Latest Odisha News

BREAKING NEWS

ମାଆ ଆସିଛି

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’

ଗାଁରେ ପବିତ୍ର ମହାଳୟା ଶ୍ରାଦ୍ଧ । ସେଥିପାଇଁ ସପ୍ତାହେ ଆଗରୁ ସମସ୍ତେ ଲାଗିପଡ଼ିଛନ୍ତି ଘରର ପୁରୁଣା କନ୍ଥା ପଟି, ଲୁଗାପଟା ସବୁ ସଫା କରିବାରେ। ପୁରୋହିତ ଆସି ପାଞ୍ଚ ଦିନ ଆଗରୁ କହିଦେଇ ଯାଇଛନ୍ତି, କାହାଘରେ ଯଦି ଯୋଗାଡ଼ ଯନ୍ତ୍ର ସରିନଥିବ, ତାହେଲେ ମୁଁ ଆଉ ଶ୍ରାଦ୍ଧ କରିବିନି । ତେଣିକି ତମେ ଆଉ ଯାହାକୁ ଡାକି ପିଣ୍ଡ ପତ୍ର ପକାଅ ନପକାଅ, ମୋର କିଛି ଯାଏଆସେ ନାହିଁ । କେବଳ ସେଥିପାଇଁ ସବୁ ଘରେ ଆଗୁଆ ପ୍ରସ୍ତୁତି । ଗାଁ ଘର । ପ୍ରାୟ ଅଧିକାଂଶଙ୍କ ଅଧିକରୁ ଅଧିକ ହେଲେ ତିନି ବଖରା ଘର । ସେଥିପାଇଁ କିଏ କାନ୍ଥରେ ଚୂନ ଲିପୁଛି ତ ଆଉ କିଏ ନାଲିମାଟିରେ ଅଳତା ଗୁଣ୍ଡ ଟିକିଏ ମିଶାଇ ସେହି ଚୂନଲିପା କାନ୍ଥରେ ଧାରଦେଉଛି । ଅଧିକାଂଶ ସ୍ତ୍ରୀ ଲୋକ ଏହି ସମୟରେ ଏତେ କାମ କରନ୍ତି ଯେ, ସେମାନଙ୍କ ପାଣିକାଚ ଚୂଡ଼ି ଭିତରେ ହାତ କଚଟି ଏବଂ ଆଙ୍ଗୁଠି କେମ୍ପ ସବୁ ପାଣିଖାଇ ଦନଦନିଆ ହୋଇଯାଇଥାଏ । ତଥାପି ସେମାନଙ୍କ କାମ ବନ୍ଦ ହୁଏନି । ଅନବରତ ଚାଲିଥାଏ ।

