Latest Odisha News

BREAKING NEWS

ବିପଦରେ ଶିକ୍ଷା

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ

” ଅଲ ଅଫ ଲାଇଫ ଇଜ ଏଡୁକେସନ ଆଣ୍ଡ ଏଭରିବଡି ଇଜ ଏ ଟିଚର ଆଣ୍ଡ ଏଭରିବଡି ଇଜ ଫରଏଭର ଏ ପିଉପିଲ : ଆବ୍ରହାମ ମାସଲୋ

ଶିକ୍ଷା ଯେ କେବଳ ବିଦ୍ୟାଳୟର ଚାରିକାନ୍ଥ ଭିତରେ ସୀମିତ ତାହା ନୁହେଁ ଜୀଵନ ରୂପକ ଏଇ ବିରାଟ ଶିକ୍ଷାନୁଷ୍ଠାନର ପ୍ରତି ପାଦରେ ଶିଖିବାକୁ ସୁଯୋଗ ମିଳେ। ଛୋଟ ଏଇ ଜୀବନ ପରିଧି ଭିତରେରେ ବି ଅନେକ ଏପରି ଘଟଣା ଘଟେ ଯାହାର ସୁଦୁରପ୍ରସାରୀ ପ୍ରଭାଵ ଜୀବନକୁ ବିଭିନ୍ନ ଭାବରେ ପ୍ରଭାବିତ କରିଥାଏ। ଏଇ ପରିପ୍ରେକ୍ଷୀରେ ମୋର ମନେ ପଡେ ବିନୋଦ କାନୁନଗୋଙ୍କ ଆତ୍ମା ଜୀବନୀ “ପାଠ ପଛେ ପଛେ ଅପାଠୁଆ”ର ତିନି ଶହ ଆଠ ପୃଷ୍ଠା ରେ ଲେଖିଥିବା ଏଇ କଥା ଟି,” …ତେଣୁ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ପଢୁଥିବି,ଶିଖୁଥିବି ।ନିଜକୁ ନିଜର ଗୁରୁଭାବି ଆଗେଇ ଯାଉଥିବି ।

ଅନ୍ୟ ଜଣେ ହୁଏତ ସେମିତି କରୁଥିବେ । କିନ୍ତୁ ତାଙ୍କ ମୋ ଭିତରେ ପାର୍ଥକ୍ୟ ହେଉଛି ସେ ନିଜେ ଜାଣି ସନ୍ତୁଷ୍ଟ ରହିବେ। ମୁଁ କିନ୍ତୁ ଯାହା ଜାଣିବି ସେଥିରେ , ଅନ୍ୟମାନଙ୍କୁ ଭାଗୀ କରିବା ପାଇଁ ବରାବର ଉଦ୍ୟମ କରିବି।” ତାଙ୍କର ଏଇ ଆଦର୍ଶକୁ ମୋର ପାଥେୟ କରି ମୋର ଏହି ଲେଖା।

ସେଇ ଉପଲକ୍ଷେ ମୋର ମାଟ୍ରିକ ପଢ଼ିବା ସମୟର କେତୋଟି ଘଟଣା ର ଅବତାରଣା କରିବି। ବାଲେଶ୍ବରରୁ ଆସି ବଲାଙ୍ଗୀର ଉଚ୍ଚ ବାଳିକା ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ଶେଷ ଭାଗରେ ନାମ ଲେଖା ହୋଇଥାଏ। ମାଟ୍ରିକ ବେଳକୁ ଭଲ ପାଠ ପଢ଼ୁଥିବା ଛାତ୍ରୀ ହିସାବରେ ମୋର ପରିଚୟ ହେଇ ସାରିଥାଏ। ଜିଲ୍ଲା ସ୍ତରୀୟ ଅନେକ ବକ୍ତୃତା ପ୍ରତିଯୋଗିତାରେ ସ୍କୁଲର ପ୍ରତିନିଧିତ୍ଵ କରି ପୁରସ୍କୃତ ବି ହେଇଥାଏ। ଏଣୁ ଯେତେବେଳେ ଦିଲ୍ଲୀରେ ରେଡ଼କ୍ରସ ତରଫରୁ ଆୟୋଜିତ ପନ୍ଦରଦିନିଆ ଛାତ୍ର ଶିବିର ହେଲା ସେଥିରେ ଯୋଗଦେବାକୁ ଆମ ସ୍କୁଲ ତରଫରୁ ମୋତେ ମନୋନୀତ କରାଗଲା।

