Latest Odisha News

BREAKING NEWS

ପୁସ୍ତକ ପରିଚୟ : ବିଶ୍ୱରୁପା

ବିଶ୍ୱରୁପା
ଗାଳ୍ପିକା : ମଞ୍ଜୁବାଳା ପଣ୍ଡା
ପ୍ରକାଶକ : ଇଙ୍କୱାର୍ଲଡ ଓଡ଼ିଆ
ଭୁନେଶ୍ୱର
ପୃଷ୍ଠା : ୧୭୩
ମୂଲ୍ୟ : ୨୦୦

ଜୀବନର ଅନୁଭବ ଓ ଅନୁଭୂତିକୁ ନେଇ ଗଳ୍ପ ଲେଖୁଥିବା ଗାଳ୍ପିକା ମଞ୍ଜୁବାଳା ପଣ୍ଡାଙ୍କର ଗଳ୍ପ ସଙ୍କଳନ “ବିଶ୍ୱରୂପା” ଏକ ସ୍ୱତନ୍ତ୍ର ସୃଷ୍ଟି । ସମୁଦାୟ ଏଗାରଟି କାହାଣୀକୁ ନେଇ ରଚିତ ଏଇ ଗଳ୍ପ ସଙ୍କଳନରେ ରହିଛି ଗାଲ୍ପିକାଙ୍କର ଅନୁଭୁତିର କିଛି ଫର୍ଦ୍ଦ ଓ କିଛି କାଳ୍ପନିକ କାହାଣୀ ।

ମାତୃତ୍ୱ ଏକ ଆଶୀର୍ବାଦ । କିନ୍ତୁ ସେ ଆଶୀର୍ବାଦ ସମସ୍ତଙ୍କ ଭାଗ୍ୟରେ ନଥାଏ । ସବୁକିଛି ଥାଇ ମଧ୍ୟ ଯଦି ନାରୀଟିଏ ମା ହେବାର ସୁଖରୁ ବଞ୍ଚିତ ହୁଏ, ତେବେ ତା’ଠାରୁ ବଡ଼ ଦୁଃଖ ଆଉକିଛି ହୋଇପାରେ ନାହିଁ । ସେଇ ଦୁଃଖ ଭିତରେ ଗାଳ୍ପିକା ଦେଖେଇଛନ୍ତି ଏକ ସହଜ ବାଟ । ସରୋଗେସି ମାଧ୍ୟମରେ ବି ଜଣେ ସନ୍ତାନ ଲାଭର ସୁଖ ପାଇପାରେ । ଦେବକୀ ଓ ଯଶୋଦା ପରି ନାରୀର ରୂପରେ ମାତୃତ୍ଵ ଏକ ବରଦାନ ହୋଇଯାଏ । ସ୍ୱର ସଙ୍କେତ କାହାଣୀରେ ଗାଳ୍ପିକା ଆଜିର ଯୁବ ପୀଢ଼ିର ଧାଁ ଦୌଡ଼ ଭିତରେ ହଠାତ ନେଉଥିବା ନିଷ୍ପତି ଏବଂ ତାର ପ୍ରଭାବର କଥା କହିଛନ୍ତି । ଆଜିର ଯୁବ ପୀଢ଼ି ନିଜ ନିଜର ବ୍ୟକ୍ତିଗତ ମତ ଉପରେ ଅଧିକ ପ୍ରାଧାନ୍ୟ ଦେଇ ଦାମ୍ପତ୍ୟକୁ ଅନ୍ଧକାର ଭିତରେ ଠେଲି ଦେଉଛନ୍ତି ଯାହାର ଶିକାର ହେଉଛନ୍ତି ତାଙ୍କର ପିଲାମାନେ । ଜୀବନର ସବୁ ଗୀତ ଗାଇହୁଏ ନାହିଁ କିଛି ସ୍ୱର ସାମାଜିକ ଦାୟବଦ୍ଧତା ଭିତରେ ଚାପି ହୋଇକି ରହିଯାଏ । ସେଇ ଦୁଃଖ ଭିତରୁ କରୁଣ ମୁର୍ଛନାଟେ ତା ହିସାବରେ ବାଟ ଖୋଜୁଥାଏ । ସବୁ ରାତି ପରେ ସକାଳ ଅଛି ପରି ତାହା ବି ଦିନେ ହୃଦୟ ସଙ୍ଗୀତ ହୋଇପାରେ । କର୍ମର ଫଳ ଅବଶ୍ୟ ମିଳେ । ହୁଏତ ଟିକେ ଡେରି ହୋଇପାରେ କର୍ମଯୋଗୀ କାହାଣୀ ଭିତରେ ଏପରି ଏକ ସୁନ୍ଦର କାହାଣୀ ମାଧ୍ୟମରେ ଗାଳ୍ପିକା ଏକ ନିମ୍ନ ମଧ୍ୟବିତ୍ତ ପରିବାରର ସ୍ବପ୍ନ ଓ ସଂଘର୍ଷର କଥା କହିଛନ୍ତି । ବନ୍ଧୁତ୍ୱ ଓ ମଣିଷତ୍ତ୍ଵ ଦୁଇଟି ଯାକ ଗୁଣ ଏକାଠି ମିଶିଗଲେ ସାଧାରଣ ମଣିଷ ଭିତରେ ଦେବତ୍ୱ ଆସିଯାଏ I ନିଜ ଝିଅକୁ ପର ହାତରେ ସମର୍ପି ଆଜୀବନ ମୁହଁ ବନ୍ଦ କରି ରଖିଥିବା ମଣିଷ ଦିନେ ଧରାପଡ଼ିଯାଏ ନିଜ ସନ୍ତାନ ପାଖରେ । ତାର ମହାନତା ଆଗରେ ଆପେ ଆପେ ମୁଣ୍ଡ ନଇଁଯାଏ । ବିଟିଆ ରାନୀ ଗପଟି ଠିକ ସେହିପରି ।

