Latest Odisha News

BREAKING NEWS

ଅନୁବାଦ ଗଳ୍ପ : କୁଲସୁମ୍‍

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧୧  

ମୂଳ ପଞ୍ଜାବୀ: କର୍ତ୍ତାର ସିଂହ ଡୁଗ୍‍ଗଲ 

ତା’ଲାଗି ବୁଢ଼ା କ’ଣ ସବୁ ଆଣିଥିଲା?

ବିଚଳିତ ଭାବରେ ପଦଚାରଣ କରୁଥିବା ଯୁବ ସ୍କୁଲ ମାଷ୍ଟରଙ୍କ ପାଦ ଶବ୍ଦ କୁଡ଼ିଆ ଭିତରେ ମିଳେଇଗଲା । କୁଡ଼ିଆ ଭିତରେ ଗୋଟିଏ କଡ଼କୁ ଚାହିଁ ଦେଖିଲି କେତେଗୁଡ଼ିଏ ଗିନା ଓ ଥାଳିଆ ଗଦା ହୋଇଛି । ଆର ପଟକୁ ବୁଢ଼ାର ପ୍ରାର୍ଥନା ଆସନ । ଆସନ ବେଶ୍‍ ଯତ୍ନରେ ବିଛା ଯାଇଥିବା ପରି ମନେ ହେଉଥିଲା ଓ ତା’ ଉପରେ ଜପାମାଳାଟିଏ ସାପ ପରି ଗୁଡ଼େଇ ହୋଇ ଶୋଇଲା ପରି ପଡ଼ିଥିଲା । ଏଥର ସିଏ ଆହୁରି ଭିତରକୁ ଉଣ୍ଡିଲା । ଅନ୍ଧାରରେ କିଛି ହେଲେ ଦିଶୁ ନ ଥିଲା । କେବଳ କିଟକିଟ୍‍ ଅନ୍ଧାର । ସେତେବେଳକୁ ସୂର୍ଯ୍ୟ ମଧ୍ୟ ଉଇଁ ନଥିଲେ । ହେଲେ ସୂର୍ଯ୍ୟଙ୍କ ନ ଉଇଁବା ସାଥିରେ କୁଡ଼ିଆର ଏ ଅଂଶଟି ଆଲୋକିତ ହେବାର କିଛି ସମ୍ପର୍କ ନ ଥିଲା । ସ୍କୁଲମାଷ୍ଟର ବାବୁ ଜଣକ ଏଥର ଆହୁରି ଭଲଭାବରେ ଘର ଭିତରକୁ ନିରୀକ୍ଷଣ କଲେ ।

ବୃଦ୍ଧ ଜଣକ କାହିଁକି ତାଙ୍କୁ ସହରରୁ ଡକାଇଛନ୍ତି ? କି କାମ ତାଙ୍କର ଥାଇପାରେ? ହଠାତ୍‍ ତାଙ୍କ ଆଖି ଉଜ୍ଜ୍ୱଳ ହୋଇଉଠିଲା । ଘର ଭିତରେ ଅନ୍ଧାରରେ ଗୋଟିଏ ପଟ କାନ୍ଥକୁ ଆଉଜି ଯୁବତୀଟି ନୀରବରେ ଠିଆ ହୋଇଥିଲା । ସେ ଦେଖିବାକୁ ବେଶ୍‍ ଡେଙ୍ଗା ଓ ସୁନ୍ଦର ଲାଗୁଥିଲା । ତା’ ମୁଣ୍ଡର ଲମ୍ବା କେଶ ତଳକୁ ଲମ୍ବିଥିଲା; ଲାଗୁଥିଲା, ସତେ ଯେପରି ମାଳତୀ ଫୁଲର ଲତାଟିଏ କେଉଁ ଗୋଟିଏ ଘରର ଛାତ ଉପରକୁ ଉଠିଯାଇଛି! ମାଷ୍ଟରବାବୁ ମୁଗ୍ଧ ଚକିତ ନୟନରେ ଚାହିଁଲେ ।

