Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୪)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୪

ସମୟ ଡେଣା ଝାଡି ଉଡିଯାଉଥିଲା। ବଦଳି ଯାଉଥିଲା ବର୍ଷ , ମାସ , ଦିନ,ବାର, ତିଥି, ନକ୍ଷତ୍ର।ଶାମୁକା ପେଟରେ ମୋତି ଭଳି ସାଇତାଯାଉଥିଲା ଆମ ଅମଳିନ ଶ୍ରଦ୍ଧା ସ୍ନେହ ଟିକକ।

ଘଟଣା ପରେ ଘଟଣା ବାଟ ଓଗାଳୁଥିଲା।  ଜୀବନ ନିର୍ବିକାରରେ ଚାଲୁଥିଲା, ପରିବର୍ତ୍ତିତ ସମୟକୁ ଆପଣେଇ।ସତରେ ଯେ, ହଜିଗଲେ ପଛେ ହଜିଯାଉ କିଛି ଅମୂଲ୍ୟ ସମ୍ପଦ, ମାଡିଆସୁ ପଛେ ଦୁଃଖର କଳାବାଦଲ, ନେଇଯାଉ ପଛେ ସମୁଦ୍ର ଲହଲହ ଜିଭରେ ଏକ ନିର୍ଦ୍ଧିଷ୍ଟ କାଳଖଣ୍ଡ, ତଥାପି ଜୀବନ ଚାଲିବ ତା’ ନିଜସ୍ବ ରାସ୍ତାରେ, ନିଆରା ଢଙ୍ଗରେ ।ଭୋକଲାଗିବ, ନିଦଲାଗିବ, ଲାଗିବ ଅନ୍ୟ ଅନେକ କିଛି।

ତିରସ୍କାର କଲେ ବଦଳିଯାଏ କି ଜୀବନ?ନା ବଦଳେ ବ୍ୟକ୍ତିତ୍ବ।ତଥାପି ଆମେ କହୁ ଅନେକ କଥା।ଚେଷ୍ଟା କରୁ ବଦଳାଇବା ପାଇଁ।  ଯାହାସବୁ ଅସମ୍ଭବ ସେସବୁପାଇଁ ଅପଚେଷ୍ଟା ଜାରି ରହେ ଆମର। ନା ବୁଝୁଆମେ କାହାର ଅସହାୟତାକୁ।ନା ବୁଝୁ କାହାର ମାନସିକ ଅବସ୍ଥାକୁ।ଜାହିର କରୁ ଆମର ପ୍ରଭୁତ୍ବକୁ କେବଳ ।

ସୂର୍ଯ୍ୟଙ୍କ ଗତି ବଢୁଥିଲା। ସରିସରି ଯାଉଥିଲା ଦିନ…ଅପେକ୍ଷା କରିଥିଲା ରାତି। ଚକଘୂରିଯାଏ..ଷ୍ଟିଅରିଂ ଭଳି, ଅଥଚ ପହି …।ଅଡୁଆ ସୂତାକୁ  ସଜାଡିବାକୁଯାଇ ଘୂରିଯାଉଚି ମୁଣ୍ଡ। ଭର୍ଟିଗ ହୋଇଥିବ।ଭର୍ଟିନ ଖାଇବାକୁ ପଡିବ। ଭାରିକଷ୍ଟ ସତରେ।

