Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୯)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୯

ମିଥିଳା ଦିଦି କାନ୍ଧରେ ହାତ ପକେଇଲା। ମୁଣ୍ଡରେ ହାତ ସାଉଁଳେଇ କହିଲା, ପୁଣିଥରେ ସଜାଡି ନେବାକୁ ନିଜକୁ। ଉପଦେଶ ଦେଇ ଦମ୍ଭିଲା ସ୍ବରରେ କହିଲା, ‘ଯାଉନୁ ଦାଦାଭାଇଙ୍କ ପାଖକୁ ଆଜି।’ ତାଙ୍କ କାମ ପାଇଁ ତ ପଠାଏ ସେ, ଏବେ ଟିକିଏ ଦରଦ ଦେଖାଇ କହୁଚି କେବଳ ଅସମୟଟା ବୋଲି। ହଁ ତାର ଦରକାର ମୋତେ। ମୁଁ କିନ୍ତୁ ତା’କୁ ଆଉ ଖୋଜୁନଥିଲି। ବେଇମାନି ନୁହେଁ ମୋ’ର ଏସବୁ, ଏସବୁ ମୋର ନିଜସ୍ଵ ଇଚ୍ଛା। ମୁଁ ମୋ’ଭଳି ବଞ୍ଚିବି,ମୋ’ ଭଳି ହେବି। ବାପା ତ ଅଜଣା ମୋ’ର। ମାଆ ବୋଲି ଯାହାକୁ ଜାଣିଥିଲି ସେ ନାହିଁ ଏବେ। ଯିଏ ଜନ୍ମ ଦେଇ ନିଜକୁ ଦୋଷମୁକ୍ତ କରି ନେଇଥିଲେ, ତାଙ୍କୁ ଖୋଜିବା ବୃଥା। ନିଜର ବୋଲି ଲାଗୁଥିଲେ ଏଇଠି ଦାଦାଭାଇ, ଆଉ ସେଇଠି, ଆଣ୍ଟି ଓ ଡକ୍ଟର ବସା। ଏତିକି ସମ୍ବଳ,ଏତିକି ମୋ’ ପୃଥିବୀ। ଦିଦିକୁ କିଛି କହିଲିନି। କେବଳ ନୀରବତା ଏବେ ମୋର ଭାଷା ତା’ ପାଇଁ। ସେ କୋଉ ଅପେକ୍ଷା କଲା ମୋତେ ଶୁଣିବାକୁ। ବସି ରହିବାକୁ ମନ କହିଲାନି, ସଜାଡିଲି ଯାହାସବୁ, ସେତିକି ଯଥେଷ୍ଟ ମୋ ପାଇଁ।

ଆଉଥରେ ଗଲି ଦାଦାଭାଇଙ୍କ ପାଖକୁ। ଲାଗିଲା ସେ ଅପେକ୍ଷା କରିଥିଲେ ମୋତେ। ତକିଆ ଢେରାଦେଇ ବସେଇଲି। ନଚାହିଁଲେ ବି ଆଖି ଜକେଇଆସିଲା। କହିଲି, ‘ମୋତେ ଆଉ ଏଇ ଜାଗା ଭଲ ଲାଗୁନି।’
:ହୁଁ
:ଯିବି, ଛାଡିକି
:ପଳେଇବୁ?
:ହୁଁ
:କିଏ ଗ୍ରହଣ କରିବ ଆଦରରେ?
:ହୁଁ
:କେହି ଅଛି ସେମିତି
:ନା
:ଏମାନେ ଛାଡିଦେବେ? ମାରିଦେବେ ରେ…ଏଇଠି ପଡିରହି ଅପେକ୍ଷା କର । ନୂଆ ଜୀବନକୁ ଭଲ ପାଆ…
:ନା, ପାରିବିନି, ମୁଁ ମୋ’ଭଳି ହେବାକୁ ଚାହେଁ !
:ଯାଃ, ପଳା ପଳା …ମିଥିଳା ଆଖିରେ ପାଖିମାରି ଲୁଚିଯାଆ ଅଜଣା ନୂଆ ଜାଗାରେ, ହଜିଯାଆନା ଜନ ସମୁଦ୍ରରେ, ନିଜର ପରିଚୟ ନେଇ ବଞ୍ଚିବାକୁ ଚେଷ୍ଟା କର। ଅପେକ୍ଷାରେ ରହିଲି ମୁଁ।