ଘରର ମଝିଖୁଣ୍ଟ ପାଖକୁ ଲାଗି ଖଟ ଖଣ୍ଡେ ପଡ଼ିଥିଲା । ତା’ ଉପରେ ବିଛା ହୋଇଥିବା ଧଳା ସପ ଖଣ୍ଡିକ ବି ବେଶ୍‍ ନୂଆ ପରି ଲାଗୁଥିଲା । ଏତିକିବେଳେ ମାଷ୍ଟରବାବୁଙ୍କ କାନରେ ପଡ଼ିଲା, ‘ମୋ ନାଁ କୁଲସୁମ୍‍ ।’

ମାଷ୍ଟରବାବୁଙ୍କ ଦୃଷ୍ଟି ହଠାତ୍‍ ଖଟ ଉପରୁ ଓହରିଯାଇ ପଡ଼ିଲା ଝିଅଟିର ମୁହଁରେ । ଆଖି ଓହରାଇ ନ ପାରି ସେ ଏକା ଲୟରେ
ଝିଅଟିକୁ ଚାହିଁ ରହିଥାଆନ୍ତି । ଯେପରି ବେଳକୁ ବେଳ ତାଙ୍କ ଆଖି ପାଗଳ ପାଲଟି ଯାଉଥାଏ ! ଆଉ ଥରେ ଶୁଭିଲା, ‘ମୋ ନାଁ କୁଲସୁମ । ତୁମ ନାଁ କ’ଣ ?’ ଝିଅଟିର ଓଠ ଖୋଲିବା ମାତ୍ରେ ଲାଗୁଥିଲା ସତେ ଯେପରି ଗୋଲାପ କଢ଼ିଟିଏ ପାଖୁଡ଼ା ମେଲାଇ ଚାଲିଛି!

ମାଷ୍ଟରବାବୁ ଖଟଟି ଉପରେ ବସି ପଡ଼ିଲେ । ତାଙ୍କୁ ଲାଗୁଥିଲା ସତେକି ଚାଲିଚାଲି ସେ ଥକି ପଡ଼ିଛନ୍ତି । ଗଲା ପଚିଶ ବର୍ଷ ଧରି କେବଳ ସେ ଚାଲିଥିଲେ ଅବିରାମ ଗତିରେ, ବିଶ୍ରାମହୀନଭାବରେ । ଏବେ ସେ ଅନୁମାନ କରିପାରୁଥିଲେ କାହିଁକି ବୃଦ୍ଧ ଜଣକ ତାଙ୍କ ଏଠାକୁ ଡକାଇ ଆଣିବାପାଇଁ ଏତେ ଅସ୍ଥିର ହୋଇପଡ଼ିଥିଲେ । ଏତେ ଥର କାହିଁକି ଖବର ପଠାଇଥିଲେ । ସିଧାସଳଖ ଏଠାରେ ଆସି ପହଞ୍ଚିବାକୁ କାହିିଁକି କହିଥିଲେ । ତା’ହେଲେ ବୃଦ୍ଧ ତାଙ୍କ ପାଇଁ ଏଇ ‘ଭେଟି’ ରଖି ବସିଥିଲେ । କିନ୍ତୁ ମାଷ୍ଟରବାବୁ ଖବର ପାଇ ବସିବା ଜାଗାରୁ ଉଠି ଆସି ପାରି ନ ଥିଲେ । ସେଦିନ ସ୍କୁଲ ଛୁଟି ହେବା ପର୍ଯ୍ୟନ୍ତ ସେ ଅପେକ୍ଷା କରିଥିଲେ ।

