Latest Odisha News

BREAKING NEWS

ମୋ’ ପିଲାଦିନ କୁଆଁର ପୁନେଇଁ

ସୁଷମା ପରିଜାଙ୍କ ସ୍ମୃତିରଖିଅରୁ……. 

ପିଲାଟି ଦିନରୁ କଟକ ସହରରେ ରହି ଆସିଛି ମୁଁ । ସହରରେ କୁଆଁର ପୁନେଇଁ କେବଳ ଏକ ବିଧି ରକ୍ଷା ପୂଜା ବୋଲି ମୋ’ର ମନେହୁଏ। କାରଣ ଆମେ ଦଶହରା ଯେତେ ଯାକଯମକରେ ପାଳନ କରୁ, କୁଆଁର ପୁନେଇଁରେ ତାହା ନଥାଏ। ଘରେ ଚଉରା ମୂଳେ ସକାଳ ସଞ୍ଜରେ ସୂର୍ଯ୍ୟ ଆଉ ଚନ୍ଦ୍ର ପୂଜା ହୁଏ , ଲୁଗାପଟା ପିନ୍ଧି ସଜବାଜ ହୋଇ କୁମାରୀ କନ୍ୟାମାନେ ଖୁସି ମନାନ୍ତି । ହେଲେ ପ୍ରକୃତରେ କୁଆଁର ପୁନେଇଁ କ’ଣ , ତାହା ମୁଁ ଜାଣିଲି ଆମ ଗାଆଁରୁ।

ସେ ବହୁତ ଦିନ ତଳର କଥା।

ସେ କେଉଁ ବର୍ଷର କଥା ମୋ’ର ଠିକ୍ ଭାବରେ ମନେ ନାହିଁ ବୋଧହୁଏ ମୋତେ ସାତ ଆଠ ବର୍ଷ ହୋଇଥିବ , ଥରେ କିଛି ଜମିଜମା କାମ ପଡିଥିବାରୁ ବାବା ଆମକୁ ଦଶହରା ଭସାଣି ଯାତ୍ରା ପରଦିନ ଗାଆଁକୁ ନେଇ ଯାଇଥିଲେ ଆଉ ଆମେ ସେଠାରେ ଦଶ, ପନ୍ଦର ଦିନ ରହିଥିଲୁ । ସେଇ ବର୍ଷ ମୁଁ ଗାଆଁରେ ଜହ୍ନି ଓଷା ଏବଂ କୁଆଁର ପୁନେଇଁ ଓଷା ଦେଖିଲି। ମୋ’ ବଡ ବାପାଙ୍କ ଝିଅ ଫେନୁ ଅପା ଆଉ ଗାଆଁର ଅନ୍ୟ ଝିଅ ମାନଙ୍କ ସହିତ ମୁଁ ପ୍ରଥମ ଆଉ ଶେଷ ଥର ପାଇଁ ଗାଆଁର କୁଆଁର ପୁନେଇଁ ଓଷା କରିଥିଲି, ସେଇ ସ୍ମୃତି ଆଜି ଯାଏଁ ଛାପି ହୋଇ ରହିଛି ମୋ’ ମନରେ।

ଆଜି ମଧ୍ୟ କୁଆଁର ପୁନେଇଁ କଥା କହିଲେ ମୋ’ ମନ ଭିତରେ ସ୍ୱତଃ ଆଙ୍କି ହୋଇଯାଏ ଶରତ ସନ୍ଧ୍ୟାର ନିର୍ମଳ ଆକାଶରେ ଗୋଟାଏ ତୋଫା ଜହ୍ନ ଆଉ ଛୋଟ ବଡ ହୋଇ ଦଳେ କିଶୋରୀ ବାଳିକା ମାନଙ୍କର ଆବେଗମୟ କୋଳାହଳ। କେଇ ହଳ ଅଳତାରଞ୍ଜିତ ପାଦର ମିଠା ମିଠା ରୁଣୁଝୁଣୁ ଶବ୍ଦ ସାଥିରେ ଲହରେଇ ଲହରେଇ ଭାସିଆସେ “ କୁଆଁର ପୁନେଇଁ ଜହ୍ନ ଗୋ ଫୁଲ ବଉଳବେଣୀ .. “ ର ସଙ୍ଗୀତ ମୂର୍ଚ୍ଛନା । ସେଇ ମଧୁର ମୂର୍ଚ୍ଛନା ବିଭୋର କରେ ମୋତେ। ମୁଁ ଆପେ ଆପେ ଟାଣି ହୋଇଯାଏ ଆମର ସେ ବଣ ପାହାଡ ଘେରା ସୁଜଳା , ସୁଫଳା ଶସ୍ଯଶ୍ୟାମଳା ମୋ’ର ପୈତୃକ ଗ୍ରାମ ଡମପଡାଗଡ ଆଡକୁ।