ବାପା ପ୍ରଥମେ ଅରାଜି ହେଉଥିଲେ, କାରଣ ଏକରେ ଝିଅ ପିଲା, ଦ୍ବିତୀୟରେ ଆଗକୁ ମାଟ୍ରିକର ବୋର୍ଡ ପରୀକ୍ଷା, ତୃତୀୟରେ ସାଙ୍ଗରେ ଆମ ସ୍କୁଲର କୌଣସି ଶିକ୍ଷୟତ୍ରୀ ଯାଉ ନାହାଁନ୍ତି। ପ୍ରଧାନ ଶିକ୍ଷୟିତ୍ରୀ ଜଣେ ଦିଦିଙ୍କୁ ଆମ ଘରକୁ ପଠେଇଥିଲେ ବାପାଙ୍କୁ ବୁଝେଇବାକୁ ଯେ ମାଟ୍ରିକ ପରୀକ୍ଷାରେ ମୋ ପାଇଁ ଅସୁବିଧା ହେବନାହିଁ, ଦ୍ଵିତୀୟରେ ବରପାଲି ବାଳିକା ଉଚ୍ଚ ବିଦ୍ୟାଳୟରୁ ବି ମ୍ୟାଟ୍ରିକର ଆଉଜଣେ ଝିଅ ଯାଉଛି, ଆମର ଜଣେ ଦିଦି ମୋତେ ନେଇ ବରପାଲି ପର୍ଯ୍ୟନ୍ତ ଛାଡିବାକୁ ଯିବେ, ସେଠିକାର ଆଉ ଜଣେ ଶିକ୍ଷୟିତ୍ରୀ ଭୁବନେଶ୍ୱର ପର୍ଯ୍ୟନ୍ତ ଆମ ସାଙ୍ଗରେ ଯିବେ ,ସେଠି ଓଡ଼ିଶାର ସବୁ ଜିଲ୍ଲାର ଛାତ୍ର ଛାତ୍ରୀ ଆସି ରେଡ଼କ୍ରସ ଭବନରେ ଜମା ହେବେ ଓ ସେଠାରୁ କେତେଜଣ ଶିକ୍ଷକ ଶିକ୍ଷୟିତ୍ରୀ ତଥା ରେଡ଼କ୍ରସର ରାଜ୍ୟସ୍ତରୀୟ କର୍ମକର୍ତ୍ତା ଆମ ସାଙ୍ଗରେ ଯିବେ। ପ୍ରଧାନ ଶିକ୍ଷୟତ୍ରୀଙ୍କ ଅନୁରୋଧକୁ ଏଡେଇ ନପାରି ବାଧ୍ୟହେଇ ବାପା ରାଜି ହେଲେ।ଦିଲ୍ଲୀ ଯାତ୍ରାର ପ୍ରସ୍ତୁତି ପାଇଁ କିଛି ନୂତନ ବସ୍ତ୍ର, ଶୀତବସ୍ତ୍ର ବିଶେଷ କରି ଏକ ଲାଲ ରଙ୍ଗର ଉଲେନ କୋଟ କିଣାହେଲା।

ନିର୍ଦ୍ଦିଷ୍ଟଦିନ ଦିନ ଦୁଇଟା ବେଳେ ଦିଦି ଆମ ଘରେ ଆସି ପହଞ୍ଚିଲେ, ତାଙ୍କ ସହିତ ମୁଁ ବାହାରିଲି। ମନରେ ଅନେକ ପ୍ରକାର ଦ୍ଵନ୍ଦ। ବସରେ ଯାଇ ବରପାଲି ପହଞ୍ଚିବା ପରେ ସେ ମୋତେ ବରପାଲି ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ତତ୍ତ୍ୱାବଧାନରେ ଛାଡି ଦେଇ ଫେରିଗଲେ। ମୁଁ , ଦେବାଙ୍ଗିନୀ ଓ ତାଙ୍କ ସ୍କୁଲର ଜଣେ ଦିଦି ରାତ୍ରି ବସରେ ଭୁବନେଶ୍ୱର ଗଲୁ ଓ ତା ପରଦିନ ସକାଳୁ ସକାଳୁ ପହଞ୍ଚିଲୁ। ସେଠାରୁ ସମସ୍ତେ ମିଶି ଭୁବନେଶ୍ୱରରୁ ରେଳଯୋଗେ ଦିଲ୍ଲୀ ବାହାରିଲୁ।କିଛି ପିଲା କଟକ ଷ୍ଟେସନରୁ ଚଢିଲେ।

