Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୩)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’

ଏମ.ଡ଼ି.ଙ୍କ ସହିତ ସାଧାରଣ ଔପଚାରିକତାର ଆଳାପ ଭିତରେ ସମସ୍ତେ ଖାଇବାରେ ବ୍ୟସ୍ତଥିଲେ ।

ମୀନାକ୍ଷି ବି ସମସ୍ତଙ୍କ ମଧ୍ୟରେ ନିଜକୁ ହଜାଇ ଦେଇଥିଲା । ହାଇସ୍କୁଲରେ ଦୁଇବର୍ଷ ଏକାଠି ପଢ଼ିଥିବା ମୁକ୍ତିକାମୀ ସଙ୍ଗିନୀ ମୀନକ୍ଷିକୁ ପଦ୍ମିନୀ ଆଖି ପୂରାଇ ଦେଖୁଥିଲା । ସେଇ ଉଛୁଳା ହସ….ଉନ୍ମୁକ୍ତ ବିଚାର ।

ପୁଡ଼ିଂ ଚାମଚକୁ ପାଟିକୁ ନେଲା ବେଳେ ହଠାତ୍ ପଦ୍ମିନୀର ନଜର ଚନ୍ଦ୍ରଭାନୁଙ୍କ ଅନାମିକା ଉପରେ ଅଟକିଗଲା । ଅତି ସୁନ୍ଦର ଭାବେ ଇଂରାଜୀରେ ‘ମୀନାକ୍ଷି’ ବୋଲି ଅଙ୍ଗୁରୀୟ ଉପରେ ଲେଖାଯାଇଛି ।
ପଦ୍ମିନୀ ଆଖିରେ ଭାସିଉଠିଲା ଏକ ମାଙ୍ଗଳିକ ଉତ୍ସବର ଦୃଶ୍ୟ । ଶୁଭ ବିବାହର ଗୋଟି ଗୋଟି ରୂପ । ଦାମ୍ପତ୍ୟ ଜୀବନର ପ୍ରଥମ ରଜନୀ । ଚନ୍ଦ୍ରଭାନୁଙ୍କ ସହ ଗୋଟିଏ କୋଠରୀରେ କଟାଇଥିବା ସେଇ ଅବିସ୍ମରଣୀୟ ପ୍ରଥମ ରାତି । ସେଇ ରାତି ଚନ୍ଦ୍ରଭାନୁଙ୍କ ଡାହାଣ ହାତର ଅନାମିକାରେ ସେ ପିନ୍ଧାଇ ଦେଇ ଥିଲା ପ୍ରେମ- ବିଶ୍ୱାସ ଓ ଆତ୍ମସମର୍ପଣର ବାହ୍ୟ ନିଦର୍ଶନ ସ୍ୱରୂପ ସ୍ୱନାମାଙ୍କିତ ମୁଦ୍ରିକାଟିଏ । ନବ ବିବାହିତା ପତ୍ନୀକୁ କଣ୍ଠଲଗ୍ନା କରି ସେ ଶପଥ ନେଇଥିଲେ, ଆଜୀବନ ଦୁଇଟି ହୃଦୟକୁ
ଗୋଟିଏ ସୂତ୍ରରେ ବାନ୍ଧି ରଖିବା ପାଇଁ ।

ସେଇ ମଣିଷ ଅଛି । କିନ୍ତୁ ପରିବର୍ତ୍ତିତ ମନର ଗୋଟିଏ ଚୋଟରେ ସୂକ୍ଷ୍ମ ଡୋରିଟି ଛିଣ୍ଡି ଯାଇଛି । ସେଇ ଛିଣ୍ଡା ଡ଼ୋରିକୁ ଯୋଡ଼ି ନ ପାରି ପଦ୍ମିନୀ ଆଜି ଅନେକ ପୁରୁଷ ମେଳରେ ଜୀବନର ବଳିଷ୍ଠ ଅଭିନୟ କରି ଯାଉଛି ।

ସମସ୍ତଙ୍କ ଖିଆ ସରିଥିଲା । କମ୍ପାନୀର କର୍ମଚାରୀ ଗହଣରୁ ଶୁଭ ବିଦାୟ ନେଇ ଚନ୍ଦ୍ରଭାନୁ ଗାଡ଼ିରେ ବସିଲେ । ମୀନାକ୍ଷି ପଦ୍ମିନୀର ହାତ ଧରି କହିଲା, ଘରକୁ ଆସିବୁ ପଦ୍ମିନୀ…. ମିଷ୍ଟରଙ୍କୁ ନେଇ…. । ମନେ ଅଛି, ‘ଗାନ୍ଧୀ କୈଳାସ’ ଉପରେ କ’ଣ କହିଥିଲି । ନିମନ୍ତ୍ରଣ ରହିଲା…. ଉଭୟଙ୍କୁ …. ବାଏ…. ।

କ୍ରମଶଃ

Leave A Reply

Your email address will not be published.