ଧାରାବାହିକ ଉପନ୍ୟାସ : ଦେବୀ (୪୧)

0
21

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪୧

ଦେବୀର ଜୀବନ ଏକ ଡେଣାହୀନ ଅଦ୍ଭୁତ ଉଡାଣ। କେବେ ଏଇ ଉଡାଣ ପଥରେ ଆସି ପହଞ୍ଚିଛି ସବୁଜଶ୍ରୀ ଗିରିପ୍ରାନ୍ତର ତ ଆଉକେବେ ନିର୍ମମ ଡହଡହ ଶ୍ରୀହୀନ ମରୁଭୂମି। କେବେ ଶିଳା-ଶିଖରର ଶୀତଳତା ତ ଆଉ କେବେ ବିଷୁବ ରେଖା ତଳ ମୃତ ମାଳଭୂମି। ଯେତେବେଳେ ଯାହା ଆସିଛି ସେତେବେଳେ ପରିବେଶର ପ୍ରତିକୂଳ ପରିବେଶରେ ନିଜକୁ ବଞ୍ଚେଇ ରଖିବାକୁ ସେ ନିଜର କାୟା ବଦଳେଇ ଦେଇଛି।

କାହିଁ କେତେ ବର୍ଷ ତଳେ ସେ ଦଶମରେ ପଢିଲା ବେଳେ ବିଜ୍ଞାନ ସାର୍ ଡାଇନୋସର ବୋଲି ଗୋଟିଏ ଅତି ପୁରୁଣା ବିଲୁପ୍ତ ଜୀବ ବିଷୟରେ ବୁଝାଇବା ବେଳେ କହିଥିଲେ – ବୁଝିଲ ପିଲେ ! ପରିବେଶ ସହିତ ଖାପଖୁଆଇ ପାରିଲେନାହିଁ ବୋଲି ଡାଇନୋସର ଭଳି ବିଶାଳକାୟ ପ୍ରାଣୀ ପୃଥିବୀରୁ ବିଲୁପ୍ତ ହୋଇଗଲେ। ତେଣୁ ଯେଉଁ ପରିବେଶରେ ରହିବା ତାର ଭୌଗୋଳିକ, ସାମାଜିକ ଓ ପ୍ରାକୃତିକ ପରିବେଶ ସହିତ ଖାପଖୁଆଇ ଚଳିବ, ଦେଖିବ ଜୀବନ ଖୁବ୍ ସହଜ ହୋଇଯିବ। ତାକୁ ପଢେଇବା ବେଳେ ଦେବ ଭାଇ ବୋଉକୁ ଶୁଣେଇ ଶୁଣେଇ କୁହନ୍ତି ,ବୁଝିଲ ମାଉସୀ,ଆମ ଦେବୀଟା ଯେଉଁ ରାଗି, ସେ ଶାଶୂଘରେ କେମିତି ରହିବ !

ଦେବୀକୁ ଲାଜ ଲାଗେ। ଟିକେ ରାଗ ବି। ସେ ଭାବେ କାନ୍ଦିବ। ହେଲେ କାନ୍ଦି ପାରେନା। କାଳେ ଦେବ ଭାଇ ରାଗିବେ। ଆଉ ଆସିବେନି। କେଜାଣି କାହିଁକି ସେ ହୃଦୟରୁ ଚାହେଁ ଦେବ ଭାଇ ଭଲ ଚାକିରୀ କରନ୍ତୁ, ଭଲରେ ରୁହନ୍ତୁ। ଆଉ କେବେ କେବେ ଦେବ ଭାଇକୁ ନେଇ ସେ ସ୍ବପ୍ନ ଟିଏ ସଜାଏ। ସେ ସ୍ୱପ୍ନରେ ଦେବ ଭାଇ ପକ୍ଷୀରାଜ ଘୋଡ଼ା ଉପରେ ବସି କେଉଁ ଏକ ସୁଦୃଶ୍ୟ ରାଜୋଦ୍ୟାନରେ ପହଞ୍ଚି ଯାଆନ୍ତି। ଦେବୀ କେମିତି କେଜାଣି ପହଞ୍ଚିଯାଏ ସେଇ ଉଦ୍ୟାନ ମଧ୍ୟସ୍ଥ ସରୋବର କୂଳରେ। ଦେବ ଭାଇ ତା ହାତ ଧରି ପକ୍ଷୀରାଜ ଘୋଡାରେ ବସେଇ ବୁଲେଇ ନିଅନ୍ତି ଦିଗବଳୟ ଆର ପାରେ କେଉଁ ଏକ ଅଜଣା ଗ୍ରହକୁ। ସେଠି ଥାନ୍ତି କଥା କୁହା ଚଢେଇ। ଚାଲୁଥିବା ଗଛ, ଉଡୁଥିବା ପର୍ବତ। ସେଠାର ନଈ କ୍ଷୀର ପରି ଧଳା। ଆକାଶ ଗୋଲାପୀ। ପବନ ପିଠିରେ ଦୁଇଟି ଡେଣା।ଫୁଲ ସବୁ ମଧୁର ବାସ୍ନାର ଏକଏକ ପ୍ରତିନିଧି।

ପ୍ରଥମେ ପ୍ରଥମେ ଦେବୀ ଖୁବ୍ ଡରିଯାଉଥିଲା। କାଳେ ସ୍ବପ୍ନ ସତ ହୋଇଯିବ। ମୃତ ନିରବତା ଭିତରୁ ଶୁଭିବ ଏକ ମନ୍ତ୍ର – ପ୍ରତିମ ସୁଧାସ୍ଵନ। ସେ କେମିତି ବସିପାରିବ ଦେବ ଭାଇଙ୍କ ପାଖରେ। ତାକୁ ଏ ସ୍ବପ୍ନର ଘଟଣା ସବୁ ସନ୍ଦେହ ଲାଗେ। ସତରେ କ’ଣ ଦେବ ଭାଇ ତାକୁ ନେଇ ସେ ଅଦ୍ଭୁତ କଳ୍ପନା ଭିତରେ ହଜିଜିବ।କେଜାଣି !

କ୍ରମଶଃ