ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୯୦
ଟୁକୁଡାଏ କାଗଜ ପାଇଁ ବଦଳାଇବାକୁ ପଡିଲା ଜୀବନର ଧାରା….। ଓଃ ସେଇଥିପାଇଁ କ’ଣ ଗପେ ମଣିଷ ଅନେକ କଥା..ଅନେକ ଭାଷାରେ ଦକ୍ଷତାରଖେ..।ଚଳଚଞ୍ଚଳ, କର୍ମଠ ରହେ… କାହାଣୀ ଶୁଣାଏ…ବହୁରୂପି ହୋଇପାରେ…।ବୁଝିବା କାଠିକର ସେସବୁ ।ମୋ’ ତୀର୍ଥକ୍ଷେତ୍ର ମୋ’ ଘର …ମୋ’ ଗାଁ…ମୋ’ ମାଟି…।ଆରମ୍ଭ ହେଲା ଯୋଜନା।
ସ୍ବପ୍ନ ସତ ହେଉନଥିଲା। କାଗଜ କଲମରେ ସବୁ ‘ହଁ’, କଲା ବେଳକୁ ‘ନାଁ’ ରେ ରୂପାନ୍ତରିତ ହେଉଥିଲା ଅନିଚ୍ଛା ସତ୍ତ୍ବେ ।ବେଳେବେଳେ ମନକହୁଥିଲା ଭୁଲ୍ କରିଦେଲିକି …ପୁଣି ସେଇ ମନକହୁଥିଲା ଆଗେଇଚାଲ କଷ୍ଟକରି, ସଫଳତା ପାଇବୁ। ସଫଳତା ପାଏ କି ନପାଏ କାମ କରିବି ନିଶ୍ଚୟ। ବାପା ତ କେବେ ଭୟ ଶିଖେଇନାହାଁନ୍ତି…। ହାରିବା ସମୟରେ ହସିକି ଆଗେଇବାକୁ କୁହନ୍ତି …’ନ ହାରିଲେ,ଜିତିବୁ କେମିତି’ , ସ୍ବାଦ ଚାଖିବାକୁ ହେଲେ କରିବାକୁ ପଡିବ … ସତରେ ତ ।ଏଇ ଯୋଉ ଖରାଛାଇ ଖେଳ…ପାରିବେ କି ସମସ୍ତେ … ।
ନାବାର୍ଡର ବ୍ରାଞ୍ଚ ଅଫିସ ସହ ଯୋଗାଯୋଗ ହେଲା।ବ୍ୟାଙ୍କ ଋଣ ମିଳିବ…। ସହରମୁହାଁ ଅନେକେ ଢେର ବିଦ୍ରୁପ କଲେ।ସବୁପ୍ରକାର ଆରମ୍ଭ କରିଥିବା କାମକୁ ବିଗାଡିଲେ।ମିଶିବାକୁ ଦେଲେନି ମୋ’ ସହିତ ଲୋକଙ୍କୁ କି ଧରାଛୁଆଁ ଦେଲେନି। ଭାବିଥିଲେ,ଝିଅଟି ହଇରାଣ ହେଲାପରେ ପଳେଇବ ଆଉ ଜମିଜମା ତାଙ୍କର ହୋଇଯିବ।କର, ବାଦ… ହିଂସା…କିଛି ଫରକ ପଡିବନି ମୋତେ ।ତହସିଲଦାରଙ୍କ ଉଚିତ ସମୟର ସହଯୋଗ ଅବିସ୍ମରଣୀୟ। ବାପାଙ୍କ ନାମରେ ତଥା ମାଆ ନାମରେ ଥିବା ସବୁକିଛି ଫେରି ପାଇବାକୁ କେତେ କୋର୍ଟ କଚେରୀ, … ତନଖି ,ଧାଁଧପଡ…ଏସ.ପି., କଲେକ୍ଟରଙ୍କ ସହଯୋଗ ..।
