Latest Odisha News

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୨୫)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’

ଆସନ୍ନ ସନ୍ଧ୍ୟାର ଆଗମନ ଦେଖି ଚନ୍ଦ୍ରଭାନୁ ଘରକୁ ଯିବା ପାଇଁ ଉଦ୍ୟତ ହେଲେ । ଛଳଛଳ ଆଖି ନେଇ ଉମା ତାଙ୍କ ପଥ ଓଗାଳିଲା । କଣ୍ଠରେ ତା’ର ଥିଲା ସୀମାହୀନ କାରୁଣ୍ୟ-ତମେ ମତେ ବିବାହ କରିବ ନା ?

– କାହିଁକି ? ଏବେ ବି ତୋ’ର ବିଶ୍ୱାସ ହେଉନି ଉମା ? ଆମ ରାସ୍ତାରେ ଯେ କଣ୍ଟା ହୋଇଥିଲା, ଗତ ରାତିରୁ ସାପ କାମୁଡ଼ାରେ ସେ ମରିଯାଇଛି । ଏବେ ଆମ ରାସ୍ତା ପରିଷ୍କାର । ଯା’ ଘରକୁ… କାହାକୁ କହିବୁନି… ।

ଗାଁର ଏହି ପରିଚିତ ଯୁବକ ଉପରେ ଅଖଣ୍ଡ ବିଶ୍ୱାସ ରଖି ଉମା ଘର ଦିଗେ ଚାଲିଲା । ଆଉ ଚନ୍ଦ୍ରଭାନୁ… ତାଙ୍କ ଆକାଶରେ ଉଇଁଥିବା ଏଇ ତାରାଟିକୁ ନଷ୍ଟ କରିସାରି ଆପଣା ପୌରୁଷକୁ ଧନ୍ୟ ମନେ କଲେ ।

ଗ୍ରୀଷ୍ମାବକାଶର ଅଳ୍ପ କେତୋଟି ଦିନ ଗାଁରେ ରହିବା ଭିତରେ, ହଠାତ୍‌ ତାଙ୍କର ପୋଷ୍ଟିଂ ଅର୍ଡର ଆସିଲା ରାଉର୍‌କେଲାରୁ । ଭଞ୍ଜନଗରର ପରିଚିତ ବନ୍ଧୁ, ଶୁଭେଚ୍ଛୁ ଅଧ୍ୟାପକ ଏବଂ ଅନ୍ୟମାନଙ୍କଠାରୁ ବିଦାୟ ନେଇ ସେ ନୂତନ କର୍ମସ୍ଥଳୀକୁ ଗଲେ । ନୂଆ ଅଧ୍ୟାପକ ଚାକିରି ତାଙ୍କୁ ଖୁବ ଭଲ ଲାଗିଲା । ତାଙ୍କର କୋମଳ, ମଧୁର କଣ୍ଠର ଓଜସ୍ୱିନୀ ପ୍ରକାଶଭଙ୍ଗୀ ପାଇଁ ଛାତ୍ରଛାତ୍ରୀଙ୍କ ଗହଣରେ ଖୁବ୍ କମ୍‌ ଦିନରେ ସେ ପ୍ରିୟ ଅଧ୍ୟାପକ ହୋଇଗଲେ ।

ଏକଦା କୌଣସି ଏକ ବିବାହ ଉତ୍ସବରେ ତାଙ୍କର ସାକ୍ଷାତ ହେଲା ଉଷା ସହ । ଅପରୂପା ରୂପସୀ ଉଷାର ସୌନ୍ଦର୍ଯ୍ୟରେ ପାଗଳ ହୋଇ ଉଠିଲେ ଚନ୍ଦ୍ରଭାନୁ ।

ଉଷାର ଯୌବନ ଆଗରେ ତାଙ୍କର ଶିକ୍ଷା, ସାମାଜିକ ମର୍ଯ୍ୟାଦା, ପାରିବାରିକ ଆଭିଜାତ୍ୟ ସର୍ବୋପରି ବାଲ୍ୟ ସଙ୍ଗିନୀ ଉମା- ସବୁକିଛି ତୁଚ୍ଛ ମନେ ହେଲା । ସେ ଭୁଲିଗଲେ, ସେ ଦିନ କାଳିଙ୍ଗା ଘାଟୀ ତଳର ଢ଼ଳଢ଼ଳ ନୟନା, ବିଶ୍ୱାସର ଅନୁକମ୍ପା ପ୍ରାର୍ଥିନୀ ଉମାର ନିବେଦନ । ଯୌବନ ମଦିରାସକ୍ତ ତାଙ୍କର ଆଖିରେ ଅହରହ ନାଚି ଉଠୁଥିଲା ଉଷାର ରୂପ । ତାଙ୍କ ତାରୁଣ୍ୟର ଦୁର୍ବାର ସ୍ରୋତର ଭଉଁରୀ ଭିତରେ କ୍ଷୁଦ୍ର କାଠି ଖଣ୍ଡେ ଭଳି କେତେବେଳେ କି ଉଷା ବାନ୍ଧିହୋଇ ଘୂରି ବୁଲିଲା, କାହା ପାଖରେ ବି ସେ ଖବର ନଥିଲା ।

 

କ୍ରମଶଃ

Leave A Reply

Your email address will not be published.