ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୧)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୧

ଗୋଇଠା ମାରେ ପିଲା। ଏବେ ଦେହସୁହା ହେଲାଣି ସେଇଟା । ଭଲଲାଗେ ସେ ମିଠା ଦୁଷ୍ଟାମୀ।କାନରେ ଯନ୍ତ୍ର ଲଗେଇ ପରୀକ୍ଷା କରନ୍ତି ଯତ୍ନ ସହକାରେ ମାଆ ନିଜେ । ଜବରଦସ୍ତି କ୍ଷୀର,ଅଣ୍ଡା, ଫଳ ଖୁଆନ୍ତି। ପୁଣି ଭିଟାମିନ୍ କହି ଦିଅନ୍ତି କିଛି ଔଷଧ।ସକାଳ ସଞ୍ଜରେ ଘର ଚାରିପାଖରେ ଚାଲିବାକୁ ନେଇଯାଆନ୍ତି। ତାଙ୍କ କଥାରେ ଯେତିକି ସ୍ନେହ ଥାଏ ସେତିକି ଦୃଢତା ଥାଏ। ମାନିବାକୁ ମନକୁହେ।

ସମୟ ଏମିତି ବଦଳେ! ମୋବାଇଲ ମୋ’ ପାଇଁ କିଣାହେଲା। ଶିଖଉଛନ୍ତି ଅନେକ କିଛି ସେଥିରେ। କାହା ସହ କଥାହେବି ମୁଁ । ସେଇ ମାଆହିଁ ଜଣେ। ଛୋଟ ଛୋଟ ବହି ଦେଉଚନ୍ତି ପଢିବାକୁ।ଭଲ ଲାଗୁଚି।ସବୁଠାରୁ ଭଲ ଲାଗେ ବାହାର ପବନରେ ସକାଳୁ ଓ ସଞ୍ଜରେ ଚାଲିବାକୁ।ଏବେ ଏକା ଏକା ତଳକୁ ଯାଇ ପାରୁଛି। ଅନେକ ଜିନିଷ ସହ ଖାପଖୁଏଇ ଖୁସି ହେଉଛି।

କଣ୍ଢେଇ ପସରା ଆଜି ବାହାରିଲା। ଛୋଟ ଛୋଟ ରଙ୍ଗୀନ କାଗଜରେ ଗୁଡେଇ କାଗଜର ବ୍ୟାଗ ଭିତରେ ରଖିଲି। ଏସବୁ ଉପହାର ଭାବରେ କାହାକୁ ଦେବେ,କେଜାଣି…। କଥା ମାନି ଏତିକି କାମ କରିଦେଲି। ଏ ଘରେ ଗୋଟିଏ ଖୋଲାଜାଗା ଅଛି, ତା’କୁ ସମସ୍ତେ ବାଲକୋନି କୁହନ୍ତି।କି କଷ୍ଟରେ ମନେ ରଖିଚି । ମାଆ କାଗଜର ବ୍ୟାଗ ବିଭିନ୍ନ କିସମର ରଖିଛନ୍ତି। ଅଖା ଓ କନାରେ ବି ଅଛି।ଜିନିଷ ଦେଖି ବ୍ୟବହାର। ପଲିଥିନ ଭଲ ନୁହେଁ, ସେ କହନ୍ତି। ପ୍ରାୟ ବ୍ୟବହାର କରନ୍ତିନି ସେଇଥିପାଇଁ।

ଟିନୁ ଦିନେ ଦିନେ ତିନିଥର ଆସେ।ଆଉ କେବେ ଦୁଇଥର।ସେ ସବୁ ଜାଣିଚି। ଲେଖା ଅନୁଯାୟୀ କାମ କରେ। କି ସୁନ୍ଦର ଖେଳନା। ଲେଖା କାଗଜ ଉପରେ ଚୁମ୍ବକର ଖେଳନା ଚିପିହୋଇ ରହେ। ମାଆ ହେବା ପରେ ମୋତେ ଏ ଘର କାମ କରିବାକୁ ଅନୁମତି ମିଳିବ ବୋଧହୁଏ । ଏବେ ଖାଲି ଧୂଳି ଝାଡିବା, ଥାକ ସଜାଡିବା ଲୁଗା ଚଉତିବା ଏମିତି ସବୁ ହାଲୁକା କାମ। ଆଉ ମୋର ନିଜ କୋଠରୀ ଓ ଗାଧୁଆ ଘର, ଲୁଗାପଟା ସଫାସୁତୁରା ମୋ’ କାମ। ତେଣୁ ଭଲ ଲାଗୁନି ଜମା। ନହଲେ ଏ ଟିନୁର କାମ ମୁଁ କରିଦିଅନ୍ତିନିକି ।ଭରସା ମୋ ଉପରେ ରଖିଛନ୍ତି ଯେତେବେଳେ କାମକରି ଶୁଝିଦେବି ନିଶ୍ଚିତଭାବେ ।