ଦିଲ୍ଲୀ ଷ୍ଟେସନରେ ତହିଁ ଆରଦିନ ପହଞ୍ଚିଲା ବେଳକୁ ଗୋଟିଏ ବଡ ବସ ଅପେକ୍ଷା କରିଥାଏ ଆମକୁ। ସେଠୁ ଯାଇ ସମସ୍ତେ ଆମ ଓଡ଼ିଶା ଦଳ ପାଇଁ ଆୟୋଜିତ ଏକ ହଲରେ ନିଜ ନିଜର ବାକ୍ସ ରଖି ନିତ୍ୟକର୍ମ ପାଇଁ ପ୍ରସ୍ତୁତ ହେଲୁ। ଆଗରୁ ତ କେବେ ମୁଁ ଏଳୁଟିଆ ବାହାରକୁ ଆସି ନଥାଏ, ଏଣୁ ଅନେକ ବିଷୟରେ ଯେ ସାବଧାନତା ଦରକାର ସେ ସବୁ ଜଣା ନଥାଏ। ହଲରେ ପହଞ୍ଚି ପ୍ରଥମେ ଆବିଷ୍କାର କଲି ଅସାବଧାନତା ହେତୁ ସୁଟକେଶର ଚାବି ହଜି ଯାଇଛି। ସମସ୍ତଙ୍କ ଆଗରେ ମୁଁ ଗୋଟେ ମୁଢ଼ ବୋଲି ଗଣା ହେଲି। ତାଲା ଭଙ୍ଗାହେଲା, ମୋର ନିତ୍ୟ କର୍ମ ଶେଷ ହେଲା। ଜଳଖିଆ ପରେ ସେହି ବସରେ ସମସ୍ତେ ଗଲୁ କୁତୁବ ମିନାର , ଯନ୍ତର ମନ୍ତର ଦେଖିବା ପାଇଁ। ସମସ୍ତଙ୍କୁ ବାକ୍ସରେ ଟଙ୍କା ପଇସା ନଛାଡି ନିଜ ନିଜ ଦାଇତ୍ଵରେ ରଖିବା ପାଇଁ ଉପଦେଶ ଦିଆଗଲା। ମୋ କଥା କହିବି କଣ, ମୋର ତ ସୁଟକେଶ ତାଲା ଭଙ୍ଗା । ଶୀତଦିନ ହେଇଥାଏ , ମୁଁ ମୋ ନୂଆ ଲାଲ କୋଟ ପାକେଟରେ ସବୁତକ ଟଙ୍କା ରଖି ବୀରଦର୍ପରେ ବାହାରିଲି। ବସରୁ ଓହ୍ଲେଇ ଐତିହାସିକ କୁତୁବ ମିନାର ବୁଲି ଦେଖିଲୁ, ବୁଲା ଫୋଟୋବାଲାଙ୍କ ପାଖରୁ ଫୋଟ ଉଠେଇଲୁ । ଡିସେମ୍ବରର ଶୀତ ସମସ୍ତଙ୍କ ପରି ମୁଁ ବି କୋଟ ପିନ୍ଧିଥାଏ । ହେଲେ, ଯନ୍ତର ମନ୍ତର ପହଞ୍ଚିଲା ବେଳକୁ ବାରଟା ଉପରେ , ଗରମ ଲାଗିଲାଣି କୋଟ ଖୋଲି ବସର ରେକ ଉପରେ ପକେଇ ଦେଲି। ଓହ୍ଲେଇଲା ବେଳକୁ ତରତର, କୋଟକଥା ମନେନାହିଁ। ପରେ ସେଠି ବୁଲୁଥିଲା ବେଳେ ହଠାତ ମନେ ପଡିଗଲା , ଆରେ କୋଟରେ ତ ଟଙ୍କା ଥିଲା… ଦଉଡି ଦଉଡି ଆସି ବସରୁ କୋଟ ନେଇ ଦେଖିଲା ବେଳକୁ ଟଙ୍କାଟିଏ ବି ନାହିଁ। ଯାତ୍ରା ଆରମ୍ଭ ମାତ୍ର ,ହାତରେ ଟଙ୍କାଟିଏ ବି ନାହିଁ କେମିତି କଟିବ ବାକିତକ ଦିନ!!!! ଯଦିଓ ଖାଦ୍ୟପେୟ ଇତ୍ୟାଦି ସବୁ ସେମାନେ ବୁଝୁଥିଲେ.ତଥାପି ..!!.ଦଉଡ଼ି ଦଉଡ଼ି ଆସି କର୍ମକର୍ତ୍ତାଙ୍କୁ ଜଣେଇଲି।କାନ୍ଦ କାନ୍ଦ ହେଇ ଯାଉଥାଏ। ସେମାନେ କହିଲେ, “ହଉ ହଉ ,ପରେ ବସାକୁ ଗଲେ ବୁଝିବା।” ସେଦିନ ଆହୁରି କିଛି ଜାଗା ବୁଲିଲୁ ,ହେଲେ ମୋର ମନ ଆଉ କିଛରେ ଲାଗିଲାନି।
