Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୬)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’

ହାତ ବଢ଼ାଇ ନିକଟରେ ଥିବା ସୁଟକେଶରୁ ଚନ୍ଦ୍ରଭାନୁଙ୍କର ଫଟୋ ଖଣ୍ଡିକ ବାହାର କଲା ପଦ୍ମିନୀ । ବ୍ଲାକ ବେକ୍‌ଗ୍ରାଉଣ୍ଡ୍ ଭିତରେ ଜଳି ଉଠୁଛି ତାଙ୍କର ପ୍ରତିଛବି; ଠିକ କଳା ରାତିରେ ଚନ୍ଦ୍ରମାର ଜ୍ୟୋତି ପରି । ଦୁଇ ଆଖି କୋଣରେ ତା’ର ଲୁହ ଜକେଇ ଆସିଲା । ଆବେଗର ସହ ଫଟୋଟିକୁ ଛାତିରେ ଚାପି ଧରିଲା ସେ । ତା’ରି ଭିତରୁ ଅନୁଭବ କରିବାକୁ ଚାହୁଁଥିଲା ଚନ୍ଦ୍ରଭାନୁଙ୍କ ବକ୍ଷର ଉଷ୍ମତା; କିନ୍ତୁ ନିର୍ଜୀବ ଫଟୋ ଖଣ୍ଡିକରୁ ସେ କିଛି ବି ପାଇଲାନି । ତା ମୁହଁରୁ ଅନାୟାସ ବାହାରି ଆସିଲା- ଓଃ ତମେ କେଡ଼େ ନିଷ୍ଠୁର ! ଏତେ ନିକଟରେ ଦେଖି ମଧ୍ୟ ପଦ୍ମିନୀ ପାଇଁ ତୁମ ମନରେ ଟିକିଏ ବି ଭାବାନ୍ତର ଆସିଲାନି ? ବିଶ୍ୱାସର ସ୍ମୃତି ତୁମ ପିତୃତ୍ୱକୁ ତିଳେ ମାତ୍ର ରୋମାଂଚିତ କଲାନି ?

ଫଟୋଟିଏ ମୁହଁରେ ଚାପି ଧରି ଥିବା ଅବସ୍ଥାରେ ହଠାତ୍ ପଦ୍ମିନୀକୁ ଦେଖି ସରୋଜ ସାମାନ୍ୟ ବିଚଳିତ ହୋଇଗଲେ । ଆଗକୁ ବଢ଼ୁଥିବା ପାଦ ତାଙ୍କ ସେଇଠି ଅଟକି ଗଲା । ସଦା ଚଳଚଞ୍ଚଳ ସତେଜ ପଦ୍ମିନୀକୁ ଏଇ ଅବସ୍ଥାରେ ଦେଖିବେ ବୋଲି ସେ ଭାବି ନଥିଲେ । ଏଇ କେତେ ଦିନ ଭିତରେ ପଦ୍ମିନୀକୁ ସେ ଯେତିକି ଜାଣନ୍ତି-ଖୁବ୍ କମ୍ କଥା କହି, କେବଳ କାମରେ ଲୋଟଣି ପାରା ଭଳି ଲାଗି ଥିବା ଏ ନାରୀ ଜଣକ ଏତେ ଦୁର୍ବଳ ଓ ଅଧୀର ହୋଇପାରେ, ସେ ବିଶ୍ୱାସ କରି ପାରୁ ନଥିଲେ ।

ମୁହଁରେ ଅନୁସନ୍ଦିତ୍ସାର ଆଭା ଉକୁଟାଇ ସେ ଡାକିଲେ, ପଦ୍ମିନୀ… ।

ପଦ୍ମିନୀ ଭିଜା ପଲକକୁ ଉପରକୁ ଉଠାଇଲା । ତା’ ହାତରେ ଥିବା ଫଟୋଟିକୁ କୌତୁହଳର ସହ ସେ ଭିଡ଼ି ନେଲେ । ଦେଖୁଦେଖୁ ତାଙ୍କ ମୁହଁରେ ଚହଟି ଉଠିଲା ବିସ୍ମୟର ଭାବ । ସେଇ କୋଠରୀ କାନ୍ଥରେ ଟଙ୍ଗା ହୋଇଥିବା ଚନ୍ଦ୍ରଭାନୁଙ୍କର ବିରାଟ ପ୍ରତିଛବି ଏବଂ ହାତରେ ଧରିଥିବା ଫଟୋଟିକୁ ଥରେ ଦୁଇଥର ଚାହିଁବା ପରେ, ଖୁସି ଖୁସି ଭାବ ନେଇ ପଦ୍ମିନୀ ଉଦ୍ଦେଶ୍ୟରେ କହିଲେ-ମି. ପଟ୍ଟନାୟକଙ୍କ ଫେରିବା ଦିନ ପାଖେଇ ଆସିଲାଣି ପଦ୍ମିନୀ । ତମେ ହିଁ କହିଥିଲ ନା, ଆଉ ଅଳ୍ପଦିନ ଅଛି । ଏଇ କିଛି ମାସର ବିରହ ତମ ଦିହିଁଙ୍କ ଆଗାମୀ ଜୀବନକୁ ରସସିକ୍ତ କରିବ । ତମ ଆଖିରୁ ଝରୁଥିବା ଏ ଅନୁରାଗର ଅଶ୍ରୁ ମି. ପଟ୍ଟନାୟକଙ୍କୁ ସାଫଲ୍ୟର ସହ ବିଦେଶରୁ ଫେରାଇ ଆଣିବ ।

 

Leave A Reply

Your email address will not be published.