Latest Odisha News

BREAKING NEWS

କୁଳାଙ୍ଗାର ଉବାଚ : ରେଳଯାତ୍ରା…. ଜାଣିବା କଥା!

ବନ୍ଧୁଗଣ! ଜାଣି ଖୁସିହେବେ କି
ମୁଁ ଏବେ ବି ସେମିତି ଦରିଦ୍ର ଅଛି;
ତେଣୁ ଦୂରସ୍ଥାନକୁ ବ୍ୟୋମଯାନରେ ନଯାଇ
ଭାରତୀୟ ରେଳରେ ଯାତ୍ରା କରୁଛି!

ସତକଥା ହେଲା ଧାରଣା ଉପରେ
ଧାବମାନ ରେଳର ଗୋଟେ ବାସ୍ନା ଅଲଗା;
ବାରମ୍ବାର ବ୍ୟବହାର କରିକରି
ରେଳ ନିଶାଗ୍ରସ୍ତ ପାଲଟିଚି ଏ ଅଭାଗା ।

ଆଉ ଗୋଟେ କଥା ହେଲା ବସରୁ
ଓହ୍ଲେଇଦେବେ ନଥିଲେ ଟଙ୍କା ପକେଟରେ;
ରେଳରେ କିନ୍ତୁ ଅନେକ ସୁଯୋଗ
ଯାତ୍ରା କରିବାକୁ ବିନା ଟିକେଟରେ!

ଭାରତର ଜନସଂଖ୍ଯା ବୃଦ୍ଧିକୁ ନେଇ
ଯେଉଁମାନଙ୍କର ଏବେ ବି ସନ୍ଦେହ ଅଛି;
ଗୋଟେ ସାଧାରଣ ବଗିରେ ଆରାମରେ
ବସିଯାଆନ୍ତୁ ମନ ପସନ୍ଦର ସିଟଟେ ବାଛି!

ରେଳରେ ଥିବା ଟ୍ୟାପରୁ ବାହାରି ଥାଏ
ଅତ୍ୟନ୍ତ ଖରାପ ପାଣି;
ଅଧିକ ପିଇ ବାରମ୍ବାର ପରିସ୍ରା ଧାଇଁବେ
ତେଣୁ ଏହା ହୋଇଛି ଜାଣିଜାଣି!

ଟ୍ରେନରେ ସବୁଠୁ ଖରାପ ଖାଦ୍ୟ ପରଷି
ମାଗନ୍ତି ଅଧିକ ଟଙ୍କା ଦିଅନ୍ତୁ;
ଉଦ୍ଦେଶ୍ୟ ଆପଣ ବାହାରେ ଥାଇବି
ଘରଖାଦ୍ୟ ଓ ଲୋକଙ୍କୁ ମନେ ପକାନ୍ତୁ!

ସାଧାରଣ ହେଉକି ଶୀତତାପ ନିୟନ୍ତ୍ରିତ
ରେଳଡବାରେ ବାରମ୍ବାର ଚୋରୀହୁଏ;
ସାମାନ୍ୟ ଗାଡି ନୁହେଁ, ଏହା
ସୁଷମ ବଣ୍ଟନର ଭ୍ରାମ୍ୟମାଣ କେନ୍ଦ୍ରଟିଏ!

ବିଳମ୍ବରେ ପହଁଚିବା ନୁହେଁ ଜମା
ଆମ ରେଳସେବାର ଖରାପ ପ୍ରକୃତି;
ଏହା ବାରମ୍ବାର ମନେପକେଇ ଦିଏ କି
ଆପଣ ଆପଣଙ୍କ ପ୍ରିୟ ଭାରତରେ ଅଛନ୍ତି!!

Leave A Reply

Your email address will not be published.