ସେ ଗାଆଁରେ ଧାଡି ଧାଡି ଚାଳ ଛପର ଘର ଉପରେ ବସିଥାଏ ଗାଢ ହଳଦିଆ ଜହ୍ନିଫୁଲର ହାଟ, ଗାଆଁ ମଝିରେ ନୀଳକଣ୍ଠ ମନ୍ଦିର ପାଖ ପାଟରେ ନାଲି, ନୀଳ,ଧଳା କଇଁମାନେ ରୂପର ପସରା ମେଲି ଶରତର ଉଜ୍ବଳ ଗୋଲ୍ ଜହ୍ନକୁ ହାତ ଠାରି ଡାକୁଥାନ୍ତି “ ଆ ‘ ଆମ ପାଖକୁ.. “। ଗାଆଁର ଗୋଟିଏ ମୁଣ୍ଡରେ ଆମ୍ବ ଆଉ ଲଙ୍କା ଆମ୍ବ ତୋଟା ଗହଳରେ ଠିକ୍ ଜଗନ୍ନାଥଙ୍କ ମୁଣ୍ଡିଆ ତଳକୁ ଆମ ଘର । ଦି’ପାଖିଆ ଖୁଆଡ ଘର ମଝିରେ ବଡ ଅଗଣା। ଅଗଣାର ଗୋଟିଏ ପାଖକୁ ତୁଳସୀ ଚଉଁରା, ତା’କୁ ଲାଗି ମଲ୍ଲୀ ବୁଦାଟାଏ, ବାକି ତକ ଖାଲି। ଯେବେ ଆମେ ଗାଆଁ ଘରକୁ ଯାଉ, ସେଇ ବିସ୍ତୀର୍ଣ୍ଣ ଯାଗାଟିକୁ ଆମ ଘର ରଇତ ମାଟି ଗୋବରରେ ଲିପାପୋଛା କରି ଚିକ୍କଣ କରି ଦେଇଥାଏ, କାରଣ ଦିନ ବେଳେ ବୋଉ ଧାନ, ମୁଗ ଶୁଖାଏ ସେଠି, ପୁଣି ଖୁଡୀମାନଙ୍କୁ ସାଥିରେ ଧରି କୁଲା କୁଲା ବଡି ପାରେ ଆଉ ଶୁଖାଏ ସେଠାରେ। ସେଇଠି ବସେ ସମସ୍ତ ଝିଅବୋହୂଙ୍କର ଆଖଡା।

