ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୯
କାହିଁ ମ ,କୁକୁର ନଥିଲେ ଆଦୌ । ଧୂଳିଧୂସରିଆ କନାଖଣ୍ଡେ ପଡିଥିଲା ଯାହା । ଏଇଟା ଦିଦିର ପିନ୍ଧା ଲୁଗା କେବେ ନୁହେଁ। ମନ ବୁଝୁନଥିଲା କି ମୁଁ ବୁଝାଇ ପାରୁନଥିଲି, କେଜାଣି। ଆଖି ଓଦା ଓଦା। ଛାତି ଧକଧକ। ନିଃଶ୍ବାସ ବଳେଇ ପଡୁଥାଏ। ମୋ’ର କ’ଣ ହେଲା କେଜାଣି, ବିକ୍ରମ ଭାଇ ଘର ଆଡେ ଦୌଡିଲି ଆଖିବୁଜା । ଆଡ୍ଡା ଜମିଥିଲା ନୁଆଁଣିଆ ଚାଳଘରେ। ମାଂସ ବାସ୍ନା ସହ ତାସ୍ ଖେଳ ଚାଲିଥିଲା। ଅଣଓସାରିଆ ବାରଣ୍ଡା ଶେଷରେ ହାତେ କି ଦୁଇହାତର ବାଉଁଶ ଝରକା, ଛିଟିକି ଆସିଲା କଥା ପଦେ, ଇନ୍ଦୁକୁ ପାର୍ କରିଦେଲୁ। କାନ ଡେରିଲି , ଟୋକାଏ କହୁଛନ୍ତି, ନିହାତି ବାଜେ ଅଶ୍ରାବ୍ୟ ଭାଷାରେ। ମାରିବି କି ଆଉ ସେମାନଙ୍କୁ , ହନୁମାନଙ୍କ ଭଳି ବଳ କାହିଁ ମୋ’ର। ଲଢିବି ସେମାନଙ୍କ ସହ ନା ପାରିବିନି ଜମା। ଯବାନମାନଙ୍କ ଭଳି ମୋତେ ଦରକାର ବନ୍ଧୁକ, ଏଇସବୁ ଖରାପ ଲୋକଙ୍କୁ ଶେଷ କରିବାକୁ ପଡିବ।
ଅପେକ୍ଷା କର,ଶେଷ ହବ ଶେଷ ହେବ ଦୌରାତ୍ମ୍ୟ ତୁମର । ଦୁଧ ଉତୁରିଲେ ଗାତରେ ପଶେ ଯିବ ତୁମେସବୁ ସେଇ ଗାତକୁ।ମନେମନେ ଉଚ୍ଚାରଣ କେବଳ। ମୋ’ ଦିଦିର କଥା କୁଆଡେ, କେତେବେଳେ , କେମିତି ,କେଉଁଠି, କାହିଁକି ବଢୁଥିବା ପାଦ ଏବେ ପଛୁଆ ପଛୁଆ ହେଲା। ଧାଇଁଲି ତ ଧାଇଁଲି। ଯାହା ଶୁଣିଲି, କାହାକୁ କହିବି, କେମିତି କହିବି, କାହିଁକି କହିବି ? କ’ଣ କହିବି ? ବୋଉ, ବାପା ରହିଗଲେ ପଛରେ, ଗାଁ, ନଈ, ବିଲ, ବଣ ରହିଗଲେ ମନରେ।
