Latest Odisha News

BREAKING NEWS

ଓଡ଼ିଶାବାସୀ ଦୀନ ଦରିଦ୍ର କାହିଁକି ?

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର… 

ଭାରତବର୍ଷର ଗୋଟାଏ କଡରେ ଗାଆଁକନିଆ ସିଂଘାଣିନାକୀ ପରି ଦୀର୍ଘକାଳ ହେଲା ପଡିରହିଛି ଆମର ଏ ଓଡ଼ିଶା ଭୂଇଁ । ଏ ଦେଶର ଦରିଦ୍ର ରାଜ୍ୟ ଭାବରେ ଓଡିଶା ସଂପର୍କରେ ବେଶ୍ କିଛି ଲାଂଛନାର ଲିପି ଲେଖିଯାଇଛନ୍ତି ଗବେଷକମାନେ । ଓଡ଼ିଶାକୁ ନିଜ ଘର ପଛପଟର ଖଳାବାଡି ରୂପେ ଦୀର୍ଘକାଳ ଧରି ଦେଖି ଆସିଛନ୍ତି ଓଡିଆ ନେତାମାନେ । ଏ ଖଳାବାଡିରୁ ସେମାନେ ପ୍ରଚୁର ପନିପରିବା ବୁହାଇ ନେଇଛନ୍ତି ନିଜ ଅମାରକୁ, କିନ୍ତୁ ଯତ୍ନ ନେଇନାହାନ୍ତି କେବେ ତା’ର ।

ଓଡ଼ିଶା ପ୍ରାକୃତିକ ପ୍ରାଚୁର୍ଯ୍ୟରେ ପରିପୂର୍ଣ୍ଣ । ଅଥଚ ଆମ ରାଜ୍ୟ ଦରିଦ୍ର, ଅନଗ୍ରସର, ପଛୁଆ ; ଏଇ କଥା ଶୁଣି ଶୁଣି କାନ ତାବ୍‌ଦା ହୋଇଗଲାଣି । ସମସ୍ତେ କାନ୍ଦୁଛନ୍ତି, କିନ୍ତୁ କାହା ଆଖିରୁ ଲୁହ ବୁନ୍ଦେ ବହୁ ନାହିଁ । କୁମ୍ଭୀର କାନ୍ଦଣା । ଆମ ଜାଣିବା ଶୁଣିବା ବୋଲାଇ ହେଉଥିବା ନେତା ବକ୍ତାମାନଙ୍କ ଘଡଘଡିନିନ୍ଦୀ ରଡିରେ ବରାବର ଘୋଷଣା କରାଯାଏ ଦେଶୀବିଦେଶୀ ବ୍ୟବସାୟୀମାନେ ଓଡିଶାର ପ୍ରାକୃତିକ ସମ୍ପଦ, ଶସ୍ତା ଶ୍ରମ, ଜମି, ଜଳ ଉପରେ ଅଧିକାର ସାବ୍ୟସ୍ତ କରି ଆମକୁ ଦରିଦ୍ର ବୋଲି ଭାବିନେଇ ଖାତିର କରୁନାହାନ୍ତି । ବାସ୍ତବରେ ଆମର ପ୍ରିୟ ରାଜ୍ୟ ଓଡ଼ିଶା କ’ଣ ସତରେ ଦରିଦ୍ର ?

