କବିତା : ମୁଁ

କିଶୋର ମହାନ୍ତି

ମୁଁ ଏକାନ୍ତ ଭାବରେ ମୋର
ମୁଁ ସତରେ କ୍ରୀତଦାସ ଟିଏ
ସମୁଦ୍ର କୂଳରେ ବସି ଢେଉ ଗଣିବା କାମ
ମୁଁ ଧରାବନ୍ଧା ଜଗୁଆଳି
ମୁଁ ଅଣ୍ଟିରେ ସାଉଁଟି ଆଣିଥିବା ଶାମୁକା
ମୋର କେବଳ ସମ୍ବଳ
ତାକୁ ପାଇ ମୋର ଆକାଶ ଛୁଆଁ ସ୍ବପ୍ନ
ରାତି ପାହେ ସକାଳ ହୁଏ
ଅଥଚ ଦେଖିଥିବା ସ୍ବପ୍ନ ମାନେ ଉଭେଇ ଯାଆନ୍ତି
କେତେବେଳେ ଅସମ୍ଭବ ପ୍ରକାର ବ୍ୟଥା ବେଦନାରେ ଛଟପଟ ।

ମୋ ଆତ୍ମା
ଵେଳେ ବେଳେ ଲାଗେ ମୁଁ କାନ୍ଥ ଘଣ୍ଟା ଟିଏ ଝୁଲୁଛି ଏକଲା ଏକଲା
ଦିନ ହୁଏ ରାତି ପାହେ
ଯେତେବେଳେ ମୁଁ ଗହମ ନିଦରୁ ଉଠେ
ମତେ ଲାଗେ ମୁଁ କେଉଁଠି
ରୋଷଣୀ ର ପଟୁଆର ଚାଲେ
ବିବିଧ ବାଜଣା ଆଉ ହୋ ହାଲ୍ଲା ଭିତରେ
ମୁଁ ସାଜେ ଅନ୍ୟ ରୂପରେ,ଆସେ ପୁଣି ଅନ୍ୟ ଦୃଶ୍ୟରେ ।

ମୁଁ ଶୁଣୁଥାଏ କେବଳ ବାଟୋଇର ଗୀତ
ଯାହା ମତେ କରେ ଉଚ୍ଚାଟ
ମୁଁ ଧାରବନ୍ଧା ପାହାନ୍ତି ମିଶ୍ର ରାଗଟିଏ
ଆନମନା ଝରଣାରେ
ମୁଁ ହଜାଇ ଦିଏ ମୋର ସତ୍ତା
ଖୋଜୁଥାଏ ହଜାଇଥିବା ଦିନଗୁଡାକୁ
ଯିଏ ମତେ ରଙ୍ଗ ଓ ରାଗରେ
ବିଭୋର କରିଦେଇଛି ଆଜିଯାଏ ।