ହସଖୁସିର ଦିନସବୁ ଜଲଦି ସରିଯାଏ। ଦୁଃଖରଦିନ ଲମ୍ବିଥାଏ ନୀଳନଦୀ ପରି। ବାଟ ଭୁଲିଯାଏ ସେ ଶେଷଚିହ୍ନରେ ପହଞ୍ଚିବା ନିମନ୍ତେ। ଥରେ ସମୟ ଅତିକ୍ରାନ୍ତ ହେଲେ ଦୁଃଖସୁଖର ଦିନ ଏକାଭଳି ଲାଗେ।ନିଜ ଉପରେ  ହସମାଡେ, ବିରକ୍ତି ଆସେ। ସ୍ଥିତପ୍ରଜ୍ଞ ହୋଇପାରନ୍ତା କି। ଅସମ୍ଭବ, ଏକଦମ ଅସମ୍ଭବ। ସମ୍ପଦେ ଚ ବିପଦେ ଚ ମହତାମ୍ ଏକରୂପତାଃ…, ମହତଙ୍କ ଭିତରେ ନାମଟି ଥାଆନ୍ତା। ସୁଧୁ ସାଧାରଣ।  ଦୁଃଖରେ ଅଧିର ଆଉ ସୁଖରେ ଅସ୍ଥିର…ସ୍ବାଭାବିକ କଥା।ଏସବୁ ନିରାଟ ସତ ହେଲେ ବି କହିବା ଲୋକକୁ ଲାଜଲାଗେ ଆଉ ଶୁଣିବାଲୋକ ବୋରିଂ କହି କାନବୁଜେ, ନହେଲେ ସ୍ଥାନ ପରିବର୍ତ୍ତନ କରେ। ପାଗଳର ପ୍ରଳାପ… ତାତ୍ତ୍ବିକ କଥା…ତାଚ୍ଛଲ୍ଯ ଆଉ ହୋହୋ ହସ।ନୀରବରେ ରହିଗଲେଗଲା ।

ଲାଗୁପଛେ ଅନେକ ଦିନ ଅପେକ୍ଷା କରିବାକୁ ପଡିବ ଧୈର୍ଯ୍ୟସହକାରେ। ଦିନେ ଇଚ୍ଛା ମୁତାବକ ସତହବ ସବୁ।ହାତ ପାଆନ୍ତାରେ ଥାଏ କ’ଣ ଯେ। ତାଳ ଗଛରେ ଓହଳିଥାଏ ଅନେକ କିଛି।ଅଙ୍ଗୁପେନ୍ଥା ଭଳି ଅପହଞ୍ଚ ଇଲାକାରେ ଥାଏ ଆଉ କିଛି।  ଡିଆଁ ମାରିବାକୁ ପଡିବ। ନା ନା କାଉ ପାଣି ପିଇଲାପରି ଗୋଡି ଆଣି ପଢେଇବାକୁ ପଡିବ।ଗୋଡିଯେବେ ଫାଙ୍କା ଜାଗାରେ ଜାହିର କରିବ ନିଜକୁ,ଜଳସ୍ତର ଉପରକୁ ଉଠିବ, ଶୂନ୍ୟ ସ୍ଥାନ ପୂରଣ ହେବ, ଆଶା ତୃଷା ମେଣ୍ଟିବ। ସହଜ ନୁହେଁ ଏସବୁ। କଷ୍ଟ କଲେ ମିଳିପାରେ ହୁଏତ। ତଥାପି ହାରିଯିବନି କିଛି ନକରି।କାମ ଜାରି ରହିବ। ଆଶା ଆକାଂକ୍ଷା ସାଙ୍ଗରେ ଥିବ ,ମନକୁ ବୁଝେଇ ଲଗାଇବାକୁ ହବ। ଏସବୁ ମନ ତଳର କଥା।ସାମ୍ନାରେ ଦେଖାଯାଉଛି ଏବେ।ଗାଉଁଲି କହି ଏଡେଇଯାଉଥିବା ଲୋକେ ଏବେ ପାଗଳି କହି ହସି ଉଡେଇବେ ମଜା। କୁହନ୍ତୁ ଯିଏ ଯାହା କହିବେ। ନାଟକୀୟ ଢଙ୍ଗରେ ସବୁ ଯେମିତି ଉନ୍ମୁକ୍ତ ଏବେ। ବିସ୍ତୀର୍ଣ୍ଣ ମନ -ଉପବନରେ ସେ  ଏକାକୀ ସାମ୍ରାଜ୍ଞୀ । କାମ ତ ଯାହା ହେଉଚି ହେଉ, ନିଜକୁ ନିଜେ ମନେମନେ କହି ହେଲେ ଶୁଣିବାକୁ କେହିନଥାଉ। କାହା ଆକ୍ଷେପ ନଥାଉ କି ପ୍ରତିକ୍ରିୟା ପ୍ରକାଶ  ନହେଉ।ଶିଉଳି ଜନ୍ମିଚି କେବଳ କ’ଣ ନିଜ ପାଇଁ …. ?