ଫାଇଲ୍ ଫଟୋ

ନା, ଦାରିଦ୍ର ନୁହେଁ, ବରଂ ପ୍ରତାରିତ ! ଏଥିପାଇଁ ଦାୟୀ କିଏ ? ପ୍ରାକୃତିକ ସମ୍ପଦରେ ଭରପୂର ଓଡ଼ିଶା ଦରିଦ୍ର କାହିଁକି ? କେବେ ଓଡ଼ିଶାବାସୀ ନିଦରୁ ଉଠିବେ ? କେବେ ନିଜ ଅଧିକାର ସାବ୍ୟସ୍ତ କରିବେ ? କେବେ… କେବେ… କେବେ… ! ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଖଣିଜ ସମ୍ପଦରେ ଈର୍ଷଣୀୟ ଆସନର ଅଧିକାରୀ । ଏବେ ୪୦ଟି କମ୍ପାନୀ ଇସ୍ପାତ ଶିଳ୍ପ ପାଇଁ ଧାଡି ଲଗାଇଛନ୍ତି । ଆମ ଖଣି ଉପରେ ତାଙ୍କ ଲୋଲୁପ ଦୃଷ୍ଟି । କଳେବଳେ ଛଳେ କଉଶଳେ ଖଣି ହାତେଇବାରେ ବ୍ୟସ୍ତ । ଓଡ଼ିଶାରେ ଯେଉଁ କେତୋଟି ଶିଳ୍ପ ଗଢିଉଠିଛି, ସେଥିରେ ନିତାନ୍ତ ମାନ୍ଦାବସ୍ଥା । ବହୁ ଶିଳ୍ପ, କଳ-କାରଖାନା, ଖଣି-ଖାଦାନ ବନ୍ଦ ହୋଇଗଲାଣି । କାମ କରୁଥିବା ଲୋକେ ତ ଛଟେଇ ହେବାର ପ୍ରକ୍ରିୟା ଜାରି ରହିଛି, ନୂଆ ଲୋକଙ୍କୁ କାମ ମିଳିବ କେଉଁଠୁ ? କୃଷିରେ ମାନ୍ଦା, ଶିଳ୍ପରେ ମାନ୍ଦା ହେଲେ ରାଜ୍ୟର ପ୍ରଗତି ସମ୍ଭବ କି ? ଯେଉଁ ଦେଶର ଖଣିଜ ସମ୍ପଦ ବିଦେଶକୁ ରତ୍ପାନୀ ହୁଏ, ସେ ଦେଶର ଲୋକଙ୍କ ଅର୍ଥନୈତିକ ଅବସ୍ଥା ସୁଧୁରେ ନାହିଁ । କଳକାରଖାନା ଗଢି ନଉଠିଲେ, କୃଷିର ବିକାଶ ନହେଲେ, ଏବଂ କର୍ମନିଯୁକ୍ତି ସୃଷ୍ଟି ନହେଲେ, ଲୋକେ ଅଭାବରେ ପଡି ସ୍ୱଭାବ ନଷ୍ଟ କରିବେ ହିଁ କରିବେ ।

ରାଜନୈତିକ ଉପେକ୍ଷା, ଉଦାସୀନତା, ଅନାଦର ଓ ଅବହେଳାର ଚରମ ଶିକାର ଓଡ଼ିଶା ଭୂଇଁ । ପ୍ରକୃତିର ପ୍ରାଚୁର୍ଯ୍ୟରେ ପରିପୂର୍ଣ୍ଣ ଏ ଭୂମିକୁ ସ୍ୱର୍ଣ୍ଣପ୍ରସୁ କରାଯାଇପାରିଥାନ୍ତା ଅତି ଅନାୟାସରେ, ଏକ କୃଷିପ୍ରଧାନ ରାଜ୍ୟ ସହିତ ଶିଳ୍ପସମୃଦ୍ଧ ରାଜ୍ୟ ରୂପେ ମୁଣ୍ଡ ଟେକିପାରଥାନ୍ତା ଓଡ଼ିଶା । ମାତ୍ର ଶାସନରେ ଆସୀନ ହୋଇ ଆସିଥିବା ଓଡ଼ିଶା ର ରାଜନୈତିକ କର୍ତ୍ତାମାନେ ଏହାକୁ ଫଳବତି କରାଇପାରି ନାହାନ୍ତି କାହିଁକି ? ଏ ପ୍ରସଙ୍ଗ ଏବେ ମଧ୍ୟ ସୃଷ୍ଟି କରୁଛି ପ୍ରଶ୍ନବାଚୀ । ସବୁପ୍ରକାର ପାରିପାଶ୍ୱିକ ଅନୁକୂଳତା ସତ୍ତ୍ୱେ ଓଡ଼ିଶାର ପ୍ରଗତି ଓ ଅଗ୍ରଗତି ପାଇଁ ଯେଉଁଭଳି ରାଜନୈତିକ ନିଷ୍ଠା ଓ ନିଷ୍ପତି ପ୍ରୟୋଜନ, ତାହା କ’ଣ ପ୍ରଦର୍ଶନ କରିପାରିଛନ୍ତି ଆମ ଓଡ଼ିଶାର ନେତୃବର୍ଗ ?