ଆଖି ଖୋଲିଲା ବେଳକୁ ସବୁ ଅନ୍ଧାର, ଉସୁମୁଳିଆ ଗନ୍ଧ, ଡରରେ ପୁଣି ଆଖି ବନ୍ଦ କରିଦେଲି। ଇଏ କୋଉଜାଗାରେ ପୁଣି । ଝାପସା ଦିଶୁଥିଲା ସବୁକିଛି , ମୋ’ ଭଳି ଆଉ କେଇଜଣଙ୍କୁ ଦେଖି କିଛି ବୁଝି ପାରିଲିନି। ପେଟ କଁ କଁ କରୁଥିଲା। ଦେହ ହାତରେ ତାକତ ନଥିଲା ଉଠି ବସିବାକୁ। ଚେଷ୍ଟା କଲି ଉଠିବା ପାଇଁ , ହେଲାନି ଜମା। ଆଖି ବୁଜିଗଲା। ମୁଣ୍ଡ ବୁଲେଇଦେଲା। ଅନ୍ଧାର ଖାଲି ଅନ୍ଧାର। ପାଟି ଖୋଲୁ ନଥିଲା। ନିସ୍ତେଜ, ଅବଶ କ୍ଳାନ୍ତ ଲାଗୁଥିଲା ଦେହ। ଇଏ କି ଅବସ୍ଥା। କାନରେ ସେଇ କେଇପଦ କଥା ବାଜୁଥିଲା ଖାଲି।ମୁଣ୍ଡ,ଦେହ ଭାରିଭାରି, ଆଖି ବନ୍ଦ ଅନ୍ଧାର ଭିତରେ କଳାଭଅଁର ଘୂଁ କରି ଘୂରିଯାଉଥିଲା।
କେତେ ସମୟ ବିତିଗଲା ?
କେତେ ଦିନ ଶୋଇଲି ?
କୁମ୍ଭକର୍ଣ୍ଣକି ଆଉ କେଜାଣି ? କିଛି ବି ଜଣା ପଡୁନଥିଲା ।
ଆଖି ଖୋଲିଗଲା। ଖଟ ଉପରେ ମୁଁ। ଅଲଗା ପରିବେଶ। ଆଉଁସି ଦେଉଥିବା ହାତ ଦେଖି ଦେହ ଶୀତେଇ ଗଲା। ତ୍ରିପଣ୍ଡ କଳା ମଣିଷ, ମୁଣ୍ଡରେ ବୋଝେ କୁଞ୍ଚୁକୁଞ୍ଚିଆ ଚୁଟି, ସେଥିକୁ ଆଖିଟିଏ ନାହିଁ। ମୋ’ ଆଖି ବୁଜିଗଲା ପୁଣିଥରେ। କଥା ମିଠା ଥିଲା ଲୋକଟିର । ଦରଦଥିଲା ହୃଦୟରେ। ଟିମା କବଳରୁ ଖସିବା ସହଜ ନୁହେଁ। ତା’ ଶତ୍ରୁ ପୋଲିସକୁ ଖବର ଦେଲାରୁ ଗାଡି ସିଜ ହେଲା , ଚାଲାଣ ହୋଇ କୁଆଡେ ଯାଉଥିଲେ ସବୁ ମୋ’ଭଳି ଅନେକ। ପଚାମାଛ ଭଳି ପଡିଥିଲି ମୁଁ। ଗୁଡାଏ ପିଲାଙ୍କ ଜୀବନ ରହିଲା। ନହଲେ ତ କାହାଘରେ ବାସନ ମାଜୁଥାଆନ୍ତି କି କ’ଣ ? ସ୍ବପ୍ନ ନା ଏସବୁ ସତ୍ୟ ! ବିଶ୍ବାସ ହେଉନଥିଲା।
କାହିଁକି ଦୌଡିଲି ? କିଆଁ ସାମ୍ନା କରିପାରିଲିନି ଦୁଃସ୍ଥିତିକୁ ? ଡରୁଆ ସବୁବେଳେ ! ପଛଘୁଞ୍ଚା ପଛୁଆ। ଦିନୁକକେଇ ଗଲେ କୁଆଡେ ?ନୀତି ନିୟମ କାହିଁ ଗଲା ? ଆଉ ବାପା, ବୋଉ? ସମସ୍ତେ ହଜିଗଲେ ଏକାଥରେ। ଏକଲା ପୁଣିଥରେ , ପୁଣି ଥରେ ନିଃସଙ୍ଗ ଦିଦି ମନେ ପଡୁଥିଲା, ବୋଉ, ବାପା ସମସ୍ତେ କଲବଲ କରୁଥିଲେ ମନକୁ। ଦେଖା ହବ ଯିବି କିନ୍ତୁ, କେମିତି କେବେ?
