Latest Odisha News

BREAKING NEWS

ବ୍ୟଙ୍ଗ : ପାହାରର ଇତିବୃତ୍ତ

ଯାହା ହେଉ ଫେସବୁକରେ ଲେଖିବା ଦ୍ୱାରା ଅନେକ କିଛି ପାଇଛି ତା ଭିତରୁ ପ୍ରମୁଖ ହେଲା ଅନେକ ସ୍ନେହୀ ବନ୍ଧୁ ଓ କିଛି ଉପାଧି ବା ଉପନାମ । ଅନେକ ସମୟରେ ଲେଖାଟିଏ ପୋଷ୍ଟ କରିସାରିବାର ଅଳ୍ପ ସମୟ ପରେ କିଛି ସ୍ନେହୀ ନାଗୁଆ ଗରାଖ(ନିୟମିତ ପାଠକ)ଙ୍କ ଠାରୁ ଭଲ ଭଲ କମେଣ୍ଟ ସବୁ ମେସେଞ୍ଜର କିମ୍ବା ହ୍ଵାଟ୍ସଆପରେ ଆସେ ଯଥା ବିଛୁଆତି , ଦୁଷ୍ଟ ,ବଦମାସ, ଅବୁଝା, ଅମାନିଆ , ମାଡୁଆ ଭଳି ଅନେକ ମିଠା ମିଠା ଗାଳି । ବୋଧେ ପୋଷ୍ଟରେ ନିଜ ପ୍ରତିକ୍ରିୟା ରଖି ଦେଉଳ ଭିତରେ କିଏ ନା ମୁଁ କଦଳୀ ଖାଇନି ଭଳି ଚିହ୍ନା ପଡ଼ିବାକୁ ଚାହାଁନ୍ତି ନାହିଁ ।

ପୁଣି ଏତେ ସ୍ନେହଭରା ଉପନାମ ଯେ ମୋ ମାଆ ବି କେବେ ତା କୋଡ଼ପୋଛା ପୁଅକୁ ଇମିତିକା ସେନେହ ଶ୍ରଦ୍ଧାରେ ଡାକୁନଥିବ । ବେଳେ ବେଳେ ତ ମନେହୁଏ ଏମାନେ ବନ୍ଧୁ ନୁହନ୍ତି ସାକ୍ଷାତ ମାଆ ଓ ପ୍ରଭୁ । ଏପରିକି କିଏ ବିଚରା ପତିର ଅସହାୟତା ପ୍ରତି ବିଦ୍ରୁପ କରି ମିଛ ସମବେଦନା ଜଣେଇଲାଣି ତ ଆଉ କେହି କେହି ଲେଖନ୍ତି ପତ୍ନୀ ଏହାକୁ ପଢିଲେଣି ତ? ଭାଉଜ ଏହାକୁ ପଢି କେଉଁ ଭଳି ପାହାର ଦେଲେ ତାକୁ ନେଇ ଆଉ ଗୋଟେ ଲେଖା ଲେଖନ୍ତୁ । ଘରେ ଘରଣୀଙ୍କ ପ୍ରତିକ୍ରିୟା ଅପେକ୍ଷା ଏଇ ପାଠକଙ୍କ ଛୋଟ ବଡ଼ ପାହାର ମୋତେ କେବେ ବେଗୁନିଆ ଛାଟ ଖାଇଲା ଭଳି ଲାଗେ ତ କେବେ ବିଛୁଆତି । ଦାନ୍ତୁରାର କାନ୍ଦ ହସ ଏକା । ତେଣୁ ମୋ ପୋଷ୍ଟଟି ଦାନ୍ତ ଦେଖେଇ ସଗର୍ବେ ପାହାରକୁ ପିଠିରେ ସମ୍ଭାଳୁଥାଏ ।

