ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୮)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୮

ମନରେ ଥରେ ଭାବି ନେଲି ମୁକ୍ତି ମାନେ ମୁକ୍ତିପାଇଁ ଅପେକ୍ଷା ନୁହେଁ ଏଇକ୍ଷଣି ଆରମ୍ଭ ହେବ ମୁକ୍ତିପଥର ଯାତ୍ରା। ସନ୍ତର୍ପଣରେ ଦେଖି ନେଉଥିଲି ଆଉଥରେ ଅନ୍ଧାରର ସ୍ମୃତିକୁ। ମନେ ରଖିବା ଦିନୁ ମାଆ ଓ ମୁଁ ୟାରି ଭିତରେ ଥିଲୁ । କୋଣରେ, ଛାତରେ, ଚଟାଣରେ, କାନ୍ଥରେ, ଝରକାରେ, କବାଟରେ ବହଳେ ହେବ ଲେସିହୋଇଥିଲା ମୋ’ ଅଝଟପଣ, ଅସହିଷ୍ଣୁତା, ସୁକୁମାର ସ୍ବପ୍ନ ….ଆଉ ବିଦ୍ରୋହୀ ଝିଅଟିର ଅସଂଖ୍ୟ ଅବୁଝା ଖିଆଲ… ଅସଂଖ୍ୟ କାହିଁକି …ଅପ୍ରମିତ ଅଭାବବୋଧ …। ଅନିଚ୍ଛା ସତ୍ତ୍ବେ ଝାଡିଝୁଡି ସଫାକରୁଥିଲି ଡବା, ଥାକ, ଠାକୁର ଫୋଟ….ଯେଉଁଠି ସାଇତା ଯାଇଥିଲା ଶୈଶବ, କୈଶୋର ଆଉ ଏବେର ଦେହମନ ପୁଣି ମାଆର ପ୍ରଚଣ୍ଡ ସ୍ବାଭିମାନ…ଅବ୍ୟକ୍ତ ବେଦନା ଆଉ ନିସ୍ପୃହ ହେବାର ପ୍ରେରଣା। ଆଖି ନଈ, ଝରଣା, ସମୁଦ୍ର ସେବେଳରେ। ଜୀବନ ଏଇଠୁ ଆରମ୍ଭ ହୋଇଥିଲା। ଜୀବନର ମାନେ ଏଇଠି ହିଁ ବୁଝାପଡୁଥିଲା। ଧୂସର ହତାଶା ପୁଣି ବହୁବର୍ଣ୍ଣା ସ୍ବପ୍ନିଳ ଦିନଗୁଡ଼ିକୁ ଏଇଠି ଭେଟୁଥିଲି । ପାଇଲି କି ନାହିଁ କିଛି କିଏ ପଚାରିନି କେବେ, ଯାହାସବୁ ଅଲୋଡା, ଅଖୋଜା ସେସବୁକୁ ଆଉ ମନେପକେଇବା ମନା ବୋଲି ମାଆ ବାରମ୍ବାର କହିହୁଏ।

ଆରେ ଆରେ ଏଇଟା କ’ଣ ମ।ପୁରୁଣା ଲୁଗାରେ ଗୁଡେଇ ଚାରିଚଉତା କାଗଜ ଓ ଫଟୋ ସହିତ ଟିକି ଅଥଚ ସୁନ୍ଦର ପେଡିଭଳି ଜିନିଷଟେ। ଖୋଲିବାକୁ ଉତ୍ସୁକତା ବଢିଲା। ଲୁଗା ନୁହେଁ, ଛୋଟ ପୋଷାକ ଥିଲା ସେଇଟା। ଫୋଟରେ ଜଣେ ସ୍ତ୍ରୀ ଲୋକ ଧରିଚି କୋଳରେ ପିଲାକୁ। ଚିଠିରେ ଲେଖା ଅଛି, ଦୁହେଁ ଭଲରେ ରୁହ,ତିତିକ୍ଷା…। ଶକ୍ତ ଧକ୍କା ଲାଗିଲା ଦେହରେ । ଆଉ ପଢି ପାରିଲିନି ଆଗକୁ। ଅଚେତ ହୋଇଯିବିକି ଆଉ….ଭାବପ୍ରବଣତା ସହ ସତ୍ୟ ଏମିତି ଯୋଡି ହୋଇଯାଇଛି …ଦେହ ହାତ ଝିମଝିମେଇ ଯାଉଥିଲା।ରୁନ୍ଧିଯାଉଥିଲା ନିଃଶ୍ବାସ।

