ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୪୬)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪୬

ଜଣା ପଡିଗଲା କଥା କହୁ କହୁ ରୁବି ସହିତ। ଏଇ ଯୋଉ ଗ୍ରିଲ ବନ୍ଦ, ଧାଁ ଧପଡ, ସବୁକିଛି। ଗୁପ୍ତ ରଖିଲେ ବି ବହୁତ କିଛି ଜଣାପଡିଯାଏ। ବିନାୟକ ଛୋଟରାୟ ନାମକ ଜଣେ ଦରଦୀ ମଣିଷ ଆସନ୍ତି ଆମ ବସ୍ତିକୁ।  ବେଶ ବୟସ୍କ ସେ। ସ୍ତ୍ରୀ ପିଲାପିଲିଙ୍କୁନେଇ ପରିପୂର୍ଣ୍ଣ ସଂସାର ତାଙ୍କର। କୁମୁଦିନୀ ମାଉସୀ  ଯାହାକୁ ଆମେ କୁନୁ ମାଉସୀ କହୁ, ବସିରହନ୍ତି ତାହାରି ପାଖରେ ଢେର ସମୟ । ଛୋଟ ବ୍ୟାଗରେ କପ୍ କେକ ସହିତ ଢେର ଚକଲେଟ୍ ଆଣି ଦିଅନ୍ତି  ଚାଚାକୁ।  ଉଦାର ମଣିଷ ବୋଲି ସେ କହେ ଓ ବାଣ୍ଟିଦିଏ ସେସବୁ ପିହୁ, ବେବି, ଜିନା ସହ  ଆମ ଭିତରେ । ବ୍ୟବସାୟରେ  ଗୁଡାଏ କ୍ଷତି ସହିବା ପରେ ସେ ଉଦାସ  ବିଷର୍ଣ୍ଣ ମନକୁ ଖୁସିକରିବାକୁ ଆସନ୍ତି ଆମ ବସ୍ତିକୁ। ଏକଥା ଅନେକଙ୍କୁ ଜଣାନଥାଏ ଯେ  ସେ ଜଣେ ବଡ ବ୍ୟବସାୟୀ  ବୋଲି ।

କୁନୁ ମାଉସୀ ସାବନା ହେଲେବି ସୁନ୍ଦରୀ। ସିଏ ବୟସ୍କା ନୁହେଁ  କି ବଦରାଗୀ ନୁହେଁ। କିଏ ଯେ ତାକୁ  କାହିଁକି ମାଉସୀ ଡାକିଲା, ସେଇ ଡାକଟି ରହିଗଲା। ପ୍ରକୃତରେ ସେ ଅପା ହବାକଥା ଆମର। ତା’ ଆଖି ବହୁତ ସୁନ୍ଦର।  ସେ ସିଲେଇରେ, ହେୟାର ଷ୍ଟାଇଲରେ ଏକ ନମ୍ବର।  ଆମକୁ ଶିଖାଏ ସେ ଅନେକ କିଛି। ଅଳ୍ପ କଥା କହେ,ମୂଲ୍ୟବାନ  ସେସବୁ।

ଦିନ ଓ ରାତିରେ ଏ ବସ୍ତି ଅଲଗା ଅଲଗା ରୂପ ନିଏ। ଦିନ ବଢିବା ସହିତ ଦାୟିତ୍ୱ ବଢେ। ସନ୍ଧ୍ୟା ଏକ ନୂଆ ରୂପରେ ଆସେ । ଜନ୍ମ ନିଏ ଅନ୍ଧାରକୁ ଭଲପାଉଥିବା ମଣିଷ। ଚମ ଢାଙ୍କି ଦିଏ ମନକୁ। ବିବେକ ହଜିଯାଏ କି ମୁହଁ ଲୁଚାଏ ଦିଗନ୍ତ ପଛରେ କେଜାଣି।  ସୂକ୍ଷ୍ମ ସେ ଅନୁଭବ। ବୁଝି, ବୁଝାଇବା ସହଜ ନୁହେଁ  ଆଦୌ।

ପ୍ରତିଦିନ  ଏକ ନିର୍ଦ୍ଧିଷ୍ଟ ସମୟରେ ଆସୁଥିଲେ ଛୋଟରାୟ ବାବୁ କୁନୁମାଉସୀ ପାଖକୁ। ଚାଚା ଓ ଦିଦି ବହୁତ ପରିଶ୍ରମ କରି ନୂଆଭଳି ସଜେଇ ଦେଉଥିଲେ ସବୁଥର।  ଜଣାଥାଏ ସେମାନଙ୍କୁ  ଆକୃଷ୍ଟ କରିବାର ଅଲିଖିତ କଳା। ସାଙ୍ଗମାନେ ବିଶ୍ବାସରେ ବିଷ ଦେଇଥିଲେ, ଅଜସ୍ର ଆର୍ଥିକ  କ୍ଷତିକୁ ମନ ସହି ପାରୁନଥିଲା। ନିୟମିତ ଭାବରେ ଏସବୁ ଚାଲିଲା ସବୁଦିନ।

ଦିନେ ଦ୍ବିପହର ବେଳକୁ ସୁନ୍ଦରିଆ କାରଟିଏ ଗଳିମୁଣ୍ଡରେ ଅଟକେଇ ଜଣେ ଭଦ୍ର ମହିଳା ବେଶ ଦମ୍ଭର ସହିତ ଆଗେଇ ଆସିଲେ ଗଳିଆଡକୁ। ଦେଖାହେଲା ମକବୁଲ୍ ଭାଇସହ।ଉଦ୍ଦେଶ୍ୟ ବୁଝିନେଇ  ସେ ଦିଦିକୁ ଡାକିଆଣିଲା । ଓ, ଏଇ ତାହାଲେ ମିସେସ ଛୋଟରାୟ , ମନେ ମନେ କହିଲା ଦିଦି।  ଦିଖଣ୍ଡ ମୋଡା ଆଣିଲା ଭାଇ । ଦିଦି ନିଜେ ବସି ଇଙ୍ଗିତରେ କହିଲା ବସିବାକୁ।  ସେ ଛିଡା ହୋଇରହିଲେ ନବସି। ସ୍ପଷ୍ଟ ଭାବରେ ପଚାରିଲେ ,”ଛୋଟରାୟ ବାବୁ ଏଠାକୁ  ଆସନ୍ତି କି?”