ଏମିତି ହିଁ ଏକ ମହାଳୟାରେ ପିତୃଶ୍ରାଦ୍ଧ ପାଇଁ ଘରେ ଘରେ ପ୍ରସ୍ତୁତି ଚାଲିଥାଏ ବିନୋଦପୁର ଗାଁରେ । ପୁରୋହିତ ଆସି, କିଛି ଘରେ ଶ୍ରାଦ୍ଧ କରାଇସାରିଲେଣି । କିଛି ସମୟ ପରେ କୀର୍ତ୍ତନ ମହାପାତ୍ରଙ୍କ ଘରେ ଆସି ପହଞ୍ଚିବେ ଗୋସେଇଁ । କିନ୍ତୁ ତାଙ୍କ ଘରେ ଶ୍ରାଦ୍ଧ ପାଇଁ ସେମିତି କିଛି ପ୍ରସ୍ତୁତି ହୋଇନି । କାରଣ ତାଙ୍କ ଘରେ କାମ କରିବାକୁ କେହି ନାହିଁ । ସ୍ତ୍ରୀ କିରଣବାଳା ଆସନ୍ନପ୍ରସବା । ଏଇଟା ସପ୍ତମ ଗର୍ଭ । ବର୍ତ୍ତମାନ ସୁଦ୍ଧା ଘରେ ଛଅଟା ପିଲା ଅଛନ୍ତି । ସମସ୍ତେ ଝିଅ । ପୁଅ ଆଶାରେ ସେମାନେ ପରିବାର ବଢ଼ାଇ ଚାଲିଛନ୍ତି । ତେବେ ଯଦି କିରଣବାଳାଙ୍କ ଆଜି ହିଁ ପ୍ରସବ ହୋଇଯାଏ, ତାହେଲେ ବଂଶ ଅଶୌଚ ହୋଇଯିବ । ଆଉ ପିତୃଶ୍ରାଦ୍ଧ ହୋଇପାରିବ ନାହିଁ । ତେଣୁ ପ୍ରସ୍ତୁତି ଥାଉ ବା ନଥାଉ, କେବଳ ତର୍ପଣ ଟିକିଏ କରିଦେଇ ବିନା ପିଣ୍ଡଦାନରେ ପୁରୋହିତଙ୍କୁ ଦକ୍ଷିଣା ଦେଇ କାମ ତୁଟାଇଦେବାକୁ ଚାହୁଁଛନ୍ତି କୀର୍ତ୍ତନ ମହାପାତ୍ର । କିରଣବାଳାଙ୍କ ଅବସ୍ଥା ଦେଖି, ଘରକୁ ଆସିଛନ୍ତି ତାଙ୍କ ମାଆ ଓ ସାନ ଭଉଣୀ । ଗାଁର ଧାଈ ଓ ଅନ୍ୟ ତିନି ଚାରିଜଣ ବୁଢ଼ୀ ବି ଆସି ପହଞ୍ଚିଛନ୍ତି କୀର୍ତ୍ତନଙ୍କ ଘରେ । ଘେରେଇ ହୋଇ ରହିଛନ୍ତି କିରଣବାଳାଙ୍କୁ ।

ଏମିତି ସ୍ଥଳେ ପରିସ୍ଥିତିର ଗମ୍ଭୀରତାକୁ ନଜରରେ ରଖି ପୁରୋହିତ ଗୁଣି ଚାଲିଛନ୍ତି ମନ୍ତ୍ର । ଅଧା ଶୁଭୁଛି, ଆଉ ଅଧା ଗିଳିଯାଉଛନ୍ତି । ଠିକ୍ ତର୍ପଣ ପାଇଁ ହାତରେ ଜଳାଞ୍ଜଳି ଧରିଛନ୍ତି କି ନାହିଁ କୀର୍ତ୍ତନ, ହଠାତ୍ ଭିତର ଘର ପଟୁ ଶୁଭିଲା କୁଆଁ .. କୁଆଁ .. କୁଆଁ .. । ପୁରୋହିତ ରାଗି ପାଚି ଲାଲ୍ । କହିଲେ, କି ବେଳାରେ ଜନ୍ମହେଲା ଏ ପିଲା । ଇଏ ତ ପୂରା ବଂଶ ଖାଇଯିବ । କୀର୍ତ୍ତନଙ୍କୁ ଖୁବ୍ ରାଗ ଲାଗୁଥିଲା । ତଥାପି ନିଜ ଭାବାବେଗକୁ ନିୟନ୍ତ୍ରଣରେ ରଖି ସେ କହିଲେ, ପୁରୋହିତେ ଆଜ୍ଞା .. ଏମିତି କଣ କହୁଛନ୍ତି? ସେତେବେଳକୁ ଭିତର ଘରୁ ଦୌଡ଼ି ଆସି କିରଣବାଳାଙ୍କ ସାନ ଭଉଣୀ କହିଲା, ଆମର ଆଉ ଗୋଟେ ଝିଅ ହୋଇଛି । ତା ପରେ ସେ ଅଚାନକ କେଉଁଆଡ଼େ ଉଭାନ୍ ହୋଇଗଲା । ଅଶୌଚ ହୋଇଯାଇଥିବାରୁ ପୁରୋହିତେ ଆଉ କିଛି ନକହି ଦୁମ୍ ଦୁମ୍ ପାଦ ପକାଇ ବାହାରକୁ ଚାଲିଗଲେ । ଦାଣ୍ଡରେ ପାଦ ପକାଇବା କ୍ଷଣି ହୁରି ପକାଇଦେଲେ, କୀର୍ତ୍ତନ ମହାପାତ୍ରର ଆଉ ଗୋଟିଏ ଝିଅ ହୋଇଛି । ମତେ କାଇଁ ଲାଗୁନି, ତା ବଂଶରେ ଆଉ କିଏ କେବେ ହେବ, ଯିଏ ତା ମୁହଁରେ ଟିକିଏ ପାଣି ଦେବ । ଏଇ କଥାଟା ପୁରୋହିତଙ୍କ ମୁହଁରୁ ଶୁଣିଲା ପରେ କୀର୍ତ୍ତନଙ୍କ ବଂଶର ଅନ୍ୟମାନଙ୍କ ଘରେ ବି ଶ୍ରାଦ୍ଧ ବନ୍ଦ ହୋଇଗଲା ।