ଝରୁଥିଲି ଅନାଗତ ଭବିଷ୍ୟତପାଇଁ ପ୍ରିୟ ମଣିଷର କଥାରେ … ତାଙ୍କ କପବୋର୍ଡରୁ ନିର୍ଦ୍ଦେଶ ପାଇ କାଢିଲି ସୁନ୍ଦର ପିପିଲି ବ୍ୟାଗଟିଏ।ଅସନା ବ୍ୟାଗରେ ଭର୍ତ୍ତି କଲି ତାକୁ, ତାଙ୍କ ଇଚ୍ଛାରେ।ଏଇଟା ବୋଧହୁଏ ଥିଲା ତାଙ୍କର ଉପହାର ମୋ’ ପାଇଁ। ପାଦଛୁଇଁ ପ୍ରଣାମ କଲି। ମଥାରେ ତାଙ୍କ ହାତକୁ ମୁଁ ଜାବୁଡି ଧରି ଆଉ ଅସରେ ଝରିଲି। ତୁମ ଅପେକ୍ଷା ସତ ହେଉ ଦାଦାଭାଇ ମନେମନେ କହିଲି। ପାଟିରେ ତାଲା ପଡିଥିଲା ମୋ’ର।

ରୁବିକୁ ଦେଖାକଲିନି ଜାଣିଶୁଣି। କେତେ ଆଉ ଲୁଚେଇବି ନିଜକୁ। ଏକମୁହାଁ ବାହାରି ଆସିଲି ଏଇ ମାଟିକୁ ମୁଣ୍ଡରେ ଛୁଇଁ। ଧୂଳି ଟିକିଏ ଆଣିଲି କାଗଜ ପୁଡିଆରେ।ସୂର୍ଯ୍ୟାସ୍ତ ହୋଇ ଗଲାକି ଆଉ। ଥକ୍କା ମେଣ୍ଟିବକି ସତରେ… ରାଗ ଦରବାରୀରେ ଭଙ୍ଗା ହୃଦୟରେ ଗାଉଥିଲି ମନେ ମନେ, ଓ ଦୁନିଆକେ ରଖୱାଲେ ….ରଖିବୁ ତ ରଖ ନହଲେ ନେଇଯା’ ହେ ଜୀବନ ଦେବତା ମୋ’ର…। ମହମ୍ମଦ ରଫି , ନୌସାଦ ଅଲ୍ଲୀଓ କବି ସକିଲ ବଦାୟୁନିଙ୍କର କି ମନୋଜ୍ଞ ଏ ଗୀତ। ପ୍ରତିଟି ଶବ୍ଦ ସହ ସ୍ବର ଓ ରାଗର କି ସମନ୍ବୟ …। ଯାଉଥିଲି ତ ନିଶ୍ଚୟ ସବୁ ଛାଡି, ପାଇବିକି ଆଶାକରୁଥିବା ସବୁ, ନା ହଜେଇ ବସିବି ସବୁ … ଆଉ ଭାବି ପାରୁନଥିଲି, ଏ ବସ୍ତିରୁ ବାହାରିଯାଏ ଆଗ।ପରେ ଯାହାସବୁ।

ବଞ୍ଚିଲା ଲୋକ ଯାହା ଭୋଗେ ଛାଡିକି ଗଲାବେଳେ, ମୃତ ବ୍ୟକ୍ତି ବି ଭୋଗେ କି ସେମିତି …। ଆଉଥରେ ଫେରିହେବ ଜୀବନ ଥିଲେ, ଅଥଚ ଯିଏ ଥରେ ଏ ପୃଥିବୀ ଛାଡିଯାଏ ସେ …କି ମାନସିକ ସ୍ଥିତି ତା’ର ସେବେଳେ..। ମୂଳରୁ ନିରାସକ୍ତ ହେଲେ ଯାଇ ବଞ୍ଚି ହେବ, ବହୁତ କଷ୍ଟ ଏ ଜୀବନ….କେତେ ଛକାପଞ୍ଝା ଖେଳ…। ଦେଇକି ଛଡେଇନେବା କି ପ୍ରକାର କଥା…। ଅପେକ୍ଷା ପରେ ଅପେକ୍ଷା, ପରୀକ୍ଷା ପରେ ପରୀକ୍ଷା …ତଥାପି ଅବୁଝା ରହେ ସବୁକିଛି।

ମୋର ଏ ଅସମୟରେ ବାହାରକୁ ଯିବାଟା ମକବୁଲ୍ ଭାଇ ଓ କାସିମ ଭାଇକୁ ଯାହା ଦିଶୁନା କାହିଁକି, ରେହମାନ ଚାଚାକୁ ବେଖାପିଆ ଲାଗୁଥିଲା। ସେ ତା’ର ପରିଚିତ ସ୍ବରରେ ନିଜକୁ ନିଜେ କହିହେଲା ଭଳି ମୋତେ ଶୁଣେଇଲା, ‘ଆରେ, ଏତେ ଭାଙ୍ଗି ପଡନ୍ତି, ଜୀବନ ତ ଏମିତି …ରହିଥା ଆହୁରି କେତେ କଣ ଦେଖିବୁ। ଧୈର୍ଯ୍ୟ ଧର। ସବୁଠିକ୍ ହବ,ଅପେକ୍ଷା କର।’  ଅଥଚ ମୁଁ ଅପେକ୍ଷାରେ ଥିଲି ଏକ ଅମୃତ ଲଗ୍ନର। (କ୍ରମଶଃ)

Comments are closed.