ନୂଆ ଜୀବନ। ନୂଆ ପରିବେଶ। ନୂଆ ମଣିଷ। ଖାପ ଖାଇପାରିଲେ ସୁଖମୟ ହେବ ଜୀବନ । ଆଉ ମୁଁ , ସହଜରେ ଆଦୌ କାହା ସହିତ ମିଶିପାରେନି, ଗ୍ରହଣ କରିପାରେନି କିଛି ହଠାତ୍ । ବଲବଲ ଅନେଇବା ଛଡା ଆଉ କିଛି ନଥିଲା ମୋ’ ପାଖରେ। ଘର ମନେ ପଡୁଥିଲା। ଗଛ,ନଈ, ପଦର, ,ଜଙ୍ଗଲ, କୁକୁର, ଶୁକୁରା, ପଥର, ଦିଦି ଦିଶୁଥିଲେ ଖାଲି । ଏବେ ବୁଝୁଥିଲି, ଘର କ’ଣ ଚିଜ। ସମ୍ପର୍କ କି ପଦାର୍ଥ । ବିପଦ କାହାକୁ କହନ୍ତି। ସୁରକ୍ଷା ପାଇଁ କ’ଣ ସବୁ ଦରକାର । ପାଟିରେ ଜାବ ପଡିଥିଲା କୋଉ ଦିନରୁ। ଖୋଲିଲେ ତ କିଛି କହିବି। ମନେମନେ ହେଜୁଥିଲି ଯାହା।
ଖାଇବା, ପିଇବା,ଲୁଗାପଟା ସହ ଆରମ୍ଭ ହେଲା ଗୀତ ବୋଲିବା। ଭଜନ ଘୋଷିବା, ସଂଳାପ କହିବା, ସ୍ବର ଉପରେ କୋଉଠି କେତେ ମାତ୍ରାରେ ଚାପ ରହିବ , କେତେ କରୁଣ ହୋଇପାରିବ,ଆଖିରେ, ଓଠରେ ବିକଳିିିଆ ଭାବ ତାହାହେଲେ ଯାଇ ସଠିକ ଭାବରେ ମିଳିବ ପାଉଣା ହାତ ପାତିଲେ । ବଡ କଷ୍ଟ ହେଲା। ମାଡ ପଡିଲା। ଟିକିଏ ଟିକିଏ ଆଉଡେଇଲି। କଥା କାହା ସହ ହେବି? ଦିଦି ବିନା କିଛି ଭଲ ଲାଗେନି। ମୋ’ ଭିତରେ ମୁଁ କୋଉ ଥିଲି ଯେ ? ସମସ୍ତଙ୍କ ସହ ତୁଳନା କଲେ ଖାଲି ଅପଦସ୍ତ ହେଉଥିଲି। ଲୁଚିବା ଯାହାର ଅଭ୍ୟାସ ସେ ପୁଣି ଗୀତଗାଇ ଟ୍ରେନରେ ଚଢି ହାତ ପାତିବ ? ଅସମ୍ଭବ ମୋ’ ପାଇଁ। ଏକବାରେ ଅସମ୍ଭବ। କିଏ କାହିଁକି ଶୁଣିବ। ଲୁହରେ ତରଳେନି କାହାରି ମନ। ଖାଲି ଧୋଇଯାଏ ନିଜ ହୃଦୟ। ଖାଇବାକୁ ଦବ ଯିଏ ମାଗଣାରେ ,ସିଏ ତ ଆଦାୟ କରିବ କିଛି, ନିଧିସାହୁ ଆଉ କୁକୁର ଠିକ୍ କଥା।