ଆମ ବାଙ୍କୀ ପଟେ କୁଆଁରୀମାନେ ଭାଦ୍ରବ ପୂର୍ଣ୍ଣିମା ପରଦିନଠାରୁ ଆଶ୍ୱିନ ମାସ ସାରା ଜହ୍ନି ଓଷା କରନ୍ତି , ସେଇ ଓଷାର ସମାପ୍ତି ହୁଏ କୁମାର ପୂର୍ଣ୍ଣିମା ଦିନ ରାତିରେ। ଆଶ୍ୱିନ କୃଷ୍ଣ ପ୍ରତିପଦ ଠାରୁ କୁମାରୀମାନେ ଜହ୍ନି ଖାଆନ୍ତି ନାହିଁ କି ଜହ୍ନି ଫୁଲ ଛିଣ୍ଡାନ୍ତି ନାହିଁ। କେହି କେହି ଆମିଷ ଖାଦ୍ୟ ମଧ୍ୟ ବର୍ଜନ କରିଥାନ୍ତି। ଭଲ ବରଟିଏ ପାଇବା ପାଇଁ ମା’ ମହାଗୌରୀଙ୍କୁ ପ୍ରାର୍ଥନା କରି ସନ୍ଧ୍ୟାରେ ତୁଳସୀ ଚଉରା ମୂଳେ ବତୀ ଦେଇ କଦଳୀ, ଉଖୁଡା ଭୋଗ କରନ୍ତି। ସବୁଦିନ ସନ୍ଧ୍ୟାରେ ଆମ ଘର ଚଉରା ମୂଳେ ସମସ୍ତେ ଏକାଠି ହୁଅନ୍ତି ସେଇ ପୂଜା କରିବା ପାଇଁ । ବୋହୂଚୋରି, ରୁମାଲଚୋରିଠାରୁ ଆରମ୍ଭ କରି ଠିଆ ପୁଚି, ବସା ପୁଚି ,ବାଘଛେଳି ଖେଳ ସବୁ ଲାଗିଥାଏ ସବୁ ସନ୍ଧ୍ୟାରେ ସେଠି। ଅମାବାସ୍ୟା ପକ୍ଷରେ ଡିବି କି ଲଣ୍ଠନଟିଏ ଜଳୁଥାଏ ସେଠି କିନ୍ତୁ ପୁନେଇଁ ପକ୍ଷରେ ବେଶୀ ଅନ୍ଧାର ନଥାଏ , ଜହ୍ନ ଆଲୁଅରେ ସବୁ ପରିଷ୍କାର ଦିଶେ। ଆମେ ସମସ୍ତେ ହୋ ହାଲ୍ଲା କରି କମ୍ପାଇଦେଉ ସେ ଖଣ୍ଡମଣ୍ଡଳ । ଅନ୍ୟ ଦିନ ଭଳି ଏଇ ସମୟରେ କେହି ଆକଟ କରନ୍ତି ନାହିଁ “ ହେଃ ମାଇକିନିଆ ଝିଅ ଗୁଡାକ, କାହିଁକି ଏତେ ଉଲୁକୁମତା ହେଉଛ? ବାପ ଭାଇ ଅଛନ୍ତି, ଜଣା ପଡୁନି କି ? “ । ଭାରି ଭଲ ଲାଗେ ସେ ଦିନ ସବୁ । ଗାଆଁରେ କୁଆଁର ପୁନେଇଁର ମଜା ନିଆରା।

କୁଆଁର ପୁନେଇଁ ପାଇଁ ପ୍ରସ୍ତୁତି ଚାଲେ ଦଶହରା ପୂର୍ବରୁ । ଲିଆ(ଖଇ )ଭଜା ହେବା ଲାଗି ଅଲଗା ଧାନ ( ମୟୁରକଣ୍ଠା ଧାନ) ପାଗ ହୋଇ ରହିଥାଏ । ବାହାର ଅଗଣାରେ ଚୁଲ୍ଲୀ ପରା ହୋଇ ରହେ ସେଠାରେ ସେଇ ଧାନକୁ ଭାଜି ଲିଆ ଆଉ ଉଖୁଡା କରିବା ପାଇଁ ।