ଏଥର ଦୁଇଭାଗରେ ବିଭକ୍ତ କଲି ,ଦୀର୍ଘ ମିଆଦି ଓ ସ୍ବଳ୍ପ ମିଆଦି ନିବେଶକୁ।ସେଇ ଅନୁସାରେ ଯୋଜନା କଲି।ଲୋକବଳ ନହେଲେ ଆଗେଇବି କେମିତିଯେ …।ନା, ପଡିଉଠି ହେଉପଛେ, ଆଗେଇବି ନିଶ୍ଚୟ। ପତଙ୍ଗ ….ହୋଇପାରେ।
ବହୁତ ଭାବିବା ପରେ ଠିକ୍ କଲି ସବୁଠାରୁ ଦୁଷ୍ଟ ଲୋକ ସହିତ ହାତମିଶେଇବି।ତାକୁହିଁ ସେନାପତି କରି ଆଗେଇବି।ଦୁଷ୍ଟମାନେ ସବୁଠାରୁ ଡରୁଆ ଯେ…। ଦୁଷ୍ଟାମି ପଛପଟେ , ସାମ୍ନାରେ ବେଶ୍ ନିଜର ଭଳି ଅଭିନୟକରି ପାରନ୍ତି।ସେଇ ଅଭିନୟ ତାଙ୍କଠାରୁ ଶିଖି ତାଙ୍କୁ ଶିଖେଇବା ମୋ’ କାମ।ହୁଏତ ସେମାନେ ବଦଳିଯିବେ, ନହଲେ ମୋ’ ରାସ୍ତାରୁ ଆଡେଇଯିବେ।ପହଞ୍ଚିଲି ଆମ୍ବ, ତେନ୍ତୁଳି, ବର,କରଞ୍ଜ ଗଛର ଆଡ୍ଡାରେ।କେହି ଜଣେ ଭଲରେ କିଛି କଥାହେବେନି ଜାଣିଥିଲି ବୋଲି ନିଜେ ଆରମ୍ଭ କଲି,ଅନୁରୋଧ।ସାହାଯ୍ୟ ଭିକ୍ଷା ଦରକାର ଥିଲା ମୋ’ର।ସହମତି ମିଳିଗଲା ସଙ୍ଗେ ସଙ୍ଗେ।କଣ୍ଟାକୁ କଣ୍ଟାରେ …ହତିଆର ଦରକାର ନାହିଁ ଜମା।
କୃଷି ଉପଜୀବ୍ୟ ମାନେ କାଦୁଅ ସହ ଖେଳିବା। ମାଟିସହ ଏକାକାର ସେ ବେଳ।ଆଃ କି ସୁନ୍ଦର!କଷ୍ଟ ଥିଲେ ବି ମଧୁର ଅନୁଭବ । ବହୁମୁଖୀ ଯୋଜନାର ଆରମ୍ଭ ହେଲା ଏକଦମ ଛୋଟିଆ କାମରୁ। ଗଡିଆ ପାଖ ଜାଗାରେ କେବଳ ଗେଣ୍ଡୁ ଫୁଲ ଲଗେଇବାସହ ମୋତେ ମିଶେଇ ଚାରିଜଣ ଅଣ୍ଟା ଭିଡିଲୁ।ସଫଳତାର ପ୍ରଥମ ପାହାଚ…ଖସରା ହେଲେବି ମିଠାଥିଲା। ଋତୁ ଅନୁଯାୟୀ ଆଗୁଆ କରିଲେ ବେଶ ବଢିଆ ରୋଜଗାର …। ମନ ପ୍ରାଣ ଅନ୍ତରଦେଇ ସହଯୋଗୀମାନଙ୍କୁ ଆଦରକଲି ଓ ପାରିଶ୍ରମିକ ବାବଦରେ ବିଶେଷ ଭାବରେ ଧ୍ୟାନ ଦେଲି।ସେମାନେ ଆଗ୍ରହୀ ହେଲେ।ଆଗକୁ ବଢିଲା କାମ ଏଥର।
Comments are closed.