ପରେ ଆୟୋଜକମାନେ କଥା ହେଇ ମୋତେ ପଚାଶ ଟଙ୍କା ଅନୁକମ୍ପା ମୂଳକ ସାହାଯ୍ୟ ପ୍ରଦାନ କଲେ। ମନରେ ମୋର ଅନେକ ଗ୍ଲାନି ହେଲା କିନ୍ତୁ ଅନନ୍ୟୋପାୟ ହୋଇ ଅନୁଗ୍ରହ ରାଶି ଗ୍ରହଣ କଲି , ହେଲେ ଆଉ କିଛିରେ ଉତ୍ସାହ ରହିଲାନାହିଁ। ମାତ୍ର ଦିନେ ଦୁଇଦିନ ପରେ ମନକୁ ବୁଝେଇ ପୁଣି ସବୁ କାର୍ଯ୍ୟକ୍ରମ ରେ ଭାଗନେଲି। ଫେରିବା ପୂର୍ବରୁ ଆଗ୍ରାର ତାଜମହଲ ଦର୍ଶନ କରିବାକୁ ଗଲୁ। ଶେଷରେ ଦେହରାଡୁନ ଓ ମୋୖସରି ମଧ୍ୟ ଆମକୁ ବୁଲେଇବାକୁ ନିଆ ଯାଇଥିଲା। ମୌସରୀର ଝିପି ଝିପି ବର୍ଷାରେ ଭିଜିବାର ଶିହରଣ ଅନନ୍ୟ। ସେଠି ରୋପ ୱେରେ ପାହାଡ ଉପରକୁ ଗଲୁ। ପାହାଡ ଉପରେ ଥିବା ଷ୍ଟୁଡ଼ିଓମାନଙ୍କରେ ଆମ ଦଳର ସବୁ ଝିଅମାନେ ସେଠାକାର ପାରମ୍ପରିକ ପୋଷାକ ପିନ୍ଧି ଫୋଟୋ ଉଠଉଥାନ୍ତି। ମୋ ପାଖରେ ତ ଯଥେଷ୍ଟ ପଇସା ନଥାଏ, କିନ୍ତୁ ଫଟୋ ଉଠେଇବାକୁ ପ୍ରବଳ ଇଚ୍ଛା। ଗୋଟିଏ ଷ୍ଟୁଡିଓ ସାମନାରେ ଠିଆହେଇ ଦେଖୁଥାଏ, ଷ୍ଟୁଡ଼ିଓର ମାଲିକ ହେବେ ବୋଧେ ମୋତେ ହିନ୍ଦୀ ରେ ପଚରିଲେ, ” ବେଟି, ଆପ୍ ଫଟୋ ନହିଁ ଉଠାୟୋଗେ କ୍ୟା,ଦଶ ରୂପୈୟା ତୋ ଲାଗେଗା ” । ମୁଁ ତାଙ୍କୁ କହିଲି, “ମେରା ପୈସା ତୋ ଚୋରି ହୋ ଗୟା।” ସେ କହିଲେ, ଏବେ ଉଠେଇଲେ ସଙ୍ଗେ ସଙ୍ଗେ ପଇସା ଦେବାକୁ ପଡିବ ନାହିଁ, ଘରକୁ ଭିପିପି କରିଦେବେ, ଟଙ୍କା ଦେଇ ପାର୍ସଲ ନେବାକୁ ପଡିବ। ବର୍ତ୍ତମାନ କେବଳ ଡ୍ରେସ ପାଇଁ ଦେବାକୁ ପଡିବ। ମୁଁ ବହୁତ ଖୁସି ହେଇ ସାଙ୍ଗେ ସାଙ୍ଗେ ଫୋଟୋ ଉଠେଇଲି। ଡ୍ରେସ ଭଡା ମାତ୍ର ଦଶ ଟଙ୍କା । କିଛି ସାଙ୍ଗ ମୋତେ ସିଧାରେ ନ କହିଲେ ବି ତାଙ୍କ ତାଙ୍କ ଭିତରେ କଥା ହେଲେ, “ଟଙ୍କା ଚୋରି ହେଇ ଯାଇଛି ବୋଲି କହୁଥିଲା, ଏବେ କେମିତି ଫୋଟୋ ଉଠାରେ ପଇସା ଖର୍ଚ୍ଚ କରୁଛି ???” ସେମାନେ କଣ କହିବାକୁ ଚାହୁଁଛନ୍ତି , ମୁଁ ଜାଣି ପାରୁଥାଏ, ହେଲେ କିଛି କହି ପାରୁ ନଥାଏ। ସେଇ ପିଲାମାନଙ୍କ ଭିତରେ ଏମିତି ବି ସାଙ୍ଗମାନେ ଥିଲେ ଯାହାଙ୍କୁ ମୁଁ ଯାତ୍ରା ସମୟରେ ଅନେକ ସାହାଯ୍ୟ କରିଥିଲି, ବିଶେଷ କରି କଟକର ଜଣେ ଝିଅ ଥିଲା ଯାହାକୁ ମୁଁ ଆସିଲାବେଳେ ଏମିତି ଏକ ସାହାଯ୍ୟ କରିଥିଲି ଯାହାକୁ ସାଧାରଣରେ କହିହେବ ନାହିଁ। ସେଇଥିରୁ ଅନେକ କଥା ଶିଖିଲି: ପ୍ରକୃତ ବନ୍ଧୁ କିଏ, ବନ୍ଧୁ ମାନଙ୍କ ମଧ୍ୟରେ ଧନହୀନ ଜୀବନର ଦୁଃସ୍ଥିତି;କେତେ ଲାଞ୍ଚନl କେତେ ଯନ୍ତ୍ରଣା ସହିବାକୁ ପଡେ ! ସେଇଥିପାଇଁ ବୋଧହୁଏ ଚାଣକ୍ୟ କହିଥିଲେ। :