କୁଆଁର ପୁନେଇଁର ଠିକ୍ ଦିନକ ଆଗରୁ ଘରେ ଲିଆ ( ଖଇ) ଭଜା ହୁଏ । ନୂଆ କୁଲା କିଣା ହୋଇ ସେଥିରେ ଘିଅ ହଳଦୀରେ ଛକି ପକା ହୋଇ ସିନ୍ଦୁର ମାରି ଥୋଇଥିବ ବୋଉ। ଅଛଡା ଲିଆ ( ଧାନ ଛାଡିନଥିବା ଖଇ) କୁଲାଏ, ତା’ ସାଥିରେ ଅଛଡା ତାଳଗଜା, ଡେମ୍ଫଲଗା ଜହ୍ନି କଷି , କାକୁଡି କଷି, ପିଜୁଳି କଷି, ଚୋପାଲଗା ଗୋଟାଗୁଆ, ଚୋପାଲଗା ଶୁଖିଲା ନଡିଆ, କଦଳୀ , ଆଖୁ, ଇତ୍ୟାଦି ସଜଡା ହୋଇ ରହିଥିବ ପୂର୍ବଦିନରୁ। କୁଆଁର ପୁନେଇଁ ଦିନ ସିନ୍ଦୂରା ଫାଟିବା ପୂର୍ବରୁ ଅଧା ନିଦରୁ ଟାଣି ଭିଡି ଉଠେଇଦେବ ବୋଉ । ତେଲ ହଳଦୀ ଲଗାଇ ଗାଧୋଇ ଦେଇ, ନୂଆ ଜାମାପଟା ପିନ୍ଧାଇ, ଚନ୍ଦନ ପାଟୀ କରି ସଜେଇ ଅଗଣା ମଝିକୁ ନେଇଯିବ। ତୁଳସୀ ଚଉରା ମୂଳେ ପିଠଉରେ ଚାରିକୋଣିଆ କୋଠି କଟା ହୋଇଥିବ। ପଶ୍ଚିମ ପଟକୁ ଥିବ କୋଠିର ଦ୍ୱାର । ସେଇ କୋଠି ଭିତରେ ଆମ୍ବଡାଳ, ଫୁଲରେ ସଜା ହୋଇ କଳସ ଟିଏ ବସିଥିବ, ନୂଆ କୁଲାରେ ଥୁଆ ହୋଇଥିବ ଅଛଡା ଖଇ ଉପରେ ଜହ୍ନି କଷି, କାକୁଡି କଷି, ପିଜୁଳି କଷି, ଚୋପାଲଗା ଗୋଟାଗୁଆ, ତାଳଗୋଟମା, ନଡିଆ, କଦଳୀ। ଆଉ ଗୋଟିଏ ଅଗିଲା କଦଳୀପତ୍ର ଉପରେ ଥିବ ଦୁବ, ବରକୋଳି ପତ୍ର , ଜହ୍ନି ଫୁଲ ଆଉ ଅରୁଆଚାଉଳ । ଧୂପ,ଦୀପ ଲଗାଇବା ପରେ ମୋତେ ସେଇ କୋଠିଦ୍ୱାର ପାଖରେ ପୂର୍ବ ମୁଖା କରି ଠିଆ କରେଇ ବୋଉ ମୋ’ ହାତରେ କୁଲାରୁ ଆଞ୍ଜୁଳାଏ ଖଇ ରଖି ତା’ ଉପରେ ରଖିବ ସେଇ କଷି ଫଳରୁ ଗୋଟିଏ ଆଉ କହିବ ଉଇଁ ଆସୁଥିବା ଅରୁଣଙ୍କୁ ସେଇ ଆଞ୍ଜୁଳା ଦେଖାଇ ଦି’ଘେରା ବୁଲେଇ ପୁଣି କୁଲାରେ ରଖିଦେବା ପାଇଁ ।

ଏମିତି ସାତ ଥରରେ ସବୁ କଷି ତକ ସାତ ଆଞ୍ଜୁଳାରେ ଉତ୍ସର୍ଗ ହେବ ଉଦୀୟମାନ ଅରୁଣଙ୍କୁ । ତା’ପରେ କ୍ଷୀର ହଳଦୀ ଅର୍ଘ୍ଯ ଦିଆଯିବ ସୂର୍ଯ୍ୟଙ୍କୁ। ବେକରେ ପଣତକାନି ଗୁଡେଇ ବୋଉ ତଳେ ମୁଣ୍ଡ ଲଗାଇ ପ୍ରଣାମ କରିବ ଆଉ ମୋତେ କହିବ ଦଣ୍ଡବତ କରିବା ପାଇଁ । ସେତେବେଳେ ଏହାର ଉଦ୍ଦେଶ୍ୟ ବୁଝି ନଥିଲେ ମଧ୍ୟ ହେତୁ ହେଲା ପରେ ଜାଣିଲି ପିଲା ବେଳେ ବୋଉ ମୋ’ ପାଇଁ ଉଦିତଅରୁଣସମ ରୂପବାନ୍ ଗୁଣବାନ୍ ବଳିଷ୍ଠ ବରଟିଏ ମାଗୁଥିଲା ଠାକୁରଙ୍କୁ ଆଉ ମୋତେ ମଧ୍ୟ ସେଇଆ ମାଗିବାକୁ ପ୍ରବର୍ତ୍ତାଉଥିଲା । କେଡେ ଉଦାର ଆଉ ମହାନ୍ ଏ ମାତୃଜାତିଟି ସତେ। କନ୍ୟା ଟିଏ ଜନ୍ମ ହେବା କାଳରୁ ତା’ ପାଇଁ ସୁରକ୍ଷାର ବଳୟଟିଏ ଆଗ ଖୋଜି ହେଉଥିଲେ !