ମାଷ୍ଟରବାବୁଙ୍କୁ ଲାଗୁଥିଲା ବୃଦ୍ଧଙ୍କର ଏଇ ଅପୂର୍ବ ଉପହାରଟିକୁ ଗୋଟାପଣେ ଗିଳି ପକେଇବାକୁ । ଯେପରି ଏଇ ସୁନ୍ଦରୀ ତରୁଣୀଟିର ଅଧର ଦିଓଟିରୁ ସେ ମଦିରା ପାନ କରିଚାଲନ୍ତେ ଯୁଗ ଯୁଗ ଧରି । ଏଇ କଥା ଭାବିଲା ବେଳକୁ ଯୁବ ମାଷ୍ଟରବାବୁଙ୍କ ଦେହ ହାତ ଯେମିତି ଅବଶ ହୋଇ ଆସିଲା । ଆଖିରେ କ୍ଷୁଧାର ଲେଲୀହାନ ଶିଖା ତେଜି ଉଠିିଲା । ଏଇଟା ସମ୍ଭବତଃ ଅନେକ ଦିନରୁ ଈପସିତ ସ୍ୱାଧୀନତା ଥିଲା । ସ୍ୱାଧୀନତା ତ ନୁହେଁ, ତା’ର ସାରାଂଶ । ଏଇ ଗଲା କାଲି ତ ଦେଶ ସ୍ୱାଧୀନତା ଲାଭ କଲା । ମାଷ୍ଟରବାବୁ ଏଇ କଥା ମନେମନେ ଦୋହରାଇ ହେଉଥିଲେ । ତାଙ୍କ କାନରେ ସ୍ୱାଧୀନତା ସଂଗ୍ରାମର ଆହ୍ୱାନ ଓ ସ୍ଲୋଗାନ ସବୁ ଏବେ ମଧ୍ୟ ଝଙ୍କୃତ ହୋଇ ଚାଲିଥିଲା । ଆଉ ଆଜି ସ୍ୱାଧୀନତା ପ୍ରାପ୍ତିର ମାତ୍ର ଗୋଟିଏ ଦିନ ପରେ ତାଙ୍କ ଆଖି ଆଗରେ ଜଣେ ମୁସଲମାନ ତରୁଣୀ । କୁଲସୁମ୍‍ ।

କୋମଳତମ ସ୍ପର୍ଶରେ ସୁଦ୍ଧା ସେ ଝାଉଁଳି ପଡ଼ିବ । ଯେମିତି ତା’ର କାୟା ଚିରଦିନପାଇଁ ଅପବିତ୍ର ହୋଇଯିବ ।

‘ମୋ ନାଁ କୁଲସୁମ!’

ମାଷ୍ଟରବାବୁ ଚିନ୍ତା କଲେ । ଗଲା କାଲି ପର୍ଯ୍ୟନ୍ତ ଏ ଗାଆଁର ହିନ୍ଦୁ କିମ୍ବା ଶିଖ୍‍ ଝିଅଟିଏ ଘରୁ ବାହାରୁ ନ ଥିଲା । ଏପରିକି ଦିନରେ ସୁଦ୍ଧା ନୁହେଁ । ଅନ୍ୟ ସମ୍ପ୍ରଦାୟର ଗୁଣ୍ଡାମାନେ ଗାଆଁ ଦାଣ୍ଡରେ ନିଶ ମୋଡ଼ି ପଇଁତରା ମାରୁଥିଲେ । ସେମାନଙ୍କ ସହିତ ବରାବରି ହେବାକୁ କେହି ଭରସି ପାରୁ ନ ଥିଲେ । ସାରା ପଞ୍ଜାବରେ ଯେମିତି ସେମାନେ ଗୁଣ୍ଡାରାଜ ଚଳେଇଥିଲେ । ଦିନ ଦି’ପହରେ ଯାହାକୁ ପାରିଲେ ତାକୁ ମାରିଲେ, ଲୁଟିଲେ ଅବା କାହାର ଇଜ୍ଜତ ନେଲେ । କ’ଣ ଯେ ସେମାନେ କରୁ ନ ଥିଲେ ସେକଥା କହିହେବ ନାହିଁ । ସେମାନଙ୍କ ବିରୋଧରେ କେହି ହେଲେ ତୁଣ୍ଡ ଖୋଲିବାକୁ ଭରସି ପାରୁ ନ ଥିଲେ । କିନ୍ତୁ ଏଇ ପରିସ୍ଥିତି ଥିଲା ଗଲା କାଲି ପର୍ଯ୍ୟନ୍ତ ।

