କଥାକଥାକେ ଭର୍ତ୍ସନା କଲେ ବିରକ୍ତ ଲାଗେ। ମାଆ ଶୁଣି ଅଶୁଣା ହୁଏ। କୋଉଠୁ ଯାଇକଥା ସେଇ ମାମୁଁଘରେ ଛିଡେ। ଚନ୍ଦ୍ରା ଆଜିକାଲି ରାଗିଲେ ଲୁଚେଇକିରଖୁନି ଆଉ , ପ୍ରକାଶ କରିଦେଉଛି, କାମରେ କି କଥାରେ ବା ବ୍ୟବହାରରେ । ଜଣେ ଜାଣିବା ଦରକାର ଖରାପ ବ୍ୟବହାର କଲେ ସାମ୍ନାଲୋକକୁ କେମିତି ଲାଗେ।
କେତେ ବର୍ଷ ହବ ଯାଇନି ମାମୁଁ ଘରକୁ। ଏଇ ଯୋଉ ଚାକିରି ଛୁଟିପାଇଁ କହିବାକୁ ବଡ ଖରାପ ଲାଗେ। ଦେହ ଭୀଷଣ ଖରାପ ନହେଲେ ସବୁଦିନ ଯାଏ ଚନ୍ଦ୍ରା। ନ ଗଲେ ଆଗରୁ ଜଣେଇବାକୁ ପଡେ। ତା’ ଭାଗର କାମ ଲିଜା କରେ। ଡକ୍ଟର ଆଣ୍ଟି ଖାଇବାକଥା ବୁଝନ୍ତି। ଘର ସଫାସୁତୁରା ହୋଇପାରେନା ସେଦିନ। ଜବା ଉପରେ ଅଧିକ ଚାପ ପଡେ। ମିଛ କହି ଛୁଟି ନେବାକୁ ସେ ଭଲ ପାଏନା ବୋଲି ସବୁ ଭୁଲି ପ୍ରତିଦିନ ନିର୍ଦ୍ଦିଷ୍ଟ ସମୟରେ ପହଞ୍ଚି ଯାଏ ଇଚ୍ଛା ନଥିଲେ ମଧ୍ୟ। ଘରେ ମାଆର କୁନ୍ଥେଇହବା, ଚିତ୍ରାର ପାଠ , ଲିପୁନ ର କେଁକାଁ, ଘରକାମ ଓ ପାର୍ଲୋର କାମସହ ଆଣ୍ଟିଙ୍କ ସେବା ସବୁ ମିଶିଲେ ଜୀବନ ଅଧାପ୍ରାଣ। ସତ କହିବାକୁ ଗଲେ ଆଣ୍ଟିଙ୍କ ପାଖରେ ବିଶ୍ରାମ ଏକପ୍ରକାର ମିଳେ।ନ’ଶହ ପଚାଶ ସ୍କୋୟାର ଫୁଟରେ ଘର। ଭେକ୍ୟୁମକ୍ଲିନରରେ ଅଧା କାମ ହୁଏ। ମେସିନରେ କାମ ସହଜ ହୋଇଯାଏ। ସବୁତ ପ୍ରାୟ ମେସିନରେ ହୁଏ। ନିତି ପ୍ରତି କରିବାକୁ ପଡେ ଯାହା । ଢିଲା ନାହିଁ ଜମା କାମରେ।
ରୂପନାରାୟଣର କୂଳେ କୂଳେ ସବୁଜ ପନିପରିବାର ମାଠ, ପାଳ, ଉର୍ବର ପଟୁମାଟିର ଜମି।ମାମୁଁଘର ଗାଁରେ କି ମଜା। ବର୍ଷ ସାରା ଯେବେଗଲେ ନଦୀ ବହୁବର୍ଣ୍ଣା ହୋଇଥାଏ ଇନ୍ଦ୍ରଧନୁ ସ୍ବପ୍ନ ଦେଖାଇବାକୁ। ରଙ୍ଗରଙ୍ଗିଆ ପ୍ରଜାପତି ସହ ବନ୍ଧୁତା କେବେ କଙ୍କି ସହ ଲୁଚକାଳି ଖେଳ ଆମୋଦିତ କରେ। ତେଣ୍ଡାରେ ନଦୀରୁ ପାଣି ଉଠେଇ ତେଣ୍ଡିବାର ମଜା ଏକବାରେ ଅଲଗା। ତାଳଗଛକୁ ଫାଳ କରି ତେଣ୍ଡାଏ ପାଣି ଢାଳିଲେ ପଟାଳି ପାଖରେ ପହଞ୍ଚିଯାଏ। ପତ୍ରଟେ ପକେଇଲେ ହଲିଦୋହଲି ଆଗାଏ। କେବେ ଅଟକିଯାଏ ତାଳଗଛର ଖୁଞ୍ଚରେ। ବହିପାଠକୁ ଏଇଠି ସତସତିକା ଦେଖିଦେଖି ବଡ ହୋଇଚି ପରା। ଭାର ଉତ୍ତୋଳନ ଦଣ୍ଡ କେତେକ’ଣ। କପିକଳ,ଗୁଆକାତି ଏସବୁରେ ବିଜ୍ଞାନ ଅଛି। ଜୀବନ ଆଉ ବିଜ୍ଞାନ ଓତଃପ୍ରୋତ ଭାବରେ ଜଡ଼ିତ।
