଦେହରେ କୌଣସି ପ୍ରକାର ଲକ୍ଷଣ ଦେଖା ଯାଉନାହିଁ ।”ମୋ କଥା ଶୁଣି ଅଧିକାରୀ ଜଣଙ୍କ କହିଲେ,” ସେଇଟା ଆମେ କହିପାରିବୁନି । ଆମ କାମ ହେଲା ଫୋନ କରି ଜଣେଇବା କଥା । ଯେହେତୁ ଆମ ଅଫିସ ଆଜି ଆପଣଙ୍କ ରିପୋର୍ଟ ପାଇଛି ତେଣୁ ଆଜିଠୁ ଆପଣଙ୍କୁ ଆଗାମୀ ଚଉଦ ଦିନ ଯାଏ କ୍ୱାରେଣ୍ଟଇଁନରେ ରହିବାକୁ ପଡିବ । ଯଦି ଆପଣ ଅମଙ୍ଗ ହୁଅନ୍ତି ତେବେ ଆମ ଲୋକ ପୁଲିସର ସାହାଯ୍ୟ ନେଇ ଆପଣଙ୍କୁ ଜୋର କରି ଆମ୍ବୁଲାନ୍ସରେ କୋଭିଡ ହସ୍ପିଟାଲକୁ ଆଣିବେ …।”
ବନମାଳୀ ଭବନ
ଖାନ ନଗର , କଟକ
୯୪୩୭୦୧୦୭୫୮
Comments are closed.