ଆଉ ଆଜି । ଆଜି ଗୋଟିଏ ସୁନ୍ଦରୀ ମୁସଲମାନ ତରୁଣୀ ତା’ ଆଗରେ ଠିଆ ହୋଇଛି ଏ ଅନ୍ଧାରୁଆ ଘରଟା ଭିତରେ । ତା’ର ଖୁସିପାଇଁ । ମନେ ହେଉଥିଲା ଯେପରି ସାତ ପରସ୍ତ ଓଢ଼ଣୀ ଭିତରୁ କିଏ ପଦାକୁ ଭିଡ଼ି ଆଣିଛି ଏଇ ଅମୂଲ୍ୟ ରତ୍ନଟିକୁ! ଯୁବ ସ୍କୁଲ ମାଷ୍ଟରଙ୍କ ଦେହ ଯେପରି ଧୈର୍ଯ୍ୟ ଧରିବାକୁ ଆଉ ପ୍ରସ୍ତୁତ ନ ଥିଲା । ତାଙ୍କ ଆଖିରେ ଏକ ପ୍ରାଗୈତିହାସିକ ଜାନ୍ତବ କ୍ଷୁଧାର ନିଆଁ ଜଳି ଉଠୁଥିଲା । ମୁହଁରେ ଏକ ନିର୍ଲଜ ହସର ରେଖା । ସେ ଆଉ ଅପେକ୍ଷା କରି ନ ପାରି ହଠାତ୍‍ ହିଂସ୍ର ବ୍ୟାଘ୍ରଟିଏ ପରି ତରୁଣୀଟି ଉପରକୁ କୁଦି ପଡ଼ିଲେ ଓ ତା’ର ବାହୁକୁ ଭିଡ଼ି ଧରିଲେ । ଏଥର ସେ ତାକୁ ଖଟଟି ଆଡ଼କୁ ଟାଣିବାକୁ ଚେଷ୍ଟା କଲେ । ତରୁଣୀଟି କିନ୍ତୁ ଖଟ ନିକଟକୁ ଯିବାକୁ ପ୍ରସ୍ତୁତ ନ ଥିଲା । ମାଷ୍ଟରବାବୁ ପୁଣି ଥରେ ଝିଙ୍କି ଓଟାରି ତାକୁ ଆଣିବାକୁ ଚେଷ୍ଟା କଲେ ।

ଝିଅଟି ନିଶ୍ଚଳ ମୂର୍ତ୍ତିଟିଏ ଭଳି ସେଇଠି ଠିଆ ହୋଇ ରହିଲା ।

ଏଥର ତରୁଣୀଟି ଅନୁନୟ ସ୍ୱରରେ କହିଲା, ‘ଦୟାକରି ମୋତେ କିଛି କୁହ ।’

ସେତେବେଳେ ବିଚରା ସ୍କୁଲ ମାଷ୍ଟରଙ୍କ ମୁଣ୍ଡରୁ ଯେପରି ସବୁ ଚିନ୍ତା ନିଷ୍କାସିତ ହୋଇ ସାରିଥିଲା । ଆଉ ଯାହା ରହି ଯାଇଥିଲା ତାହା ଥିଲା କାମନାର ମୋହ ଓ ଅଗ୍ନି ।

ତରୁଣୀଟି ପୁଣି ଥରେ ନେହୁରା ହେଲା, ‘ପ୍ରଥମେ ମତେ ବାହା ହୁଅ । ତା’ହେଲେ ମୁଁ ତୁମ ପାଖରେ ବସି ପାରିବି । ନ ହେଲେ ଜଣେ ଅଚିହ୍ନା ଲୋକ ପାଖରେ ଖଟଟା ଉପରେ ମୁଁ କେମିତି ବସିବି?’

ସେତେବେଳକୁ ମାଷ୍ଟରବାବୁଙ୍କ ମୁହଁ କାମନାର ଜ୍ୱାଳାରେ ଘର୍ମାକ୍ତ ଓ କଳା ପଡ଼ି ଆସିଥିଲା । ତାଙ୍କ ଆଖିରେ ଏକ ଜାନ୍ତବ କ୍ଷୁଧାର ଅଗ୍ନି ଦପ୍‍ଦପ୍‍ ହୋଇ ଜଳୁଥିଲା । ସେ କିଛି ହେଲେ କହିପାରୁ ନ ଥିଲେ । କେବଳ ଝିଅଟିର ହାତ ଧରି ଖଟଟି ଆଡ଼କୁ ଭିଡ଼ି ଚାଲିଥାଆନ୍ତି ।