ସକାଳ ପୂଜା ପରେ ସେଇ କୁଲାଟି ପୁଣି ଫେରିଯାଉଥିଲା ଠାକୁର ଘରକୁ । ଦିନ ଯାକ ପିଠା ପଣା ହୋଇ ସାଇ ପଡିଶାରେ ବଣ୍ଟା ହେଉଥିଲା। ଅପରାହ୍ନରେ ଆଉଥରେ ହେଉଥିଲା ଚନ୍ଦ୍ର ପୂଜାର ପ୍ରସ୍ତୁତି । ସକାଳ ପୂଜାର ସେଇ ଅଛପା ଖଇରୁ ଧାନ ଛଡା ହୋଇ ସେଥିରେ ଛେନା, ନଡିଆ, ଚିନି ବା ଶାକର ଦେଇ କଦଳୀ ପତ୍ର ଉପରେ ତିଆରି ହେଉଥିଲା ସାତୋଟି ଚନ୍ଦ୍ର । ଚନ୍ଦ୍ର ତିଆରି କରିବାରେ ଗୁଡ ବ୍ୟବହାର କରା ଯାଉନଥିଲା, କାଳେ ଗୁଡ ଭଳି କଳା ବର ମିଳିବ ବୋଲି। ପୁଣି ଚନ୍ଦ୍ର ପୂଜା ବିଲୁଆ ଡାକିବା ପୂର୍ବରୁ ଅର୍ଥାତ୍ ସଞ୍ଜ ଗଡିବା ଆଗରୁ ହେଉଥିଲା କାଳେ ଜହ୍ନ ବୁଢା ହୋଇଗଲେ ବୁଢାବର ମିଳିବ ବୋଲି ।

ଅଳତା ,କୁଙ୍କୁମ, ଚନ୍ଦନ ରେ ସଜବାଜ ହୋଇ ଆମେ କଣ୍ଢେଇ ଭଳି ହଳହଳ ହୋଇ ଜମା ହେଉଥିଲୁ ଚଉରା ମୂଳେ । ହାତରେ ଦୀପ ଧରି ସାତୋଟି ଲେଖାଏଁ ଚନ୍ଦ୍ର ଥିବା କଦଳୀପତ୍ରକୁ ବନ୍ଦାପନା କରି ଆକାଶର ଚନ୍ଦ୍ରଙ୍କୁ ମଧ୍ୟ ବନ୍ଦାପନା କରୁଥିଲୁ । ଚନ୍ଦ୍ର ଭଳି ଶାନ୍ତ, ସୁନ୍ଦର ବରଟିଏ କାମନା କରି ଜୁହାର ହେଉଥିଲୁ ଚନ୍ଦ୍ର ଦେବତାଙ୍କୁ । ଭୋଗ ଲାଗିହେଲା ପରେ ଆରମ୍ଭ ହେଉଥିଲା ସାଙ୍ଗସାଥୀଙ୍କ ସହିତ ଚାନ୍ଦ ବସିବାର ପର୍ବ । ସେଇ ଚକଟାଚାନ୍ଦକୁ ପରସ୍ପରକୁ ଖୁଆଖୋଇ ହୋଇ ଝିଅମାନେ ଚାନ୍ଦ ବସନ୍ତି। ପରସ୍ପରକୁ ଆଉ ନାଆଁ ଧରି ନ ଡାକି” ଚାନ୍ଦ” ବୋଲି ଡାକନ୍ତି । ସେଥିରେ ବାଲ୍ୟ କାଳର ବନ୍ଧୁତ୍ୱ ଆହୁରି ଦୃଢୀଭୂତ ହୁଏ , ମନର କଥା କହିବାକୁ ସାଥିଟିଏ ମିଳିଯାଏ କାଳେ । କିଏ ଜାଣେ ଶାଶୁଘରକୁ ଗଲା ପରେ ଆଉ କେବେ ଭେଟ ହେବ କି ନାହିଁ, ଏଇ ଭାବନା ଆସେ ମନରେ । ଆଖି ଛଳଛଳ ଜଳ ହୋଇଯାଏ । ସେଇ ଚାନ୍ଦରୁ କିଛି ଭାଇ ମାନଙ୍କୁ ଖୁଆଇ ସେମାନଙ୍କ ମଙ୍ଗଳ କାମନା କରନ୍ତି ଭଉଣୀ ମାନେ। ଆଉ କିଛି ପୋଖରୀ, ଗାଡିଆରେ ପକାନ୍ତି କଇଁ ମାନଙ୍କ ପାଇଁ । ସଞ୍ଜ ବେଳକୁ ଆରମ୍ଭ ହୋଇଥିବା ପୁଚି ଖେଳ, ଫୁଲ ବଉଳବେଣୀ ଗୀତ.. ଅଧା ରାତି ଯାଏଁ ସରେ ନାହିଁ ।