ଶଗଡରେ ପରିବା ବୋଝେଇହୋଇ ହାଟକୁ ଯିବାର ବେଳ । ହାଟରୁ ଆସିଥିବା ବୁନ୍ଦିଲଡୁ, ଗରମ ଝିଲାପି, କ୍ଷୀରଗଜା ସ୍ବାଦ ମନେ ପଡିଯାଉଚି । ହଳିଆ, ମୂଲିଆଙ୍କ ସହ ବାଡିପଟ ଉଚ୍ଚା ବାରଣ୍ଡାରେ କଦଳୀ ପତ୍ରରେ ନାଲି ଚାଉଳର ବାମ୍ଫଉଠା ଭାତ ସହ ଫୁଲକୋବିର ପତଳାଝୋଳ ଆଉ ଖମ୍ବାଳୁ ଭଜା, ଶାଗର ମୋହ କଟୁନି ଜମା। ସାର, ଖତ ନୁହେଁ ପଟୁମାଟିର କମାଲ ସେସବୁ। କେବେ କେବେ ବନ୍ୟାରେ ଭାସିଆସେ ଲଙ୍କା କି ବୋଇତାଳୁ ମଞ୍ଜି। ଆଉ ଯୋଉ ଫଳେ , ଖାଇଲେ ବୋହିଲେ ସରେନି।
ବର୍ଷସାରା ସୂର୍ଯ୍ୟାସ୍ତ ଓ ସୂର୍ଯ୍ୟ ଉଦୟ ସହ ରୂପନାରାୟଣ ଦେଖାଯାଏ ମନୋରମ। ସୂର୍ଯ୍ୟ କିରଣ ଓ ବହିଯାଉଥିବା ପାଣି ମିଶି ନୂଆ ଏକ ସୁନ୍ଦରରୂପରେ ଉଦ୍ଭାସିତ ହୁଏ। ଆକାଶରେ ନାଲି ଛିଟା ପାଣିରେ ପ୍ରତିଫଳିତ ହୁଏ। ଉପଭୋଗ୍ୟ ସେ ସମୟ। ଆଉ ଖରା ବଢିଲେ ସ୍ବର୍ଣ୍ଣାଭ ବାଲି ସତେକି ମରୁଭୂମି ଆଉ । ଗାମୁଛା ଭିଜେଇ ଆଣିଥିଲେ ପାଦରେ ଟିକିଏ ଚିପୁଡି ତାତିଲା ବାଲିରୁ ରକ୍ଷା ମିଳିଯାଏ। ସେବେଳେ ଚପଲ କିଏ ପିନ୍ଧୁଚି ମ। ପାଣିରେ ଭାସିଯାଏ କେତେଥର ଚପଲ, ଗାମୁଛା । ଯାଉ। ଗାନ୍ଧିଜୀ କେମିତି ଭସେଇ ଦେଇଥିଲେ ଲୁଗା। ‘ଆଉ ଛାର ନାଲିଗାମୁଛାଟା ଭସେଇଦେଲିତ କ’ଣ ହେଲା।’ ଗାଳିକୁ ନ ଡରି ଜବାବ ଦେଇଥିଲା ଛୋଟ ଚନ୍ଦ୍ରା। ବାପୁ, ସତକହିବାକୁ ଶିଖେଇଚନ୍ତି ନା । ଗୀତାଦିଦି କୁହନ୍ତି ତ ସେମିତି। ସତ କହିବାକୁ କିଆଁ ଡରିବି ପ୍ରାର୍ଥନାରେ ଅଛି ଯେ।
ବର୍ଷାରେ ନଦୀ ଫୁଲିଯାଏ। ଗୋଳିଆ ପାଣିକୁନେଇ ଭୟଙ୍କର ରୂପ ଧରେ। ସେବେଳରେ ମାଛ ଯେ ମାଛ ଖାଅ ଯେତେ ଖାଇବ।ପ୍ରକାର ପ୍ରକାର ମାଛ।ପ୍ରକାର ପ୍ରକାର ତରକାରୀ। କି ମଜା। ଗରମ ମାଛଭଜା ଆଃ। ନଈ ବାଉଳା କରେ। ଆକୃଷ୍ଟ କରେ। ଉତ୍ତଳା କରେ। ଧାଇଁଯାଏ ତା’ ପାଖକୁ। ଟିକିମନ ପୁଲକିତ ହୁଏ। ସତେକି ସେ କଥା ହୁଏ ଅକୁହା ଭାଷାରେ !