କୁଲସୁମ୍‍ କାକୁତି ମିନତି କରି ଚାଲିଥାଏ, ‘ତୁମ ହାତଗୋଡ଼ ଧରୁଛି ବାବୁ, ସେମିତି କରନା । ମତେ ପ୍ରଥମେ ବାହା ହୋଇଯାଅ । ତୁମେ ତ ଯୁଆନ ଲୋକ । ମୋର ବି ତୁମରି ଭଳିଆ ଜଣେ ଲୋକ ସାଥିରେ ବାହାଘର ଠିକ୍‍ ହୋଇଥିଲା । ସେ ତୁମରି ଭଳିଆ ଡେଙ୍ଗା । ତୁମରି ଭଳି ତା’ର ଚଉଡ଼ା କାନ୍ଧ, ସୁନ୍ଦରିଆ ଦାନ୍ତ ଦି’ଧାଡ଼ି । ଦଙ୍ଗାବେଳେ ଗୁଣ୍ଡାମାନେ ତାଙ୍କୁ ମାରିଦେଲେ । ମୋର ବାପା, ମାଆ, ଭାଇ ଓ ଘରର ସମସ୍ତେ ସେ ଦଙ୍ଗାରେ ପ୍ରାଣ ହରେଇଚନ୍ତି । ମୁଁ ନିଜେ ଜାଣିନି, ମୁଁ କେମିତି ସେ ହିଂସାକାଣ୍ଡରୁ ବର୍ତ୍ତିଗଲି! କେବଳ ମୁଁ । ମୁଁ ଅନ୍ଧାରରେ ଅନ୍ଧାରରେ ଏକମୁହାଁ ଦୌଡ଼ିଥିଲି । ଜାଣିନି କେତେ ବାଟ ସେଇ ଭଳିଆ ମୁଁ ଦୌଡ଼ିଛି । ଶେଷରେ ଏଇ ବୁଢ଼ା ଲୋକଜଣକ ମତେ ପାଇ ଏଠାକୁ ନେଇ ଆସିଛନ୍ତି । ବାଟରେ ସିଏ ମତେ ଗୋଟିଏ କଥା ମଧ୍ୟ ଦେଇଚନ୍ତି । ସେ କହୁଥିଲେ ଯେ ମୋ ଲାଗି ଗୋଟିଏ ଭଲ ବରପାତ୍ର ଜୁଟେଇଦେବେ । ମତେ ତୁମେ ଦୟାକରି ବାହା ହୁଅ, ବାବୁ ।’

ମାଷ୍ଟରବାବୁଙ୍କ କାନରେ କୁଲସୁମ୍‍ର କିଛି ହେଲେ କଥା ପଡ଼ୁ ନ ଥିଲା । ଯେପରି ଏବେ ତାଙ୍କର ସାରା ଦେହ ନିଜ ନିୟନ୍ତ୍ରଣ ବାହାରେ ଓ ସେ ସମ୍ପୂର୍ଣ୍ଣ ନିଶାସକ୍ତ । ଏବେ ସେ ତାଙ୍କର ସବୁ ଶକ୍ତି ଖଟାଇ କୁଲସୁମକୁ ଖଟ ଆଡ଼କୁ ଟାଣିବାକୁ ଚେଷ୍ଟା କଲେ । କୁଲସୁମ କିନ୍ତୁ ଖୁଣ୍ଟଟିଏ ପରି ସେଇଠି ଠିଆ ହୋଇ ରହିଲା । ପାଦଟିଏ ହେଲେ ଘୁଞ୍ଚିଲା ନାହିଁ ।

