Latest Odisha News

ଓଡ଼ିଶା ସମେତ ୫ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

ନୂଆଦିଲ୍ଲୀ : ରାଜ୍ୟମାନଙ୍କରେ ବିମାନ ଚଳାଚଳ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ଗୁରୁତ୍ବ । ନିଆଯାଉଥିବାବା ପଦକ୍ଷେପକୁ ତ୍ବରାନ୍ବିତ କରିବା ଲାଗି ମୁଖ୍ୟମନ୍ତ୍ରୀମାନଙ୍କର ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଏହି ପ୍ରସଙ୍ଗରେ ସେ ଓଡ଼ିଶା ସମେତ କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ନାଗାଲ୍ୟାଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି । ଦେଶରେ ବିମାନ ଯାତ୍ରୀଙ୍କ ଚାହିଦା ପୂରଣ କରିବା ଲାଗି ଆସନ୍ତା ୪-୫ ବର୍ଷ ମଧ୍ୟରେ ଭାରତୀୟ ବିମାନବନ୍ଦର ପ୍ରାଧିକରଣ ପକ୍ଷରୁ ୨୦ ହଜାର କୋଟି ଟଙ୍କା ବ୍ୟୟ କରାଯାଇ ବିଭିନ୍ନ ବିମାନ ବନ୍ଦରର ବିକାଶ ଓ ସମ୍ପ୍ରସାରଣ କରାଯିବ ।

ଓଡ଼ିଶାରେ ବିମାନ ଚଳାଚଳ କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟକାରିତା ଲାଗି ଗୁରୁତ୍ବ ବହନ କରୁଥିବା ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏଏଆଇ ପକ୍ଷରୁ ଝାରସୁଗୁଡ଼ା ବିମାନ ବନ୍ଦରର ଦ୍ବିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ପାଇଁ ୧୭୮ ଏକର ଜମିର ଆବଶ୍ୟକତା ରହିଛି । ବର୍ତ୍ତମାନ ସୁଦ୍ଧା ଏହି ଜମି ହସ୍ତାନ୍ତର କରାଯାଇନାହିଁ । ସେହିପରି ଆଞ୍ଚଳିକ ଯୋଗାଯୋଗ ଯୋଜନା-ଉଡ଼ାନ ଅନ୍ତର୍ଗତ ବିମାନ ଚଳାଚଳ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଯଥାଶୀଘ୍ର ଜୟପୁର ଏବଂ ଉତକେଲା ବିମାନ ବନ୍ଦର ବିକଶିତ କରାଯିବାର ଆବଶ୍ୟକତା ରହିଛି ।

ଆଞ୍ଚଳିକ ବିମାନ ଯୋଗାଯୋଗ ଫଣ୍ଡ ଟ୍ରଷ୍ଟ ପାଇଁ ଭିଜିଏଫ ଅଂଶଧନ ଭାବେ ରାଜ୍ୟ ସରକାରଙ୍କ ଉପରେ ୧.୪୮ କୋଟି ଟଙ୍କା ବକେୟା ରହିଛି । ଭୁବନେଶ୍ବର-ଦୁବାଇ, ଭୁବନେଶ୍ବର-ଆବୁଧାବି, ଭୁବନେଶ୍ବର-ବ୍ୟାଂକକ୍, ଭୁବନେଶ୍ବର-କ୍ବାଲାଲୁମ୍ପୁର, ଭୁବନେଶ୍ବର-କଲମ୍ବୋ, ଭୁବନେଶ୍ବର-ସିଙ୍ଗାପୁର ଏବଂ ଭୁବନେଶ୍ବର-କାଠମାଣ୍ଡୁ ମାର୍ଗରେ ଅନ୍ତର୍ଜାତୀୟ ଉଡାନ୍ ବିମାନ ଚଳାଚଳ ନିମନ୍ତେ ୧୦୦ ପ୍ରତିଶତ ଭିଜିଏଫ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ସହମତି ଦେଇପାରିବେ । ୧୦୦ ପ୍ରତିଶତ ଭିଜିଏଫ ସମର୍ଥନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସହମତି ପ୍ରଦାନ କରାଯିବା ପରେ ବିମାନ କମ୍ପାନୀ ଗୁଡ଼ିକ ପାଇଁ ବିଡିଂ ନିମନ୍ତେ ଏସବୁ ମାର୍ଗକୁ ଖୋଲାଯିବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଚିଠିରେ ଦର୍ଶାଇଛନ୍ତି ।

Leave A Reply

Your email address will not be published.