ଧାଇଁଲି ଏକରକମ ଦାଦାଭାଇଙ୍କ ପାଖକୁ। ତାଙ୍କ ପାଖରେ ଥିବା ନିଲିକୁ ଆଖିଠାରରେ ଯାହା କହିଲି ,ସେ ଛାଡିକି ଗଲା ସେ ଜାଗା ଅଧେ ଅବୁଝା ଅଧେବୁଝିବା ଭଳି ହୋଇ। ଦେଖେଇଲି ତାଙ୍କୁ ସବୁ। ଏଥର ଦୁହେଁ ତରଳୁଥିଲୁ ମହମ ପରି। ଅସରାଏ ବର୍ଷା ପରେ ଥମଥମ ଆକାଶ। ସେ ବୁଝିଲେ ,ମୁଁ ବୁଝିଲି। କାହାକୁ ଆଉ ବୁଝେଇବି। କାହାକୁ ଆଉ ଗୁହାରି କରିବି…। ଜୀବନ ଏମିତି ବି …ଚିହ୍ନା ଅଚିହ୍ନାର ମଧୁର ସମାହାର। ଟୁକୁରା ଟୁକୁରା ସ୍ବପ୍ନର ବିପଣୀ ବଜାର…. କ୍ରେତାମାନଙ୍କର ଭିଡ…ମୁଠାରୁ ଖସେ ସମୟ …ଦୀର୍ଘଶ୍ବାସ ଓ କୋହ ଲହଡିଭାଙ୍ଗେ, ବହିଯାଏ ଲୁହ।

ଇତିହାସ ସିନା ବଡଲୋକଙ୍କ କଥା କହେ, ଆମ ଭଳି ଲୋକକୁ ପଚାରେ କିଏ?  ଦେବୀ ପ୍ରତିମା ପାଇଁ ଆମ ଦୁଆରୁ ମାଟିଯାଏ, ଆଉ ଆମକୁ ମାନ୍ୟତାମିଳେ ଠିକ୍ ନର୍ଦ୍ଦମା ପୋକଭଳି । ଖୁମ୍ପି ଖାଇଲାବେଳେ ଭାରି ମିଠା, ତାପରେ ଶିଠା ….ଏକଦମ୍ ବିଷାକ୍ତ… ଯେମିତି ଛୁଇଁଦେଲେ ଚରିଯିବ ଦେହଯାକ। ଆଜି ଶୁଖୁନଥିଲା ଆଉ ଆଖି। ଅବସୋସ ରହିଗଲା, କିଛି କହିବା ଆଗରୁ ନୀରବି ଗଲା ଫେରାଦ ହେବାକୁ ଥିବା ସମସ୍ତ ଅଝଟିଆ ମନ। ଧିରକିନା ଗତକାଲି ହୋଇଗଲା ସବୁ। ମନକୁ ବୁଝେଇ ପାରୁନଥିଲି ମୁଁ। ମାଆର ଅନାସକ୍ତ ନିସ୍ପୃହ ମନୋଭାବ ମୋତେ ବେଖାପିଆ ଲାଗେ ବୋଲି ତ ମୁଁ ଅଝଟହୁଏ। ଜବରଦସ୍ତି ତା’ କୋଳରେ ପଶେ। ସେ ତ ଆଉ କୋଉ ଦୁନିଆରେ ଥାଏ, କୁହେନି କିଛି କି କରେନି ସେମିତି ଦେଖେଇହୋଇ ଗେହ୍ଲା। ଏବେ ସେସବୁ ବୁଝୁଚି ବୋଲି ଝୁରୁଚି ଆଉ ଝରୁଚି ଶ୍ରାବଣ ….। ପ୍ରତି ଆରମ୍ଭର ଶେଷ ପରେ ପୁଣି ଅପେକ୍ଷା ନୂଆ ସମ୍ଭାବନାକୁ ଆପଣେଇବା ପାଇଁ …। ନିଜ ସହ ନିଜର ଯୁଦ୍ଧ। ହାରଜିତ ନୁହେଁ ଏକରକମ ଜିତାପଟ ମୋ’ର। ସବୁ ବନ୍ଧନକୁ ଭାଙ୍ଗି ନିଜେ ନିଜପାଇଁ ରାସ୍ତା କରିବା ବ୍ୟତୀତ ଆଉ ଉପାୟ କଣ ଥିଲା ଯେ ! ଅନାମିକା ରାଗର କରୁଣସ୍ବର ନିରନ୍ତର ଶୁଭୁଥିଲା ହୃଦୟରେ ମୋ’ର।   (କ୍ରମଶଃ)