‘ମତେ ବାହା ହୋଇପଡ଼ ବାବୁ । ମୁଁ ତୁମ ଗୋଡ଼ ତଳେ ପଡ଼ୁଚି । ନେହୁରା ହେଉଚି । ଆଗ ମୋତେ ବାହା ହୋଇପଡ଼ । ଗୋଟିଏ ଅଭିଆଡ଼ୀ ବଢ଼ିଲା ଝିଅ କେଉଁଠି ଏମିତି ବାହା ହେବାଲାଗି ଗୋଡ଼ହାତ ଧରିବା ଶୁଣିଛ ବାବୁ? ଲାଜସରମ ଛାଡ଼ି କେଉଁଠି ଝିଅଟିଏ ଏମିତି କହିବାର ଦେଖିଛ , ମତେ ବାହାହୁଅ ବୋଲି? ମୁଁ ଜୀବନସାରା ତୁମ ଘରେ ଚାକରାଣୀ ହୋଇ କାମଦାମ କରିବି ।’

ଯୁବ ମାଷ୍ଟରବାବୁଙ୍କ କାନରେ ସେସବୁ କିଛି ପଡ଼ୁ ନ ଥିଲା । ଏମତିକି ତାଙ୍କୁ ଯୁବତୀଟି ବ୍ୟତୀତ ଆଉ କିଛି ଦିଶୁ ନ ଥିଲା । ଏଥର ସେ କୁଲସୁମ ଉପରକୁ କୁଦି ପଡ଼ିଲା ପରି ଆଗେଇଯାଇ ଦି’ହାତ ବଢ଼ାଇ ଝିଙ୍କିବାକୁ ଆରମ୍ଭ କଲେ ସବୁ ବଳ ଖଟାଇ । କୁଲସୁମ ଗୋଟିଏ ମୁହୂର୍ତ୍ତ ଲାଗି ଯେପରି ହିଂସ୍ର ସିଂହୀଟିଏ ପାଲଟିଗଲା । ସେ ତା’ର ସମସ୍ତ ଶକ୍ତି ଖଟାଇ ମାଷ୍ଟରବାବୁଙ୍କୁ ଶକ୍ତ ଧକ୍କାଟିଏ ଦେଲା । ବିଚରା ମାଷ୍ଟରବାବୁ ସିଧା ଯାଇ ଲଥ୍‍କରି ପଡ଼ିଲେ ଖଟଟା ଉପରେ ।

କୁଲସୁମ ଦି’ଆଖିରୁ ଏବେ ଧାର ଧାର ଲୁହ ବହିଯାଉଥିଲା । ସେ ଦି’ହାତ ଯୋଡ଼ି କହିଲା, ‘ମୁଁ ତୁମକୁ ନେହୁରା ହେଉଛି ବାବୁ, ପହିଲେ ମତେ ବାହା ହୁଅ । ତୁମେ ତ ଯୁଆନ ଟୋକା । ମତେ ବାହା ହୁଅ । ତୁମ ପିଲାମାନଙ୍କର ମୁଁ ମା’ହେବି । ଆମେ ଦୁହେଁ ମିଶି ଘରସଂସାର ଗଢ଼ିବା… ନିଜର ଘର କରିବା… ।’

କୁଲସୁମ ଆଖିରୁ ବହୁଥିବା ଅଶ୍ରୁ ଓ ତା’ର ଧକ୍କାକୁ ସହ୍ୟ କରି ନ ପାରି ମାଷ୍ଟରବାବୁ ରାଗ ତମତମ ହୋଇ କୁଡ଼ିଆରୁ ବାହାରିଗଲେ । କୁଡ଼ିଆ ବାହାର ନିମଗଛ ମୂଳେ ବୁଢ଼ା ବସି ଝୋଟ କେରାଏ ଧରି ଦଉଡ଼ା ବଳୁଥିଲା । ମାଷ୍ଟରବାବୁଙ୍କ ମୁହଁରୁ ସବୁ ଘଟଣା ଶୁଣି ସେ ଦଉଡ଼ା ଖଣ୍ଡିକୁ ତଳେ ଥୋଇଦେଲା ଓ ଉଚ୍ଚ ସ୍ୱରରେ କହିବାକୁ ଆରମ୍ଭ କଲା, ‘ଚରିତ୍ରହୀନ କୋଉଠିକାର! କହୁଛି କ’ଣ ନା ମୋତେ ବାହା ହୁଅ ।’