କାହିଁକି ସେପଟ ଘରଟିକୁ ଯିବାକୁ ମନାକରନ୍ତି ସମସ୍ତଙ୍କୁ।ରୋଗୀଙ୍କୁ ମୁଁ ଦେଖିଲେ ଅସୁବିଧା କଣ ଯେ। ଟିନୁ ବି ଯାଏନି। ଆମକୁ ମନା।
ଏତେସବୁ ଭିତରେ ବେଳେ ବେଳେ ଖାଁ ଖାଁ ଲାଗେ। ମାଆ କେତେଥର ତଳ ଉପର ହୁଅନ୍ତି। କେତେବେଳେ କଥା ହୁଅନ୍ତି କେତେବେଳେ ନାହିଁ। ନିଜ ଭିତରେ ସେ ଥାଆନ୍ତି। କାମ ଓ ସମୟକୁ ବହୁତ ମର୍ଯ୍ୟାଦା ଦିଅନ୍ତି। ଏଇ ଟିନୁ ଗପ କରେ। ଭଲ ଲାଗେ ସେଇ ସମୟ। ମାଟି ଆଣିଦେଲେ ଗଢି ଦିଅନ୍ତି କିଛି କଣ୍ଢେଇ। ପୁଣି ମଜା ଆସନ୍ତା। ମୋ’ ପାଟି ଖୋଲେନି କିଛି କହିବାକୁ।

ମୁଁ ମାଆଙ୍କ ସହ ଏବେ ପ୍ରାର୍ଥନା ବୋଲୁଚି। ସନ୍ଧ୍ୟା ଆଳତି ସମୟ ଭଲ ଲାଗୁଚି।ଆମ ଗାଁ କଥା ମନେ ପଡେ।ମନ୍ଦିର, ଠାକୁରାଣୀଶାଳ ଦେଖାଯାଏ।ଝୁଣା ଗୁଗୁଳର ବାସ ନାକରେ ବାଜେ।ମନଟା ଖୁସି ହୋଇଯାଏ।ବେଶି ସମୟ ରହେନି ଏ ଖୁସି, ସାଙ୍ଗେସାଙ୍ଗ ମନେପଡେ, ଘର,ବାଡି, ଗାଁ ଦାଣ୍ଡ,ପଖାଳ କଂସା, ତେନ୍ତୁଳି ଆଚାର, ମାଆର ଆକଟ ଆଉ ବାପାଙ୍କ ଗମ୍ଭୀର ସ୍ବର।ଉଦାସିଆ ହୋଇଯାଏ ମନ।ମାଆ ପଢି ପାରନ୍ତି କି ଏସବୁ କେଜାଣି ପରେ ମନ ଜାଣି ପଚାରନ୍ତି ଘର କଥା, ସାଙ୍ଗମାନଙ୍କ ସହ ହସମଜାର ସମୟ ଆଉ ଶ୍ବଶୁର ଘର କଥା। ସବୁ କୁହେ ଗୋଟି ଗୋଟି।କୋହ ଉଠେ ମୋ’ର, ସେ ଦୀର୍ଘଶ୍ବାସ ପକେଇ ପିଠି ଥାପୁଡେଇ ନୀରବରେ ପଳାନ୍ତି। ମୁଁ ଏକାହୁଏ, ପୁଣି ନିଜକୁ ସଜାଡେ। ସତରେ ଯେ ମନଟା ଟୁପକରି ଘୂରିଯାଏ ଆଉ ଏକ ପାଖକୁ। ସନିଆ ଭାଇ ଓ ମୁଗୁନି ଆଉକ’ଣ ମନେ ପକାଉଥିବେ ମୋତେ…। ପିଲାଟିଏ ପାଇଲେ ଖୁସିହେବେ।

