Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୦)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୦

ଆବରଣରେ ଢାଙ୍କି ଦେଇଥାଏ କିଏ ଶହେରୁ ଶହେ ନିଜକୁ। ସତ୍ତା ତା’ ତଳେ ଥାଇ ଥରେ ଜାଗ୍ରତ ହେଲେ ଅନାବରଣ ହୁଏ ପରସ୍ତ ପରସ୍ତ ଅନ୍ଧକାର। ମାତୃଗର୍ଭରେ ପିଣ୍ଡରହେ ଯେତେବେଳେ ସେ ଆଲୋକ ଆଡକୁ ସମ୍ପ୍ରସାରିତ ହୁଏ।ଏଇ ଗତିଶୀଳ ମନୋଭାବ ଉତ୍ତରିତ ହୁଏ ଧିରେ ଧିରେ । ସେଇଠୁ ଶୁଣେ ସେ ମରଲୋକର କଥା। ଏଇ ପୃଥିବୀର କଥା। ଏଇ ମାଟିର ବାର୍ତ୍ତା  ସଞ୍ଚରିଯାଏ ଟିକି ମନରେ ,ଦେହରେ।ଚିରଶାଶ୍ବତ  ଅବିନଶ୍ବର ସହ ସଂଯୁକ୍ତ ଥାଇ କ୍ଷଣ ଭଙ୍ଗୁର ସଂସାର କଥା ବୁଝିପାରେ।ବୁଝିପାରେ ବୋଲି ବୀତସ୍ପୃହ ହୁଏ। ମାଟି ଛୁଇଁ ଦେଲେ ପୁଣି ଘୂରିଯାଏ ଭାବନାସବୁ ଅତଳତଳ ଅନ୍ଧାରୀଗୁମ୍ଫାରେ।

କେତେଥର ଜନ୍ମ ନିଏ ଯେ ସତ୍ତା ! ଚେତନାର ସ୍ତର ସେଇଥିପାଇଁ ସମସ୍ତଙ୍କର ଅଲଗା ଅଲଗା ହୁଏ। ଚନ୍ଦ୍ର, ଯାହା ଏଇ ପୃଥିବୀର ଉପଗ୍ରହ ସେ କ’ଣ ସତରେ ମନ ଉପରେ ପ୍ରଭାବ ପକାଏ। ନିଜେ ସେ ପ୍ରତିଫଳିତ ସୂର୍ଯ୍ୟଙ୍କ ଆଲୋକରେ। ଜୁଆର ଭଟ୍ଟାର କାରଣ ଭଳି ମନ ଉପରେ ଢେର ପ୍ରଭାବ ତା’ର ରହେକି କ’ଣ ବୁଝିବା କଷ୍ଟକର । ମାନସିକ ଭାବରେ  ସୁସ୍ଥ ରହିଲେ ଶାରୀରିକ ସୁସ୍ଥତା ସମ୍ଭବ ବୋଲି ବୈଦିକଯୁଗରୁ ଯାହା ପ୍ରଚଳିତ ଅଛି ତା’କୁ ଏକବିଂଶ ଶତାବ୍ଦୀରେ ପୁଣି ଥରେ ଦୋହରାଇବାକୁ ହେବନା ଆଉ ଗବେଷଣା ଆବଶ୍ୟକ ?

ଜଡ଼ ଓ ଚୈତନ୍ୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ । ତଥାପି ଯେତେବେଳେ ଚୈତନ୍ୟ ଠାରୁ ଜଡ଼ ଅଲଗା ହୋଇରହେ ସେତେବେଳେ ସେ ଅସୀମ ଅମାପ ଦୁଃଖ ପାଏ । ଏ ଦୁଃଖ , ଏ କଷ୍ଟ ବଡ଼ ଅସହ୍ୟ । ଯେତେବେଳ ପର୍ଯ୍ୟନ୍ତ ଏପରି ଭିନ୍ନତ୍ବ ରହିଥାଏ , ସେତେବେଳ ଯାଏ ଜଡ଼ର ଦୁଃଖ ଉପଶମ କି ଲାଘବ ହୋଇନଥାଏ , ବରଂ ବେଳକୁ ବେଳ ପର୍ଯ୍ୟାୟକ୍ରମେ ତାହା ବୃଦ୍ଧି ପାଉଥାଏ । ଜୀବ ବଡ଼ ଯନ୍ତ୍ରଣା ପାଉଥାଏ ,ତଥାପି ତା’ର ଚୈତନ୍ୟ ଉଦୟ ହେଉନଥାଏ । ମାତ୍ର, ଯେତେବେଳେ ଚୈତନ୍ୟ ଓ ଜଡ଼ ଏକ ଓ ଅଭିନ୍ନ ହୋଇ ପରସ୍ପର ଘନିଷ୍ଠ ହୋଇ ନିବିଡ଼ ଭାବରେ ଜଡିତ ଥାଆନ୍ତି ,ସେତେବେଳେ ଦୁଃଖ ,ଶୋକ, କଷ୍ଟ ,କୋହ ,ଲୁହ, କିଛି ବି ଜଡ଼ ବା ଜୀବ ଅନୁଭବି ନଥାଏ । ଏ ଅବସ୍ଥା ଏକ ଚିନ୍ମୟ ଅବସ୍ଥା । ଏହି ଦିବ୍ୟ ସ୍ୱର୍ଗୀୟ ଅବସ୍ଥାରେ ଜୀବନରେ ସବୁବେଳେ ବସନ୍ତ ବିରାଜିଥାଏ , କୋଇଲିର କୁହୁତାନରେ ଜୀବନ ଶବ୍ଦମୟ ଓ ଫଗୁଣର ଫୁଲସମ୍ଭାରରେ ଜୀବନ ପ୍ରଫୁଲ୍ଲିତ , କୁସୁମିତ ଓ ସୁରଭିତ ହୋଇଥାଏ । କେବଳ ଅନୁଭବୀ ହିଁ ଏହା ଅନୁଭବି ପାରେ ।

