ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୭
ଜବାର କାମ ସରିସରିଆସୁଥିଲା।ଫେରିବ ଏବେ ଘରକୁ।ବିବ୍ରତ ଲାଗୁଥିଲା ଆଜି କାହିଁକି କେଜାଣି। ଆଉ ସେଇ ଘସରା ଜୀବନ ଭଲ ଲାଗୁନଥିଲା।
ଆଣ୍ଟିଗୋ ଆଜି ଯାଉଚି ଫେରି , କାଲି ଦିନ ଆସୁ ସୁଖକୁ ଧରି…। ଦେଖ, ଯୋଡିଯାଡି ଗାଇଦେଲି ଗୋ। ଭଲରେ ଥାଅ, ମୋ’ ପ୍ରିୟ ମଣିଷ। ବାୟ କହି କବାଟକୁ ଟାଣି ବାହାରେ ପାଦ ରଖିଲି। ତିଥି ତରତରରେ ପାହାଚ ଚଢୁଥିଲା। ‘ହେଲୋ’ ବାହାରିଗଲା ସେ ବି ହାତ ହଲେଇ ‘ହାୟ’ କହି ଆଗେଇ ଗଲା।ଓଃ ଏଇଟା ଫୋନକରିବାର ସମୟ କାହାର? ତରବରରେ ଉଠେଇଲି, ରୁବି କ’ଣ ପାଇଁ କରିଛି ମ,କଣ ଦରକାର ତାର।ହେଲୋ…
:ହେ ତୁ କୋଉଠି, ଆସ ମ ଘରକୁ ଜଲଦି
: କାହିଁ, କଣ ହେଲା।
ସେ ରଖିଦେଲା କି ନେଟ କଟିଗଲା, କେଜାଣି ?
ମିଥିଳା ଦିଦିର ଅନେକ ଟେକ୍ସଟ ଥିଲା। କଣ ହେଲା ମ। ଫୋନ ଲଗେଇଲି ଲାଗିଲାନି କି ଲାଗିଲେ ସେ ଉଠେଇଲାନି। ବସରେ ନ ଯାଇ ଆଜି ମନକହିଲା ଅଟୋର ଯିବାକୁ। ଜଲଦି ହବ। ରିଜର୍ଭ କରି ତେଣୁ ପଳେଇଲି।
ଆରେ ଭିଡ କଣ ଏତେ। ଟୁପୁରଟାପର … ରୁଣ୍ଡେଇ ହୋଇ ସମସ୍ତେ …କଣ ହେଲା ମ। ରୁବି ଧରିନେଲା ମୋତେ, ଆଉ କାନ୍ଦିଲା ଜୋରରେ। ଘର ଭିତରେ ଦେଖିଲି ମାଆ ଶୋଇଚି। ଧୂପବତୀ ଲାଗିଚି,ଫୁଲକିଛି ରହିଚି। ଚାଲିଗଲା…ଏକାକରି ମୋତେ ଏମିତି ।ସୁରକ୍ଷିତ ସମୟଟା ଫୁରକିନା ଉଡିଗଲା ଯାହା । ଲୁହ କୋହ ବରଫ ଭଳି ଜମିଯାଉଥିଲା ଭିତରେ। ଫାଟି ପଡିବାକୁ ଅପେକ୍ଷା ସମସ୍ତଙ୍କର…ନା, ସେମିତି କିଛି ହେଲାନି।
ଚାଲିଗଲା ପଛେ କହିଲାନି ମୁଁ ତା’ର କେହି ନୁହେଁ। କମେଇଦେଇନି ତ କେବେ ତା ଶ୍ରଦ୍ଧାକୁ ମୋ’ ପାଇଁ। ମୁଁ ବରଂ କେବେ କେମିତି ଗରଗର ହୋଇଚି ତା’ ଉପରେ। ବଳୟଟିଏ ଭଳି ବେଢିଥିଲା ମୋ’ ଚଉପାଶ। ସେ ତ ଶିଖେଇଚି ଜୀଇଁବାର କଳା। ପ୍ରାର୍ଥନା, ଭଜନ,ଗୀତ, ସିଲେଇ….ଅନେକେ କିଛି। ମାଆ ଡାକ ଲିଭିଗଲା ଏମିତି ଧପକରି।
ଯାଇହବନି ଏବେ କାମକୁ। ଜଣେଇଦେଲି ସେକଥା।ଡକ୍ଟର ଆଣ୍ଟିଙ୍କୁ ବି କହିଦେଲି। ପର୍ଯ୍ୟାପ୍ତ ସମୟ ନେଇ ଫେରିବାକୁ କହିଲେ ସେମାନେ। ଭଲଲାଗିଲା ସେମାନଙ୍କ ସହୃଦୟତା ।
ଅନେକ ନିୟମ ନୀତି ଏବେ ପୁଣି ଦେଖିବାକୁ ଗଲେ କିଛି ବି ନୁହେଁ। ତଥାପି ମଣିଷ ଯେତେବେଳେ ଯୋଉଠି ରହିବ ସେଠିକାର କଥା ମାନିବାକୁ ପଡିବ ନିଶ୍ଚୟ। ମିଥିଳା ଦିଦି ସବୁ ସଜାଡିନେଲା କାମକୁ। ତା’ ପରିବାରର ଲୋକ, ସେ ବୁଝିବନି ତ ଆଉ କିଏ ବୁଝିବ..ଆଉ କାହିଁକି।ତୁଟିଯାଉଥିଲା ଧିରେ ଧିରେ ମୋହ… ଝରିଯାଉଥିଲା ଗଙ୍ଗଶିଉଳି ଭଳି…. ଆୟୁଷ ଏମିତି ଛୋଟ ରାତିଟିଏ…।ବାସ୍ନାୟିତ ଅଥଚ କ୍ଷୁଦ୍ର… । ଆଃ!
