Latest Odisha News

କୁଳାଙ୍ଗାର ଉବାଚ : ଚୋର ଚର୍ଚ୍ଚା

ଚୋରମାନେ ଯଦିଓ କଠିନ ପରିଶ୍ରମ କରନ୍ତି
ଏଠା ମାଲ୍ ନେଇ ସେଠାର ବାକ୍ସରେ ଭରନ୍ତି;

ଧନକୁ ଖେଳାଇ ଅର୍ଥନୀତି ଦୃଢ କରନ୍ତି
ସଭିଏଁ ତାଙ୍କୁଇଁ ଗାଳିମନ୍ଦ କରି ମାରନ୍ତି !

ଚୋରଟି ଅଟଇ କୁଶଳୀ ଓ ପାରିବାର
ଶୋଇଲା ବେଳେ ସେ କରୁଥାଏ ରୋଜଗାର;

ଫିଟ୍ ରହେ ସେ ସଜେଇ ପିଠିକୁ ତାର
ବଢାଇଥାଏ ସେ ମୁଣ୍ଡପିଛା ରୋଜଗାର !

ଏ ଦେଶ ଠାକୁର ନୀଳମାଧବଙ୍କ ଚୋରୀ
ଜଗତନାଥଙ୍କ ମହିମା ନିର୍ମାଣକାରୀ;

ଶ୍ରୀକୃଷ୍ଣ ବିଖ୍ୟାତ କ୍ଷୀର ଦହି ବସ୍ତ୍ର ହରି
ଚୋରମାନେ ତେଣୁ ସଂସ୍କୃତିର ରକ୍ଷାକାରୀ !

ଚୋରୀ କରି କେତେ ଲେଖକ ଓ ବଡ କବି
କହନ୍ତି ଭାବାନୁବାଦ ଓ ସୃଜନ ହବି;

ପୁରସ୍କାର ଓ ସମ୍ମାନ ହାସଲ ପାଇଁକି ଲବି
ବୁଦ୍ଧିଜୀବୀ ସିଏ ଚୋରୀ ଭାବନାକୁ ଭାବି !

ଦକ୍ଷ କଳାକାର ଏବଂ ପ୍ରଯୋଜକ କିଛି
ଚୋରୀ କରିଥାନ୍ତି ସିନେମାକୁ ବାଛିବାଛି;

କାହାଣୀ ସଂଳାପ ଚିତ୍ରନାଟ୍ୟ ସବୁକିଛି
ସିନେମା ଶିଳ୍ପ ଚୋରୀରେ ତ ଚାଲିଅଛି !

ଚୋରଙ୍କ ବେଳକୁ କାହିଁ ପାଇଁ ହୀନିମାନ
ଦେବାକଥା ତାଙ୍କୁ ବଡ ପୁରସ୍କାରମାନ;

କେତେ ଘରୁ ସିଏ ଖୋଳ କରିଦେଇ ଧନ
ପୁନଃଜାଗରଣ ପାଇଁ ଦିଅନ୍ତି ଆହ୍ବାନ !

ପୁଲିସି କୋର୍ଟ୍ ରହିଛି ଚୋରଙ୍କ ପାଇଁ
ପ୍ରୟାସ ବିଫଳ ଚୋର ସୁଧରନ୍ତି ନାଇଁ;

କହନ୍ତି ଆମର ଭବିଷ୍ୟତ ଅଛି ଭାଇ
ଅନେକ ଜିତନ୍ତି ଭୋଅଟେ ଟିକେଟ ପାଇ !

Comments are closed, but trackbacks and pingbacks are open.