ମାଆ ହେଲାପରେ ଅନୁମତି ନେଇ ଦିନେ ଯିବି ଦେଖା କରିବାକୁ। ଅବେଳରେ ସେମାନେ ଯେଉଁ ସାହାଯ୍ୟର ହାତ ବିନା ସଙ୍କୋଚରେ ବଢେଇଥିଲେ କେବେ ଭୁଲିବିନି ଜୀବନରେ । କୃତଘ୍ନ ନୁହେଁ ମୁଁ …କୃତଜ୍ଞତା ଜଣେଇବି ନିଶ୍ଚୟ । ଭଲରେ ଥାଅ ଦୁହେଁ। ମାଆଙ୍କୁ କହି ସେମାନଙ୍କୁ କିଛି କାମ ଦେଲେ ହୁଅନ୍ତା। ହେତ୍, ମୁଁ କଣ ଏ ଘର ମାଲିକିଆଣୀ …।ଅନୁରୋଧ କରିବି। ଯାଉ ଆଉ କିଛି ଦିନ।ମାଆ ଖୁବ୍ ଦୟା ଦେଖାନ୍ତି ଗରିବଗୁରୁବାଙ୍କୁ।ଚେଷ୍ଟା କରିବି ଥରେ କହି ।

ପାଖେଇ ଆସୁଥିଲା ମୋ’ ସମୟ।ଯଦିଓ ମାଆ ବିଶେଷ ବ୍ୟସ୍ତ ହେଉ ନଥିଲେ, ମୁଁ ଅଜଣା ଆଶଙ୍କାରେ ଭୟଭୀତ ହେଉଥିଲି। ଯଦି ମୋର କିଛି ହୋଇଯାଏ, କିଏ ଜାଣିବ ଯେ। ଏ ମାଆ, ଯିଏ ବଞ୍ଚିଲା କି ମଲା,ଖବର ରଖୁନାହାଁନ୍ତି ସିଏ ଏତେ ଭାବିବ ସେଇମାନଙ୍କ ପାଇଁ..। ଡରିବ ମୃତ୍ୟୁକୁ …ଆସୁ ଯଦି ଆସିବ। ଜୀବନ କୋଉଠୁ ଆଣି କୋଉଠି ଥୋଇଲାଣି, ଆଉ କି ଡର ମ ।ନା ନା,ଭରସା ରଖିବି, ବିଶ୍ବାସ କରିବି ନିଜକୁ କେବଳ । ଏତେ ପ୍ରତିକୂଳ ପରିସ୍ଥିତିରେ ଯିଏ ନମରି ବଞ୍ଚିଚି ତା’ର ଉଦ୍ଦେଶ୍ୟ ଏ ମାଟି ଜାଣିଚି । ହେ ପ୍ରଭୁ ତୁମେହିଁ ସାହା ମୋର।

ମାଆ ପଚାରି ବୁଝୁଥିଲେ ସବୁ ମୋତେ। ସେ ଘରେ ନଥିବା ବେଳେ ତଳୁ ଜଣେ ନର୍ସ ଆସିବସୁଥିଲେ ମୋ ପାଇଁ। ବହୁତ ଯତ୍ନ ନେଉଥିଲେ। ବେଳେବେଳେ ଲାଗୁଥିଲା ଏ ମାଆଙ୍କ ସହ ଅନେକ ଜନ୍ମର ସମ୍ପର୍କ ରହିଛି ଯେମିତି। ଏତେ ସ୍ନେହ। ଏତେ ଦରଦ,ଏତେ ଦୟା, ଏ ଯୁଗରେ!

କେମିତି ମା ଆଜି କହିଲେ, ‘ତୋର ଏକାସହିତ ଦୁଇଟା ପିଲା ହେଲେ କ’ଣ ନାମ ଦବୁ।’ ଧକ୍ କଲା ଛାତି। ମନରେ ଭାବିଲି, ମୁଁ କ’ଣ ସୀତା ମାଆ କି…। ଲବ, କୁଶ ଆସିବେ…।ବଲବଲ ଅନେଇଲି ତାଙ୍କୁ, ହସିଲି ଟିକିଏ। ‘ତୁମେ ନାଁ ଦବ ମାଆ’ , ଏତିକି ପାଟିରୁ ଆପେ ବାହାରିଗଲା।ନିଃଶ୍ବାସ ରୁନ୍ଧି ହୋଇଗଲାକି ଆଉ।