ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୭
ବିଦୁରନୀତି ଯାହା ମୂଳରୁ ଆମ ସହିତ ଅଛି ତା’କୁ ଭୁଲିଯାଉଚି ମଣିଷ, ଅଣଦେଖା କରୁଚି ଯୁଗ।ଖାଲଢିପରେ ସେ ରକ୍ଷାକବଚ। ସେଇ କଥାରେ ଅନୁଭୂତି ମିଶେଇ କୌଟିଲ୍ୟ କଲେ ଯେଉଁ ନୀତି ତାକୁହିଁ ଆମେ କଣ୍ଟାରେ ନ ଝୁଣ୍ଟିବା ପାଇଁ ପଢୁ ବାରବାର । ଭୀଷ୍ମ ଶରଶଯ୍ୟାରେ ଯୁଧିଷ୍ଠିରଙ୍କୁ ଯେଉଁ ନୀତିକଥା କହିଥିଲେ, ସେଥିରେ ବି ରହିଚି ଜୀବନପ୍ରତି ଇଙ୍ଗିତ। ପୁଣି, ବିଶ୍ରବାପୁତ୍ର ରାବଣର ଶେଷ ସମୟର ବାକ୍ୟ ସବୁଠି ରହିଚି ନିୟମନୀତି ଜୀବନ ସଂସାର ଚତୁରତା ; ସର୍ବୋପରି ମାନବିକତାର ଗାଥା। ଆଜି ସେସବୁକୁ ଖୋଜିଲୋଡି ପଢିବ କିଏ , ଶୁଣିବ କିଏ କାହା କଥା।ସମସ୍ତେ ଯେ ଝା’ ହାତରେ ଚଉଦ ପା’ ଏବେ।
ନିଭୃତରେ ବସିଲା ବୈଠକ। ବାପା, ଦିନୁକକେଇ ଆଉ ଅନୀଲଭାଇ ମିଶି ବହୁତ ଆଲୋଚନା କଲେ। ମାଆ ସେ ଜାଗାକୁ ଯାଏନି ।ଆଉ ପ୍ରଶ୍ନ ଉଠୁନି ମୋ’ ପାଇଁ। ଜାଣେନି କି କଥା ହେଲେ , ଖାଲି ବୁଝୁଥିଲି ଗୁପ୍ତ ଆଲୋଚନା ସଫଳ ହେବ ତାଙ୍କର ।ଦିଦି ଆସିବ , ପୁଣି ଆମେ ଯେମିତି ଥିଲୁ ସେମିତି ରହିବା। ଆମ ଘରେ ଏ ଦୁଃସ୍ଥିତି , ଅଥଚ ସୂର୍ଯ୍ୟ, ଚନ୍ଦ୍ର ଆତଯାତ ଠିକ୍ ସମୟରେ। ଶାଗ ପଟାଳି ବଢୁଚି ନିୟମିତ ଭାବରେ। କାଉ,ବଣି ଉଡୁଚନ୍ତି ମନ ଖୁସିରେ। କାହାରି କିଛି ଯାଉନି, କେହି କଷ୍ଟ ପାଉନି, ଅଥଚ ଆମେସବୁ ମିଳିମିଶି ଅଛୁ ବୋଲି ଭାବୁଚୁ କିପରି ? ନା, ନା ଆମେ ସବୁ ନିଜ ନିଜ ରାଜ୍ୟର ମାଲିକ, ନିଜ ଇଲାକାର ଅଧୀଶ୍ବର, ନିଜ ଭାବନାର ଏକଛତ୍ର ସମ୍ରାଟ।
ଉତ୍ତାଳ ସମୁଦ୍ର ଏବେ ଆଖିରେ ବସିଚି। ଲୁଣିପାଣି ଜୀବନ ରଖେକି ନେଇଯାଏ। ମୋହଗ୍ରସ୍ତ କରାଏ। ଆଉ ଫେରାଏ ଯାହା ସେଥିରେ ଅନ୍ୟ କାହାର ଅଧିକାର ଥାଏ।
କଇଁ ପୋଖରୀ, ଠକଠକି ନଈ , ବେଙ୍ଗ ଗଡିଆ, ସାପୁଆଝର, ସବୁ ମିଶିଯାଏ ଗୋଟିଏ ବିନ୍ଦୁରେ। ପାଣି ସବୁଠି। ଆକାର ନେଇ ପ୍ରକାର ହୋଇଛି କି କେଜାଣି ? ବହୁଚି, ସ୍ଥିର ରହୁଚି, ଢେଉଢେଉକା ଖେଳ ନେଇଯାଉନି କିଆଁ ସବୁ ନକରାତ୍ମକ ଚିଜ ରଖୁନି ସାତତାଳ ପଙ୍କ ଭିତରେ ଘୋଡେଇ। ଜୀବନ ଆଉ ପାଣି ,ପାଣି ଆଉ ଜୀବନ ତୃଷାର୍ତ୍ତର ଲୋଡା ,ନହଲେ ତ ସବୁ ସମାନ। ଜୀଇଁବା କଳା ଅଲଗା ସମସ୍ତଙ୍କର। ଓଃ , କି ଯନ୍ତ୍ରଣା ଦାୟକ! ଜୀବନ ନିମ୍ବପିତା ଭଳି କେତେବେଳେ, ରସଗୋଲା ବି ହୋଇପାରେ କେବେ। ଦିଦି ନାହିଁ ତ , କିଛି ନାହିଁ । ଥିଲାବେଳେ ମାଆ, ବାପା ଆଉ ଆଉ ଅନେକ ଆକଟୁଥିଲେ।