ଆଜି ଓଡ଼ିଶାରେ ଯେଉଁ ଆଡକୁ ଅନାଇବା, ସେଆଡେ ଗଦା ଗଦା ସମସ୍ୟା । ପ୍ରକୃତିର ଗନ୍ତାଘର ଓଡ଼ିଶା ଆଜି ସମସ୍ୟାର ଗୋଦାମଖାନାରେ ପରିଣତ ହୋଇଛି । ସମସ୍ୟା ସମାଧାନ କରିବା ଦିଗରେ କୌଣସି ଚିନ୍ତା ନାହିଁ । ସମସ୍ୟା ସୃଷ୍ଟି କରିବାରେ ବରଂ ଆମର ତଥାକଥିତ ମଙ୍ଗୁଆଳମାନେ ଧୁରନ୍ଧର । ନାରୀ ନିର୍ଯାତନା, ଧର୍ଷଣ, ହତ୍ୟା, ଧର୍ମ ନାଆଁରେ ଅଧର୍ମ କର୍ମ କରିବାରେ ଓଡ଼ିଶା ପୃଥିବୀରେ ନାଁ କରିଗଲା ! ଆମ ‘କରିତ୍‌କର୍ମା’ ନେତାମାନେ ଦୂରଦର୍ଶନ, ସମ୍ବାଦପତ୍ର ପରି ଗଣମାଧ୍ୟମମାନଙ୍କରେ ଘନ ଘନ ଦୃଶ୍ୟମାନ ହେଲେ ।

ଓଡ଼ିଶା ରହିଯାଇଛି ଯେଉଁ ତିମିରେକୁ ସେଇ ତିମିରେ । ଅଥଚ ଭାଷା ଭିତିରେ ସ୍ୱତନ୍ତ୍ର ପ୍ରଦେଶର ପରିଚିତ ହାସଲ କରିବାରେ ସମଗ୍ର ଭାରତବର୍ଷରେ ଓଡ଼ିଶା ସର୍ବପ୍ରଥମ । ଭାଷା, ସାହିତ୍ୟ, ସଂସ୍କୃତି, କଳା, ଭାସ୍କର୍ଯ୍ୟର ବିଶାଳ ଐତିହ୍ୟ ଥାଇ – ଅନନ୍ୟ ପ୍ରକୃତିର ଅବାରିତ ଆଶୀର୍ବାଦ ପାଇ ସୁଦ୍ଧା ଓଡିଶା ଆଜି ଭାରତବର୍ଷର ଆପାଙ୍‌କ୍ତେୟ ଅପନ୍ତରାଟାଏ ଯେମିତି ! ବନ୍ଧଟାଏ କି ବନ୍ଦରଟାଏ ବନାଇଦେଇ ଓଡ଼ିଶା ପାଇଁ ବେଶ୍ କିଛି କରାଇପାରିଛନ୍ତି ବୋଲି ହୁରି ଛାଡିଛନ୍ତି ଆମର ତଥାକଥିତ ନେତୃପୁରୁଷମାନେ । ମାତ୍ର ଓଡ଼ିଶା ପାଇଁ ବନ୍ଧ, ବନ୍ଦର, ରାଜପଥ, ରେଳପଥ, ପଞ୍ଚତାରକା ହୋଟେଲ କେତେଟା ନିର୍ମିତ ହୋଇଗଲେ କ’ଣ ସମୃଦ୍ଧିର ସ୍ୱର୍ଣ୍ଣ ଯୁଗଟାଏ ଆସିଗଲା ପ୍ରକୃତରେ ?

ଓଡ଼ିଶାକୁ ବମ୍ବେ କରିଦେବୁ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା କରିଦେବୁ, ହଜାରେ ଶିଳ୍ପ ଗଢି ତୋଳିବୁ, ଜମିକୁ ପାଣି-ବେକାରୀଙ୍କୁ କାମ – ଏବମିତି କେତେ ଧ୍ୱନି ଶୁଣି ଶୁଣି କାନ ଦଦରା ହୋଇଗଲାଣି, କେତେ ନେତା ଗଲେଣି, ଆଉ ଅନେକ ଅଛନ୍ତି । କିନ୍ତୁ ଏସବୁ ଧ୍ୱନି କେବଳ ପ୍ରତିଧ୍ୱନି ସୃଷ୍ଟି କରିବା ଛଡା ଆଉ କୌଣସି କାମରେ ଲାଗିପାରିନି ଓଡ଼ିଶାର । ଓଡିଶାର ଭାଗ୍ୟ ସେମିତି ଚାପି ହୋଇ ରହିଯାଇଛି ଗଦାଗଦା ପଥର ତଳେ । ଓଡ଼ିଶା ଭୁଇଁରେ ଓଡିଆ ଭାଷାର ଦୁର୍ଦ୍ଦଶା ଆଜି କହିଲେ ନ ସରେ ।