ଏପଟେ ଶ୍ରାଦ୍ଧ ପାଇଁ ବିଛାଇ ଯାଇଥିବା କୁଶ ଆସନ ଉପରେ ଲଥ୍ କରି ବସିପଡ଼ିଲେ କୀର୍ତ୍ତନ ମହାପାତ୍ର । ତାଙ୍କ ଆଖିରୁ ଝରିଗଲା ଦୁଇ ଧାର ଲୁହ । ହେ ଭଗବାନ .. ଏଥର ବି ଝିଅଟିଏ ଦେଲ ? ଅଭିମାନ ଓ ଦୁଃଖରେ ଭାଙ୍ଗି ପଡ଼ିଥିଲେ ସିଏ । ତାଙ୍କ ମନରେ ଚାଲିଥାଏ କେବଳ ଗୋଟିଏ କଥା । ତାଙ୍କ ପରେ, କଣ ତାଙ୍କୁ ଶ୍ରାଦ୍ଧ ଦେବାକୁ ଆଉ କେହି ନଥିବେ? ଏଇଠି କଣ ତାଙ୍କ ବଂଶ ଶେଷ ହୋଇଯିବ? ଏତିକି ବେଳେ ନବମ ଶ୍ରେଣୀରେ ପଢୁଥିବା ତାଙ୍କ ବଡ଼ଝିଅ ଆସି ପହଞ୍ଚିଲା କୀର୍ତ୍ତନଙ୍କ ପାଖରେ । ବାପାଙ୍କ ଆଖିରେ ଲୁହ ଦେଖି, ସେ ଠିକ୍ ବୁଝିପାରିଥିଲା ତାଙ୍କ ମାନସିକ ସ୍ଥିତି । ପାଖକୁ ଯାଇ ବାପାଙ୍କ ଆଖିରୁ ଲୁହ ପୋଛିଲା । କହିଲା, ବାପା .. କହିଲ ଦେଖି, କେଉଁ ଶାସ୍ତ୍ରରେ ଲେଖାଯାଇଛି ଯେ, ପିତୃପୁରୁଷଙ୍କ ଶ୍ରାଦ୍ଧ କେବଳ ପୁଅ କରିବ? ଝିଅ କଣ ସେହି ପିତୃପୁରୁଷଙ୍କ ଅଂଶ ନୁହେଁ? ଝିଅ କଣ ଅନ୍ୟ କୌଣସି ବଂଶରେ ଜନ୍ମ ହୋଇଛି? ଝିଅ କଣ ନିଜ ବାପାମାଆଙ୍କ ଆତ୍ମାଙ୍କ ଶାନ୍ତି ପାଇଁ ପିଣ୍ଡଦାନ କରିପାରିବ ନାହିଁ ? ବାପା .. ଆମେ ଛଅ ଭଉଣୀ ଥିଲୁ । ଆଉ ଗୋଟିଏ ଆମ ସହିତ ଯୋଡ଼ିହେଲା । ଏଥିରେ ଭାଙ୍ଗିପଡ଼ିବାର କଣ ଅଛି କହିଲ? ବାପା .. ଆଜି ପରା ମହାଳୟା । କାଲିଠୁ ଦେବୀପକ୍ଷ । ଘରେ ଘରେ କୁମ୍ଭ ବସିବ । ପୂଜା ହେବ । ମାଟିର ମହାଦେବୀଙ୍କୁ ଲୋକେ ପୂଜା କରିବେ । ଅଥଚ, ଏଭଳି ଏକ ମହାନ୍ ବେଳାରେ ଆମ ଘରେ ଗୋଟିଏ ଝିଅ ଜନ୍ମ ହେଲା ବୋଲି ତମେ ଭାଙ୍ଗିପଡୁଛ ବାପା?

