Latest Odisha News

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୯୩)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୯୩

ନୂଆ ବୋହୂର ଖୋଳପାରେ ପଶିଗଲି। କିଛି ଆଶା ଓ ଆଶଙ୍କା ସହିତ ନିଜକୁ ଏକାକାର କରୁଥିଲି। କହିବା ଅନୁସାରେ ସଜାଡିନେଲି ନିଜକୁ। ନୂଆ ଜୀବନ …ଅନଭିଜ୍ଞ ଜୀବନ । ଡକ୍ଟର ଆଣ୍ଟି ଓ ମୁଁ ବାହାରିଲୁ। ଏଇଆ କଣ ଚାହିଁଥିଲା ଜବା ? ବାଟସାରା ମନରେ ଅନେକ ପ୍ରକାର ପ୍ରଶ୍ନ ଉତ୍ତର …।

ମୁଠାଏ ଶ୍ରଦ୍ଧା ଖୋଜିଥିଲି…ଅଭିନୟର ଦ୍ବାହିଦେଇ ଇଚ୍ଛାକୁ ନୁଆଁଇ ନିଜଭିତରେ ସମାହିତ …ଓଃ ଇଏ ବି ଜୀବନ ..। ଦଧିଚିଙ୍କ ଭଳି ଲାଗୁଥିଲା ନିଜକୁ। କେବଳ ହାଡ କେତେଖଣ୍ଡରେ ପୁନର୍ଜନ୍ମ। ନା….ମନଟା କିଛି ନୁହେଁ …ଆଉ ନିଜର ବୋଲି ଯୋଉ ଟିକକ ସମୟ …ସେସବୁ କଣ ଜୀବନ ନୁହେଁ …ଏସବୁ ନବଜନ୍ମ ପାଇଁ ପ୍ରେରିତ କରେନି କି …।

ରୋଗୀର ଚିକିତ୍ସା ପାଇଁ ଅଭିନବ ଉପାୟ …। ଯୋଉ ଘରେ ଫୁଲଟିଏ ହୋଇ ଫୁଟିବାର ମୋହ ଘାରୁଥିଲା,ସେଇଠି ଅଭିନୟ …। ହଃ, ପ୍ରିୟ ମଣିଷ ଭଲ ହୋଇଯାଆନ୍ତୁ।

ଗାଡିରୁ ଓହ୍ଲାଇବା ପର୍ଯ୍ୟନ୍ତ କୋଉଠି ଥିଲା ମନଟା…। ହସ, ଲାଜ , ଖୁସି ,ଆଶଙ୍କା …ଘାଣ୍ଟି ହୋଇଯାଉଥିଲି…ଏକାକାର ହୋଇ ଯାଉଥିଲି ।

: ମିସେସ ଧରମହାପାତ୍ର ଏଇ ବୋହୂ ..

ହସ ଖିଏ ଦେଇ ପାଦଛୁଇଁ ପ୍ରଣାମ କଲି। ସତରେ ମୁଁ ବୋହୂ ହୋଇ ଗଲି…ନା ବେଦୀ, ନା ହୋମ…ମନ ନା…ସିନ୍ଦୂର…ଜବାକୁସୁମ ସଂକାଶଂ….କାହାଭଳି…କଣ ହୋଇପାରିବି ?

ଯଜ୍ଞ ଆରମ୍ଭ ହେଲା..ଆହୁତି ପରେ ଆହୁତି ….ଚେଷ୍ଟା ଜାରି ରହିଲା …।

ବଦଳୁଥିଲା ସମୟ। ନୂଆ ପିଲାଙ୍କ ସହ ମିଶିକି କାମହେଉଥିଲା। ବୋହୂ ବୋଲାଉଥିଲି ନିଜକୁ ଆଖିମିଟିକା ମାରି। ମନିଟରିଂ କରୁଥିଲେ ଡକ୍ଟର ଆଣ୍ଟି। ଲାଗୁଥିଲା ହସ ଫେରିବ। ରଙ୍ଗ ବୁଣିଯିବ …ଶୀତଳ ପବନ ବହିବ…।

ଧୂପିକା, ତିଥି ଓ ଜୁବୁଲି ଆସୁଥିଲେ ବୋଲି ସହଜ ହୋଇଯାଉଥିଲା ମୋ’ର କାମ। ଆଣ୍ଟିଙ୍କ ପାଖରେ ବସି ଅନେକ ସମୟରେ ମୁଁ , ଅମୃତା ଓ ଚନ୍ଦ୍ରାର କାମ ତୁଲଉଥିଲି। ଧିରେ ଧିରେ ନିଜପାଖରେ ସହଜ ହେଉଥିଲି। ବହୁଧା ବିଭକ୍ତ ହୋଇ ଗତିକରିବା ଆଲୋକର ଶକ୍ତି ହୋଇପାରେ….। ଏକ ଉଜ୍ଜ୍ବଳ ଆଲୋକରେ ଭବିଷ୍ୟତ ଲେଖିବାକୁ ବସିଥିଲି….। ଯୋଉଦିନ ଆଣ୍ଟି ମୋ’ ହାତକୁ ଜାବୁଡି ଧରିଲେ, ସେଦିନ ଡକ୍ଟର ଆଣ୍ଟି ବହୁତ ଖୁସି ହେଲେ। ଗାଧୋଇ ଦେଲେ ମୋତେ ପ୍ରଶଂସାରେ ….। ମୁଁ ଉତ୍ସାହିତ ହେଲି …ଉତ୍‌ଫୁଲ୍ଲିତ ହେଲି।ବୋଧହୁଏ ସେ ଗ୍ରହଣ କରିନେଉଥିଲେ …କେଜାଣି ଆଗକୁ କ’ଣ ଲେଖାଯାଇଛି …।

ଖୁସି ହେଉଥିଲି। ଅଭିନୟ ହେଉପଛେ ନୂଆ ଅଭିଜ୍ଞତା …ବାଟ ଫିଟୁଥିଲା। ବହୁତ କମ୍ ସମୟ ପାଉଥିଲି ନିଜ ପାଇଁ …। ଇଚ୍ଛା ବୋଲି ଆଉ କିଛି ନଥିଲା। ଘରୁ ବାହାରକୁ ଯିବାପାଇଁ ଉପାୟ ନଥିଲା। ଉଡିବୁଲୁଥିବା ମୁଁ ଡେଣାକଟା ପକ୍ଷୀ ଭାବରେ ପଞ୍ଜୁରୀ ଭିତରେ ଏବେ ଛାଟିପିଟି ହେଉଥିଲି ବେଳେବେଳେ .. ..। ତଥାପି କହୁଥିଲି ଏଇ ମୋ’ର ସ୍ବର୍ଗ ।   ( କ୍ରମଶଃ )

Comments are closed.