ଟ୍ରେନିଂ ସରିଲା। ମୁଁ ଶହେରୁ ଶହେ ଫେଲ୍। ବହେ ଗାଳି, ଭୀଷଣ ମାଡ ; କିଛି ଫରକ ପଡିଲାନି ମୋତେ। ଅଲଗା ମଣିଷ ପରା ! ଅଲଗା ମନ , ଦେହ । ଆଉ ସମସ୍ତେ ପାସ୍। କାମ ବଣ୍ଟା ହୋଇଗଲା। ଜାଗା ଦେଖାଇ ଦିଆଗଲା। ଏଥର ମୋ’ ସହିତ ବହୁତ ଚେଷ୍ଟା ଚାଲିଲା। ଯେନତେନ ପାସ୍ କଲା ପରେ ବାବୁଲା ସହ ମୋ’ର ଯୋଡି ବସିଲା। କାଳୁ ଭାଇର ରୂପ ବଦଳିଗଲା। ଗେହ୍ଲା ବଦଳରେ କଡା ଭାଷା, ଅସହିଷ୍ଣୁ ଭାବ ସହିତ କଥାକଥାକେ ହାତ ଉଠିଲା। ସକାଳୁ ଖାଇବା ପରେ ବାହାରି ପଡ ଷ୍ଟେସନକୁ, ସେଇଠି ଯେମିତି ନିର୍ଦ୍ଦେଶ ସେମିତି କରିବାକୁ ପଡେ।
ବିଫଳତା ମୋ’ ଭାଗ୍ୟ ଭାବରେ ଉଭା ହେଉଥିଲା ଆଗରେ।ବାବୁଲା ଚାଲାକ। ମୋତେ ବୁଝାଏ। ମୁଁ ହାରିଯାଏ। ଶିଖି ପାରେନା ଠିକ୍ ଭାବରେ। ହଇରାଣ ହୁଏ। ଗାଳି ମାଡ ପଡେ ବହୁତ। ଘରେ,ବାହାରେ ସବୁଠି, ସବୁଦିନ ଅପମାନ ମୋ’ ସହିତ ଏକାତ୍ମ ହୁଏ। ସହିବା ସୀମା ଟପେ। କୁଆଡେ ଚାଲି ଯିବାକୁ ମନ କହେ। ରାସ୍ତା କାହିଁ? ଅନ୍ଧାର ଯେ। ମନେମନେ ଭାବେ,ଏମିତି ହୁଅନ୍ତାନି, ଚିଚିଂ ଫାଙ୍କ୍ କହିଲେ ଦରଜା ଖୋଲି ଯାଆନ୍ତା। ମୁଁ ଲୁଚି ଯାଆନ୍ତି ଛୋଟ ମାଛି କି ମଶା ହୋଇ।cଖୋଜି ଖୋଜି ନୟାନ୍ତ ହୁଅନ୍ତା ମୋଟୁକାଳୁ। ଗଜର ଗଜର ହୁଅନ୍ତା। କଚାଡନ୍ତା, ଫିଙ୍ଗନ୍ତା ଅଥଚ ମୋତେ ପାଆନ୍ତାନି। ମୁଁ ହସୁଥାଆନ୍ତି ତା’ ଅସହାୟତାକୁ ଦେଖି। କହୁଥା’ନ୍ତି , ‘ପାଇଲୁ ମଜା।’ ଯାହାସବୁ ଇଚ୍ଛାକରେ ମିଳେନି, ଆଉ ଅନିଚ୍ଛାର ଲମ୍ବା ତାଲିକା ଭିତରେ ବାରମ୍ବାର ହଜୁଥାଏ ମୋ’ରସତ୍ତା । କି ବିଚିତ୍ର ଏସବୁ।ଜମା ଭଲ ଲାଗେନି। କିଏ କରେ ଏମିତି? କାହିଁ କରେ ସେ ମୋ’ ସହିତ ? କି ଲାଭ ମିଳେ ତା’କୁ ?
Comments are closed.