Latest Odisha News

BREAKING NEWS

କବିତା : ବାଡ଼ି ପୋଖରୀ

ରବି ପଣ୍ଡା 

ପ୍ରିୟ ମୋର ଭାରି ମୋ’ ବାଡି ପୋଖରୀ, ତୁଠରେ ତା’ ବସି ଖୋଜେ
ହଜିଲା ବୟସ, ଅଭୁଲା ଅତୀତ, ଦେଖେ ତା’ପାଣିରେ ମୁହଁ
ହତଶିରୀ ଆଜି ହତାଦର ଯୋଗୁଁ, କେମିତି ଦିଶୁଚି ସେ’ଯେ !
କାହାକୁ କୋଉଠି ପହଞ୍ଚାଇ ଦିଏ, ନିର୍ମମ ସମୟ ସୁଅ।

ଦିନଥିଲା ଯେବେ, ତା’ଭରା ଛାତିରେ ଛୁଇଁ ଏକୂଳ ସେ କୂଳ
ପହଁରୁଥିଲି ମୁଁ ବିଭୋର ପଣରେ ବଗୁଲିଆ ମନ ନେଇ
ଧରୁଥିଲି ମାଛ ବନସୀ ପକେଇ , ମଡେଇ ବା ଖିଅ ଜାଲ
ଖୁଦୁରୁକୁଣିକୁ କିଶୋରୀ ମାନଙ୍କୁ ତୋଳି ଦେଉଥିଲି କଇଁ।

ଆଜି ଅପରୂପା ହେଇଚି ଅରୂପା, ମାଡିଚି ଅରମା ଦଳ
ବୁଦୁବୁଦୁକିଆ ଘାସର ଜଙ୍ଗଲ , ହୁଡାସାରା ଚାରିପାଖେ
ଅପନ୍ତରା ପରି ଅଲୋଡା ଆଜି ସେ କେହି ପକାନ୍ତିନି ବୁଡ
ଧଳା ନାଲି ଆଉ ନୀଳକଇଁ ସବୁ, ସେଠି ଫୁଟି ସେଠି ସୁଖେ।

ଧରି ରଖିଥା’ ମୋ ଆବେଗ ବତୁରା ଅପାସୋରା ପିଲାବେଳ
ଭାବର ଅଭାବେ ଅବଶୋଷ ନେଇ ଆଖିହୁଏ ଛଳଛଳ।

Leave A Reply

Your email address will not be published.