ଏଇ ପାହାର ଶବ୍ଦଟା ଅନ୍ୟକେହି ବ୍ୟବହାର କରୁ ତାହା ଆମ୍ଭ ଘରମଣୀଙ୍କୁ ଭଲ ଲାଗେନା । ତାଙ୍କ ମତ ଯେ ଏଇ ପାହାର ପାଟନରସିପକୁ ପ୍ରଶୟ ଦିଆ ଯାଇପାରିବନି । ଦାମ୍ପତ୍ୟ ଜୀବନର କର୍ମକାଣ୍ଡ ପୁସ୍ତକରେ ଏହାର ବିସ୍ତୃତ ବର୍ଣନା କାଳେ ରହିଛି । ଇତିହାସ କହେ ଏହି ପ୍ରହାର ଯୋଗୁଁ ଅନେକ ଅବାଟୁଆ ବାଟକୁ ଫେରିଛନ୍ତି । ମୁଁ ଜାଣେ ଏଇ ପାହାର କଥା ଶୁଣି କିଛି ବନ୍ଧୁ ଫେଶ ବୁକ୍ ପୋଷ୍ଟରେ ସମବେଦନା ଜଣାଉଥିବା ବେଳେ ମନେ ମନେ କିନ୍ତୁ କୁରୁଳିଥିବେ ଯାହାହେଉ ପୁଅ ପାନେ ଦି ପାନ ଖାଉଛି ତା’ହେଲେ ।

କିନ୍ତୁ ପାହାର ଯେ କେବଳ ଦୈହିକ ତାହା ଜରୁରୀ ନୁହେଁ ପାହାରଟା ମାନସିକ କିମ୍ବା ଆର୍ଥିକ ବି ହେଇପାରେ । ମୁଁ କାହିଁକି କହିବି ଯେ ମୋ ବିଷୟରେ ଚିନ୍ତା କରି ଅଧିକ ଗଦ ଗଦ ନହୋଇ ଏକୁଟିଆ ସମୟରେ ନିଜ ପାହାର ପଡିଥିବା ଜାଗାକୁ ଧୀରେ ସାଉଁଳନ୍ତୁ । ଏକୁଟିଆ ଲମ୍ବା ଲମ୍ବା ବାହୁନା ପକେଇବାକୁ ଯଦି ଇଚ୍ଛା ନହେବ ମୋତେ କହିବ ।

ଆଉ ଗୋଟିଏ କଥା ଗୋଟିଏ ଅଧା ଯଦି ନେଟୱର୍କରୁ ବାହାରିଗଲା ତେବେ ତାକୁ ପୁଣିଥରେ ନେଟୱର୍କ ଭିତରକୁ ଆଣିବା ଆର ଅଧାର ଦାୟୀତ୍ୱ । ବିଶିଷ୍ଟ ଐତିହାସିକମାନଙ୍କ ମତରେ ଏହି ନେଟୱର୍କର ସିଗନାଲ ପାଇବା ପାଇଁ ରାଜାଙ୍କଠୁଁ ରଙ୍କ ପର୍ଯ୍ୟନ୍ତ ସମସ୍ତେ ଅଳ୍ପବହୁତେ ଚେଷ୍ଟା ଚଳେଇଛନ୍ତି। ଏହାର ଅର୍ଥ ପାହାର ଜିନିଷର ବହୁଳ ପରୀକ୍ଷା ନିରୀକ୍ଷା ଅତୀତରେ କରାଯାଇଛି ।

ତେଣୁ ପାହାର ଯେଉଁ ଭଳି ରୂପରେ ବି ଆସୁ ତାହା ସ୍ୱାଗତ କରିବା ବିଧେୟ । କାରଣ ଆପଣଙ୍କୁ ଭଲ ପାଉଥିବା ମଣିଷଟି ଏହା ଦ୍ୱାରା ଆପଣଙ୍କୁ ନେଟୱର୍କର ପରିଧି ଭିତରେ ରଖିବାକୁ ଚେଷ୍ଟା କରୁଛି ବୋଲି ଧରିନେବାକୁ ହେବ। ଏବଂ ତୁମର କେତେ ଗୁରୁତ୍ୱ ଅଛି ଏହା ଦ୍ୱାରା ନିଜକୁ ବୁଝେଇ ହେବ ।

ବନମାଳୀ ଭବନ
ଖାନନଗର , କଟକ

Leave A Reply

Your email address will not be published.