ରାଜାରୁ ରଙ୍କ ଯାଏଁ ସମସ୍ତେ, ଏହି କୁଆଁରୀ ଝିଅମାନଙ୍କୁ ମହାନବମୀରେ ପୂଜା କରି ସେମାନଙ୍କ ପାଦ ଛୁଇଁ ଆଶୀର୍ବାଦ ମାଗିବେ, ଅଥଚ ମହାଳୟାରେ ଘରେ ଝିଅଟିଏ ଜନ୍ମ ହେଲା ବୋଲି ସବୁ ବେଦ ଅଶୁଦ୍ଧ ହୋଇଗଲା? ଏଇଟା କଣ ଗୋଟିଏ ପରସ୍ପରବିରୋଧୀ ବିଚାର ନୁହେଁ? କୀର୍ତ୍ତନ କେବଳ ଚୁପଚାପ୍ ନିଜ ଝିଅର ମୁହଁକୁ ଚାହିଁ ବସିଥାନ୍ତି । ଅବାକ୍ ହୋଇ ଅନାଇଥାନ୍ତି ତାକୁ । ଭାବୁଥାନ୍ତି, ଏଡେ ବକଟେ ପିଲା, ତା ମୁଣ୍ଡରେ ଏ ଯୁକ୍ତି, ଏ ତର୍କ, ଏ ଦର୍ଶନ, ଏ ବିଦ୍ରୋହୀ ମନୋଭାବ କେବେ ଆସିଲା । ଏତିକିବେଳେ ଦାଣ୍ଡ ଦୁଆର ମୁହଁରେ ଭିକାରିଟିଏ ଅତି ଉଚ୍ଚସ୍ୱରରେ ଡାକ ପକାଉଥିଲା .. ମାଆ … ଏ ମାଆ ଅନ୍ନପୂର୍ଣ୍ଣା .. ଆଜି ମହାଳୟା ମାଆ .. କଣ ମୁଠେ ମିଳୁ …

ଭିକାରିର ଡାକ ଶୁଣି ନିଜ ସ୍ଥାନରୁ ଉଠି ଆସି ମୁଠାଏ ଚାଉଳ ଆଣି ତା ଅଣ୍ଟିରେ ଅଜାଡ଼ିବାକୁ ଯାଉଛନ୍ତି, ସେତିକି ବେଳେ ଭିକାରି ଜଣକ କହିଲା .. ବାବୁ, ତମ ମନ ଭଲ ନାହିଁ ବୋଧେ । ସେଥିପାଇଁ ଏତେ ଉଦାସ ହୋଇ ତମେ ମୋ ଅଣ୍ଟିକୁ ଚାଉଳ ମୁଠାଏ ପକାଉଛ । ଦାନ ସବୁବେଳେ ହସି ହସି ଆନନ୍ଦ ମନରେ କରାଯାଏ । କୀର୍ତ୍ତନ ମହାପାତ୍ର କିଛି ଜବାବ ଦେବା ପୂର୍ବରୁ ଭିକାରି ଜଣକ କହିଲା, ଖୁସି ହୁଅ ବାବୁ .. ଆନନ୍ଦିତ ହୁଅ । ଆଜି ଏତେ ବଡ଼ ଦିନଟିଏ – ମହାଳୟା .. ତମ ଘରକୁ ମାଆ ଆସିଛି .. । ଏ ଜଗତର ମଙ୍ଗଳ କରିବା ପାଇଁ । ତମ ସମସ୍ତଙ୍କ ମଙ୍ଗଳ କରିବା ପାଇଁ । ତା ପରେ ଲୋକଟି ସେଇଠୁ ହିଁ ଚାଲିଗଲା । କେଜାଣି କାହିଁକି କୀର୍ତ୍ତନ ବାବୁଙ୍କୁ ଏବେ ଖୁବ୍ ହାଲୁକା ଲାଗୁଥିଲା । ସେ ଟିକିଏ ଆଶ୍ୱସ୍ତ ଅନୁଭବ କରୁଥିଲେ ।