କସ୍ତୁରୀ ମୃଗ , କିଶୁ ନଗର , ଉଦୟ ସୂର୍ଯ୍ୟ , ପରିବର୍ତ୍ତନ , ପରାର୍ଥେ ଜୀବନ ପ୍ରଭୁତି ଗପସବୁ ସାମାଜିକ କଥାବସ୍ତୁକୁ ନେଇ ଭିନ୍ନ ଭିନ୍ନ ଭାବରେ ଚରିତ୍ର ଓ କାହାଣୀର ଗତିଶୀଳତା ନିଶ୍ଚୟ ପାଠକଙ୍କୁ ବାନ୍ଧି ରଖିବ । ବିଶେଷ କରି ଏହି ସଙ୍କଳନର ଶେଷ ଗଳ୍ପ “ଆସନ୍ନ ମୃତ୍ୟୁର ଛାଇରେ କେଇଦିନ” ଗାଳ୍ପିକାଙ୍କର କରୋନା ପୀଡ଼ିତ ଥିବା ସମୟର ନିଜସ୍ୱ ଅନୁଭୂତିର କଥାବସ୍ତୁ ଉପରେ ଆଧାରିତ ହୋଇଛି । କରୋନାରେ ପୀଡ଼ିତ ଥିବା ସମୟରେ ଅନେକ ତିକ୍ତ ଅନୁଭୂତି ସହ ଯୁଝି ମୃତ୍ୟୁ ମୁଖରୁ ବାହାରି ଆସିଥିବାର ଅନୁଭୂତିକୁ ସେ ଗଳ୍ପର ରୂପ ଦେଇ ନିଖୁଣ ଭାବରେ ବର୍ଣ୍ଣନା କରିଛନ୍ତି । “ବିଶ୍ୱରୂପା ” ତାର ସ୍ୱତନ୍ତ୍ର କାହାଣୀର ସମାହାରରେ ବିପୁଳ ପାଠକୀୟ ଆଦୃତି ସାଉଁଟିବ , ଏଥିରେ କୌଣସି ସନ୍ଦେହ ନାହିଁ ।

Leave A Reply

Your email address will not be published.