ଏତିକି କହି ବୁଢ଼ା ରାଗ ତମତମ ହୋଇ ଘର ଭିତରକୁ ପଶିଗଲା । ଘରେ ପଶି ପହିଲେ ସେ କବାଟ କିଳିଦେଲା । ଦି’ତିନି ମିନିଟ ପରେ ବୁଢ଼ା ପୁଣି ବାହାରି ଆସିଲା । ପଦାକୁ ବାହାରୁ ବାହାରୁ ସେ ନିଜର ଲୁଙ୍ଗିକୁ ଭଲ କରି ସଜାଡ଼ି ପିନ୍ଧିନେଲା ।

ମାଷ୍ଟରବାବୁଙ୍କ ପାଖକୁ ଆସି ସେ କହିଲା, ‘ଏବେ ତୁମେ ତା’ ପାଖକୁ ଯାଅ ମାଷ୍ଟରବାବୁ । ଏଥର ସେ ଆଉ କିଛି କହିବ ନାହିଁ କି ମନା କରିବ ନାହିଁ ।’

ଏତିକି କହି ସେ ଦୁଆରମୁହଁରେ ଥୁଆ ହୋଇଥିବା ପାଣି ଢାଳଟି ଉଠାଇ ଢକଢକ କରି ସବୁତକ ପାଣି ପିଇଗଲା । ତା’ପରେ ନିମଗଛ ମୂଳକୁ ଯାଇ ନିଜର ହାତ ମୁହଁ ଧୋଇନେଲା । ମାଷ୍ଟରବାବୁ ପୁଣି ଥରେ ସେ ଅନ୍ଧାରୁଆ କୁଡ଼ିଆ ଭିତରକୁ ପାଦ ବଢ଼େଇଲେ । ଏଥର ସେ ନିରୀକ୍ଷଣ କଲେ କୁଲସୁମ ଖଟର ଗୋଟିଏ ପଟ ଦାଢ଼କୁ ଲାଗି ବସିଛି । ମାଷ୍ଟରବାବୁଙ୍କୁ ପଛ କରି । ସେ ପିନ୍ଧିଥିବା ସିଲ୍‍କ ସାଲୱାର ଓ କମିଜି କେମିତି ମୋଡ଼ି ମକଚି ହୋଇଯାଇଛି । ମୁଣ୍ଡ ଉପରୁ ଓଢ଼ଣୀ ଖସି ପଡ଼ିଛି । ମୁଣ୍ଡର କେଶରାଶି ବିପର୍ଯ୍ୟସ୍ତ ହୋଇ କଳାବାଦଲ ପରି ପିଠି ଉପରେ ବିଛେଇ ହୋଇ ଲମ୍ବିଛି । ବେକମୂଳେ ବୁନ୍ଦା ବୁନ୍ଦା ଝାଳ ଜମାଟ ବାନ୍ଧି ସାରିଛି । ମାଷ୍ଟରବାବୁ ଗୋଟିଏ ଗୋଟିଏ ପାଦ ପକାଇ ଯାଇ କୁଲସୁମ ପାଖରେ ବସିପଡ଼ିଲେ ।

ଏଥର ସେ ଖଟ ଉପରୁ ଉଠିପଡ଼ିଲା ନାହିଁ କି ଦୂରକୁ ଘୁଞ୍ଚି ଗଲା ନାହିଁ । ମାଷ୍ଟରବାବୁ ସାହସ ବାନ୍ଧି ତା’ କାନ୍ଧ ଉପରେ ହାତ ଥାପିଲେ । କୁଲସୁମ ଶୁଖିଲା କାଠ ଖଣ୍ଡେ ଭଳି ସେମିତି ନିଶ୍ଚଳ ହୋଇ ବସି ରହିଥିଲା । ଅନ୍ଧାରୁଆ କୁଡ଼ିଆ ଭିତରେ ଆଉ ପରସ୍ତେ ଅନ୍ଧାର ଯେମିତି ଘୋଟି ଆସିଲା! ସମ୍ଭବତଃ କୁଡ଼ିଆ ବାହାରେ ସନ୍ଧ୍ୟା ନଇଁ ସାରିଥିଲା ।

ରୂପାନ୍ତରଣ: ସୁଭାଷ ଶତପଥୀ

 

Leave A Reply

Your email address will not be published.