ଅଠେଇଶ ବର୍ଷ ତଳର ସେ ମହାଳୟା ଦିନର ସେହି ସବୁ ଘଟଣା ଚଳଚ୍ଚିତ୍ର ପରଦାରେ ଚଳନ୍ତି କାହାଣୀ ଭଳି ଭାସିଉଠୁଥିଲା କୀର୍ତ୍ତନଙ୍କ ଆଖି ଆଗରେ । ହସ୍ପିଟାଲ ବେଡରେ ଏକ ବଡ଼ ଧରଣର ଅପରେସନ୍ ପରେ ଅନେକ ସମୟ ଯାଏଁ ନିଶ୍ଚେତ ଥିଲେ ସେ । ଏବେ ଚେତା ଆସିବା ପରେ ସେ ଆଖି ଖୋଲିଲା ବେଳକୁ ତାଙ୍କ ବେଡ୍ ଚାରିପାଖରେ ଠିଆ ହୋଇଥାନ୍ତି ସାତ ଜଣ ଯାକ ଝିଅ । ସମସ୍ତେ କୀର୍ତ୍ତନ ବାବୁଙ୍କୁ ଗୋଟିଏ ଦୃଷ୍ଟିରେ ଅନାଇ ପଡ଼ିଥାନ୍ତି । ହଠାତ୍ ସେ ଘେରକୁ ଭେଦ କରି କୀର୍ତ୍ତନଙ୍କ ସାମ୍ନାରେ ଠିଆ ହୋଇଯାଇଥିଲା ନର୍ସ । କହିଲା, ମଉସା .. ଆପଣ ବଡ଼ ଭାଗ୍ୟବାନ । ଆପଣଙ୍କ ଅପରେସନ୍ କରିଛନ୍ତି ଏ ରାଜ୍ୟର ସବୁଠୁ ଲୋକପ୍ରିୟ ଓ ଦକ୍ଷ ଡାକ୍ତର ମୃଣ୍ମୟୀ ମହାପାତ୍ର । ଆପଣ ଜାଣିଛନ୍ତି, ଡାକ୍ତର ମୃଣ୍ମୟୀ ବର୍ତ୍ତମାନ ସୁଦ୍ଧା ହଜାରେରୁ ଅଧିକ ଗରିବ ଲୋକଙ୍କ ଅପରେସନ୍ ସଫଳତାର ସହିତ କରିସାରିଲେଣି । କୀର୍ତ୍ତନ ମହାପାତ୍ରଙ୍କୁ ମନେ ହେଉଥିଲା ସତେ ଯେମିତି କେହି ତାଙ୍କୁ ପୁଷ୍ପକ ବିମାନରେ ବସେଇ ସ୍ୱଦେହରେ ସ୍ୱର୍ଗକୁ ବାଟ କଢ଼ାଇ ନେଉଛି । ଆଉ ସେଇଠି ସ୍ୱର୍ଗଲୋକରେ ତାଙ୍କ ପିତୃପୁରୁଷ ତାଙ୍କୁ ହାତ ଧରି ଚଲେଇ ନେଉଛନ୍ତି ଆଗକୁ … ଆଗକୁ ।

ଏହି ସମୟରେ ହଠାତ୍ ତାଙ୍କୁ ମନେ ପଡ଼ି ଯାଉଛି ସେହି ଭିକାରିର ଚେହେରା। ଆଉ ତାଙ୍କ କାନରେ ଗୁଞ୍ଜରିତ ହେଉଛି ତାର ସେହି ଦୁଇ ପଦ କଥା … ବାବୁ .. ଆଜି ମହାଳୟା .. ତମ ଘରକୁ ମାଆ ଆସିଛି । ଖୁସି ହୁଅ। ଆନନ୍ଦିତ ହୁଅ । …

ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି
ମୋହାଲି, ପଞ୍ଜାବ । ପିନ୍- ୧୪୦୪୧୩
ଫୋନ୍- ୯୯୩୭୨୫୨୪୬୪

Leave A Reply

Your email address will not be published.