ମଣିଷ ନପାରେ ଯେତେବେଳେ ଯୋଉ କାମ, ଦୋଷ ଦିଏ ପରକୁ ,ନହଲେ ଭାଗ୍ୟ ଆଉ ଭଗବାନଙ୍କୁ।ନିଜକୁ କିଏ ଦୋଷୀ ମଣେ କି କେବେ ? ଶିଉଳି ପାରେ। ଭାଗ୍ୟ ଭବିତବ୍ୟକୁ ଦୋଷ ନଦେଇ ସେ ନିଜକୁ କହିହୁଏ। ହାତଧରିଥିବା ମଣିଷ ଆସ୍ତେକିନା ଛାଡିଦେଲାହାତ ,ଅଥଳ ସମୁଦ୍ର ଭିତରେ। ଅଣନିଃଶ୍ବାସି ମଣିଷ ତଥାପି  ଅଭିଯୋଗ ନକରି ନିଜକୁ ପଢାଉଥିଲା କେଉଁଠି କମି ରହିଗଲା ମ।ହଜମକରିଚି ଅପନିନ୍ଦା ଓ ଗାଳି। ବାପ ଘରେ ଦାୟିତ୍ୱ ନେବେନି କହି ସିଧାସଳଖ ମନାକରିଦେଲେ।ଏକାସହିତ  ସମସ୍ତେ ପରକରିଦେବାର ସମୟ କୁ ପିଇବା ଏତେ ସହଜ ନୁହେଁ। ମରାପିଟା ପରେ ଜୀବନ ଧରି ପଳେଇବା ଛଡା ଆଉ କିଛି ଉପାୟ ନଥିଲା। ଯିବ କୁଆଡେ …।ହୋସ୍ ନଥିଲା ଭଳି ପାଦ ଆଗକୁ ଆଗକୁ ପଡୁଥିଲା। ଦେହରେ ଥିବା ପତଳା ଚେନ୍,ମୁଦି,କାନଫୁଲ ଓ ଦୁଇପଟ ଚୁଡିକୁ କାନିରେ ବାନ୍ଧିଲା।ଯାହା ପିନ୍ଧିଚି ସେତିକି ଲୁଗା, ଏଇ ତା’ର ସମ୍ପତ୍ତି।

ପାଖ ସହରକୁ ପଳେଇଯିବା ପରେ ମନ୍ଦିରଟିଏ ପାଖରେ,ଜରି,କାଗଜ ବିଛେଇ ବସିଲା। ଖାଇବାକୁ ମିଳିଲା ସତ,ପଇସାରେ ଆଉ କାହାର ଅଧିକାର ଥିଲା। ଭିକାରୀଙ୍କର ବି ସଂଘ ଅଛି …। ମନ୍ଦିର ବେଢାକୁ ସଫା ରଖେ, କିଏ କେତେବେଳେ କ’ଣ ଟିକିଏ ଦୟାକରି ଦିଅନ୍ତି। ପେଟ ପୂରେ। ମାଗିପାରେନା କାହାକୁ ଖଣ୍ଡେ ଲୁଗା, ବଦଳେଇ ପାରେନା ଅସନାକୁ, ସେଇ ମିଶା ଗାଧୋଇପଡେ,ଦେହରେ ଓଦାଲୁଗା ଶୁଖେ। ଦେହ ଖରାପ ହୁଏ।ଫଟାଚିରା ଶାଢୀ ତଳୁ ଲୋଚାକୋଚା ପ୍ରାଣ କାହାକୁ ଦିଶେନି।ଦିଶେ ଦେହଟା ସମସ୍ତଙ୍କୁ..।

Comments are closed.