ଗଢୁଥାଏ ଭାଙ୍ଗୁଥାଏ ନିଜକୁ ନିଜେ ମଣିଷ । ଏସବୁ ଦୃଶ୍ୟମାନ ହେଉଥାଏ ସମଭାବାପନ୍ନ ପାଖରେ ବା ତଦୁର୍ଦ୍ଧ ବ୍ୟକ୍ତିତ୍ବ ପାଖରେ।ଥରଥର କରି କେତେଥର ଜନ୍ମ ନେଉଥାଏ ସେ। ଜନ୍ମଦିନ ପାଳନର ମଜା କୋଉଠି ଥାଏ ଯେ! ମାତୃଗର୍ଭରେ ପିଣ୍ଡ ଯୋଉଦିନ ଏ ମରଲୋକର ପବନ ନିଃଶ୍ବାସ ପ୍ରଶ୍ବାସରେ ଆତଯାତ ହେଲା ସେଦିନ ଥରେ ସେ ଜନ୍ମ ନେଲା ।  ପୁଣି , ଜନନୀ ପ୍ରସବ ସହ ଆଉଥରେ ଜନ୍ମ ନେଲା। ମାୟାନ୍ଧକାରକୁ  ଖୋଲି ଯୋଉଦିନ ଅବିନଶ୍ବର ଶାଶ୍ବତଙ୍କ ଅମୀୟସତ୍ତା ସହ ମିଶିଲା, ସେଦିନ  ପୁଣି ଜନ୍ମିଲା ନୂଆ ରୂପରେ।ଆବରଣମୁକ୍ତ ହୁଏ ଜୀବନ। ଏଇଟା କ’ଣ ଆତ୍ମ ଦର୍ଶନ? ଏଇଟା କ’ଣ ପ୍ରକୃତ ଜନ୍ମ? ଏଇ ପ୍ରଜ୍ଞାନ କ’ଣ ସତ୍ତା  ଚାହେଁ? ଯାହା ସତ୍ ଚିତ୍ ଆନନ୍ଦର କଥା କହେ …। ଯାହା ସଦଜ୍ଞାନ,ମେଧା,ସ୍ମୃତି, ଯୁଷ୍ଟି, ଧୃତିର କଥା କହେ ।

ବାରମ୍ବାର  ଏସବୁ କଥା କାହିଁକି  ଆକୃଷ୍ଟ କରେ।  ସବୁ ନାହିଁ ଭିତରେ ହଁ  ର ଆଲୋକ ଦେଖାଏ।  ହରିଯାଇଥିବା ସବୁ ସୁଖ ଭିତରେ ଅସରନ୍ତି ଆନନ୍ଦ ବାର୍ତ୍ତା ପ୍ରଚରେ। ବହୁତ ବେଶି ସମୟ ଏଇ ଭାବ ରହେନା। କିନ୍ତୁ, ଯେତିକି ସମୟ ରହେ ଅଫୁରନ୍ତ  ମଳୟ ସହ ଅଖଣ୍ଡ ଖୁସିର ଲହର ଅନ୍ତର୍ମନରେ ଖେଳୁଥାଏ।ସମୟ ଜଣା ପଡେନି, ଦୁଃଖ ଆଦୌ ଲାଗେନି, କାନ୍ଦ ଟିକିଏ   ଶୁଭେନି, କେମିତି ଏକ ଭାବଶୂନ୍ୟ ବଳୟ ବେଢିଥାଏ ମନକୁ। ସ୍ଥିର ଅବିଚଳ ସ୍ଥିତି ସେ ସମୟରେ।

ବେଦବତ୍ତା, ବ୍ରାହ୍ମଜ୍ଞାନୀ କହି ଛିଗୁଲେଇ ହେଲେ କ’ଣଟା ହୋଇଯିବ ମ । ସଂସାର କୂଅରେ ବିଷୟାସକ୍ତ ମଣିଷ ଛଟପଟ  ହୁଏ ଆଉ ମାଗୁଣି ଅଜା ଦାସକାଠିଆ ବଜେଇ କହନ୍ତି , ”  ଆରେ, ଶୁଖୁଆ  ଖଡଖଡ ଖଡଖଡ  , ମିଛ ମାୟାରେ ପଡି ହେଉ  ଲଡବଡ ଲଡବଡ…।”

କିଏ ଶୁଣୁଚି ଆଜି ଏ କଥା।ନିହାତି ନିରସିଆ ଶୁଖିଲା କଥା।ହସିଖେଳି ଉଡିବୁଲିବା ସମୟରେ ଏ ବୈରାଗ୍ୟ କାହିଁକି ମ।ନିଗୂଢ ସତ୍ୟକୁ ସବୁଦିନ ହେଣ୍ଟିଦିଏ ସାଧାରଣ ମଣିଷ।କାହୁଁ ବୁଝିବ ସେ ଶ୍ରୀଫଳ କଥା ।

Comments are closed.