ଏବେ ଶୂନ୍ୟ ସବୁ। ଆଉ ଆକଟ ନାହିଁ କି ମିଠା କଥା ନାହିଁ ।କେମିତି ଗୋଟାଏ ଅଶ୍ରୁଳ ସମୟ । ଆଶ୍ଚର୍ଯ୍ୟ ଲାଗୁଚି। ମେଘୁଆ ମେଘୁଆ, ଧୂଆଁଳିଆ।ମୋତେ ଲାଗେ ସମୟ , ଜୀବନ , ସଂସାର ଏସବୁ ଗୋଟିଏ ବେଣୀ ଭଳି ଖିଅ ଖିଅ ଛନ୍ଦାଛନ୍ଦି ମିଳିମିଶି ଭିଡିନିଅନ୍ତି ଆଗକୁ; ଠିକ୍ ଗତକାଲି, ଆଜି, ଆସନ୍ତାକାଲି ପରି।
ଏମିତି ତ ମୋ’ର ଅସ୍ତିତ୍ବ ନାହିଁ। ଏଇ ସମୟରେ କୋଉଥିରେ ଗଣା ହେବି ଯେ। କୈଶୋରଜୀବନର ଆଦ୍ୟ ପାଦ କି ମଧ୍ୟ ନା ଶେଷ ଜାଣି ପାରୁନି ଆଉ। ନିଜ ଦେହ ନିଜକୁ ଅଚିହ୍ନା ଏବେ। ମନରେ କେତେଯେ ଭୟ ,କେତେ ଯେ ଆଶଙ୍କା। ସାଙ୍ଗ ନାହିଁ କି ସାଥି ନାହିଁ। କହିବା ପାଇଁ ଭାଷା ନାହିଁ। ଦିଦି ନାହିଁ ମାନେ କିଛି ବି ନାହିଁ। ନାହିଁ ନାହିଁର ଜୀବନ ସହ ସାଲିସ୍ କରି ବଞ୍ଚିବାକୁ ହେଉଚି।
ଦିନୁ କକେଇଙ୍କ କଥାର ଦାମ ଅଛି। ନିଶ୍ଚିତ ଭାବେ ଅସ୍ତିସୂଚକ ହେବ ସମୟ। ପଞ୍ଜରା ଥରାଇ କିନ୍ତୁ କୋହ ଉଠୁଥିଲା। ଅଣନିଃଶ୍ବାସୀ କରୁଥିଲା ସମୟ। ଅନିଚ୍ଛା ସତ୍ତ୍ବେ ଚୌଛକିରେଆଣ୍ଠେଇବାକୁ ପଡିଥିଲା ସେଦିନ , ସହସ୍ର ଚାବୁକ୍ ପଡୁଥିଲା ପିଠିରେ। ଅଜସ୍ର ଅସନ୍ତୋଷ ପ୍ରକାଶ ପାଉଥିଲା ଆଖିରେ ,ମନ ଭିତରେ। କହିବାକୁ ଅନେକ କଥା ଥିଲା। କହିବି କାହାକୁ, ଶୁଣିବ କିଏ ? ନିଜେ ଶ୍ରୋତା, ନିଜେ ବକ୍ତା। ଗଛ, ଗୋଡି, ପଥର,ମୁଣ୍ଡିଆ, ପାହାଡ ନିଜର ଲାଗୁଥିଲେ। ଆଖିର ଭାଷା ପଢି ପାରୁଥିଲେ। ହୃଦୟ କଥା ବୁଝି ପାରୁଥିଲେ। ମୁଁ ବି ବୁଝୁଥିଲି ଓ ପଢୁଥିଲି ସେମାନଙ୍କୁ ମନ ଦେଇ। କିଏ କହୁଥିଲା ଟାଣୁଆ ହବାକୁ, କିଏ କହୁଥିଲା ବରାବର କଅଁଳିଯିବାକୁ ଉଁ ଚୁଁ ନକରି ସହିଯିବାକୁ। ମୁଁ କହୁଥିଲି ଯୋଦ୍ଧା ଓ ବିଦ୍ରୋହୀ ହେବାକୁ। ନୀରବତାର ଭାଷା ଏତେ ମିଠା ! ପରସ୍ପର ବୁଡୁଥିଲୁ ସେଥିରେ। ସିଝୁଥିଲୁ ସେଥିରେ। ପରସ୍ତ ପରସ୍ତ ଫିଟି ପଡୁଥିଲୁ ଅନାୟାସରେ।
Comments are closed.