କବିତା : ଦେବୀ

ସ୍ମୃତି ରଞ୍ଜନ ତ୍ରିପାଠୀ 

ଜହ୍ନ ରାଇଜ କଥା
ପିଲାବେଳୁ ଶୁଣିଛି ।

ଶୁଣିଛି ବି ଅୟୁତ ଯନ୍ତ୍ରଣାର କାରାଗାରରୁ
ଶିଶୁହନ୍ତା ରାକ୍ଷସର ନୀଳଜହରରୁ
ଦେବୀଟିଏ କେମିତି ମୁକୁଳେଇପାରେ
ଆଉ ଜଣଙ୍କ ଦେବୀତ୍ୱ ।

ମୁଁ ତ କେବେଠୁ ସମର୍ପି ଦେଇଛି
ଦେହ ମନ ସବୁ ତୋ’ ଆଡେ ।

ତୋ’ ଗାଢ଼ ସିନ୍ଦୁରରେ
ଚତୁଃଦିଗ ଦେବୀମୟ ବୋଲି
ବୋଳି ଦେଇଛି ଅଭୟ ଚନ୍ଦନ
ଫିଟେଇ ଦେଇଛି ମଥାର ଶିକୁଳି ।

ବସେଇ ଦେଇଛି ଦୁଇ ହଳ ପାଦ ଚିହ୍ନ
ପ୍ରସାରି ଦେଇଛି ଅଭିଯୋଗର ହାତରେ
ମୋ ଅବଶିଷ୍ଟ ପାପପୁଣ୍ୟର ପୃଥିବୀକୁ
ନିରୁଦ୍ଧିଷ୍ଟ ଆକାଶର ଅଗଣାରେ ।

ମୁଁ ଏବେ ଫେରନ୍ତା ମୁଦ୍ରାରେ।

ପାରିବୁ ଯଦି କୋଳେଇ ନେବୁ
ତୋ’ରି ଅଭୟ ବରଦା ହସ୍ତରେ
ମୋ ଲୁହର ଭାଗ୍ୟ ।

ପରଖିନେବୁ
ସାଷ୍ଟାଙ୍ଗ ମୁଦ୍ରାରୁ ସରି ଆସୁଥିବା ସଂଯମ
ନିୟତିର ମୁଠାରୁ ଝରିପଡୁଥିବା
ଶେଷ ଚରିତ୍ରର ସଂଳାପ
ପ୍ରତିକ୍ଷଣେ ଭିଜୁଥିବା ସମୟ ।

ବଦଳରେ
ତ୍ରିଶୁଳ ଭିଜା ରକ୍ତ ଛାତି
ବରଂ ମୋର ହେଉ

ସବୁଆଡ
ଈଶ୍ୱରୀ ଈଶ୍ୱରୀରେ
ହେଉ ମହମହ

ତୁ କିନ୍ତୁ ଦେବୀ ଟିଏ ହୋଇ ରହ।

(ନୀଳ ଆକାଶରୁ ଢାଳେ ବଉଦ ନେଇଛି “ମା” । ବ୍ୟସ୍ତ ହେବୁନି। ବାକିତକ ମେଘ ସମ୍ପୂର୍ଣ୍ଣ ସୁରକ୍ଷିତ )

ଜଟଣୀ ଖୋର୍ଦ୍ଧା
୯୪୩୮୩୧୫୩୮୧