ପ୍ରତିବେଶୀ ପ୍ରଦେଶମାନଙ୍କର ଭାଷା-ସାହିତ୍ୟ କ୍ଷେତ୍ରରେ ନବଜାଗରଣର ଯେଉଁ କ୍ରାନ୍ତି ଆସିଚି, ତାହା ଲକ୍ଷ୍ୟ କଲେ ଲଜ୍ଜିତ ହେବାକୁ ପଡେ ଆମକୁ । ଅଥଚ ଆମେ କାଳେ ଏକ ବିଶାଳ ଐତିହ୍ୟର ଉତ୍ତରାଧିକାରୀ ! ନିଜ ଭୂମି, ନିଜ ଭାଷା, ନିଜ ସଂସ୍କୃତି ସମ୍ପର୍କରେ କେତେଦୂର ସଚେତନ ଆମେସବୁ ?

ଓଡ଼ିଶାରେ ଆଜି ସାମ୍ପ୍ରଦୟିକ ଦଙ୍ଗା, ହତ୍ୟା, ଧର୍ଷଣ, ଯୌତୁକ ନିର୍ଯ୍ୟାତନା ଲାଞ୍ଚମିଛର ଫର୍ଦ୍ଦ ଲମ୍ବି ଲମ୍ବି ଚାଲିଚି ; ବେକାରୀ ଆଉ ବେରୋଜଗାରୀ ବଢି ବଢି ଚାଲିଛି । ଯୁବପିଢି ପାଇଁ ସଠିକ୍ ସଡକଟିଏ ନାହିଁ ବାଟ ଚାଲିବାକୁ ! ଭବିଷ୍ୟତର ଚେହେରା ଝାପ୍‌ସା ! ସବୁଠି କୁହୁଳୁଚି ଅଶାନ୍ତ ଓ ଅସନ୍ତୋଷର ରଡ ନିଆଁ ! ରାସ୍ତାଘାଟରେ ଗୁଣ୍ଡାରାଜ୍ । ରାତି ବାରଟା ପରେ ସହରସବୁ ବିପନ୍ନ । ଦାଦାମାନେ ବାଣ୍ଟି ନେଉଛନ୍ତି ନିଜ ନିଜର ଇଲାକା !

ଏଭଳି ଶୋଚନୀୟ ପରିସ୍ଥିତି ପାଇଁ ଦାୟୀ କିଏ ?

ବର୍ତ୍ତମାନ ସାରା ଓଡ଼ିଶାରେ ରେ ଗାଁ ଗଣ୍ଡା, ସହର, ବଜାର ସବୁଆଡେ ଚାଷୀ, ଶ୍ରମିକ, ଛାତ୍ର, ଯୁବକ, ମହିଳା, କୃଷିଶ୍ରମିକ ପ୍ରବଳ , ଅସନ୍ତୋଷର ବହ୍ନିରେ ପ୍ରଜ୍ଜ୍ୱଳିତ । ସେମାନେ ଥରେ ଏକାଠି ହେଲେ, ସଠିକ୍ ନେତୃତ୍ୱ ମିଳିଲେ ସମସ୍ତଙ୍କୁ ସାବାଡ କରିଦେବେ । ହେଲେ ନେତା କାହିଁ ? ଯେଉଁ ନେତାମାନେ ଠାଏଁ ଠାଏଁ ସେମାନଙ୍କୁ ମତଉଛନ୍ତି, ତତଉଛନ୍ତି, ବାଟ ଜଣା ନଥିବାରୁ ଅବାଟରେ ନେଇ ହତାଶିଆ କରି ପକାଉଛନ୍ତି । ବାରମ୍ବାର ଲୋକେ ପ୍ରତିଶ୍ରୁତିର ପଦ୍ମତୋଳା ଶୁଣି ଶୁଣି ପ୍ରତାରିତ ହୋଇ ଭାଗ୍ୟକୁ ନିନ୍ଦୁଛନ୍ତି । ପରିବର୍ତ୍ତନ ପାଇଁ ନୂଆ କିଛି କଥା କହିଲେ, ଏକଦମ୍ ଠିକ୍ ବୋଲି କହୁଛନ୍ତି । କିନ୍ତୁ ହଠାତ୍ ବାହାରି ପାରୁନାହାନ୍ତି । ଦୁର୍ନୀତି, ଚଞ୍ଚକତାରେ କୋଟି କୋଟି ଟଙ୍କା ମହଜୁଦ୍ ରଖିଥିବା ମତଲବୀ ନେତୃବର୍ଗଙ୍କ ନିଜସ୍ୱ ଭଡାଟିଆ ଗୁଣ୍ଡାବାହିନୀ ଓ ସରକାରୀ କଳର ଦମନ ଅତ୍ୟାଚାରକୁ ମୁକାବିଲା କରିବା ଅସମ୍ଭବ ବୋଲି ଲୋକେ ଭାବୁଛନ୍ତି । ଏ ଦୁନିଆରେ ଅସମ୍ଭବ ବୋଲି ଚିନ୍ତା କରିବା ହିଁ ପରାଜୟର ଲକ୍ଷଣ । ଯାହା ବାସ୍ତବ ସତ୍ୟ, ତାହା ନିଶ୍ଚିତ ସମ୍ଭବ । ଗଣ ଜାଗରଣର ନୂତନ ଅଧ୍ୟାୟ ସୃଷ୍ଟି ନହେଲେ ଦୃଷ୍ଟିଭଙ୍ଗୀ ବଦଳି ପାରିବ ନାହିଁ । ଶାସନର ଢାଞ୍ଚା ବଦଳିପାରିବ ନାହିଁ , ରାଜନୀତିର ନୂଆ ରାସ୍ତା ଫିଟିପାରିବ ନାହିଁ । ଓଡ଼ିଶା ପଡି ରହିଥିବ ଯେଉଁ ତିମିରେକୁ ସେଇ ତିମିରେ । ଆସନ୍ତୁ ଗୋଟିଏ ମଞ୍ଚରେ ଏକାଠି ହେବା । ବଜ୍ରମୁଷ୍ଟି ଉତ୍ତୋଳନ କରିବା । କ୍ଷମତାନ୍ଧ, କ୍ଷୁଧିତ ନେତୃତ୍ୱର କାଚଘର ସାମ୍ନାରେ ନିର୍ମାଣ କରିବା ନିର୍ଭୀକ ପ୍ରତିବାଦର ବିଶାଳ ପରମ୍ପରା ।