ନ ଶୁଭୁ ଆଉ ସେ ମିଠା ଡାକ। ନ ଥାଉ ଆଉ ସେ ଆକଟ।ଯାହାଥିଲା ଖିଅଟେ ସମ୍ପର୍କ ତାକୁବି କେମିତି ନେଇଗଲା ଚୋରେଇ ନିର୍ଦ୍ଦୟ ସମୟ। ତଥାପି ଲାଗେ ମୁକ୍ତିର ଆନନ୍ଦ ଅଛି, ଅଛି ତ…ଅଛି ।
ରୁବି ଆସୁଚି ଏବେ,ମିଶିକି ଦୁହେଁ ଖାଉଚୁ। ମୋତେ ରାନ୍ଧିବାକୁ ନଦେଇ ସେହିଁ କରୁଚି ଏଇଠି ନହଲେ ତା’ ରୁମରେ ରାନ୍ଧିକି ଆଣୁଚି ମୋ’ ପାଇଁ।କୋଉ ଭଲ ଲାଗୁଚି କିଛି ମୋତେ। ନିଜର ପର ବାଛ ବିଚାର ସମୟ କରୁଚି ମୋ’ ସହିତ। ଯାହାକୁ ଧରୁଚି ନିଜର କହି ସେ ପର ହୋଇଯାଉଚି ଆଉ ପର ବୋଲି ଭାବୁଥିବା ମଣିଷ ସବୁ ଏକାନ୍ତ ନିଜର ହୋଇଯାଉଚନ୍ତି।ବରଂ କିଛି ନଭାବି ବଞ୍ଚିବା ଭଲ।ମାଆ ଭଳି ନିସ୍ପୃହ ହେବା ଭଲ।
କାମରେ ମନ ଲାଗୁନି କହି ବସିପଡିଲେ କଣ ମନ ଭଲ ହୋଇଯିବ କି ବୋଲି ନିଜକୁ ନିଜେ ପଚାରିଲି। ତାହାଲେ ବସିଚି କାହିଁକି..।ଯୋଉଠି ମୃତ୍ୟୁ ପରେ ଶୋକ ଅପେକ୍ଷା ଖୁସି ରହେ, ମୁକ୍ତ ପକ୍ଷୀର ଖଣ୍ଡି ଉଡାରେ ଆନନ୍ଦ ଥାଏ ,ସେଇଠି ହରାଇବାର ଦୁଃଖରେ ଘାରିହେବାକୁ କେହି ପସନ୍ଦ କରନ୍ତିନାହିଁ । ପୁରୁଣି ଶାଗ ଭଳି କଅଁଳିବାକୁ ପଡେ ନୂଆ ରୂପରେ ନୂଆ ଢଙ୍ଗରେ।ଦୁଃଖରେ ବା ସୁଖରେ ସମାନଭାବନେଇ ବଞ୍ଚିବାକୁ ହୁଏ। ଏଇଆ କଣ ବୈରାଗ୍ୟ …ସନ୍ନ୍ୟାସୀ ମନୋବୃତ୍ତି।ଏଇ ନର୍କରେ ବି ନୈସର୍ଗିକ ଭାବ…। (କ୍ରମଶଃ)
Comments are closed.