ଦିନଗୁଡ଼ିକ କେତେ ମିଠା ଥିଲା। ଆକଟ କମ, ଖେଳ ବେଶି, ମଉଜ ଅଧିକ। ଛୁଟି ସରିଗଲା ପରେ ବି ମାଆ ଆସେନା। ଯୋଉ ସ୍କୁଲରେ ବସିଗଲେ ଚଳେ। ନାଁ କଟିଯାଉନଥିଲା ତ। ସରକାରୀ ସ୍କୁଲ ପରା ।ଅଜା, ଆଈ ଖୁସି ହୁଅନ୍ତି ବେଶିଦିନ ରହିଲେ । ଆଈ କେତେପ୍ରକାର ରାନ୍ଧେ ଯେ …। ତା’ ହାତରେ ଛତୁ ପତୁଆ ଆଉ ବୋଇତାଳୁ ଫୁଲଭଜା ଏବେ ବି ଜିଭ ପାଣି ପାଣି। ଆଣ୍ଟି ପାଇଁ କରିହୁଅନ୍ତା ସବୁ। କିନ୍ତୁ ସେ ଭଲ ଥିଲେ ସିନା।କାଳେ ତଣ୍ଟିରେ ଲାଖିଯିବ, ସେଇ ଭୟ ତ ଗୋଡେଇ ଖାଇଯାଉଚି।
କାହିଁକି ଗାଈ ବାଘ ପାଖକୁ ଯାଏ , ଟିକି ବାଛୁରୀକୁ ‘ରହ ଟିକେ ଆସୁଚି’ କହି।ମାଆ ଯଦି ଛାଡିଚାଲିଯିବ ଆଉ କିଏ ଅଛି ତା’ର। ନୀରିହ ଆଖିରେ ଢେଉ ଉଠେ । ଚନ୍ଦ୍ରା ପିଲାବେଳୁ ସେମିତି । ଛେଉଣ୍ଡ ହରେଇବା ଦୁଃଖ ଖାଇଗୋଡାଏ। ବଉଳାଗାଈ କହିଲେ କାନ୍ଦିକାନ୍ଦି ଅଥୟ। ବାଲିରୁ ଦୁବଘାସ ଛିଣ୍ଡେଇ ଗାମୁଛାରେ ବାନ୍ଧି ନୂଆ ବାଛୁରୀ ଓ ତା’ ମାଆ ଧଳି ପାଇଁ ଆଣେ । ମାଆ ଧଳା ଆଉ ବାଛୁରୀ କଷରା, ଛୋଟ ଚାନ୍ଦଟିଏ ତା’ ମୁଣ୍ଡରେ। ଭାରି ସୁନ୍ଦର ସେ। ସେ ଚାଲେନି ତ ଦୌଡେ।ତା’କୁ ଚାନ୍ଦି ଡାକିଲେ ସମସ୍ତେ ଏଇ ଚନ୍ଦ୍ରା ପାଇଁ। ଭାଲିଆ, କଉଡିକୁ ବାନ୍ଧି ତା’ ବେକରେ ଗଳାଯାଇଚି। ସେ ଘାସ ଖାଏନା।ତା’ ମାଆ ଖାଏ। ବଦଳରେ ଅମୃତ ଦିଏ।ଚାନ୍ଦି ପିଇସାରିଲା ପରେ ଯାହା ବଳେ ଆମର ସେସବୁ। ଆମ ଅମୃତ , ଭାରି ମିଠା ।ମାଟିଢାଳରେ ଧିମା ଆଞ୍ଚରେ ଆଉଟା ନିରୁତା କ୍ଷୀର ସ୍ବାଦ ଅସାଧାରଣ। କ୍ଷୀର ମଣ୍ଡା ଆଃ କି ଅପୂର୍ବ ! ଯିଏ ଚାଖିଚି, କେବଳ ସେହିଁ କହି ପାରିବ ସ୍ବାଦ । ଗୋପାଳଭୋଗ ଚାଉଳର କ୍ଷୀରି, ଖେଚୁଡି ଅନନ୍ୟ ସତରେ। ତୁହାଇ ତୁହାଇ ମନକୁ ଆସୁଚି ସେସବୁ। ସତରେ ଯେମିତି ସମୟ ଅଟକି ଯାଇଚି । ଜମା ଆଗକୁ ଗଡୁନି। ପିଲାଦିନ ,ମିଠା ପିଲାଦିନ, ଅନେକ ସ୍ବପ୍ନ ଅନେକ ଭାବନାର ସମ୍ମିଶ୍ରଣ।
Comments are closed.