କେବଳ କୁମାରୀ କନ୍ୟା ମାନଙ୍କ ପାଇଁ ଏ ପର୍ବ ଟି ହୋଇଥିଲେ ମଧ୍ୟ ପିଲାରୁ ବୁଢା ଯାଏଁ ସମସ୍ତେ ଉପଭୋଗ କରନ୍ତି ଏ ପର୍ବର ଆନନ୍ଦ । ଗାଆଁ ଦାଣ୍ଡ ଗହ ଗହ ହୋଇ କମ୍ପୁଥାଏ ଆନନ୍ଦ ଉଲ୍ଲାସରେ। ନୂଆ ଭୂଆଷୁଣୀ ଟିଏ ଗାଆଁକୁ ଆସିଲେ ତା’ ବାପଘରୁ କୁଆଁର ପୁନେଇଁରେ ବଡ ଭାରଟାଏ ଆସିବାଟା ଥୟ। ସେମିତି ଥିଲା ନଥିଲା ଯେଉଁ ଘର ବି ହେଉ ଝିଅ ବାହାଘରର ପ୍ରଥମ ବର୍ଷ କୁଆଁର ପୁନେଇଁ ଭାର ନିଶ୍ଚୟ ଭଲକରି ଦିଆହେବ କାରଣ ସେଇଟା ତା’ର ଶେଷ କୁଆଁର ପୁନେଇଁ ଓଷା। ବାହା ହୋଇ ଗଲା ପରେ ଝିଅ ଆଉ କୁଆଁର ପୁନେଇଁ ଓଷା କରିବ ନାହିଁ । ଗାଆଁ ସାରା ଭାର ଥୋର ବଣ୍ଟା ହେବ, ଭଲ ନହେଲେ ବାପଘରକୁ ଉଲୁଗୁଣା ମିଳିବାଟି ଧାର୍ଯ୍ୟ । ଖୁବ୍ ସୁନ୍ଦର ଆମର ଏ ପରମ୍ପରା, ପାରିବାରିକ ଜୀବନ ଆଉ ସଂହତି, ସଂସ୍କୃତି । ବୋଧହୁଏ ମୁଁ ସେଇ ବର୍ଷଟିଏ ଦେଖିଥିବା, ଖେଳିଥିବା ଆଉ ଭୋଗିଥିବା କୁଆଁର ପୁନେଇଁର ସେ ମଧୁର ସ୍ମୃତିଟି ସାରା ଜୀବନ ମୋ’ର ଅପାଶୋରା ରହିବ। ଆଉ ଅପାଶୋରା ରହିବ କୁଆଁରୀମାନଙ୍କର ସେ ଗୀତ ସବୁ ….
“ କୁଆଁର ପୁନେଇଁ ଜହ୍ନ ଗୋ ଫୁଲ ବଉଳବେଣୀ
କୁମାରୀଏ ଠୁଳ ପୁଚି ଖେଳିବାକୁ, ମନ ହୁଏ ଛନ ଛନ ଗୋ …
କରମଙ୍ଗା ଗଛ ଛାଇ ଗୋ ଫୁଲ ବଉଳବେଣୀ
ବାପା ଯାଇଛନ୍ତି ଜୋଇଁ ଖୋଜିବାକୁ ସାଥିରେ ଯାଇଛି ଭାଇ ଗୋ…
ପୁଚି ଲୋ’ ଘୁଞ୍ଚି ଯା’ … ଓଳିତଳେ ଲୁଚି ଯା’ …
ଠିଆ ପୁଚି ନାରଙ୍ଗ, ଗୋଡ ଦି’ଟା ସାରଙ୍ଗ …

 ଶାରଳା ଭବନ ପୋତାପୋଖରୀ ନୂଆବଜାର କଟକ

Leave A Reply

Your email address will not be published.