ଏ ବିଡମ୍ବିତ ବାସ୍ତବତାରୁ ନିଷ୍କୃତି ମିଳିବ କେବେ ? ଜନସାଧାରଣଙ୍କ ମଧ୍ୟରେ ଯେଉଁମାନେ ମେହନତୀ ମଣିଷ, ଶ୍ରମ-ସଂସ୍କୃତିର ସୂତ୍ରଧର ସେମାନେ ସଂକଳ୍ପବଦ୍ଧ ହେଲେ ହିଁ ଓଡ଼ିଶାରୁ ଗୁଣ୍ଡାମାଫିଆ ସମର୍ଥିତ ରାଜନୈତିକ ଅପସଂସ୍କୃତିର ଉଚ୍ଛେଦ ହେବ ସୃଷ୍ଟି ହେବ ନିର୍ଭୀକତାର ନୂତନ ପର୍ବ । କିନ୍ତୁ କେବଳ ବୌଦ୍ଧିକ ବିସ୍ଫୋରଣ ମାଧ୍ୟମରେ ଭାଷଣବାଜିର କୁହୁକରେ ବଦଳି ପାରିବ ନାହିଁ ଓଡ଼ିଶାର ଏ ନୈରାଶ୍ୟର ନକ୍‌ସା । ନିର୍ବାଚନ ସରିଯିବ , ପୁଣି ଘୋଟି ଆସିବ ସେଇ ଅମା ଅନ୍ଧକାର ରାତ୍ରି । ତେଣୁ ଭାରତବର୍ଷରେ ଜନଜାଗରଣର ଜୁଆର ଆସିବା ଦରକାର । ଓଡ଼ିଶା ଭୂଇଁରେ ସଚେତନ ସମୁଦାୟ ସଂଗଠିତ ହେବା ଦରକାର । ସବୁ ପ୍ରଗତିଶୀଳ ଶକ୍ତି ଏକତ୍ର ହୋଇ ଏକ ମଞ୍ଚରେ ଉପନୀତ ହେବା ଅପରିହାର୍ଯ୍ୟ । ତା’ହେଲେ ଯାଇ ନ୍ୟସ୍ତସ୍ୱାର୍ଥ ରାଜନୀତିର ଅନ୍ତ ହେବ ; ଅବସାନ ଘଟିବ ଏକ କଳଙ୍କିତ ରାଜନୈତିକ ଅପସଂସ୍କୃତିର ।

ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

Leave A Reply

Your email address will not be published.