” ବରଂ ବନ ବ୍ୟାଘ୍ରଗଜେନ୍ଦ୍ର ସେବିତମ,
ଦୃମାଲୟ ପତ୍ର ଫଳାମ୍ବୁସେବନମ ,
ତ୍ରୁଣେଷୁ ଶଯ୍ୟା ଶତଜୀର୍ଣ୍ଣ ବଳକଳମ,
ନ ବନ୍ଧୁମଧ୍ୟେ ଧନହୀନ ଜୀବନମ୍ ।”

ମନ ତ ଦୁଃଖ ହେଲା ମାତ୍ର ମୁଁ ଭାଙ୍ଗି ପଡି ନଥିଲି। ସେ ଯାହାହେଉ ଆମେ ଦିଲ୍ଲୀ ଫେରି ଆସିଲୁ। ଭୁବନେଶ୍ୱର ଫେରିବା ପୂର୍ବ ଦିନ ନାନା ପରୀକ୍ଷା ହେଲା, ମୁଁ ସେଥିରୁ ସାଧାରଣ ଜ୍ଞ୍ୟାନ ପରୀକ୍ଷାରେ ପ୍ରଥମ ହେଇ ପ୍ରଶଂସା ପତ୍ର ତଥା ଗୋଲଡ଼ ମେଡାଲ ପାଇଥିଲି । ଆହୁରି ମଧ୍ୟ ଆନନ୍ଦର କଥା ଏଇଯେ ମୁଖ୍ୟ ଆୟୋଜକ ଆମର ଯିବାଠାରୁ ଆସିବ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ନଜର ରଖୁଥିଲେ, ସେ ମୋର ଆଚାର ବ୍ୟବହାର ସାହସ ଓ ଧୈର୍ଯ୍ୟ ପାଇଁ ବିଶେଷ ପୁରସ୍କାର ସ୍ୱରୂପ ଆହୁରି ଏକ ମାନପତ୍ର ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ। ସେ ସବୁ ମାନପତ୍ର ଅନେକ ଦିନ ପର୍ଯ୍ୟନ୍ତ ସାଇତି ରଖିଥିଲି।

Leave A Reply

Your email address will not be published.